Unknown

ବୀର ଯୁବକ

ଗୋଦାବରୀଶ ମହାପାତ୍ର

 

(୧)

-‘‘ବାବୁ, ମତେ କାଇଁକି ମାରୁଚ, ମୋର କିଛି ଦୋଷ ନାହିଁ, ବାବୁ ।’’

 

-‘‘ଦେଖୁଛି, ଟୋକାଟା ତ ବେଶ୍‌ ଚାଲାଖ । ତୁମେ ଏଇ ବଦ୍‌ମାସ୍‌ ଟୋକାଦଳେ ତ ସବୁବେଳେ ନିର୍ଦ୍ଦୋଷ- ଆଉ ଦୋଷୀ କିଏ ? ସାକ୍ଷୀ ଗୁହା ପ୍ରମାଣ ଯେ ତୋ ପଛେ ପଛେ ରହିଛି ।’’

 

-‘‘ନାହିଁ ବାବୁ, ମୋର କିଛି ହେଲେ ଦୋଷ ନାହିଁ ।’’

-‘‘ଆରେ ଚୁପ୍‌ ରହ, ଏତେ ବକ୍‌ବକ୍‌ କିଆଁ ? ବଦ୍‌ମାସ୍‌...’’ ଏତିକି କହି ଦରୋଗାବାବୁ ଆହତ ବାଳକଟିକୁ ଦୁଇ ଗୋଇଠା ପକାଇଲେ । ବାଳକ ଭୟବ୍ୟାକୁଳ ପ୍ରାଣରେ ଉଠିବାକୁ ଚେଷ୍ଟାକରି ପୁଣି ତଳେ ପଡ଼ିଗଲା । ସେ ଅନ୍ଧାର ରାତିରେ ବେଶବାସରୁ ଜଣାପଡ଼ୁଥିଲା ଯେ, ବାଳକଟି ନିତାନ୍ତ ଦରିଦ୍ର । ଦରିଦ୍ରବେଶରେ ସେ ଖଣ୍ଡିଏ ମାତ୍ର ଲୁଗା ପିନ୍ଧି ଗୋଟିଏ କୁଡ଼ିଆ ଘରୁ ବାହାରି ଏକଲୟରେ ଗଳିମୁହାଁ ଚାଲିଥିଲାବେଳେ ବିରାଡ଼ି ମୂଷାକୁ ଝାମ୍ପିଲା ପରି ଦାରୋଗାବାବୁ ତା ଉପରେ ଲମ୍ଫଦେଇ ପଡ଼ିଲେ । ବାଳକ ହଠାତ୍‌ ବୁଲିପଡ଼ି ଚାହେଁ ତ, ପାଞ୍ଚହାତ ଲମ୍ୱରେ ଏକ ବିକଟାକାର ପୁରୁଷ ଠିଆ । ତାର ଆଉ ଧୈର୍ଯ୍ୟ ରହିଲାନାହିଁ । ସେ ତା’ କବଳରୁ ଖସି ଚାଲିଯିବ ବୋଲି ପ୍ରବଳ ଉଦ୍ୟମ କଲା । ଖୁବ୍‌ ଜୋର୍‌ରେ ଚାରି-ଛଅ ପାହୁଣ୍ଡ ଦୌଡ଼ିଛି, ଅନ୍ଧାରରେ ଝୁଣ୍ଟିଲା ଠାଏ ଯେ, ତିନିଗଡ଼ା ଦେଇ ମୁହଁମାଡ଼ି ପଡ଼ିଲା । ସେହି ମାଡ଼ରେ ଆଣ୍ଠୁ କହୁଣି ଛିଡ଼ି ଝରଝର ରକ୍ତ ବୋହିଗଲା । ସେ ତଳୁ ଉଠୁ-ନ-ଉଠୁଣୁ ଦାରୋଗାବାବୁ ଦୌଡ଼ି ଯାଇ ପୁଣି ତାକୁ ମାଡ଼ିବସିଲେ ।

 

ବିଚାରାର ଆଉ ସାହସ ରହିଲାନାହିଁ । ଅଧା ଚେତା ହରାଇଲାପରି ହୋଇ ବଡ଼ କାତରଭାବରେ କହିଲା- ‘‘ବଡ଼ ଅନ୍ୟାୟ ବାବୁ, ବଡ଼ ଅନ୍ୟାୟ ! ମୁଁ କାହାର କେବେ ହେଲେ କିଛି କ୍ଷତି କରିନାହିଁ ।’’ କହୁଁ କହୁଁ ତାର ଦୁଇ ଆଖିରୁ ଦୁଇ ଧାର ଲୁହ ବୋହିପଡ଼ିଲା ।

 

ତାର ଏ କାତର ପ୍ରାର୍ଥନା ଶୁଣି ଦାରୋଗାବାବୁ ବଡ଼ ତାଚ୍ଛଲ୍ୟଭାବରେ ହସି ହସି କହିଲେ, ‘ବେଶ୍‌, ବେଶ୍‌; ବୁଢ଼ୀ ଘରେ ପଶି ଚୋରି କରିବା ଆଗରୁ ଏତିକି ବୁଦ୍ଧି ଆସିଥିଲେ ଭଲହୋଇଥାନ୍ତା । ବୁଢ଼ୀର ଚୋରି କଥା ଆଉ ଲୁଚାଚୋରା ନାହିଁ, ଲଛମନ ! ତୋ ବିରୁଦ୍ଧରେ ସବୁ ସାକ୍ଷୀ-ଗୁହା ତ ସଜାହୋଇ ଥୁଆହୋଇଛି; ଆଉ କଣ ଦରକାରକରୁ ?’’

 

ଏହିପରି ସମୟରେ ଗଳିର ଆଲୁଅ ଖମ୍ୱ ପଛପଟୁ ଗୋଟିଏ କିଶୋରୀ ବାଳିକା ବାହାରି ସେହି ଘଟଣାସ୍ଥଳରେ ଆସି ପହଞ୍ଚିଲା । ଖୁବ୍‌ ଟାଣିଟୁଣି ମୋଟା ଲୁଗା ଖଣ୍ଡିଏ ପିନ୍ଧିଛି । ସମସ୍ତ ଶରୀର ଲୁଗାରେ ଆବୃତ, କେବଳ ଦିଶୁଛି ମୁହଁଟି । ମୁଣ୍ଡର ବାଳପୁଞ୍ଜିକ ଭୁତୁରୁ ଭୁତୁରୁ ଉଡ଼ି ତାର ଅର୍ଦ୍ଧ-ଆନତ ମୁଖମଣ୍ଡଳରେ ପଡ଼ି ବିଚିତ୍ର ଶୋଭା ବିସ୍ତାର କରୁଛି । ଏ ଘଟଣା ଦେଖି ତା ମନରେ କିପରି ଏକ ଭୟର ସଂଚାର ହୋଇଗଲା । ଲଛମନର ଗୋଡ଼ହାତକୁ ବ୍ୟଗ୍ରଭାବରେ ଭଲକରି ଚାହିଁ ବଡ଼ ଅଧୀର ଭାବରେ ପଚାରିଲା- ‘‘କଥା କଣ, କଥା କଣ ଲଛମନ ।’’

 

ଲଛମନ ଯେପରି ଅକୂଳରେ କୂଳ ପାଇଲା । ସେ ବ୍ୟସ୍ତଭାବରେ କହିପକାଇଲା, ‘‘ରମା, ରମା, ମୁଁ ପୁଣି ମାଳତୀ ବୁଢ଼ୀ ଘରୁ କଣ ଚୋରିକରି ଘେନିଆସିଛି ବୋଲି ଏ ଲୋକ ମୋତେ ଦୋଷ ଦେଇ ଧରିନେଇଯିବାକୁ ବସିଛି । ମୁଁ ସେ ବିଷୟରେ କିଛି ଜାଣେନାହିଁ ରମା, କିଛି ଜାଣେନାହିଁ ।’’

 

ବାଳିକାର ହୃଦୟ ପଡ଼ୁଥିଲା ଉଠୁଥିଲା । ସେ ଦମ୍ଭର ସହିତ ମୁହଁ ଟେକି ସେ ଲୋକଆଡ଼କୁ ଚାହିଁ କହିଲା, ‘‘ଲଛମନ ତ କେବେହେଲେ ସେ ବୁଢ଼ୀର କିଛି କ୍ଷତିକରିନାହିଁ- ଏ କଣ – ତାକୁ କାହିଁକି ଇମିତି ହଇରାଣ କରୁଛ ? ଏ ବଡ଼ଲୋକର ବେଭାର ନୁହେଁ, ବାବୁ !’’

 

କଥାଟା ଦାରୋଗାବାବୁଙ୍କ ମନକୁ ମାନିଲାନାହିଁ । ଖୁବ୍‌ ଗୋଟାଏ ହସ ହସିଦେଇ କହିଲେ, ‘‘ତାହା ହୋଇପାରେ, ସେ ବୁଢ଼ୀର କେବେହେଲେ କିଛି କ୍ଷତି କରିନଥାଇପାରେ, କିନ୍ତୁ ଏଥର କଥା ତ କିଛି ଜଣାପଡ଼ିନାହିଁ, ଆଗରୁ ଏତେ ବ୍ୟସ୍ତ କିଆଁ ? ତୁମେ କଣ ଏ ଟୋକାର କଣ ହୁଅ କି ?’’

 

ରମାର ଉତ୍ତରକୁ ଆଉ ଅପେକ୍ଷା ନ କରି ଖୁବ୍‌ ଧମକ ଚମକ ଦର୍ପ ଦେଖାଇ ଦାରୋଗାବାବୁ ଲଛମନକୁ ଘୋଷାରିଲା ପରି ଧରି ଆଗକୁ ଚାଲିଲେ । ଲଛମନର ସତୃଷ୍ଣ ସଜଳ ନୟନ ଦୁଇଟିର ଲୁହଧାରା ରମା ବେଶ୍‌ ଦେଖିପାରିଲା । ସେ କଣ କହିବ, କିଛି ଠିକ୍‌ କରିପାରିଲା ନାହିଁ ।

 

ଲଛମନର ଯୌବନର ପ୍ରାରମ୍ଭରେ ପାଦ ଦେଇଛି । ଗଠନଟି ସୁଗୋଲ, କଥା ସ୍ପଷ୍ଟ ଓ ମଧୁର । ନିତାନ୍ତ ଗରିବ ହେଲେ କଣ ହେଲା, ବଦନମଣ୍ଡଳ ବଡ଼ ଦୃଢ଼ତାବ୍ୟଞ୍ଜକ । ଅଭାବ ତାଡ଼ନା ସହୁନଥିଲେ, ସେ ନୟନଯୁଗଳ ସ୍ନେହପ୍ରୀତିରେ ଢଳଢଳ ହୋଇଉଠୁଥାନ୍ତା; ତାର ସ୍ଥାନ ସମାଜର ଅନ୍ୟ ଏକ ସ୍ତରରେ ରହିଥାନ୍ତା ।

 

ଲଛମନ ବାଧ୍ୟ ହୋଇ ଚାଲିଲା; ପଛେ ପଛେ ବାଳିକା ରମା ଗଳିର କ୍ଷୀଣାଲୋକରେ ଦୂରକୁ ବାରିନହେଲା ପରି ସତର୍କରେ ସେ ଦୁହିଙ୍କୁ ଅନୁସରଣ କରିବାକୁ ଲାଗିଲା । ସେମାନେ କେହି ଜାଣନ୍ତିନାହିଁ ଯେ, ରମା ସେମାନଙ୍କ ପଛେପଛେ ନୀରବ ନିସ୍ତବ୍‌ଧ ଭାବରେ ଚାଲିଛି । ସେମାନେ ନିର୍ଜ୍ଜନରେ ଏକ ଛକମୁଣ୍ଡରେ ଯାଇ ପହଞ୍ଚିଲେ । ସେହିଠାରୁ ଚାରିଦିଗକୁ ଚାରିଟା ଗଳି । ଦାରୋଗାବାବୁ ସେହିଠାରୁ ଅଫିସକୁ ଯିବାପାଇଁ ଏକ ସଂକୀର୍ଣ୍ଣ ଗଳିଭିତରେ ସିଧା ବାଟ ଭାବି ମୁହାଁଉଛନ୍ତି, ହଠାତ୍‌ ଏକ ଅସମ୍ଭବ ଘଟଣା ଘଟିଲା । ସେହିଠାରେ ଦାରୋଗାବାବୁଙ୍କର ବୁଦ୍ଧି ଶେଷ । ସେହି ନିର୍ଜ୍ଜନ ଗଳି ଭିତରକୁ ସେ ଶହେ ହାତଖଣ୍ଡେ ଯାଇଛନ୍ତି କି ନାହିଁ, ରମା ହଠାତ୍‌ ଆଗକୁ ଦଉଡ଼ିଯାଇ ଏକ ବିକଟ ଚିତ୍‌କାରରେ ତାଙ୍କ ଉପରକୁ ଲମ୍ଫଦେଲା । ସାଙ୍ଗେ ସାଙ୍ଗେ ଦାରୋଗାବାବୁଙ୍କ କାନ୍ଧ ଉପରକୁ ଉଠିଯାଇ ମୁହଁଟାକୁ ଏପରି ଭାବରେ ବିଦାରିପକାଇଲା ଯେ, ଏ ଅସମ୍ଭବ ଘଟଣାକୁ ସେ କିଛି ଠଉରାଇ ନ ପାରି ତଟସ୍ଥ ହୋଇପଡ଼ିଲେ । ପ୍ରାଣବିକଳରେ ତାଙ୍କ ହାତରୁ ଲଛମନ ଏହି ଅବସରରେ ଖସିଗଲା । ଦାରୋଗାବାବୁଙ୍କ ବେକ ଉପରେ ଓହଳି ରମା ପାଟିକରି କହିଲା, ‘‘ଯାଆ, ଧାଇଁପଳା, ଲଛମନ ! ଧାଇଁପଳା, ଧାଇଁପଳା ।’’

 

ଲଛମନ ଯେ କିପରି ଯମକବଳରୁ ମୁକ୍ତି ପାଇଛି, ବୁଝିବାକୁ ଆଉ ଅବସର ନାହିଁ । ସେ କେବଳ ଏତିକି ଜାଣିପାରିଲା ଯେ, ଦାରୋଗାବାବୁଙ୍କ ବଜ୍ରମୁଷ୍ଟି ଭିତରେ ତାର ହାତ ଆଉ ନାହିଁ । ସେତିକି ଜାଣି ସେ ଏକାଦୌଡ଼କେ ସେହି ଅନ୍ଧକାରମୟ ଗଳିଭିତରେ କୁଆଡ଼େ ଅଦୃଶ୍ୟ ହୋଇଗଲା ।

 

କିଛି ସମୟ ପରେ ଦାରୋଗାବାବୁଙ୍କର ଚୈତନ୍ୟ ଉଦୟ ହେଲା । ଖୁବ୍‌ ଜୋର୍‌ରେ ସେ ରମାର କଚଟିଟାକୁ ଧରି ନାଲି ନାଲି ଆଖି ବୁଲାଇ ବୁଲାଇ ପଚାରିଲେ, ‘‘ବଦ୍‌ମାସି ! ତୁ ଏ କଣ କଲୁ ?’’

 

 

ରମା ଟିକିଏ ସ୍ୱରକୁ ନୂଆଇଁକରି କହିଲା, ‘‘ମୁଁ କିଛି କରିନାଇଁ ବାବୁ ! ମୁଁ କେବଳ ଆମ ସାଇର ଲଛମନକୁ ଛଡ଼ାଇଦେବାପାଇଁ ଆସୁଥିଲି । ମୁଁ ଜାଣେ, ତାର କିଛିହେଲେ ଦୋଷ ନାଇଁ । ଆପଣ ତାକୁ କାଇଁକି ଧରିନେଉଥିଲେ କି ?’’

 

ଏ ପ୍ରଶ୍ନ ଶୁଣି ଦାରୋଗାବାବୁଙ୍କର ହାଡ଼ ଯେପରି ଠକ୍‌ଠକ୍‌ ଡେଇଁଲା । ସାତଦିନ ସାତରାତି କାଳ ସହରର ନାନା ଗଳି ବୁଲି ବୁଲି ଶେଷକୁ ସେ ଲଛମନକୁ ଧରିଥିଲେ । ପରିଶ୍ରମର ସୀମା ନଥିଲା । ରମକୁ ହାତରେ ଖୁବ୍‌ ଝାଙ୍କିଦେଇ କଠୋର ସ୍ୱରରେ କହିଲେ- ‘‘କାହିଁକି ନେଉଥିଲି- ଚାଲ୍‌, ଜାଣିବୁ ଯେ ।’’

 

-‘‘କଣ ଜାଣିବି ?’’

-‘‘ଜାଣିବୁ ମୁଁ କାହିଁକି ତାକୁ ନେଉଥିଲି ।’’

-‘‘ମୁଁ କାଇଁକି ଯିବି ବାବୁ । ମୋତେ କାଇଁକି ଭିଡ଼ୁଛ ?’’

 

-‘‘ବଦ୍‌ମାସି ଆହୁରି ଚାଲାକି ଖେଳୁଛୁ ! ଚାଲ୍‌ ତୋ ଚାଲାକି ଭାଙ୍ଗୁଛି । ସେ ଚୋରକୁ ନପାଇଲାଯାଏ ତତେ ତା’ରି ଦଶା ଭୋଗିବାକୁ ପଡ଼ିବ ।’’

 

-‘‘ବାବୁ, ଲଛମନକୁ କି ଆଉ ପାଇବ ? ମତେ ଟାଣନାହିଁ ବାବୁ । ଛାଡ଼ିଦିଅ, ମୁଁ ଘରକୁ ଯିବି ।’’

 

ଉତ୍ତେଜନାରେ ଦାରୋଗାଙ୍କ ଦେହ ଥରୁଥିଲା । ସେ ଡାହାଣ ହାତରେ ରମାର ହାତଟା ଟାଣି ଟାଣି ସେହି ସଂକୀର୍ଣ୍ଣ ଗଳି ଭିତରେ ଆଗକୁ ଚାଲିଲେ । ସେ ଭାବିଥିଲେ ଯେ ବାଳିକାଟା ହାତରେ ଥିଲେ ଲଛମନର ପୁଣି ସନ୍ଧାନ ମିଳିପାରିବ ।

 

ଲଛମନ ବିରୁଦ୍ଧରେ ଯେ ଅଭିଯୋଗ, ତାହା ବଡ଼ ଗୁରୁତର । କଥାଟା ହେଉଛି- ରେଙ୍ଗୁନ୍‌ ସହର ଶେଷରେ ଏକ ଛୋଟିଆ କଦର୍ଯ୍ୟ ଗଳି ଭିତରେ ଗୋଟିଏ ବୁଢ଼ୀର ଘର । ବୁଢ଼ୀକୁ ବୟସ ଅଶୀ ପାଖାପାଖି । ବାଡ଼ି ଖଣ୍ଡିଏ ଧରି ଠୁକେଇ ଠୁକେଇ ଭିକ ମାଗିବୁଲିବା ତାର ବ୍ୟବସାୟ । ଲୋକେ କହନ୍ତି, ଏହି ଭିକମଗାରୁ ସେ କିଛି କିଛି ସଞ୍ଚୟ କରି ହାତରେ ବେଶ୍‌ ମୁଠାଏ ଟଙ୍କା ରଖିଥିଲା । ଆଉ କିଏ କିଏ କହନ୍ତି, ବୁଢ଼ୀ ତା ଯୌବନରେ ଅତୁଳ ସମ୍ପତ୍ତିର ଅଧିକାରିଣୀ ଥିଲା । ଘର ତାର ଗଞ୍ଜାମ ଘୁମୁସରରେ । ଭାଗ୍ୟଦୋଷରୁ ଆସି ଏପରିଭାବରେ ଏଠାରେ ପଡ଼ିଛି ।

 

ଦିନେ ବୁଢ଼ୀର ଦୁଆର ଭାଙ୍ଗି କୌଣସି ଦୁଷ୍ଟ ଲୋକ ତାର ବହୁବର୍ଷର କଷ୍ଟାର୍ଜିତ ସମ୍ପତ୍ତିତକ ଅପହରଣ କରିବାରୁ ବୁଢ଼ୀ ଏକପ୍ରକାର ବାୟାଣୀ ପରି ହୋଇଗଲା । ଗଳି ଗଳି ବୁଲି କାନ୍ଦି-ବୋବାଇ ସେ କେତେ ମୁଣ୍ଡ ବାଡ଼େଇଲା, ସମ୍ପତ୍ତି ଆଉ ଫେରିପାଇଲାନାହିଁ । ତାର ବଡ଼ ସନ୍ଦେହ ଲଛମନଠାରେ । ତାର ସେହି ସନ୍ଦେହକୁ ଆଉ ଦୁଇଜଣ ଲୋକ ତେଜେଇଦେଲେ । ସେମାନେ ପରିଷ୍କାର କହିଲେ ଯେ, ଲଛମନ ଦିନ ଦୁଇପହରେ ବୁଢ଼ୀ ନ ଥିଲାବେଳେ ସେହି ଘର ଭିତରକୁ ଯାଉଥିବାର ସେମାନେ ସ୍ୱଚକ୍ଷୁରେ ଦେଖିଛନ୍ତି । ଏହିସବୁ କେତେକ କାରଣରୁ ଲଛମନ ଉପରେ ଗୁରୁତର ଅଭିଯୋଗ ଅଣାଗଲା ।

 

ଲଛମନକୁ ସାହିରେ ସମସ୍ତେ ଜାଣନ୍ତି ତାର ବାପ-ମା’ ନାହାନ୍ତି । କେତେ ବର୍ଷ ତଳେ ଅନ୍ୟ ଏକ ସାହିରେ ଗୋଟିଏ ବୁଢ଼ୀ ପାଖରେ ଥିଲା । ବୁଢ଼ୀକୁ ସେ ମାଉସୀ ବୋଲି ଡାକେ । ମାଉସୀ ଯେତେବେଳେ ମରିଗଲା, ସେ ଜଣେ ବର୍ମା ଲୋକ ଘରେ ପେଟଭାତକୁ ଚାକିରି କରିଥିଲା ।

 

ଦାରୋଗାବାବୁଙ୍କ କବଳରୁ ଖସିଆସି ଲଛମନ ପ୍ରାୟ ଦୁଇ-ଚାରିଟା ଗଳି ପାରିହୋଇଛି, ହଠାତ୍‌ ଚମକିଲା ପରି ଠିଆହେଲା । ଏ ମଧ୍ୟରେ ଗୋଟାଏ କଥା ସେ ଏକାବେଳକେ ପାଶୋରି ଦେଇଥିଲା । ରମାକୁ ଯେ ସେ ପୁଲିସ ପାଖରେ ଛାଡ଼ି ଧାଇଁଆସିଛି, ସେ କଥା ତାର ଆଦୌ ମନେନାହିଁ । କଥାଟା ମନେ ପଡ଼ିଗଲାମାତ୍ରେ ତା ବୁକୁକୁ ଶର ମାଇଲାପରି ଲାଗିଲା । ତାହାରି ଉଦ୍ଧାରପାଇଁ ରମା ଏଡ଼େ ବଡ଼ ଦୁଃସାହସ କରିବସିଲା, ଅଥଚ ତା କଥା ସେ ଟିକିଏହେଲେ ଭାବିଲାନାହିଁ- ଭାବି ଭାବି ସେ ପୁଣି କେତେ ପାହୁଣ୍ଡ ପଛକୁ ଘୁଞ୍ଚିଗଲାପରି ହେଲା । ରମା ଯେ ପୁଲିସ ହାତରେ ପଡ଼ି ଅପଦସ୍ଥ ହେଉଥିବ, ତାକୁ ନିତାନ୍ତ ଅବିଶ୍ୱାସୀ ମାରଣା ଲୋକ ବୋଲି ଭାବୁଥିବ – ବିଚାରି ତାର ହୃଦୟ ଭିତର ସଙ୍କୁଚିତ ହୋଇପଡ଼ିଲା ।

 

ଲଛମନ ଦରିଦ୍ର; କିନ୍ତୁ ରେଙ୍ଗୁନ୍‌ ସହରର ବାରଗଳିବୁଲା ଦରିଦ୍ର ପରି ନୁହେଁ । ଯେଉଁ ଖଣ୍ଡାୟତ ସେନା ଓଡ଼ିଶାର ଗଜପତିବଂଶର ଦକ୍ଷିଣ ବାହା ଥିଲେ ସେହି ଦୁର୍ଦ୍ଧର୍ଷ ବୀରବଂଶରୁ ତାର ଜନ୍ମ ପରି ତା ଚେହେରା ଦେଖିଲେ ଜଣାପଡ଼େ । ସେ ମୂର୍ଖ ନୁହେଁ । ଗଳିଭିତରେ ଥିବା ନୈଶ ବିଦ୍ୟାଳୟରେ ସେ ଚାରିବର୍ଷକାଳ ପଢ଼ିଛି । ମୁହଁଟି ସବୁବେଳେ ହସରେ ଢଳଢଳ । ସେ ଅସହାୟ, ସେ ଦୀନହୀନ; ତଥାପି ସେ କାହାକୁ ଖାତିରି କରେନାହିଁ । ସତ୍ୟ କଣ, ନ୍ୟାୟ କଣ, ସେ ବିଷୟରେ ସେ ସଭା-ସମିତିରେ ପଶି ବକ୍ତୃତା ଦେଇ ନ ପାରୁଥିଲେ କଣ ହେଲା, ସେଥିର ମହତ୍ତ୍ୱ ତାକୁ ଅଛପା ନ ଥିଲା । ଆତ୍ମସମ୍ମାନ କି ଜିନିଷ, ସେ ବେଶ୍‌ ଜାଣିଥିଲା ।

 

ରମା କଥା ମନେପଡ଼ିଲାମାତ୍ରେ ତା ମନ ବାତଚକ୍ରପରି ଉଡ଼ିଲା । ଭାବିଲା, ‘‘ବଡ଼ ଅନ୍ୟାୟ, ବଡ଼ ଅନ୍ୟାୟ । ମୋତେ ଯେ ଏ ବିପଦରୁ ରକ୍ଷାକଲା ତାର କଣ ଏଇ ପୁରସ୍କାର ? ମୁଁ ପଛେ ଜେଲ୍‌ ଯାଇପାରେ; କିନ୍ତୁ ରମା !’’- ପରମୁହୂର୍ତ୍ତରେ ଲଛମନ ଠିକ୍‌ କଲା ଯେ, ଧାଇଁଯାଇ ପୁଲିସ ଆଗରେ ଆତ୍ମସମର୍ପଣ କରିଦେବ । ତା’ ହେଲେ ରମାର ଆଉ କିଛି ଦୋଷ ହେବନାହିଁ । ତା ବିରୁଦ୍ଧରେ ଯେ ଅଭିଯୋଗ, ସେଥିରୁ ସେ ବର୍ତ୍ତିବା କଥା ନୁହେଁ; ମାତ୍ର ଏ କ୍ଷେତ୍ରରେ ସେ ରମାକୁ ବିପଦରେ ପକାଇ ଏପରି ଭାବରେ ଖସି ଚାଲିଆସିବାଟାକୁ ଆଦୌ ପସନ୍ଦକଲାନାହିଁ ।

 

ସେ ଫେରିଲା । ଠିକ୍‌ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ପୁଲିସ କର୍ମଚାରୀ ରମାର ହାତ ଟାଣି ଟାଣି ଚାଲିଛନ୍ତି । ସେପର୍ଯ୍ୟନ୍ତ ସେ ଭାବିଥିଲା ଯେ ହଠାତ୍‌ ଯାଇ ଆତ୍ମସମର୍ପଣ କରିଦେବ; କିନ୍ତୁ ମନକୁ ପୁଣି ଏକ ବୁଦ୍ଧି ଆସିଲା । ଭାବିଲା-‘‘ଦେଖି, ଥରେ ଚେଷ୍ଟା କରିବି, ଯଦି ରମାକୁ ଉଦ୍ଧାର କରି ନିଜେ ରକ୍ଷାପାଇପାରେ ।’’

 

ଏହା ଭାବି ସେ ଅଣ୍ଟାରେ ଗୁଡ଼ାଇଥିବା ଲୁଗା କାନିକୁ ଖୁବ୍‌ ଜୋର୍‌ରେ ଆହୁରି କସିକରି ବାନ୍ଧିପକାଇଲା । ସେହି ଯେଉଁ ଗଳିଭିତରେ ସେମାନେ ଯାଉଥିଲେ ତାହା ନିତାନ୍ତ କଦର୍ଯ୍ୟ; ପଚା ନର୍ଦ୍ଦମା ଗନ୍ଧରେ ରହିହେଉ ନଥିଲା । ସେ ସେହି ନର୍ଦ୍ଦମାକୁ ଲଇଁପଡ଼ି ଦୁଇହାତରେ ଦୁଇମେଞ୍ଚା ଦୁର୍ଗନ୍ଧ ପଙ୍କ ଧଇଲା । ତା’ପରେ ମୂଷା ପରି ଛକିଛକି ପୁଲିସ କର୍ମଚାରୀଙ୍କ ପଛେପଛେ ଚାଲିଲା । ଖୁବ୍‌ ପାଖାପାଖି ଲାଗିଯାଇ ସଜ ଉଣ୍ଡି କଡ଼ପଟୁ ପୁଲିସ କର୍ମଚାରୀଙ୍କ ମୁହଁକୁ ଲକ୍ଷ୍ୟକରି ସେ ପଙ୍କ-କାଦୁଅରୁ ଏପରି ମେଞ୍ଚାଏ ମାଇଲା ଯେ, ତାଙ୍କର ଆଖି-କାନ-ନାକ ସବୁ ପୂର୍ଣ୍ଣ ହୋଇଗଲା । ସେ ଅତି ବ୍ୟସ୍ତରେ ହେ-ହେ-ହେ- ହୋଇ ଚାରିଆଡ଼କୁ ଶୂନ୍ୟରେ ହାତ ବୁଲେଇ ପକାଇଲେ; ସତେ ଅବା କାହାକୁ ଧରି ଧୃତରାଷ୍ଟ୍ର ଲୁହାଭୀମକୁ ଚୂରିଲା ପରି ଚୂରିଦେବେ । ସେହି ଅବସରରେ ଲଛମନ ଓ ରମା ଚମ୍ପଟ୍‌ । ବାବୁ ଆଖି-କାନରୁ କାଦୁଅ ପୋଛି ଚାହିଁଲାବେଳକୁ ଆସି ଏକ ଆଲୁଅ ଖମ୍ୱ ପାଖରେ ପହଞ୍ଚିଛନ୍ତି । ଲୁଗାପଟା ସବୁ ମଇଳା, ପାଟିଯାକ ପଙ୍କ । ନିଜର ଏ ବିଚିତ୍ର ବେଶ, ତହିଁରେ ପୁଣି ଅପମାନ- ଗୋଟାଏ ସାମାନ୍ୟ ବାଳକଦ୍ୱାରା ଏ ଶାସ୍ତି । କିଏ କେଉଁଠି ଦେଖୁଥିବ ଭାବି ଚାରିଆଡ଼କୁ ଚାହିଁ ମନେ ମନେ କହିଲେ, ‘‘ଏଥରେ ଯଦି ସେ ଡକାଏତ ହାତରେ ପଡ଼ିବ, ଦେଖିବା ଦେଖି, ସେ କେଡ଼େ ଚାଲାକ୍‌ । ଚିହ୍ନିନାହିଁ ମୋତେ ଦାରୋଗା ବୋଲି ?’’

 

ରମା ଆଉ ଲଛମନ ଯେତେବେଳେ ଜାଣିପାରିଲେ ଯେ ସେମାନେ ଆସି ନିରାପଦ ସ୍ଥାନରେ ପହଞ୍ଚିଛନ୍ତି, ରମା କହିଲା- ‘‘ମୋଠୁ ଥରେ ମାଡ଼ ଖାଇଲା, ତୁମଠୁ ଥରେ ମାଡ଼ ଖାଇଲା; ନୁହେଁ ? ଆଜି କାହା ମୁହଁ ଚାହିଁଥିଲା ସେ ?’’

 

-‘‘ମୁଁ ତୁମକୁ କେଭେଁ ଏପରି ଅବସ୍ଥାରେ ଛାଡ଼ି ଯାଇପାରନ୍ତିନାହିଁ ରମା !’’

 

-‘‘ତୁମେ କିନ୍ତୁ ଏଥର ବଡ଼ ଅଦ୍‌ଭୁତଭାବରେ ଖସିଆସିଲ । ତା’ ହାତରେ ପଡ଼ିଥିଲେ କି ଆଉ ରକ୍ଷା ଥିଲା ? ସତେ ଯେପରି ସେ ହାତଟା ଲୁହାର ଶିକୁଳୀ । ମୋ ହାତ ପରା ଦରଜ ହୋଇଯାଉଛି ।’’

 

-‘‘ରମା, ମୋର ଭାଗ୍ୟ ବଡ଼ ଖରାପ । ମୁଁ କାହାର କିଛି ଦୋଷକରିନାହିଁ; କାହାକୁ କହିବି ?’’

 

ରମା ଲଛମନଠାରୁ ଏପରି କଥା ଆଦୌ ଆଶା କରିନଥିଲା । ପୁଲିସ ସଙ୍ଗେ ଏହି ଯେଉଁ ଯୁଦ୍ଧରେ ଜିଣିଲେ, ସେହି ବିଷୟରେ ସେ କିଛି କହିବ ବୋଲି ଭାବିଥିଲା । ଏପରି ହତୋତ୍ସାହ କଥା ଶୁଣି ତା ହୃଦୟ ଟିକିଏ ଲଇଁଗଲା । କହିଲା- ‘‘ଆଉ କହିବ କାହାକୁ ? ତୁମେ ଯାହାକୁ ଏତେ ସୁଖ ପାଉଛ, ସେହି ମାଳତୀ ବୁଢ଼ୀ ଏତେ ନାଟ ଲଗାଇଛି । ମୁଁ ଜାଣେ, ତୁମ ନାଁ ଶୁଣିଲେ ସେ ରକ୍ତ-ଚାଉଳ ଚୋବାଏ ।’’

 

ଲଛମନ ବିସ୍ମୟରେ ଆଖି ତରାଟି କହିଲା, ‘‘ମାଳତୀ ବୁଢ଼ୀ ?’’

 

-‘‘ହଁ, ସେହି ମାଳତୀ ବୁଢ଼ୀ । ତୁମେ ସିନା ତା ପାଇଁ ଏତେ ବ୍ୟସ୍ତ – ତାର କାଠ ନ ଥିଲେ କାଠ ଆଣିଦିଅ, ଅନ୍ଧାରରେ ଯାଇ ନପାରିଲେ ହାତ ଧରି ବାଟ ଦେଖାଇଦିଅ, ମାଗି ନ ଜାଣିଲେ ମଗାଇଦିଅ; କିନ୍ତୁ ସେ କଣ ତୁମର ଏତେ ଉପକାର କଥା ଦିନେହେଲେ ଭାବେ କି ?’’

 

-‘‘ରମା ! ତାର କ୍ଷତିକଥା ମୁଁ ତ କେବେହେଲେ ମନରେ ମଧ୍ୟ ଭାବିନାହିଁ । ଏଇ ଚାରିଦିନ ତଳେ ଗୋଟାଏ ଦୁଷ୍ଟ ଟୋକା ତାକୁ ଧୂଳିମାଟି ଫିଙ୍ଗି ହଇରାଣ କରୁଥିଲା । ମୁଁ ସେ ଟୋକାର କାନ ମୋଡ଼ି ଛାଡ଼ିଦେଇଥିଲି । ହଁ, ସେଇଦିନ ମୋ ମନରେ କାଇଁକି ସନ୍ଦେହ ହେଲା ଲୋ ରମା, ବୁଢ଼ୀ ଓଲଟି ମୋତେ ଆଦୌ ପଦେ ହେଲେ କଥା କହିଲାନାହିଁ; ଅଧିକରେ କିପରି ଆଡ଼ ଆଖିରେ ଚାହିଁ ଫେରିଗଲା । ମୋର ସେତେବେଳର ସେ କଥାଟା ବେଶ୍‌ ମନେପଡ଼ୁଛି । ସଂସାରରେ ସତେ କେତେ ପ୍ରକାର ମନୁଷ୍ୟ ଅଛନ୍ତି ।’’

 

-‘‘ଆଜି ନୁହେଁ, ଅନେକ ଥର ତା ମୁହଁରୁ ତମ ବିରୁଦ୍ଧରେ କେତେକଥା ଶୁଣିଛି । ସେ ତ ବାର ଲୋକ ଆଗରେ କହିବୁଲେ ।’’

 

କଥାଗୁଡ଼ାକ ଲଛମନ ମନକୁ କିପରି ଘେନିଲା । ସେ କ୍ଷଣେ ଆଖି ବୁଜିଦେଇ ମୌନ ରହିଲା । ଭାବିଲା, ସଂସାରରେ ଉପକାରର କଣ ଏଇ ପୁରସ୍କାର । ପାଠରେ କଣ ଏଇଥିପାଇଁ ଲେଖାଅଛି – ପରର ଉପକାର କରିବ ? ଭାବି ଭାବି ତାର ଆଖିପତା ଦୁଇଟି ମୁହୂର୍ତ୍ତକପାଇଁ ଓଦାହୋଇଆସିଲା । ଝାଳ ପୋଛିବା ବାହାନାରେ ବାଁ ହାତରେ ମୁହଁଟାକୁ ପୋଛିଦେଇ କହିଲା- ‘‘ଆଚ୍ଛା ରମା, ତୁମ ଘର କଣ ଏଇଠି ?’’

 

ରମା ଟିକିଏ ଆଶ୍ଚର୍ଯ୍ୟ ହେଲାପରି ହୋଇ ପଚାରିଲା, ‘‘ଏକଥା ଆଜି କାଇଁକି ପଚାରୁଛ ?’’

 

-‘‘ପଚାରୁଛି କିଛି ଜାଣିନାହିଁ ବୋଲି । ଏତେବର୍ଷ ହେଲା ଦେଖୁଛି; କିନ୍ତୁ ତୁମକୁ ମୁଁ ଚିହ୍ନିନାହିଁ । ତୁମେ ତ ମୋର କେତେ ଉପକାର କଲଣି; ମୁଁ କଣ ତାହା ଶୁଝିପାରିବି ?’’

 

ନ ଚିହ୍ନିବା କଥାଟା ଶୁଣି ରମା କିପରି ଆନମନା ହୋଇଗଲା । କ୍ଷଣେ ମୌନ ରହି ତା’ପରେ କହିଲା, ‘‘ଚିହ୍ନକି ନଚିହ୍ନ ଲଛମନ, ତୁମକୁ ଦେଖିଲାମାତ୍ରେ ମୋ ମନ କାଇଁକି କୁଣ୍ଢେମୋଟ ହୋଇଯାଏ ।’’

 

 

ଲଛମନ ଏ କଥାକୁ ବାଆଁରେଇଦେଇ କହିଲା, ‘‘ଆଚ୍ଛା, ସେହି ଯେଉଁ ବୁଢ଼ାଟି ସାଙ୍ଗରେ ତୁମେ ଅଛ, ସେ କଣ ତୁମର ବାପା ।’’

 

-‘‘ହଁ, ମୋର ବାପା ।’’

-‘‘ନା, ସେ ତୁମର ବାପାପରି ତ ଦିଶନ୍ତି ନାହିଁ ?

 

-‘‘ଲଛମନ, ତୁମେ ବଡ଼ ଅଦ୍‌ଭୁତ ଲୋକ । ତୁମେ କେମିତି ଜାଣିଲ, ସେ ମୋର ବାପା ନୁହନ୍ତି ବୋଲି ?’’

 

-‘‘ତୁମ ବାପା ହୋଇଥିଲେ କଣ ସେ ମଦ ପିଉଥାନ୍ତେ ? ସେ ଏତେ ମଦ ପିଅନ୍ତି କାହିଁକି ରମା ? କେଡ଼େ ଅସୁନ୍ଦର, କେଡ଼େ ଦୁଷ୍ଟ ସେ ବୁଢ଼ା ? ନାଇଁ ରମା, ସେ ତୁମର ବାପା ବୋଲି ମୁଁ କେଭେ ବିଶ୍ୱାସ କରୁନାହିଁ । ସତ କହ, ସତ କହ ରମା ! ମୁଁ ଜାଣେ, ମତେ ତୁମେ ଏ କଥାଟି ଲୁଚାଉଛ ।’’

 

 

-‘‘ସେ ମୋତେ ବାପାଠାରୁ ବଳି ସୁଖ ପାଆନ୍ତି ଲଛମନ । ଆଉ କଣ କହିବି ? ଏତିକି ଜାଣ, ତୁମେ ମତେ ଏ ବିଷୟରେ କେବେ କିଛି ପଚାରିବ ନାହିଁ । ମତେ ବଡ଼ କଷ୍ଟ ହେଉଛି ।’’

 

ରମାର ବାପାବୁଢ଼ା ବିଷୟରେ ଲଛମନ ଅନେକ ଦିନରୁ ସନ୍ଦେହ କରିଥିଲା । ସେ ବୁଢ଼ା କେବେହେଲେ ରମାର ନାଁ ଧରି ଆଦରରେ ଡାକିଦିଏନାହିଁ । ବାହାରୁ ଗୋଟେଇ ଆଣିଲା ପିଲାପରି ବରାବର ବ୍ୟବହାର ଦେଖାଇଥାଏ । ଏ କଥା ସେ ରମାକୁ ପଚାରିବ ପଚାରିବ ବୋଲି ପଚାରିପାରିନଥିଲା । ଆଜି ଏକା ସୁଖ-ଦୁଃଖରେ ଦୁହେଁ ଏକାଠି ହେଲେ; ତେଣୁ ସେ ରମାକୁ ଭଲକରି ଜାଣିବାପାଇଁ ଏ କଥା ପଚାରିବସିଲା ।

 

ଲଛମନ ଆଶ୍ଚର୍ଯ୍ୟ ହୋଇ ପୁଣି କହିଲା, ‘‘ପଚାରିବିନାହିଁ ? ସେ କଣ ତୁମର ବାପା ନୁହନ୍ତି ?’’

 

-‘‘କାଇଁକି ତୁମେ ମୋତେ ଏତେ କଥା ପଚାରୁଛ, ଲଛମନ ! ତୁମର କଣ ବାପା ନାହାନ୍ତି ? ମୁଁ କଣ ତୁମକୁ ଏତେ କଥା ପଚାରୁଛି ?’’

 

-‘‘ମୋ କଥା ଶୁଣିବ ? ମୁଁ ଅଭାଗା, ମୁଁ ଜାଣେନାହିଁ ମୋର ବାପା ମା’ କିଏ । ସେଇ ଯେଉଁ ବୁଢ଼ୀଟି ସାଙ୍ଗରେ ଥିଲି, ସେଇ ମୋର ମାଉସୀ ବୋଲି କହୁଥିଲା । ମୋର ଟିକିଏ ଟିକିଏ ମନେଅଛି, ମୁଁ ତା ସାଙ୍ଗରେ ସମୁଦ୍ର ଆରପାଖୁ ଗୋଟିଏ ଗାଁରୁ ଆସିଥିଲି । ସେତେବେଳେ ବୁଢ଼ୀ ମାଉସୀ ମୋତେ କାଖେଇକରି ଆଣିଥିଲା । ତିନିଦିନକାଳ ଆମେ ସମୁଦ୍ରରେ ଥିଲୁ । ମୋ ବାପ-ମା’’ ବିଷୟରେ ସେ ମୋତେ କିଛି କହିଥାନ୍ତା ଅବା, କହିବା ଆଗରୁ ଆଖି ବୁଜିଦେଇ ଚାଲିଗଲା ।’’

 

ଗୋଟାଏ ଦୀର୍ଘ ନିଶ୍ୱାସ ଛାଡ଼ି ଲଛମନ ରମାର ହାତ ଦୁଇଟି ଧରିପକାଇଲା । ଦୁଃଖ ନିରାଶାରେ ତା’ ହୃଦୟ ଭାଜିପଡ଼ୁଥିଲାବେଳେ ହଠାତ୍‌ ସେ ଯେପରି ଗୋଟାଏ ଆଶ୍ରୟ ପାଇଲା । ରମା ଭାବି ନଥିଲା ଯେ ଏତିକି କଥାରେ ଲଛମନ ଆଖିରୁ ଲୁହ ଗଡ଼ାଇ ପକାଇବ । ଏଇ ଶେଷ କେତୋଟି ପଦରେ ତାର ହୃଦୟ ଭିତର ତରଳିଗଲା ।

 

ଦୁହେଁ କିଛି ସମୟ ମୁହଁ ପୋତି ରହିଲାପରେ ରମା କହିଲା, ‘‘ବାପା ଘନ ରଣସିଂହ ମତେ ସୁଖ ନ ପାଇବା କଥା କହୁଛ ? ତୁମେ ଜାଣିନାହଁ, ସେ ବଡ଼ ବିଚିତ୍ର ଲୋକ । ବୁଢ଼ା ହେଲେଣି, ବାଳ ପାଚିଲାଣି; କିନ୍ତୁ ତାଙ୍କ ଦେହରେ ଯେ ଜୋର୍‌, ଦେଖିଲେ ଆଶ୍ଚର୍ଯ୍ୟ ହେବ ।’’

 

ଏ କଥା କହିଲାବେଳେ ରମା ଅନ୍ୟମନସ୍କ ହେଲାପରି ଏଣେତେଣେ ଟିକିଏ ଚାହୁଁଥାଏ ଏବଂ କହୁଥାଏ, ‘‘ଲଛମନ, ବାପାଙ୍କ କଥା ଆଉ ପଚାରିବ ନାହିଁ । ସେ ତୁମ କଥା, ମୋ କଥା, ସାଇଯାକର କଥା ସବୁ ଜାଣନ୍ତି । ସେ ମତେ ଯେପରି ଆଦର କରନ୍ତି, କାହା ବାପା ସେପରି କରିବେ ନାହିଁ ।’’

 

ଲଛମନର ବରାବର ସନ୍ଦେହ ହେଲା ଯେ ରମା ତା ବାପା ବୋଲି ଯାହାଙ୍କୁ କହୁଛି, ତାଙ୍କ ବିଷୟରେ ସେ ବହୁତ କଥା ଜାଣେ ଅଥଚ କିଛି ଫିଟାଇକରି କହୁନାହିଁ । ତାର ବିଶ୍ୱାସ, ସେ ତାର ବାପା ନୁହନ୍ତି; କିଏ ଜଣେ ଛଦ୍ମବେଶୀ । ରମା ମୁହଁରୁ ପୁଣି ବାପାକଥା ଶୁଣି ସେ ଚମକିଲାପରି ହୋଇ ପଚାରିଲା –‘‘ପୁଣି କହୁଛ ତୁମର ବାପା !’’

 

 

-‘‘ହଁ, ସେ ମୋର ବାପା । ଲଛମନ, ତୁମେ ମୋତ ଆଉ ଏପରି କଥା ପଚାରି କନ୍ଦାଅନାହିଁ । କାନ୍ଦିଲେ ମୋ କାନ୍ଦ ଆଉ ବନ୍ଦହୁଏନାହିଁ ।’’

 

 

ଏ ତ ବଡ଼ ଅଦ୍‌ଭୁତ କଥା ! ବାପକଥା ପଚାରିଲେ ବାଳିକା କାନ୍ଦିବ ? ଲଛମନ ମନକଥା ମନରେ ରଖି ହତାଶ ଭାବରେ କହିଲା, ‘‘ମୋର ଟଙ୍କା ପଇସା ଥାଆନ୍ତା କି ରମା !’’

 

-‘‘ଟଙ୍କା ପଇସା ? ଥିଲେ କଣ କରନ୍ତ ?’’

-‘‘ତୁମେ ଆଉ ମୁଁ ସାଙ୍ଗହୋଇ ସୁଖରେ ରହନ୍ତେ ।’’

 

ଲଜ୍ଜାରେ ରମାର ମୁଣ୍ଡଟା ଟିକିଏ ଆନତ ହୋଇପଡ଼ିଲା । ପରମୁହୂର୍ତ୍ତରେ ସେ ପୁଣି ମୁଣ୍ଡ ଟେକି କହିଲା, ‘‘ବାପାଙ୍କୁ ଛାଡ଼ି ମୁଁ କୁଆଡ଼େ ଯାଇପାରିବିନାହିଁ । ସେ ମୋର ସଂସାରରେ ସାହା । ସେ ଏବେ ଚାହିଁବସିଥିବେ । ଯାଉଛି, ପୁଣି କେବେ ଦେଖାହେବ ଯେ ।’’ ରମାର ଏହି ତରତର କଥାରୁ ଜଣାପଡ଼ୁଥିଲା, ଲଛମନର ଶେଷକଥାଟା ତା ହୃଦୟରେ ଲାଖିରହିଲା । ଲଛମନ ଆଉ ପଦେଅଧେ କଣ କହିଥାନ୍ତା; ମୁହଁ ଫିଟିଲାନାହିଁ- ଏକା ଲକ୍ଷ୍ୟରେ ଚାହିଁଛି; ରମା କ୍ରମେ କ୍ରମେ ଅନ୍ଧାର ଭିତରେ ପଶିଯାଇ କୁଆଡ଼େ ଲୁଚିଗଲା ।

 

(୨)

ଲଛମନ ସେ ରାତିରେ ଘରକୁ ଫେରିଲା; ମାତ୍ର ଘର ତାକୁ ସୁଖଲାଗିଲାନାହିଁ । ସେ ଜାଣିପାରିଲା, ତା’ ହୃଦୟର ସକଳ ଅଂଶ ଯେପରି ଅନ୍ୟ ଜଣେ କିଏ ଅଧିକାର କରିବସିଛି । ତାର ଦୁଃଖ-ନିଦାଘ-ସନ୍ତପ୍ତ ହୃଦୟରେ ଅଯାଚିତଭାବରେ କିଏ ଯେପରି ଅଜ୍ଞାତ ଶୀତଳ ଜଳଧାରା ସୃଷ୍ଟି କରୁଛି ! ଏପର୍ଯ୍ୟନ୍ତ ତାର ମର୍ମବେଦନା ଶୁଣିବାକୁ କିଏ ଜଣେ ନଥିଲା, ତାର ଦୁଃଖର ସଂସାରକୁ ଟିକିଏ ଉଜ୍ଜ୍ୱଳ, ଟିକିଏ ଆଲୋକମୟ କରିଦେବାପାଇଁ ଜୀବନର ପନ୍ଦର ବର୍ଷ ମଧ୍ୟରେ ସେ କାହାରି ଜଣକର ହେଲେ ସାହାଯ୍ୟ ସହାନୁଭୂତି ପାଇନଥିଲା । ତାର ଛନଛନ ଉନ୍‌ମୁଖ-ଯୌବନ ଜୀବନ ପାଖରେ କେହି ଜଣେ ସୁଖରେ ବସି ହସିକରି ପଦେହେଲେ କଥା କହିନଥିଲା । କେହି ତାକୁ ଆଶ୍ୱାସନା ଦେଇନଥିଲା କିମ୍ୱା କେହି ତାକୁ ତାଡ଼ନା ଦେଇନଥିଲା । ସେ ଯେପରି ଏ ସୁଖ-ଦୁଃଖମୟ ସଂସାର-ଗହନ-କାନ୍ତାରରେ ଗୋଟିଏ ଅନାବନା ଗଛ- ଆଲୋକ ନାହିଁ, ଅନ୍ଧାର ନାହିଁ, ଜଳ ନାହିଁ, ପବନ ନାହିଁ- ସବୁବେଳେ ବିରସରେ ଊର୍ଦ୍ଧ୍ୱମୁଖରେ ରହି ରହି ସଂସାରର ବିଚିତ୍ର ଲୀଳା ଦେଖୁଥିଲା ।

 

କିନ୍ତୁ ହଠାତ୍‌ ଏ କି ପରିବର୍ତ୍ତନ ! ତାର ଯୌବନତରୁ ଦେହରେ ଛନଛନ ନବୀନ ମାଳତୀ ଲତାର ସ୍ପର୍ଶ ! ନିଜର ପରିଚିତ ଜୀର୍ଣ୍ଣ କୁଟୀରଟା ତାକୁ ନିତାନ୍ତ କଦର୍ଯ୍ୟ ରୁକ୍ଷ ବୋଧହେଲା । ସେ ରାତିରେ ସେ ଖାଇଲା ନାହିଁ, ତଳଟାରେ ଚିତ୍‌ହୋଇ ପଡ଼ି କଣ ଭାବିବାକୁ ଲାଗିଲା । ବେଳେବେଳେ ଗୋଟାଏ ଗୋଟାଏ ଦୀର୍ଘ ନିଶ୍ୱାସ ପକାଇ ଅତର୍କିତଭାବରେ କହିଉଠିଲା, ‘‘ରମା, ତୁମେ କାହିଁକି ମୋତେ ଉଦ୍ଧାରକଲ ? ଏ ସଂସାରରେ ମୁଁ ଗୋଟିଏ ଅତି ହୀନ ଜୀବ । ଏ ପରିତ୍ୟକ୍ତକୁ କାହିଁକି ଆଦରକଲ ?’’

 

ରମା ସହିତ ଲଛମନର ଭେଟ ଦୁଇବର୍ଷ ହେଲା ମାତ୍ର । ରେଙ୍ଗୁନ୍‌ ସହରର ଗୋଟିଏ ନିତାନ୍ତ କଦର୍ଯ୍ୟ ଗଳି ଭିତରେ ଦୁହିଁଙ୍କର ଘର । ଘନ ରଣସିଂହ ବୋଲି ଜଣେ ବୁଢ଼ାପାଖରେ ରମା ଥାଏ । ଲୋକେ ଜାଣନ୍ତି ଯେ, ରମା ଘନବୁଢ଼ାର ଝିଅ । ରମାକୁ ବୟସ ପ୍ରାୟ ବାର-ତେର- ଗଠନଟି ବଳିଦେଲାପରି । ଘନବୁଢ଼ାର ବେଶବାସ ଢଙ୍ଗଢାଙ୍ଗ ଦେଖି କେହି କେହି କହନ୍ତି ଯେ, ରମା ତାର ନିଜ ଝିଅ ନୁହେଁ; ତାକୁ ସେ ପୋଷିଆ ଝିଅ ପରି ଆଣି ପାଳିଛି । କିନ୍ତୁ ରମା ମୁହଁରୁ ଦିନେହେଲେ ଏପରି କଥା ଶୁଣାଯାଏନାହିଁ । ଆଉ, ଲଛମନ ରମା ଘରର ଆଗଦୁଆରି ଜଣେ ବର୍ମା ଲୋକ ଘରେ ଥାଏ । ମାଉସୀ ମଲାଦିନୁ ସେ ଏକାକୀ । ଅନେକ ଦିନ ଏ ଦୁହିଁଙ୍କର ଦେଖାହେଉଥିଲା; କିନ୍ତୁ କେହି କାହାରି ଆଳାପ ପରିଚୟ ପାଇନଥିଲେ ।

 

ଦିନେ ଏକ ବିଚିତ୍ର ଘଟଣାରେ ଦୁହିଙ୍କର ପରିଚୟ ହେଲା । ସେ ଗଳିଭିତରେ ଗୋଟାଏ ବଡ଼ ମତୁଆଳ ଥାଏ, ଦିନରାତି ମଦ ଖାଇ ନାନା ଲୋକଙ୍କୁ ହଇରାଣ କରେ – ତାହାର ଚୋରି ଡକାଇତି ଜୁଲମ୍‌ରେ ଲୋକେ ବଡ଼ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ଦିନେ ସନ୍ଧ୍ୟାବେଳେ ରମା ଏକୁଟିଆ ଗଳିମୁଣ୍ଡରେ ବୁଲୁଛି, ଏହି ମତୁଆଳ ହାବୁଡ଼ରେ ପଡ଼ିଲା । ମଦୁଆର ପାଟିଟା ଭଣଭଣ ଗନ୍ଧାଉଥିଲା, ଭଲକରି କଥା ବାହାରୁନଥିଲା; କଣ ବିଚାରି ଦୌଡ଼ିଯାଇ ସେ ରମା ଉପରେ ମାଡ଼ ଚଢ଼େଇବାକୁ ଉଦ୍ୟମକଲା । ହଠାତ୍‌ ସେହି ସମୟରେ ଲଛମନ ଆସି ହାଜର । ସେ ଏପରି ଘଟଣା ଦେଖିଲାମାତ୍ରେ ନିଜର ବଜ୍ରମୁଷ୍ଟିରେ ମଦୁଆର ବେକକୁ ଏପରି ଏକ ପାହାର ଦେଲା ଯେ, ସେଥିରେ ସେ ମୁହଁମାଡ଼ି ତଳେ ପଡ଼ିଗଲା । ତା’ପରେ ଦୁହିଙ୍କ ଭିତରେ ଖୁବ୍‌ ଘମାଘୋଟ ମଲ୍ଲଯୁଦ୍ଧ ଲାଗିଲା । ଲୋକ ଜମାହୋଇଗଲେ । ମଦୁଆର ନାକଦଣ୍ଡା ଫାଟି ଝରଝର ରକ୍ତ ବୋହିପଡ଼ିଲା । ସେହି ଦିନଠାରୁ ମଦୁଆଦଳ ଲଛମନକୁ ଦେଖିଲେ ସାବଧାନ ! ସେହିଦିନ ପ୍ରଥମେ ରମା ଲଛମନର ପରିଚୟ ପାଇଥିଲା ଯେ, ସେ ଜଣେ ଭାରି ବଡ଼ ବୀର । ଆଖିରୁ ଲୁହ ପୋଛି ପୋଛି, ପଛକୁ ବୁଲି ବୁଲି ଚାହିଁ ଚାହିଁ ସେ ଘରଭିତରକୁ ପଶିଯାଇଥିଲା ।

 

ଏହାପରେ କେତେଥର ଲଛମନ ଓ ରମାର ଦେଖାହୋଇଛି; ସେ ଦେଖା କେବଳ ଦୁଇ-ଚାରି ମିନିଟ୍‌ପାଇଁ । ରମା ବେଶୀ ସମୟ ଦିନରେ ଦାଣ୍ଡକୁ ବାହାରେନାହିଁ । ସନ୍ଧ୍ୟାବେଳେ କେବେ କିମିତି ବୁଲି ବାହାରିଲେ ଦୁହିଙ୍କର ଦେଖାସାକ୍ଷାତ୍‌ । ଦୁହେଁ ଦୁହିଙ୍କୁ ଦେଖି ଟିକିଏ ଟିକିଏ ହସିଦିଅନ୍ତି- ଏତିକି ତାଙ୍କର ଭେଟ, ଆଳାପ ପରିଚୟ ।

 

ଏହାପରେ ଗତ ରାତିରେ ରମା ଯେତେବେଳେ ଲଛମନକୁ ପୁଲିସ କବଳରୁ ରକ୍ଷାକଲା, ସେତିକିବେଳୁ ଲଛମନର ପ୍ରାଣ ତା ପ୍ରତି କି ଏକ ଅପୂର୍ବ କୃତଜ୍ଞତାରେ ପୂରିଉଠିଲା । ଜୀବନରେ ସେପରି ପରିବର୍ତ୍ତନ ସେ କେବେହେଲେ ଅନୁଭବ କରିନଥିଲା । ରେଙ୍ଗୁନର ଗଳିରେ ଗଳିରେ ବୁଲି ସେ କେବେହେଲେ ଏପରି ଦେବୀଙ୍କ ପରିଚୟ ପାଇନଥିଲା । ତା’ପରି ଲୋକକୁ ଯେ ବିପଦରେ ଅଯାଚିତଭାବରେ କିଏ ଆସି ସାହାଯ୍ୟ ଦେବ, ଏ କଥା ତାର ବିଶ୍ୱାସରେ ନ ଥିଲା । ସେ ତାର ପୁରୁଣା ଜଗତ୍‌ରେ ଯେପରି ନୂଆ ଜୀବନ ଲାଭକଲା । ଭାବିଲା, ‘‘ଏ କିଏ ସେ, ରମା ? ଏ ଯେ ଏକ ରହସ୍ୟମୟୀ ! ଆଉ ଘନ ରଣସିଂହ ? ସେ ତ ପାଗଳ, ମଦୁଆ । ରମା କଣ ତାର ଝିଅ ? ସେପରି ମଦୁଆର କି ଏପରି ଦେବକନ୍ୟା ଥାଇପାରେ ? ନା, ଏଥିଭିତରେ କିଛି ନା କିଛି ରହସ୍ୟ ରହିଛି । ସେ ରହସ୍ୟ କଣ, ସେ ଇନ୍ଦ୍ରଜାଲ କଣ – ରମା କଣ ଜାଣେ ? ନ ଜାଣିଥିଲେ ଏପରି ଭାବରେ କଥା ଲୁଚାନ୍ତା କାହିଁକି ? ରମା କଣ ମୋତେ ସତ କହିବ ନାହିଁ ? ରମା କଣ ମୋତେ ତାର ନିଜର ବୋଲି ଭାବିବ ନାହିଁ ? ତେବେ ସେ ମୋତେ ଉଦ୍ଧାର କଲା କାହିଁକି ?’’

 

ଭାବି ଭାବି ଲଛମନର ମନ ଅବଶ ହୋଇପଡ଼ିଲା । ତା ଆରଦିନ ସନ୍ଧ୍ୟାବେଳେ ଦୁହିଙ୍କର ଯେତେବେଳେ ଭେଟ ହେଲା ଲଛମନ କହିଲା, ‘‘ରମା, ମୁଁ ଆଉ ଏଠି ରହିପାରିବି ନାହିଁ, ଆଉ କୁଆଡ଼େ ଚାଲିଯିବାକୁ ଭାବିଛି ।’’

 

ରମା ଟିକିଏ ବିରସଭାବରେ ମୁଣ୍ଡକୁ ନୁଆଇଁ କହିଲା, ‘‘ମୁଁ ମଧ୍ୟ ସେଇକଥା ଭାବୁଛି । ଏହାଛଡ଼ା ତୁମର ଆଉ କିଛି ଉପାୟ ନାହିଁ; ମାତ୍ର ଯିବ କୁଆଡ଼େ ?’’

 

-‘‘ଭାବୁଛି ସମୁଦ୍ରକୁ ଯିବି ।’’

-‘‘ସମୁଦ୍ରକୁ ? ଏ କିମିତି କଥା ?’’

 

-‘‘ହଁ, ଜାହାଜରେ ବସି ଦୂରକୁ ପଳେଇଲେ ରକ୍ଷାପାଇବି; ନହେଲେ ଏଠି ଏପରି ଚଳିବା ଆଉ ସହଜ ନୁହେଁ । ଭୂତପରି ମୋ ପଛେ ପଛେ ସେମାନେ ଲାଗିଛନ୍ତି ।’’

 

ରମାର ମୁହଁ ଟିକିଏ କିମିତି ମଳିନ ପଡ଼ିଗଲା । ସେ କ୍ଷୀଣ କଣ୍ଠରେ କହିଲା- ‘‘ତେବେ ଆଉ ଦେଖାହେବନାହିଁ ?’’

-‘‘ଦେଖାହେବ ନାହିଁ କାହିଁକି ? ମୁଁ ତ ଅନେକ ସମୟରେ ଏଠାକୁ ଆସିବି । ତୁମେ ମନ ଦୁଃଖ କରନାହିଁ । ମୁଁ ଦେଖୁଛି, ଏହାଛଡ଼ା ଆଉ ଉପାୟ ନାହିଁ । ମୋ ଜୀବନଟାରେ କିଛି ମୂଲ୍ୟ ନାହିଁ, ରମା । ପିଲାଦିନେ ତ କେତେ କଥା ଭାବିଥିଲି, ପାଠପଢ଼ିଥିଲି, ଏବେ ସୁବ କୁଆଡ଼େ ଉଭେଇଗଲା । ଏହି ଯେଉଁ ଏଡ଼େ ଏଡ଼େ ପକାଘର କରି ଲୋକେ ଟଙ୍କାଗଦାରେ ବସିଛନ୍ତି, ମୁଁ ସେପରି ହେବାକୁ ଅବଶ୍ୟ ଇଚ୍ଛା କରି ନଥିଲି; ମାତ୍ର ମୋ ମନରେ ଆଶା ଥିଲା ଯେ, ଦିନେ ଏପରି କାର୍ଯ୍ୟ କରିବି ଯାହାଦ୍ୱାରା କି ଏଡ଼େ ବଡ଼ ରେଙ୍ଗୁନ୍‌ ସହରର ଲୋକେ ଆଶ୍ଚର୍ଯ୍ୟ ହୋଇଯିବେ । ପିଲାଦିନର ସେ ଭାବନା ସବୁ ଲିଭିଯାଇଛି । ପାଠସବୁ ଜଳିପୋଡ଼ି ଭସ୍ମ ହୋଇଛି । ମୁଁ ଏବେ ପାଗଳ; ମୋ ପାଇଁ ଭାବିବାକୁ ସଂସାରରେ କେହି ନାହାନ୍ତି । ଏହିପରି ଦିନେ ଅବହେଳିତ ଲାଞ୍ଛିତ ଭାବରେ କୌଣସି ଗଳି ନର୍ଦ୍ଦମା ତଳେ ଶୋଇ ମୋର ପ୍ରାଣ ଯିବ, ତାର ଠିକଣା ନାହିଁ । ମୋ କଥା ତୁମେ ଆଉ ମନେ ପକାଇବ ନାହିଁ, ରମା !’’ ଏହା କହି ଲଛମନ କିପରି ଏକ ଅବସାଦମୟ ଭାବରେ ରମା ଆଡ଼କୁ ଚାହିଁରହିଲା ।

 

ରମା ମୁହଁରୁ କିଛି ସମୟଯାଏଁ ପଦେ କଥା ବାହାରିଲାନାହିଁ । ନିର୍ବାକ୍‌ ଭାବରେ ଲଛମନକୁ ଚାହିଁ କହିଲା, ‘‘ମୁଁ ଯେ ଏଠାରେ ବନ୍ଧା, ଲଛମନ ! ତୁମେ ପୁରୁଷପିଲା, ମନ ହେଲା ତ ସମୁଦ୍ର ଆରପାଖକୁ ଯିବ, ଦେଶେ ଦେଶେ ବୁଲିବ; ଆଉ ଆମେ ସ୍ତ୍ରୀଜାତି ଏଇ ଘରେ ବନ୍ଧା । ମୁଁ ତ ଏବେ ଦିନରେ ଦାଣ୍ଡକୁ ଟିକିଏ ବାହାରିପାରୁନାହିଁ । ମୋ ବାପା ତ...’’ ଏତିକି କହି ରମା ଚମକିଲାପରି ଥଙ୍ଗିଗଲା; ତାର କଣ୍ଠ ରୋଧ ହୋଇଆସିଲା ।

 

ଲଛମନ ମନରେ ଆହୁରି ସନ୍ଦେହ ବଢ଼ିଗଲା, ‘‘ରମା କଣ ମୋତେ ତା ବାପା କଥା ଲୁଚାଉଛି ? କଥା କଣ ?’’ ପ୍ରକାଶ୍ୟରେ କହିଲା, ‘‘ତୁମ ବାପା ଘନ ରଣସିଂହ କଥା କହୁଛ ତ ?’’

 

-‘‘ଲଛମନ, ତୁମେ ଆଉ ସେପରି କଥା କିଛି ପଚାରନା । ମୁଁ ପଚାରୁଛି କହ, ତୁମେ ତ ଯିବ; କରିବ କଣ ?’’

 

ଲଛମନ ଟିକିଏ ଅନ୍ୟମନସ୍କ ଭାବରେ ରହି ଉତ୍ତରଦେଲା, ‘‘କରିବି କଣ – ସଂସାରଯାକ ବୁଲିବି ।’’

-‘‘ଏତେ ବୁଲିବାକୁ ଟଙ୍କାପଇସା ପାଇବ କେଉଁଠୁ ?’’

 

-‘‘ସେ କଥା ତୁମକୁ ଭାବିବାକୁ ପଡ଼ିବ ନାହିଁ, ରମା !’’

ରମା ଟିକିଏ ଭାବି କହିଲା, ‘‘ଆଚ୍ଛା, ମୁଁ ତୁମକୁ କିଛି ଟଙ୍କା ଦେଇପାରିବି, ଲଛମନ !’’

-‘‘ତୁମେ ଟଙ୍କା ଦେବ ? ତୁମେ ପାଇବ କେଉଁଠୁ ?’’

-‘‘ବାପାଙ୍କଠାରୁ ମୁଁ ଆଣି ରଖିଛି ।’’

 

ଲଛମନ ମନରେ ପୁଣି ସେହି ସନ୍ଦେହ ଆସିଲା । ସେ ଆଉ ‘ବାପା’ କଥା ନ ଉଠାଇ କହିଲା, ‘‘ନା, ନା, ତୁମର ଦେବା ଦରକାର ନାହିଁ । ମୋ ହାତରେ ଏବେ କିଛି ଅଛି- ଏଠୁ ଚାଲିଯିବାକୁ ତାହା ଯଥେଷ୍ଟ ।’’

 

-‘‘ନା, ତୁମକୁ ନେବାକୁ ହେବ, ନାହିଁକରନାହିଁ ଲଛମନ । ଦୂରକୁ ତ ଚାଲିଯିବ, ଆଉ ତ ଦେଖା ହେବନାହିଁ; ମୁଁ କେବଳ ଏଠି ଏକୁଟିଆ ପଡ଼ିରହିବ ସିନା ।’’

 

ରମା କଥାଟାକୁ ଏପରି ଭାବରେ ଶେଷକଲା ଯେ, ଲଛମନର ମନର ଭାବ ସେତିକିରେ ଯେପରି ଓଲଟପାଲଟ ହୋଇପଡ଼ିଲା । ସେ ଟିକିଏ ବିବ୍ରତ ହେଲାପରି ହୋଇ କହିଲା, ‘‘ଦେଖାସାକ୍ଷାତ ହେବନାହିଁ କାହିଁକି ? ମୁଁ ତ ମଝିରେ ମଝିରେ ଜାହାଜରେ ଏଠାକୁ ଆସୁଥିବି । ମୁଁ ଗୋଟିଏ କଥା ଆଗରୁ ଠିକ୍‌ କରିଛି । ଆମେ ଏକ ସୁବିଧା କରିନେବା । ନଈକୂଳରେ ଠାଏ ଏକ ସ୍ଥାନ ଠିକ୍‌ କରିବା ଯେ, ସେଠାରେ ମୁଁ କେବେ ଆସିଲେ କିଛି ନା କିଛି ଗୋଟାଏ ଚିହ୍ନ ରଖିଦେଉଥିବି । ତୁମେ ସେହିଥିରୁ ଜାଣିପାରିବି ଯେ, ମୁଁ ଏ ସହରକୁ ଆସିଥିଲି । ତୁମେ ମଧ୍ୟ ସେହିପରି କିଛି ଚିହ୍ନ ଦେଲେ ମୁଁ ଜାଣିପାରିବି । ଏହି ଉପାୟଟି ବେଶ୍‌ ଭଲହେବ । ହୋଇପାରେ, ଏପରି ଭାବରେ ତୁମର ମୋର ସାକ୍ଷାତ ନହୋଇପାରେ; ମାତ୍ର ଏ ଉପାୟରେ ଦୁହେଁ ଦୁହିଁଙ୍କ କଥା ଉଣାଅଧିକେ ଜାଣିପାରିବା । ଆଜି ତୁମେ ଘରକୁ ଫେରିଯାଅ; କାଲି ସନ୍ଧ୍ୟାବେଳେ ଏଇ ଡାକଘର ପାଖ ପଡ଼ିଆକୁ ଆସିବ । ମୁଁ ଆସିଥିବି । ସେହିଠାରେ ବସି କଥା ହେବା । କାଲି ଥାନ ଠିକ୍ କରିଦେଇ ମୁଁ ଜାହାଜ ଚଢ଼ିବି ବୋଲି ଭାବିଛି ।’’

 

ଚାଲିଯିବି କଥା ଶୁଣି ରମା ମନଟା ବିବର୍ଣ୍ଣ ହୋଇଆସିଲା । ସେ କିପରି ବିଚଳିତ ହେଲାପରି ନିକଟସ୍ଥ ଲାଇଟ୍‌ ପୋଷ୍ଟ ଆଡ଼କୁ ମୁହୂର୍ତ୍ତେ ଚାହିଁରହିଲା । ଲଛମନ ଜାଣିପାରିଲା, କାଲି ରାତିରେ ତା ପ୍ରାଣଟା ଯେପରି ହା-ହତାଶ ଭାବରେ ଛଟପଟ ହେଉଥିଲା, ରମା ଠିକ୍ ସେହିପରି ଅବସ୍ଥାରେ ଆସି ପଡ଼ିଛି । ତାର ରକ୍ତାଭ ମୁଖମଣ୍ଡଳର ଏକ ପାଖରେ ଦରମୁକୁଳିତ କେଶପାଶକୁ ଟିକିଏ ଆକର୍ଷଣ କରିଦେଇ ଲଛମନ କହିଲା, ‘‘ଯାଆ ରମା, ରାତି ବହୁତ ହେଲାଣି, ବାପା ତେଣେ ଚାହିଁବସିଥିବେ ।’’

 

ଏହି ‘ବାପା’ ଶବ୍ଦ ଶୁଣି ରମା ଚମକିଲା ପରି ଲଛମନ ମୁହଁକୁ ଚାହିଁଦେଲା । ଯେପରି କୌଣସି ଏକ ଅଶୁଭ ବାର୍ତ୍ତାରେ ତାର ପ୍ରାଣ ଭିତରଟା ଆନ୍ଦୋଳିତ ହୋଇଉଠିଲା । ସ୍ୱପ୍ନରୁ ଉଠିଲାପରି କହିଲା, ‘‘ଲଛମନ, ତୁମକୁ ଆଜି ଏକୁଟିଆ ଏ ବାଟରେ ଛାଡ଼ିଦେବିନାହିଁ । ଚାଲ ସାଙ୍ଗହୋଇ ଖଣ୍ଡେ ଦୂର ଯିବା, ତା’ପରେ ମୁଁ ଫେରିଆସିବି ।’’

 

ଦୁହେଁ ଚାଲିଲେ । ଅକାଳ ଅନନ୍ତ ସଂସାରପଥରେ ଏ ଦୁଇଟି ଜୀବନ କି ନିଗୂଢ଼ ମର୍ମବେଦନା ହୃଦୟରେ ଅନୁଭବ କରି ଯେ କ୍ଷଣକପାଇଁ ବିଦାୟଲୀଳା ରଚିବସିଲେ, ଅନୁଭବୀ ବିନା କେହି ତାହା କଳ୍ପନା କରିପାରିବେ ନାହିଁ । ଦୁହେଁ ଏକା ଭାବରେ ଭାବିତ; ଦୁହେଁ ଏକା ଚିନ୍ତାରେ ଚିନ୍ତିତ । ଦରିଦ୍ର ଦରିଦ୍ରକୁ ଚିହ୍ନିଛି, ପ୍ରାଣ ପ୍ରାଣକୁ ଭେଟିଛି, ଆବେଗ ଆବେଗରେ ମିଶିଛି । ଏ ଦୁଇଟି ମନୋରାଜ୍ୟରେ ଆଉ କିଛି ଆଶଙ୍କା ନାହିଁ, କିଛି ଚିନ୍ତା ନାହିଁ; ପରମୁହୂର୍ତ୍ତରେ ଯେ କଣ ଘଟିବ ସେଥିପାଇଁ କିଛି କଳ୍ପନା ମଧ୍ୟ ନାହିଁ । ବଣର ଦୁଇଟି ସ୍ୱାଧୀନ ପକ୍ଷୀପରି ଏ ଦୁଇଟି ଉଡ଼ିଯିବାପାଇଁ, ଅନନ୍ତ ଗଗନର ପରପାରକୁ ଖେଳି ଖେଳି ଭାସିଯିବାପାଇଁ ବ୍ୟାକୁଳ ।

 

ଦୁଇ-ଚାରିଟା ଗଳି ପାର ହେଲାପରେ ସହରର ଗହଳି ଟିକିଏ କମିଆସିଲା । ବାଟଘାଟ ଅନ୍ଧକାରମୟ । ନାନା ଅସଂଯତ, ଅସଙ୍ଗତ, ଅନିର୍ଦ୍ଦିଷ୍ଟ ଭାବନାରେ ହୃଦୟରାଜ୍ୟ ଜଟିଳ- ଏହିପରି ସମୟରେ ହଠାତ୍‌ ଗଳିର ଦୁଇପଟୁ କିଏ ଦୁଇଜଣ ଏକ ନିଶ୍ୱାସରେ ଧାଇଁଆସି ସେମାନଙ୍କ ଉପରେ ଲମ୍ଫ ଦେଲେ । ଶବ୍ଦ ଶୁଭିଲା, ‘‘ଧର, ଧର, ବଦ୍‌ମାସ୍‌କୁ ଧର ।’’

 

ବୁଝିବାକୁ କିଛି ବାକି ରହିଲାନାହିଁ । ଲଛମନ ଜାଣିଲା, ଏଇ ତାର ଶେଷ ଦଶା । ଆଉ ମୁକ୍ତି ନାହିଁ; ଜୀବନ ରସାତଳକୁ ଯାଇଛି ।

 

ଆଉ ରମା ? କେତେବେଳେ ଯେ ସେ କିପରି ସୁବିଧାରେ ଖସି ସେହି ଅନ୍ଧାର ଭିତରେ କୁଆଡ଼େ ମିଶିଯାଇଛି କେହି ଜାଣନ୍ତି ନାହିଁ । ରମାକୁ ପାଖରେ ନ ଦେଖି ଲଛମନର ପ୍ରାଣ ଆହୁରି ଅବଶ ହୋଇପଡ଼ିଲା । ଜଗତ୍‌ ଶୂନ୍ୟବୋଧହେଲା । କହିଲା, ‘‘ଭାଇ, ଏ ହତଭାଗାକୁ ଧରି ଲାଭ କଣ ?’

 

ସେଥିମଧ୍ୟରୁ ଜଣେ କହିଲା, ‘‘ତୋରି ନାଁ ଲଛମନ ନା ?’’

-‘‘ହଁ ଭାଇ, ଏଇ ଅଭାଗାର ନାଁ ଲଛମନ ।’’

 

-‘‘ତେବେ ତ ଆମ ଶିକାରଟା ଠିକ୍‌ ହୋଇଛି । ଏ ସହର ତମାମ୍‌ ଖୋଜି ଖୋଜି ହାଲିଆ ହେଲୁଣି । ହତଭାଗା ତୁ ନୋହୁ; ହତଭାଗା ଆମେ । ତୋ ଘେନି ଆମ ଜାନ୍‌ ତୁଟିଗଲାଣି ।’’ ଏହା କହି ସେ ଲୋକ ଲଛମନର ବେକମୁଣ୍ଡାକୁ ଏକ ଧକ୍କା ଦେଲା ।

 

ଲଛମନର ପ୍ରାଣରେ ଆଉ ଆଶା ନାହିଁ । ଥରେ ଅନନ୍ତ ଆକାଶକୁ ଚାହିଁ କେବଳ ସେ ଗୋଟିଏ ଦୀର୍ଘ ନିଶ୍ୱାସ ପକାଇଲା । ତା ପରେ ଆଉ ସଳଖ ହୋଇ ମୁଣ୍ଡ ଟେକିପାରିଲାନାହିଁ । ସେହି ନିଶ୍ୱାସ ଭିତରେ ତାର ଯେ କେତେ ଯୁଗର ମର୍ମବେଦନା ଫୁଟିଉଠିଲା, ସେ କଥା ସେ ଦୁଇଟା ମାନବରୂପୀ ରାକ୍ଷସ ବୁଝିଲେ ନାହିଁ । ହାତକଡ଼ା ଦେଇ ତାକୁ ଟାଣି ଟାଣି ନେଇ ଆଗ ପଛ ହୋଇ ଚାଲିଲେ ।

 

      X            X            X            X

 

କେତେବେଳେ ଯେ ଲଛମନର ମୂର୍ଚ୍ଛା ହୋଇଛି, ସେ କଥା ତାର ଭଲକରି ମନେନାହିଁ । କିଟିକିଟି ଅନ୍ଧାର ଭିତରେ ଚାରିଆଡ଼କୁ ହାତରେ ଦରାଣ୍ଡି ଦେଖେ ତ, ସେ ଗୋଟିଏ ଛୋଟିଆ କୋଠରି ଭିତରେ ତଳେ ପଡ଼ିଛି- ମୁଣ୍ଡଟା ଖୁବ୍‌ ଦରଜ ହୋଇଛି, ପିନ୍ଧିବା ଲୁଗାଖଣ୍ଡିକ ଠାଏ ଠାଏ ଓଦା ହୋଇଯାଇଛି । ଗତ କେତେ ଘଣ୍ଟା ତଳର ଗୋଟି ଗୋଟି କଥା ତାର ମନେପଡ଼ିଲା । ମନେପଡ଼ିଲା ରମାର ମୁଖମଣ୍ଡଳ । ତଳେ ଉଠି ବସି ସେ ପ୍ରଥମେ ଚିତ୍ରପିତୁଳି ପରି ନିଶ୍ଚେଷ୍ଟଭାବରେ ରହିଲା । ଭାବିଲା, ‘ସ୍ୱପ୍ନ ନା ସତ୍ୟ ? ରମା ଯେ ବହୁ ଦୂରରେ । ସେ ଅନ୍ଧାର ଭିତରେ ସେ ମିଶିଯାଇଥିଲା । ସେ କି ଏ ଅନ୍ଧାରରେ ଏ ଘରେ ଆଉ ଥିବ ?’’ – ଧୀରେ ଧୀରେ ମୁଣ୍ଡକୁ ଆଉଁସିଲା । ତାର ସ୍ମରଣ ହେଲା, ଦୁଷ୍ଟ ଦୁଇଜଣ ଯେତେବେଳେ ତାକୁ ଧକ୍କା ଉପରେ ଧକ୍କା ଦେଇ ହାଜତଘର ଭିତରକୁ ଫିଙ୍ଗିଦେଲେ, ସେତିକିବେଳେ ସେ ତଳେ ଛେଚିହୋଇ ପଡ଼ିଗଲା । ତା’ପରେ କେତେ ସମୟ ଯାଇଛି; ଏବେ ଚେତା ପାଇ ଉଠିବସିଛି ।

 

କେତେ ରାତି ହୋଇଛି ସେ ଜାଣେ ନାହିଁ । ଧରଣୀବକ୍ଷରେ ଜନପ୍ରାଣୀଙ୍କର ସୁଦ୍ଧା ଚେତା ଥିଲାପରି ଜଣାଯାଉନାହିଁ । ନିସ୍ତବ୍‌ଧ ହାଜତ ଘରେ ସେ ଏକାକୀ; ଏକାକୀ ବସି ସେ ପାଗଳଙ୍କ ପରି ଭାବୁଛି, ମଝିରେ ମଝିରେ ରମାକୁ ସ୍ୱପ୍ନ ଦେଖୁଛି । ଏତିକିବେଳେ ଦୁଆରମୁହଁରେ ପାଦଶବ୍ଦ ଶୁଭିଲା, ସଙ୍ଗେ ସଙ୍ଗେ କୋମଳ କଣ୍ଠରେ କିଏ କହିଲା, ‘‘ଲଛମନ !’’

 

ଲଛମନ ଚମକିପଡ଼ିଲା । ରମା ? ତାର ବିଶ୍ୱାସ ହେଲାନାହିଁ । ପୁଣି ସେହି ଏକାସ୍ୱର ଶୁଭିଲା, ‘‘ଲଛମନ!’’ ଉଦ୍‌ବିଗ୍ନ ପ୍ରାଣରେ ଦୁଆରର ଦୁଇଟା ଲୁହା ଶାବଳକୁ ହାତରେ ଭରାଦେଇ ଲଛମନ ଠିଆହୋଇ ପଚାରିଲା, ‘‘କିଏ ରମା ?’’-ସେ ଆଉ ପଚାରିବ କଣ, କିଛି ଠିକ୍‌ କରିପାରିଲାନାହିଁ । ଭୟ-ବିସ୍ମୟରେ ତା ହୃଦୟ ଜଡ଼ହୋଇଆସିଥିଲା ।

 

ରମା ତୁନି ତୁନି କହିଲା, ‘‘ପାଟିକରନି, ପାଟିକରନି । ଏଇ ନିଅ, ହାତରେ ଧର ।’’ ଏହା କହି ସେ ଲୁହା ଶାବଳ ଫାଙ୍କ ବାଟେ ଦୁଇଟି ଛୋଟ ଛୋଟ ପୁଡ଼ିଆ କଣ ଗଳାଇଦେଲା । ଲଛମନ ତାହା ଧଇଲା କି ନାହିଁ ସେ ଜାଣେନାହିଁ । ଏତିକି କହିଲା, ‘‘ଯାଉଛି, ପରେ ଦେଖା ।’’

 

ଲଛମନ ସ୍ୱପ୍ନରୁ ଉଠିଲାପରି ପୁଣି ଚମକିଉଠିଲା । ଏ ରହସ୍ୟ କଥା ସେ କିଛି ଭାବିପାରିଲାନାହିଁ । ସେହି ଲୁହାକୁ ଧରି ସେହିଠାରେ ପୁଣି ବସିପଡ଼ିଲା । ପୁଡ଼ିଆ ଦୁଇଟିକୁ ହାତରେ ଧରି ଜାଣିଲା- ଟଙ୍କା । ମନେମନେ ଭାବିଲା- ‘‘ରମା ଆସିଥିଲା ? କିପରି ସେ ଆସିଲା ? ମୋର ଉଦ୍ଧାର ପାଇଁ ତାର ଏତେ କୌଶଳ ? ସାମାନ୍ୟ ଲଛମନର ମୁକ୍ତି ପାଇଁ ତାର ଏତେ ବ୍ୟାକୁଳତା ? ଦରିଦ୍ର ଅଭାଗା ପ୍ରତି ତାର ଏତେ ଅନୁଗ୍ରହ ? ସେ କଣ ତେବେ ଦେବୀ, ନା ମାୟାବିନୀ ?’’

 

କଥା ବୁଝିବାକୁ ଆଉ କିଛି ବାକି ରହିଲାନାହିଁ । ସେହି ରାତି ରାତି ରମା ଘରକୁ ଫେରି, ନିଜର ଗଚ୍ଛିତ କିଛି ଟଙ୍କା ଆଣି ଲଛମନର ଉଦ୍ଧାରପାଇଁ ବାହାରିପଡ଼ିଲା । ଥାନାଦୁଆରେ ଯେଉଁ ଜଗୁଆଳ କନେଷ୍ଟବଳ ଲଛମନକୁ ଜଗି ରହିଥିଲା, ତା ହାତରେ ମୁଠାଏ ଟଙ୍କା ଗୁଞ୍ଜିଦେଇ ଲଛମନ ସଙ୍ଗେ କେବଳ ଦୁଇପଦ କଥା ହୋଇ ଯିବାପାଇଁ ସେ ଅନୁମତି ମାତ୍ର ମାଗିଥିଲା । କନେଷ୍ଟବଳ ଜାଣିଲା, ରମା କେବଳ ଦୁଇପଦ କଥା ମାତ୍ର ହେଲା, କିନ୍ତୁ ଲଛମନ ହାତରେ ଟଙ୍କା ଦେଇ ସେ ଯେ ତାର ଉଦ୍ଧାରପଥ ପରିଷ୍କାର କରିଦେଇଗଲା, ସେ ଜାଣେନାହିଁ ।

 

ଲଛମନ ଉପାୟ ଠିକ୍‌କଲା- ‘‘ଏହି ଟଙ୍କା ଏହିପରି ହାତରେ ଧରି ଏଠାରୁ ଉଦ୍ଧାର ହେବି ।’’ ମୁଣ୍ଡ ଫାଟି ରକ୍ତ ବୋହି ତାର ଗୋଡ଼ହାତର ଯେ ଦୁର୍ବଳତା ବଢ଼ିଥିଲା, ରମାର ସେହି ପଦକ ‘ଲଛମନ’ ଶବ୍ଦରେ ସେ ଦୁର୍ବଳତା କୁଆଡ଼େ ଉଭେଇଗଲା । ଉଠି ଠିଆହୋଇ ଡାକିଲା, ‘‘ଭାଇ, କିଏ ଅଛ ଟିକିଏ ଆସିବ କି ?’’

 

ପାଟି ଶୁଣି କନେଷ୍ଟବଳ ଯେତେବେଳେ ପାଖକୁ ଆସିଲା, ଲଛମନ ତାକୁ ଆହୁରି ନିକଟକୁ ଡାକି ଖୁବ୍‌ ତୁନି ତୁନି କହିଲା, ‘‘ଭାଇ, ମୁଁ ଜାଣୁଛି ଏକାମାଡ଼କେ ମୁଁ ମରିଯିବି । ମୋ ପାଖରେ ଟଙ୍କା ଶହେଟି ଅଛି । ମୋର ବେଳେବେଳେ ଚେତାବୁଡ଼ିଯାଉଛି । ତୁମେ ଏତକ ପାଖରେ ରଖି କାଲି ମତେ ଯେବେ କଚିରିରେ ଦିଅନ୍ତ; ବଡ଼ ଉପକାର କରନ୍ତ । ଆଉ, ମତେ ଝୋଲା ମାରିଯାଉଛି ଭାଇ ! ଟିକିଏ ଦୁଆର ଫିଟାଇ ବାହାରେ ଶୁଆଇଦିଅ । ତା’ପରେ ମତେ ଏଇଠି ଆଣି ପକାଇଦେବ ।’’

 

କନେଷ୍ଟବଳ ଭାବିଲା, ‘ମନ୍ଦ ନୁହେଁ । ସକାଳେ ନିଶ୍ଚୟ ଶଙ୍ଖଚିଲ ମୁହଁ ଚାହିଁଥିଲି । ଏ ତ ମରିବା ଉପରେ; ପାଟିରୁ କଥା ବାହାରୁନାହିଁ । ଟଙ୍କା ମୋ ହାତରେ ପଡ଼ିଲେ କି ଆଉ କଚିରିରେ ନେବ ? ଲୋକଟାର ଚେତାବୁଡ଼ିଯାଉଛି । ଘଣ୍ଟାକପାଇଁ ଯେବେ ବାହାରେ ବସାଇ ଶହେଟଙ୍କା ମାରିନେବି ତେବେ ମନ୍ଦ କଣ ? ଏତେ ରାତିରେ ବା ଏ କଥା ଦେଖୁଛି କିଏ ?’ ଏହା ବିଚାରି ଟିକିଏ ଥାନାର ଏପାଖ ସେପାଖ ବୁଲି ଚାହିଁ ଧୀରେ ଧୀରେ ହାଜତ ଦୁଆରଟି ଫିଟାଇଦେଲା ।

 

ଲଛମନ ମୁମୂର୍ଷୁ କଣ୍ଠରେ କହିଲା, ‘‘ଭାଇ, ମତେ ଟିକିଏ ଟେକି ପିଣ୍ଡାରେ ପକାଇଦିଅ । ମୋ ଗୋଡ଼ହାତ ଚଳୁନାହିଁ’’- ସେ ଏପରି ସ୍ୱରରେ କହୁଥିଲା ଯେ, ଯେପରି କି ସକାଳକୁ ଆଉ ପ୍ରାଣ ନ ଥିବ ।

 

ଏ ସ୍ୱର ଶୁଣି କନେଷ୍ଟବଳ ମନରେ ଟଙ୍କାଟା ପାଇବା ଆଶା ଆହୁରି ବଳବତ୍ତର ହୋଇଉଠିଲା । ଅନ୍ଧାରରେ ଦରାଣ୍ଡି ଦରାଣ୍ଡି, ତାର ଆଣ୍ଠୁବେକ ଏକାଠି ମେଞ୍ଚାକରି ଧରି ବାହାର ପିଣ୍ଡାରେ ଆଣି ଗଡ଼ାଇଦେଲା । ସେ ଜାଣେନାହିଁ ଯେ, ସେହି ଅନ୍ଧାର ଭିତରେ ଲଛମନ ଦୁଇପୁଡ଼ା ଟଙ୍କାକୁ ଦୁଇ ହାତରେ ଖୁବ୍‌ ଜୋର୍‌ରେ ଧରି ମନେ ମନେ ହସୁଥିଲା – ତାର ଉଦ୍ଧାରର ପନ୍ଥା କ୍ରମେ ସହଜ ହୋଇପଡ଼ୁଥିଲା ।

 

ପିଣ୍ଡାରେ ଶୋଇ ଲଛମନ କହିଲା, ‘‘ଭାଇ, ସେଇ ଘରେ ଟଙ୍କା’’- ଏତିକିରେ ଗଁ-ଗଁ ହୋଇ ଗଭୀର ବେଦନା ଅନୁଭବ କଲାପରି ସେ ଯେତେବେଳେ ନୀରବ ହୋଇ ରହିଲା, କନେଷ୍ଟବଳ ଭାବିଲା ଯେ ବିଚରାର ଆଉ ବଞ୍ଚିବାର ଆଶା ନାହିଁ । କଏଦୀକୁ ଜଗିବାପାଇଁ ସେ ଆଉ ସତର୍କ ହେବା ଦରକାର ମନେକଲାନାହିଁ । ଟଙ୍କାଲୋଭରେ ସେ ଯେତେବେଳେ ହାଜତ ଭିତରକୁ ପଶିଗଲା, ଲଛମନ ଚଟ୍‌କରି ଉଠି ହଠାତ୍‌ ସେ ଦୁଆରଟାକୁ ବାହାରପଟୁ ବନ୍ଦକରିଦେଲା । ଆଉ ମୁହୂର୍ତ୍ତେ ବିଳମ୍ୱ ନ କରି ଏକାଦୌଡ଼କେ ଥାନା ପାଚିରି ଡେଇଁ ଯାଇ ଏକ ସଂକୀର୍ଣ୍ଣ ଅପରିଚିତ ଗଳିରେ ହାଜରହେଲା ।

 

(୩)

ସେ ଘୋର ଅନ୍ଧାର ରାତିରେ ଲଛମନ ଗାରଦଘରୁ ବାହାରି ଗଳିରେ ଜଣେ ଲୋକର ହତା ଭିତରେ ଯାଇ ପହଞ୍ଚିଲା । ଆକାଶକୁ ମୁଣ୍ଡ ଟେକି ତା ଚାରିପାଖରେ ଦି’ମହଲା ତିନିମହଲା ପକ୍କା ଘର ସବୁ ଠିଆ; ସେ ସକଳ ଇନ୍ଦ୍ରଭବନରେ କେତେପ୍ରାଣୀ କେତେ ଆମୋଦପ୍ରମୋଦରେ ବିଶ୍ରାମ ନେଉଛନ୍ତି; କିନ୍ତୁ ସେପାଖରେ ବ୍ୟାଧ ଶରାଘାତରେ କାହୁଁ ଗୋଟିଏ ଉଡ଼ିଆସିଲା ପକ୍ଷୀପରି ଲଛମନ ଛଟପଟ ହେବାକୁ ଲାଗିଲା । ତାର ମନ-ଗଗନରେ ମୁହୂର୍ତ୍ତକେ କେତେ କେତେ ତାରା ଉଇଁ ଲୁଚିଗଲେ । ସେ ତାରାଗହଳିରେ ସେ ଗୋଟିଏ ଅତି ଉଜ୍ଜ୍ୱଳ ତାରାର ପରିଚୟ ପାଇଲା- ସେଇଟି ହେଉଛି ରମା ! ସତେ ଯେପରି ରମା ତାର ଦୁଃଖଜଳଦାଚ୍ଛନ୍ନ ହୃଦୟ-ଆକାଶରେ ବେଳେବେଳେ ଦେଖାଦେଇ ହସି ହସି କହୁଛି- ‘‘ଥୟ ଧର, ଥୟ ଧର । ସମ୍ପଦ-ବିପଦରେ ସାଙ୍ଗେ ସାଙ୍ଗେ ମୁଁ ଅଛି ।’’ ଏହି କଥା ଭାବି ଭାବି ଲଛମନର ଯୁବକ ପ୍ରାଣ ବେଳେବେଳେ ରମାର ମହାଭାବରେ କିପରି ଯେ ଆତ୍ମହରା ହୋଇପଡ଼ୁଥାଏ, ସେ ତାହା ଜାଣିପାରେନାହିଁ ।

 

ଗୋଟିଏ ଗାରଦଘରୁ ଖସି ସେ ଆଉ ଏକ ଗାରଦଘରେ ଯାଇ ପଡ଼ିଲା । ବାହାରକୁ ବାଟ ପାଇଲାନାହିଁ । ମନେମନେ ଏକ ଉପାୟ ଠିକ୍‌ କରି ସେ ଘରବାଲାର ଗୁହାଳ ଘରେ ଯାଇ ପହଞ୍ଚିଛି, ତେଣେ ଖଡ଼୍‌ଖାଡ଼୍‌ ଶବ୍ଦ ଶୁଣି ଘରବାଲା ଆଲୁଅ ଧରି ଆସି ସେହି ଘରେ ହାଜରହେଲା । ଲଛମନର ବିପଦର ସୀମା ବଢ଼ିଗଲା । ସେ ଦଫା ସଙ୍ଗେ ଏ ଦଫା ଯୋଡ଼ାହେଲେ ଅବସ୍ଥା ଆହୁରି ଗୁରୁତର ହୋଇଉଠିବ । ଏହା ଭାବି ସେ ଘରକୋଣରେ ତୁନିହୋଇ ଛପିଲାପରି ଠିଆହେଲା । ଘରର ମାଲିକ ଯେତେବେଳେ ଆଲୁଅ ଧରି ଠିକ୍‌ ସେହି ସ୍ଥାନର ପାଖାପାଖିହେଲା, ଲଛମନ ଏପରି ଜୋର୍‌ରେ ତା ଉପରକୁ ଲମ୍ଫଦେଇ ଏପରି ଏକ ଧକ୍କା ଦେଲା ଯେ, ଲୋକଟା ସେହିଠାରେ ମୁହଁମାଡ଼ି ତଳେ ପଡ଼ିଗଲା । ସେ ଉଠୁ ନ ଉଠୁଣୁ ଲଛମନ ପୁଣି ତା ଉପରକୁ ଆଉ ଏକ ଧକ୍କା ଉଞ୍ଚାଇ କାନ ପାଖରେ ତୁନି ତୁନି କହିଲା, ‘‘ଚୁପ୍‌, ଚୁପ୍‌, ପାଟିକରନା; ପାଟି କଲେ ଆଉ ଏକ ଧକ୍କାରେ ଶେଷକରିଦେବି ।’’

 

ଭୟରେ ଘରବାଲାର ପାଟିରୁ ସହଜରେ କଥା ବାହାରିଲା ନାହିଁ । ସେ ମୁହୂର୍ତ୍ତେ କାଠପରି ରହି ତାପରେ କହିଲା, ‘‘ତୁ କିଏ ?’’

 

-‘‘ମୁଁ ଚୋର, କିନ୍ତୁ କିଛି ଚୋରେଇବାକୁ ଆସିନାହିଁ; ଏଇକ୍ଷଣି ମୁଁ ଚାଲିଯିବି । ତୋର ଭଲ ବୁଦ୍ଧି ଥିଲେ ଥିର୍‌ ଉଠ୍‌, ଆଗରେ ଲଣ୍ଠନ୍‌ଟି ଧର୍‌, ସିଧା ସିଧା ମୋ ଆଗେ ଆଗେ ଯାଇ ଦାଣ୍ଡଦୁଆରଟି ଫିଟାଇଦେ । ମନେରଖ, ମୁଁ ଦୁଆର ପାରହୋଇ ଦାଣ୍ଡକୁ ଗଲାପରେ ମଧ୍ୟ ଏଁ କି ଚେଁ ଆଦୌ ପାଟିକରିବୁ ନାହିଁ । କଲେ ଏହି ଚାହାଁ ବିଧାକୁ । ପୁଣି ଆସି ଏକା ବିଧାରେ ତାଳୁ ଫଟାଇଦେବି ।’’

 

ଘରବାଲା ଆର କିଛି ଉତ୍ତର ଦେବାକୁ ଦରକାର ପଡ଼ିଲାନାହିଁ । ଭୟରେ ଜଡ଼ସଡ଼ ହୋଇ ସେ ଆଗେ ଆଗେ ଦାଣ୍ଡ ଦୁଆର ଆଡ଼େ ଚାଲିଲା । ଲଛମନ ତା ପଛେପଛେ ଗଲା । ତା ମୁଣ୍ଡ ଉପରକୁ ବିଧା ଉହୁଞ୍ଚାଇ ରଖିଥାଏ । ସେ ଲୋକ ବାପର ସୁପୁତ୍ର ପରି ଦୁଆରଟି ଫିଟାଇଦେଇ ଆଡ଼େଇ ହୋଇ ଠିଆହେଲା । ଲଛମନ ମୁଠାକରି, ପୁଣି ତାକୁ ଥରେ ବିଧାଭୟ ଦେଖାଇ ଦାଣ୍ଡ ଗଳିଭିତରେ କୁଆଡ଼େ ପଶିଗଲା ।

 

ଅନ୍ଧକାର ! ଅନ୍ଧକାର ! ଘୋର ଅନ୍ଧକାର ! – ସବୁଆଡ଼େ ବିପଦ, ଚତୁର୍ଦ୍ଦିଗରେ ଆଶଙ୍କା । ଶବ୍ଦହୀନ ଗଳିଭିତରେ ଧୀରେ ଧୀରେ ଅଥଚ ଦୃଢ଼ ପଦବିକ୍ଷେପରେ ଲଛମନ ଚାଲିବାରେ ଲାଗିଲା । କେହି କୁଆଡ଼େ ନାହାନ୍ତି – ଆଗରେ ନାହାନ୍ତି – ପଛରେ ନାହାନ୍ତି – ପାଖରେ ନାହାନ୍ତି – ତଥାପି ସବୁଆଡ଼େ ଆଶଙ୍କା । ସେ ଥରେ ପଛକୁ ବୁଲି ଚାହେଁ, ଥରେ ଉପରକୁ ଚାହିଁ ଥକ୍କା ମାରି ଠିଆହୋଇପଡ଼େ । ଏଡ଼େ ବିଶାଳ ସହରରେ ତାର ଯିବାପାଇଁ ବାଟ ନ ଥିଲା, ଏ ବିରାଟ ସଂସାରକୋଳରେ ତା ପାଇଁ ଶାନ୍ତିର ସ୍ଥାନ ନ ଥିଲା – ନିର୍ଜ୍ଜନ ନିଶୀଥିନୀରେ ମଧ୍ୟ ସେ ଚମକି ଚମକି ପ୍ରାଣଭୟରେ ଥରୁଥିଲା ।

 

ଗଳି ପରେ ଗଳି, ତା’ପରେ ଗଳି, କେତେ ଯେ ଗଳି ପାରହେଲା, ସେ ତାହା ଆଉ ଜାଣେନାହିଁ । ମ୍ୟୁନିସିପାଲଟିର କେତେ ଦୀପସ୍ତମ୍ଭ ପାର ହେଲା, ସେଥିପ୍ରତି ତାର ଲକ୍ଷ୍ୟ ନାହିଁ । ସଂସାରର ଅଜଣା ଅପନ୍ତରା ପ୍ରାନ୍ତରରେ ପ୍ରେତଯାତ୍ରୀ ପରି ଦୁଇ ହାତକୁ ବୁକୁ ଉପରେ ଜାକିଧରି ସେ ଚାଲିଛି । ହଠାତ୍‌ ଠାଏ ଚମକି ଠିଆହେଲା – ତାର ପଛପଟରେ କାହାର ପାଦଶବ୍ଦ ଶୁଣାଗଲା । ଭାବିଲା, ଏଇ ଯେ ଦାରୋଗା ! ତା ପ୍ରତି ଜଗତ୍‌ରେ ଏ ମିଥ୍ୟାଦୋଷାରୋପ, ସଂସାରର ଏ କୂଟ କପଟତା ଖେଳ କଥା ଭାବି ଭାବି ସେ ଏତେ ବିବ୍ରତ ହୋଇପଡ଼ିଥିଲା ଯେ, ଦାରୋଗା କଥା ଭାବି ସେ ଆଉ ଆଗପରି ଧାଇଁ ଚାଲିଯିବାକୁ ଇଚ୍ଛା କଲାନାହିଁ ।

 

ନିରୀକ୍ଷଣ କରି, ଖୁବ୍‌ ନିରୀକ୍ଷଣ କରି ଠିଆହେଲା । ଜାଣିପାରିଲା – ଗୋଟିଏ ଛାୟାପରି ତାହାରିଆଡ଼କୁ କିଏ ଆସୁଛି । ଧୀରେ ଧୀରେ ସେହି ମୂର୍ତ୍ତିଟି ଯେତିକି ତା ଆଡ଼କୁ ଲାଗିଆସିଲା, ଦାରୋଗା ଭ୍ରମ ତା ମନରେ ସେତିକି ବଳବତ୍ତର ହୋଇଉଠିଲା । କିନ୍ତୁ ଦେଖିଲା, ସେ ଏକ ମାନବୀ ମୂର୍ତ୍ତି- ସର୍ବାଙ୍ଗ ବସ୍ତ୍ରାବୃତ । ହାସ୍ୟ ଗଦ୍‌ଗଦ ସ୍ୱରରେ ସେ ମୂର୍ତ୍ତି ଏତିକି କହିଲା, ‘‘ଲଛମନ !’’

 

-‘‘ରମା !’’ ଏତିକି କହି ଲଛମନ ସେଠାରେ ନିସ୍ପନ୍ଦଭାବରେ ଠିଆହୋଇରହିଲା ।

-‘‘ହଁ ରମା ! ଆଉ ତ କିଛି ବିପଦ ପଡ଼ିନାହିଁ ?’’

-‘‘ସେ ବିପଦ ଯାହା ହେଉ, ଏତେ ରାତିରେ ତୁମେ ?’’

-‘‘ତୁମକୁ ଖୋଜି ଖୋଜି ଥାନାଠାରୁ ଏଇ ବାଟେ ବାଟେ ତ ଆସୁଛି ।’’

 

ଲଛମନ ଯେ ତାକୁ କଣ ବୋଲି ଧନ୍ୟବାଦ ଦେବ, ବୁଝିପାରିଲାନାହିଁ । ଏତିକି କହିଲା, ‘‘ରମା, ଆଉ ଏପରି କାର୍ଯ୍ୟରେ ଏପରି ସମୟରେ ବାହାରିବ ନାହିଁ । ଯାଅ, ଘରକୁ ଫେରିଯାଅ । ଏତେବେଳେ ତୁମେ ଏଠି ଠିଆହେବା ମୁଁ ଉଚିତ ମନେକରୁନାହିଁ ।’’ ଏହା କହି ସେ ରମାର ଡାହାଣ ହାତଟି ଧରିପକାଇଲା । ତାର ସେହି ଥରଥର ହସ୍ତସ୍ପର୍ଶରେ ରମାର ସର୍ବାଙ୍ଗ ଥରିଉଠିଲା । ସେ ଆଉ କିଛି ଉତ୍ତର ଦେଲାନାହିଁ; ଧୀରେ ଧୀରେ ହାତଟିକୁ କାଢ଼ିଆଣି ଯିବାକୁ ଉଦ୍ୟମ କଲା । ଗଲାବେଳେ ବଡ଼ ନମ୍ରସ୍ୱରରେ ଏତିକି ମାତ୍ର କହିଲା, ‘‘ଯାଉଛି, ତୁମେ ଯେ ନିରାପଦରେ ଫେରିଆସିଛି ଆଉ ଚିନ୍ତା ନାହିଁ । କାଲି ସେତିକିବେଳେ ସେହି ଡାକଘର ପାଖରେ ଦେଖା ।’’

 

ରାତି ପାହିଲା, ପୁଣି ସନ୍ଧ୍ୟା ହେଲା; କିନ୍ତୁ ଲଛମନର ଅନ୍ତହୀନ, ଆବେଗମୟ ଭାବନାସ୍ରୋତ ପ୍ରାଣରେ ବେଳକୁବେଳ ଉଦ୍‌ବେଳିତ ହୋଇଉଠିଲା । ବିରାଟ ସହରର ଜନମଣ୍ଡଳୀର କୋଳାହଳ ଆକାଶ-ପବନ ବିଦୀର୍ଣ୍ଣ କରି ଖେଳିଉଠିଲା; ମାତ୍ର ଲଛମନର ପ୍ରାଣକୁ ତାହା ଛୁଇଁଲାନାହିଁ । ତାର ହୃଦୟ-ଜଗତ୍‌ରେ କେବଳ ସେହି ଏକା କଥା – ‘‘ତୁମେ ଯେ ନିରାପଦରେ ଫେରିଆସିଛ !’’ ସେହି ଏକା ପ୍ରଶ୍ନ- ‘‘ଏତେ ରାତିରେ ତୁମେ ?’’ କେତେ ଦିନ କେତେ ରାତି ଯେ ଏ କଥା ଲଛମନର ସହାୟହୀନ ଯୁବକପ୍ରାଣରେ ନିତ୍ୟନୂତନ ବେଶରେ ଝଙ୍କାରିଉଠିବ, ତାହା କିଏ କହିବ ?

 

ପାଠକେ, ଥରେ ତେଣେ ରମାର କୁଟୀର ଭିତରକୁ ଫେରିଯାଅ । କଣ ଦେଖିବ ? ଦେଖିବ, ବୁଢ଼ା ରଣସିଂହ ମଦରେ ଭୋଳ, ରମା ତାର ସେବାରେ ରତ । ସେ ଦିନତମାମ୍‌ ରମା ପ୍ରାଣରେ ଶାନ୍ତି ନାହିଁ । ସେହି ଯେଉଁ ଗଭୀର ନିଶୀଥିନୀର ଶାନ୍ତିମୟ ନିର୍ଜ୍ଜନତା ଭଙ୍ଗକରି ତାର ଶିଥିଳ ହାତଟି ଆପଣା ହାତରେ ଧରି ଲଛମନ କହିଥିଲା, ‘‘ଯାଅ, ଘରକୁ ଫେରିଯାଅ’’ ତାହା ସେହି ମୁହୂର୍ତ୍ତରୁ ସେହିପରି ଭାବରେ ତାର କର୍ଣ୍ଣକୁହରରେ ପ୍ରତିଧ୍ୱନିତ ହେଉଛି । ତାର ମନ ଭାଁ-ଭାଁ ହୋଇ ଆସିଲା, ତାର ପ୍ରାଣ ଛଟପଟ ହୋଇ କାନ୍ଦିଲା, ‘ଲଛମନ କି ଶାନ୍ତିରେ ନିରାପଦରେ ଅଛି ?’ ସବୁଦିନ ସେ ନିର୍ବିବାଦରେ ବୁଢ଼ା ପାଖରେ ବସି ‘ବାପା’ ‘ବାପା’ ବୋଲି ଡାକୁଥାଏ, କିନ୍ତୁ ସେ ଦିନ କାହିଁକି ‘ବାପା’ ବୋଲି ଡାକିଦେଇ ସେ ଚମକିପଡ଼େ । ସେ ଜୀର୍ଣ୍ଣ କୁଟୀରର ଚାରିକଣକୁ ଚାହିଁଦିଏ – ସତେ ଅବା ତାର ଶବ୍ଦ ଶୁଣି କିଏ ତାକୁ ପଚାରିଦେବ, ‘‘ତୋର ସେ ବାପାଟି ?’’ ସେ ତାର ଏ ବିଚିତ୍ର ଭାବ ନିଜେ ଜାଣିପାରି ନିଜେ ସଙ୍କୁଚିତ ହୋଇପଡ଼େ ।

 

ସନ୍ଧ୍ୟାର ଆରକ୍ତ କିରଣ ଘନାନ୍ଧକାରରେ ମିଶିଗଲା ପରେ ରମା ଘରୁ ବାହାରିପଡ଼ିଲା । ଲକ୍ଷ୍ୟ ତାର ଡାକଘର ପାଖ ପଡ଼ିଆ । ଗଳିପରେ ଗଳି ପାର ହୋଇ ସେ ଯାଇ ଏକ ଛକମୁଣ୍ଡରେ ପହଞ୍ଚିଲାବେଳକୁ କିଏ ପଛରୁ ଡାକିଲା, ‘‘ଶୁଣିବ କି, ଟିକିଏ ଶୁଣିବ କି ?’’

 

ରମା ବୁଲି ଚାହିଁଲା, ଗୋଟିଏ ବୁଢ଼ୀ ହାତରେ ବାଡ଼ି ଖଣ୍ଡିଏ ଧରି ବଜାରରେ ଏକତଡ଼ିଆ ହୋଇ ଠାଏ ବସିଛି । ସେ ପାଖକୁ ଆସିଲାପରେ ବୁଢ଼ୀ ପଚାରିଲା, ‘‘କୁଆଡ଼େ ଯାଉଛୁ ମା’ ? ଏଡ଼େ ତରତର ହୋଇ ଧାଇଁଛୁ ?’’

 

-‘‘ଯାଉଛି ଜଣକ ପାଖକୁ । ମତେ ଡାକିଲୁଟିକି ?’’

 

-‘‘ହଁ, ତତେ ଡାକିଲି । ମୁଁ ବୁଝିପାରୁଛି ଯେ, ତୁ ଯାଉଛୁ ସେଇ ଟୋକାଟା ସାଙ୍ଗରେ କଥା ହେବାକୁ ନୁହେଁ ?’’

 

ଏ କଥା ଶୁଣି ରମା ଖୁବ୍‌ ତେଜିଉଠିଲା । ସେ କିଛି କହୁ ନ କହୁ ବୁଢ଼ୀ କହିଲା, ‘‘ଆଲୋ, ମତେ ତୁ ଚିହ୍ନିନାହୁଁ । ମୁଁ ପରା ଲୋକର ଚାଲି-ଚଳଣ ଦେଖି ଆଗତ ଭବିଷ୍ୟ କଥା ସବୁ କହିଦିଏ । ତୁ ଯାଉନାହୁଁ ସେହି ଟୋକାଟାକୁ ଭେଟିବାକୁ ?’’

 

ବୁଢ଼ୀର ଏ କଥାରେ ରମା ମନରେ ଘୋର ସନ୍ଦେହ ହେଲା । ବୁଢ଼ୀ ପୁଣି କହିଲା, ‘‘ଯାଉଛୁ ତ ଯାଆ; କିନ୍ତୁ ତାକୁ ସେଠି ପାଇବୁନାହିଁ । ସେ ସେଠାରେ ନାହିଁ । ଫେରିଆସି ମୋ ସାଙ୍ଗରେ ଟିକିଏ କଥା ହୋଇ ଯିବୁ ।’’

 

ରମା ମନରେ କୌତୂହଳ ଯେପରି ବଢ଼ିଲା, ଆଶଙ୍କା ମଧ୍ୟ ସେହିପରି ବଢ଼ିଲା । ବୁଢ଼ୀକଥା ଭାବି ଭାବି ସେ ବଡ଼ ବ୍ୟଗ୍ରଭାବରେ ପାଦ ଚାଲି ଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ଲଛମନକୁ ଅପେକ୍ଷା କରି ରହିଲା ।

 

ଘଣ୍ଟାଏ ସମୟ କଟିଗଲା, ପାଖ ବଜାରର ଗହଳ ଚହଳ କ୍ରମେ କମିଆସିଲା । ରମା ସେଠାରେ ଲଛମନର ଭେଟ ପାଇଲାନାହିଁ । ନିର୍ଦ୍ଦିଷ୍ଟ ସମୟରୁ ଘଣ୍ଟାଏ ଗଡ଼ିଗଲାଣି, ଭୟ-ଆଶଙ୍କାରେ ତାର ହୃଦୟ ଆନ୍ଦୋଳିତ ହେବାକୁ ଲାଗିଲା । ଆଉ କେତେ ସମୟ ବା ଅପେକ୍ଷା କରିବ ? ପୁଣି ଅଧଘଣ୍ଟା କଟିଗଲା, ବଡ଼ ଅନ୍ୟମନସ୍କ ଭାବରେ ନାନା ଚିନ୍ତାରେ ଛନ୍ଦି ହୋଇ ସେ ସେହି ଗଳି ପାର ହୋଇ ଚାଲିଆସୁଛି, ଦେଖିଲା, ସେହି ବୁଢ଼ୀଟି ସେହିପରି ଗଳିମୁଣ୍ଡରେ ବସିଛି ।

 

ଦୂରରୁ ରମାକୁ ଦେଖି ବୁଢ଼ୀ ହାତଠାରି ଡାକିଲା, ‘‘ଶୁଣିଗଲୁ ମା’, ଶୁଣିଗଲୁ ।’’

 

ଏ ବୁଢ଼ୀ ଯେ କିଏ, ରମା ମନକୁ ବଡ଼ ସନ୍ଦେହ ଛୁଇଁଲା ।

ରମା ଆସିଲାପରେ ବୁଢ଼ୀ କହିଲା, ‘‘ତାକୁ ତ ତୁ ପାଇ ନ ଥିବୁ, ମାଆ !’’

 

-‘‘ନା, ପାଇଲି ନାହିଁ !’’

-‘‘ମୁଁ ଯାହା କହିଥିଲି ସତ ?’’

-‘‘ହଁ ସତ, ମାତ୍ର...’’

-‘‘ମତେ ସନ୍ଦେହ କରୁଛୁ ମା’ ?’’

ରମା କିଛି ଉତ୍ତର ଦେଲାନାହିଁ ।

 

ବୁଢ଼ୀ ଦୁଇ-ଚାରିଟା ଖଣ୍ଡିକାଶ ମାରି କହିଲା, ‘‘ମା’, ତୋ ନାଁ ରମାଟିକି ?’’

 

ଜଣେ ସମ୍ପୂର୍ଣ୍ଣ ଅପରିଚିତା ବୁଢ଼ୀ ମୁହଁରୁ ନିଜ ନାଁ ଶୁଣି ରମା ଅସମ୍ଭବ ଭାବରେ ଚମକିଲା ପରି ଥରିଗଲା । ବୁଢ଼ୀ ପୁଣି ପଚାରିଲା, ‘‘ଆଚ୍ଛା, ମା’ ! ତୁ ଲଛମନକୁ ଖୋଜୁଥିଲୁ ନା ?’’

 

 

ଏ କଥା ଶୁଣି ରମାର ଯେପରି ନିଶ୍ୱାସ ବନ୍ଦ ହୋଇଆସିଲା । ସେ ବିସ୍ତାରିତ ଲୋଚନରେ ବୁଢ଼ୀ ମୁହଁକୁ ଚାହିଁରହିଲା । କଣ ପଚାରିବ ବୋଲି ମନରେ ଭାବୁଛି, ପୁଣି ଶୁଣିଲା – ‘‘ତୋ ବାପ ନାଁ ଘନ ରଣସିଂହ, ନୁହେଁ ?’’

 

ରମା ଆଉ ସମ୍ଭାଳିପାରିଲାନାହିଁ । ବୁଢ଼ୀ ପାଖକୁ ଆହୁରି ପାହୁଣ୍ଡେ ଲାଗିଯାଇ କହିଲା, ‘‘ବୁଢ଼ୀ ତୁ କିଏସେ ? ଏ ସବୁ କଥା ତୁ କିପରି ଜାଣିଲୁ ?’’

 

ବୁଢ଼ୀ ହସି ହସି କହିଲା, ‘‘କହିବି, କହିବି । ଆଗ ଶୁଣ । ତୁ ପରା ଲଛମନକୁ ଦେଖିବାକୁ ଇଚ୍ଛା କରୁଛୁ ? ଆଚ୍ଛା, ସେଇ ଲଛମନ ଏଇଠି ଅଛି । ତାକୁ ଆଗ ଦେଖ ।’’

 

ରମା ବଡ଼ ଆଶ୍ଚର୍ଯ୍ୟ ହୋଇ ଏପାଖ ସେପାଖ ଆଗପଛ ତଳଉପର ସବୁଆଡ଼େ ଆଖି ବୁଲାଇଦେଲା । ଭାବିଲା- ତାକୁ କିଏ ଜଣେ ସତେ କଣ ଭେଳିକି ଲଗାଇ ଦେଇଛି ? ତାର ଏ ପ୍ରକାର ବ୍ୟାକୁଳ ଭାବ ଦେଖି ବୁଢ଼ୀ ଠୋ-ଠୋ ହସି ଡାକିଲା ‘‘ରମା !’’

 

ରମାର ହୃଦୟ ଭିତରେ କାହାର ପରିଚିତ ସ୍ୱର ବାଜିଉଠିଲା । ସେ ବିଚଳିତ ହୃଦୟରେ ବୁଢ଼ୀକୁ ଚାହିଁ କହିଲା, ‘‘ତୁମେ ସେ ଲଛମନ !’’

 

ମୁହୂର୍ତ୍ତେ କାଳ କାହା ମୁହଁରୁ କିଛି କଥା ବାହାରିଲା ନାହିଁ । କେବଳ ଦୁହିଙ୍କ ମୁହଁରେ ଶୁଭ୍ର ହାସ୍ୟରେଖା ଫୁଟିଉଠିଲା ।

 

ରମା ପ୍ରଥମେ ନିସ୍ତବ୍‌ଧତା ଭଙ୍ଗକରି କହିଲା, ‘‘ତୁମେ ଇମିତି ବେଶରେ ? ମୁଁ ତ ଆଦୌ ଚିହ୍ନିପାରିଲି ନାହିଁ !’’

 

-‘‘ତା ନ ହେଲେ କି ରକ୍ଷା ଥିଲା ? ଏତେବେଳକୁ ତ ଗାରଦଘରେ ସଢ଼ୁଥାନ୍ତି ।’’

 

ରମା ଅଧୀରଭାବରେ ଲଛମନର ହାତଟିକୁ ଧରିପକାଇଲା । ପରମୁହୂର୍ତ୍ତରେ ତାକୁ ଲଜ୍ଜା ସରମ ଘୋଟିଆସିଲା । କିଛି ସମୟ ତୁନିରହି ପଚାରିଲା, ‘‘ଏବେ ଆଉ କଣ କରିବ ?’’

 

-‘‘ଆଉ କରିବି କଣ ? ମୁଁ ତ ନିଶ୍ଚୟ ବିଦାୟ ନେଇ ଯିବି । ଚାଲ ନଈକୂଳରେ ଗୋଟିଏ ଥାନ ଠିକ୍‌ କରିବା । ମୁଁ କେତେବେଳେ କିପରି ଜାହାଜରୁ ଓହ୍ଲାଇଲେ ଏଠାକୁ ନ ଆସି ସେହିଠାରେ କଣ ହେଲେ ସଂକେତ ରଖିଦେଇ ଯାଉଥିବି । ତୁମେ ସେଥିରୁ ଜାଣିପାରିବ ଯେ, ମୁଁ ସଂସାରରେ ଅଛି । ତୁମେ ମଧ୍ୟ ବେଳେବେଳେ ସେଠାରେ ସଂକେତରଖିବାକୁ ଭୁଲିବନାହିଁ ।’’

ରମା ଏଥିର ପଦେହେଲେ ଉତ୍ତର ଦେଇପାରିଲାନାହିଁ ।

 

ଇରାବତୀର ନିସ୍ତବ୍‌ଧ ତଟପ୍ରଦେଶ- ପାଦତଳେ ଅଖଣ୍ଡ ଜଳସ୍ରୋତ ଧୀରେ ଧୀରେ ଅନନ୍ତ ସମୁଦ୍ରଗର୍ଭକୁ ଗତି କରୁଛି । ଆକାଶର ପୁଞ୍ଜୀଭୂତ ନକ୍ଷତ୍ରମାଳା ସେ ସ୍ରୋତଗର୍ଭରେ କ୍ଷଣିକ ପ୍ରତିବିମ୍ୱ ପକାଇ ପ୍ରତି ଲହରୀ ସଙ୍ଗେ, ପ୍ରତି ବୁଦ୍‌ବୁଦ ସଙ୍ଗେ ସଂସାରର ଅଳୀକତା ଦେଖାଉଛନ୍ତି । ଲହରୀ ପରେ ଲହରୀ ଉଠୁଛି, ବୁଦ୍‌ବୁଦ ପରେ ବୁଦ୍‌ବୁଦ ଖେଳୁଛି; ମାତ୍ର ସବୁ ଅସ୍ଥିର, ସବୁ ଚଞ୍ଚଳ । ଅଚଳା ବସୁନ୍ଧରା ବକ୍ଷରେ ଏ ଚଞ୍ଚଳ ସ୍ରୋତ ମୁହୂର୍ତ୍ତେ ଠିଆହୋଇ ରହିପାରୁନାହିଁ ।

 

ଏପରି ସମୟରେ ପ୍ରକୃତିର ଏ ରହସ୍ୟମୟ ଉପକୂଳରେ ଦୁଇଟି ପ୍ରାଣୀ ହାତ ଧରାଧରି ହୋଇ ଠିଆ । ଦୁଇଟି ହୃଦୟର ଆବେଗମୟ ଭାବଧାରା କେଉଁ ଅକୂଳ ଅନନ୍ତ ସମୁଦ୍ରରେ ମିଶିବାପାଇଁ ଯେ ବ୍ୟସ୍ତ, ସେ କଥା ସେମାନେ ଏପର୍ଯ୍ୟନ୍ତ ବୁଝିନାହାନ୍ତି । ସେମାନେ ବୁଝିନାହାନ୍ତି ସଂସାରର ପଥ ବଡ଼ କୁଟିଳ । ନଦୀ ତାଙ୍କୁ ହାସ୍ୟ କରୁଛି, ଲହରୀ ତାଙ୍କୁ ଇଙ୍ଗିତ ଦେଉଛି, ବୁଦ୍‌ବୁଦ ତାଙ୍କୁ ଥଟ୍ଟା କରୁଛି; ମାତ୍ର ଏ ସବୁଠାରୁ ସେମାନେ ବହୁ ଦୂରରେ ଆଉ ଏକ ରହସ୍ୟମୟ ଜଗତ୍‌ରେ !

 

ଇରାବତୀର ସୈକତ ଭୂମିତଳେ ଗୋଟିଏ ଛୋଟିଆ ପଥର ଢିମିରା ପାଖରେ ଦୁହିଙ୍କର ଏକ ସଂକେତ ସ୍ଥାନ ଠିକ୍‌ହେଲା । ଦୁଇଟି ପଥର ମଧ୍ୟରେ ଗୋଟିଏ ଛୋଟିଆ କୋରଡ଼; କଥା ହେଲା, ଯେତେବେଳେ ଯେ ପାରିବ ସେହିଠାରେ କିଛି ନା କିଛି ନୂଆ ଚିହ୍ନ ରଖିଦେଇ ଯାଉଥିବ ।

 

ସହରରେ ଘଣ୍ଟା ନଅ ବାଜିଲା । ଦୁହିଁଙ୍କର ବିଦାୟ ବେଳ ହେଲା । ବିଦାୟ ପୂର୍ବ ମୁହୂର୍ତ୍ତରେ ଲଛମନ କହିଲା, ‘‘ରମା, ତୁମେ ଏ ଟଙ୍କା ପାଇଲ କେଉଁଠୁ ?’’

 

-‘‘ବାପା ମୋତେ ଏସବୁ ଟଙ୍କା ଦେଇଛନ୍ତି ।’’

 

-‘‘ବାପା ଘନ ରଣସିଂହ ?’’

 

-‘‘ଯିବାବେଳେ ମନରେ କଷ୍ଟ ଦିଅନାହିଁ ।’’

 

-‘‘ନା, କଷ୍ଟ ଦେବାକୁ ମୁଁ ଆଦୌ ଭାବୁନାହିଁ । ମାତ୍ର ତୁମେ ଯେ ମୋତେ ସବୁକଥା ଲୁଚାଉଛ । ଭିକାରି ବୁଢ଼ାର ଝିଅ ତୁମେ, ଏତେ ଟଙ୍କା ପାଇଲ କେଉଁଠୁ ? ଏ ଟଙ୍କା ତୁମେ ନେଇଯାଅ – ମୋର ଏତେ ଟଙ୍କା ଲୋଡ଼ାନାହିଁ ।’’

 

ରମା ସେହି ସ୍ୱଚ୍ଛ ଅନ୍ଧାର ଭିତରେ ଲଛମନ ଉପରକୁ ଟିକିଏ ଆଉଜିପଡ଼ି ବ୍ୟଥିତ କଣ୍ଠରେ କହିଲା, ‘‘ସେ କଥା ଆଉ ମନେ ପକାଅ ନାହିଁ, ଲଛମନ ! ସେ କଥା ଆଉ ମନେ ପକାଅ ନାହିଁ । ମୁଁ ଭିକାରି ବୁଢ଼ାର ଝିଅ; କିନ୍ତୁ ମୁଁ ଭିକମାଗେନାହିଁ । ମତେ ଆଉ ସେ କଥା ପଚାରନାହିଁ । ଏତିକି ମନେରଖ, ମୋ ବାପା ମତେ ଏ ଟଙ୍କା ଦେଇଛନ୍ତି; ଏହିପରି ଆହୁରି କେତେ ଟଙ୍କା ମଧ୍ୟ ମୋ ପାଖରେ ଅଛି । ଯାଅ ତୁମେ, ଦୂରଦେଶକୁ ଯାଅ; ସୁଖରେ ରହ, ଶାନ୍ତିରେ ରହ; ଏ ବାଳିକାକୁ ଭୁଲିଯାଅ !’’

 

ଲଛମନ ଅପୂର୍ବ ଭାବାବେଶରେ ରମାକୁ ନିଜ ବାହୁଭିତରେ ନିବିଡ଼ ଭାବରେ ଜାକିପକାଇ ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ ଥରଥର କଣ୍ଠରେ କହିଲା, ‘‘ଯାଉଛି, ଆଉ ତୁମର ମୋର କେବେ ଯେ ଭେଟ ହେବ କହିହେଉ ନାହିଁ । ସଂସାରରୁ କିଏ କେବେ ଯିବା, କିନ୍ତୁ...’’

 

-‘‘କିନ୍ତୁ ଗଲାପୂର୍ବରୁ ପୁଣି ଥରେ ଭେଟ ହେବ ।’’ ଏତିକି କହିଦେଇ ରମା ଗଳିର ଆରପାଖ ବାଙ୍କ ବୁଲି ଚାଲିଗଲା ।

 

(୪)

ଲଛମନ ପ୍ରାଣରେ ଆଉ ଶାନ୍ତି ନାହିଁ । ଏ କେତେଟା ଦିନମଧ୍ୟରେ ତା ଜୀବନର ଗତିପଥ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇପଡ଼ିଛି । ପ୍ରତି ମୁହୂର୍ତ୍ତରେ ସେ ଜୀବନର ଅଭିନବ ସଂଘର୍ଷରେ ପହଞ୍ଚୁଛି । କ୍ଷଣକୁ କ୍ଷଣ ସେ ନିଜ ମନର ଭାବନାରେ ନିଜେ ଚମକିଉଠୁଛି ।

 

ରମା ଚାଲିଗଲା- ଚାହୁଁ ଚାହୁଁ ଲଛମନର ଆଖିଆଗରୁ ଲୁଚିଗଲା; କିନ୍ତୁ ଏ କି ବ୍ୟାପାର ! ତାର ଗୋଡ଼ ଦୁଇଟା ପଛକୁ ନ ଫେରି ସେହି ରମାର ଗତିପଥରେ ଠେଲିହେଲାପରି ହେଉଛି । ସତେ ଯେପରି କୌଣସି ଅଦୃଶ୍ୟ ଅଚ୍ଛେଦ୍ୟ ବନ୍ଧନରେ ବାନ୍ଧି ତାର ଜୀବନ ମନକୁ ରମା କ୍ଷଣକୁ କ୍ଷଣ ଦୃଢ଼ରୁ ଦୃଢ଼ତର ଭାବରେ ଟାଣିନେଉଛି ।

 

ରମାର ମତିଗତି, ନିଜ ମନର ଏ ଦୁର୍ବଳତା ଲଛମନ ସେହିଠାରେ ବେଶ୍‌ ବୁଝିଲା । ମନହେଲା, ଧାଇଁଯାଇ ରମାକୁ ତାର ଟଙ୍କା ଫେରାଇଦେବ ଏବଂ ତା ପାଖରେ ବସିପଡ଼ି ନିଜର ହୃଦୟ ଭିତର ଚିରି ସେ ଢଳଢଳ ମୂର୍ତ୍ତିଟାକୁ ତାହାରି ଆଗକୁ ପୋଛି ଫୋପାଡ଼ି ଦେବ; କିନ୍ତୁ ତାହା ସେ କରି ପାରିବ କି ? ଅସମ୍ଭବ ! ଅସମ୍ଭବ ! ଭାବିଲା, ‘ଏ କି ବିପଦ ! ୟାକୁ ଯଦି ବିପଦ ବୋଲି ନ କହି ସମ୍ପଦ ବୋଲି କହିବି, ତେବେ ସଂସାରରେ ଆଉ ବିପଦ କାହାକୁ କହନ୍ତି ? ଏ ରହସ୍ୟ ଭେଦ କରିବାକୁ ମୋର ବେଳ କାହିଁ ? ମୋ ମନରେ ସାହସ କାହିଁ ? ସେ ତ କିଛି କହିଲାନାହିଁ । ଦରିଦ୍ର ଭିକାରିର କନ୍ୟା – ସେ କଥା ପଚାରିଲେ ତାକୁ କଷ୍ଟ ବୋଧହେଉଛି; ନିତାନ୍ତ ମତୁଆଳ ସଙ୍ଗେ ରହିଛି, ସେ କଥା ମନେପକାଇଲେ ସେ କାନରେ ହାତ ଦେଉଛି । କହୁଛି- ଶହେ ନୁହେଁ, ଦୁଇଶହ ନୁହେଁ, ହଜାର ହଜାର ଟଙ୍କା ରଖିଛି । ଏ ଯେ ଅସମ୍ଭବ ରହସ୍ୟ ! ଦେଖୁଛି, ଏ ରହସ୍ୟ ଅନ୍ତରାଳରେ ନ ପଶିଲେ ପ୍ରାଣରେ ଆଉ ଶାନ୍ତି ପାଇବା ଅସମ୍ଭବ ।’’

 

ଲଛମନ ଭାବୁଛି- କେତେ ସମୟ ଯେ ସେ ସେଠାରେ ଠିଆହୋଇ ଭାବୁଛି, ତାର ସେ ଦିଗରେ ଦୃଷ୍ଟି ନାହିଁ । ତେଣେ ଦୂରରେ, ଖୁବ୍‌ ଦୂରରେ ଘଣ୍ଟା ଶୁଭିଲା- ଠଣ୍‌ ଠଣ୍‌ ଠଣ୍‌ - ତିନି ବାଜିଲା । ତାର ଚେତା ଆସିଲା । ସେହି ବେଶ- ସେହି ବୃଦ୍ଧାର ବେଶ ସେହିପରି ରହିଛି, ଆଉ କାଳବିଳମ୍ୱର ସମୟ ନାହିଁ । ରାତି ପାହିଲେ ବିପଦ ଘୋଟି ଆସିବ । ଧରାପଡ଼ିଲେ ଗାରଦଘରେ ଚିରକାଳପାଇଁ ରହିବାକୁ ପଡ଼ିବ । ତା ପୂର୍ବରୁ ତାକୁ ଯେକୌଣସି ପ୍ରକାରେ ସହର ଛାଡ଼ିବାକୁ ହେବ । ରାତି ପାହିଲେ ଓଡ଼ିଆ ଯାତ୍ରୀଙ୍କୁ ନେଇ ଜାହାଜ ସିଙ୍ଗାପୁର ଯାତ୍ରା କରିବାର କଥା । ଲଛମନ ଭାବିଲା, ଏ ସୁବିଧା ଛାଡ଼ିଲେ ଆଉ ଉପାୟ ନାହିଁ ।

 

ଯୁବକ- ଦେହରେ ବଳ ଅଛି, ହୃଦୟରେ ଦମ୍ଭ ଅଛି । ନଦୀକୂଳରେ ଠିଆହେଲା । ଆଲୋକମାଳାଶୋଭିତ ଜାହାଜ ଦୂରକୁ ସୁସଜ୍ଜିତ ନଗର ପରି ଦିଶୁଥିଲା । କୂଳରେ କୋଳାହଳ ନାହିଁ, ଜନପ୍ରାଣୀ କେହି ହେଲେ ସୁଖନିଦ୍ରାରୁ ଉଠିନାହାନ୍ତି; ଜାହାଜଯାତ୍ରୀଙ୍କର ଭିଡ଼ ହେବାକୁ ଆଉ ଦୁଇଘଣ୍ଟା ମାତ୍ର ବାକିଅଛି ।

 

ଲଛମନ ଖୁବ୍‌ ପହଁରିପାରେ । ଦେଖିଲା, କୂଳରେ ଠାଏ ଗୋଟିଏ ଛୋଟିଆ ଡଙ୍ଗା ଟଙ୍ଗାଯାଇଛି । ଆଗପଛ ନ ବିଚାରି, ଜୀବନର ମମତା ନ ରଖି ଜାହାଜକୁ ଭେଟିବାପାଇଁ ସେହି ଡଙ୍ଗାର ଆଶ୍ରୟ ନେଲା । ପାଖରେ ଆହୁଲା ନାହିଁ । ସ୍ରୋତମୁହଁରେ ବିପଦର ସୀମା କହିଲେ ନ ସରେ । ସେପରି ଅବସ୍ଥାରେ ସେ ହାତରେ ପାଣି ଆହୁଲାଇ ଆହୁଲାଇ ଜୀବନମରଣ ସମସ୍ୟାରୁ ବର୍ତ୍ତିଯାଇ ଜାହାଜ ପାଖରେ ପହଞ୍ଚିଲା ।

 

ବିଖ୍ୟାତ ଦାସ ଏଣ୍ଡ କୋଃ ସିଙ୍ଗାପୁର ଜାହାଜର ମାଲିକ । ବିଷନ ଦାସ ହେଉଛନ୍ତି ସେଥିର କପ୍ତାନ୍‌ । ବିଷନ ଦାସ ଯୁବକ, ଉଚ୍ଚ ଶିକ୍ଷା ନ ପାଇଥିଲେ କଣ ହେଲା, ବେଶ୍‌ ବୁଦ୍ଧିବୃତ୍ତି ଅଛି । ପ୍ରଥମେ ଗୋପାଳପୁର ଠାରୁ ଓଡ଼ିଆ କୁଲି ବେପାର କରି ସେ ରେଙ୍ଗୁନରେ ପାଦ ପକାଇଥିଲେ । ଗତ ଦଶବର୍ଷ ଭିତରେ ତାଙ୍କ ଭାଗ୍ୟର ଘୋର ପରିବର୍ତ୍ତନ ହୋଇଗଲା । ଓଡ଼ିଶାର ବନ୍ୟା ଦୁର୍ଭିକ୍ଷରେ ଯେତେବେଳେ ଗ୍ରାମେ ଗ୍ରାମେ ହାହାକାର ପଡ଼ିଲା, ଲକ୍ଷ ଲକ୍ଷ ଓଡ଼ିଆ ପ୍ରାଣବିକଳରେ ରେଙ୍ଗୁନ୍‌ ଧାଇଁଲେ; ସେହି ସମୟରେ ବିଷନ ଦାସଙ୍କର ସୁଭାଗ୍ୟର ଦ୍ୱାର ଫିଟିଗଲା । ସେ ଦ୍ୱାର ଆଉ ବନ୍ଦ ହୋଇନାହିଁ । ରେଙ୍ଗୁନ ସହରରେ ଓଡ଼ିଆମାନଙ୍କ ମଧ୍ୟରେ କମଳାଙ୍କର ବରପୁତ୍ରରୂପେ ସେ ଏବେ ଏକ ବିଖ୍ୟାତ ଜାହାଜ କମ୍ପାନିର ମାଲିକ ।

 

ଏହି ବିଷନ ଦାସଙ୍କ ପାଖରେ ଲଛମନକୁ ଆଶ୍ରୟ ମିଳିଲା । ସେ ଏକ ଅଦ୍ଭୁତ ରକମର ଘଟଣା । ରାତି ଶେଷ ପ୍ରହରରେ ଉଠି ବିଷନ ଦାସ ଜାହାଜମଙ୍ଗରେ ଧୀର ପଦବିକ୍ଷେପରେ ବୁଲୁଛନ୍ତି, ଗୋଟାଏ ପିଶାଚିଆ ବେଶରେ ଲଛମନ ଯାଇ ତାଙ୍କ ଆଗରେ ଠିଆହେଲା । ଏକାକୀ ନିଜ ଆଖି ଆଗରେ ସେ ଏ ମୂର୍ତ୍ତିକୁ ଦେଖି ପ୍ରଥମେ ଚମକିପଡ଼ିଥିଲେ । ଯୋଗିନୀ ବା ମାୟାବିନୀ ବୋଲି ତାଙ୍କର ଭ୍ରମ ହୋଇଥିଲା । ବିସ୍ମୟରେ ସେ ଚିତ୍କାର କରି ଉଠିବା ଆଗରୁ ଲଛମନ ବୃଦ୍ଧାର ସେହି ଛଦ୍ମବେଶ ଫିଙ୍ଗିଦେଇ ନିଜର ସ୍ୱଭାବସୁନ୍ଦର ଯୁବକ ବେଶରେ ଠିଆହୋଇଗଲା । କପ୍ତାନଙ୍କ ଆଶ୍ଚର୍ଯ୍ୟର ସୀମା ରହିଲାନାହିଁ । ସେ ପାଟି ଫିଟାଇବା ଆଗରୁ ଲଛମନ କହିପକାଇଲା, ‘‘ଏ ବେଶ ଦେଖି ଭୟ କରୁଛନ୍ତି କି ? ମୁଁ ମନୁଷ୍ୟ, ମୁଁ ହତଭାଗା; ବିପଦରେ ପଡ଼ି ଏପରି ଭାବରେ ଏଠାକୁ ଚାଲିଆସିଛି । ଘର ମୋର ଏଇ ସହରରେ । ତୁମେ ମୋତେ ରକ୍ଷାକଲେ ରକ୍ଷା କରିବ, ନ ହେଲେ ଏଇଠାରେ ନଦୀକୁ ଲମ୍ଫ ଦେଇ ମୋ କାର୍ଯ୍ୟ ମୁଁ ଦେଖିବି ।’’

 

ଦୂରରେ ଗୋଟିଏ ଆଲୋକ ଜଳୁଥିଲା । ସେଥିରେ କପ୍ତାନଙ୍କ ମୁହଁ ସମ୍ପୂର୍ଣ୍ଣ ବାରିହୋଇଯାଉଥିଲା । ସେ ଟିକିଏ ଦୟାର୍ଦ୍ର ମୁଖଭଙ୍ଗୀ କରି ପଚାରିଲେ, ‘‘ତୁମେ କିଏ ?’’

 

-‘‘ମୁଁ ପଳାତକ ।’’

-‘‘ଦୋଷ ତୁମର ?’’

-‘‘ମୁଁ ଜାଣେ ନାହିଁ ।’’

-‘‘ତେବେ ପଳାତକ କିପରି ?’’

 

-‘‘ମୁଁ ଡକାଏତ ବୋଲି ସନ୍ଦେହ କରି ପୁଲିସଦଳ ମୋ ପଛେ ପଛେ ଲାଗିଛନ୍ତି । କେତେ ସ୍ଥାନରେ ଆଶ୍ରୟ ଖୋଜି ଖୋଜି ଆସି ଏଇଠି ପହଞ୍ଚିଛି ।’’

 

କପ୍ତାନ ଟିକିଏ କଣ ଭାବି ପଚାରିଲେ, ‘‘ଆଚ୍ଛା, ତୁମ ନାମ ?’’

-‘‘ଲଛମନ ।’’

-‘‘କିପରି ଆଶ୍ରୟ ମାଗୁଛ ?’’

-‘‘ଆଉଯେପରି ସହରକୁ ଫେରିବାକୁନପଡ଼ିବ ।’’

 

କପ୍ତାନ ଦେଖିଲେ, ଟୋକାଟା ବେଶ୍‌ ହୃଷ୍ଟପୁଷ୍ଟ; କଥାବାର୍ତ୍ତା ବି ବେଶ୍‌ ସ୍ଫୂର୍ତ୍ତିରେ କହୁଛି । ଜାହାଜରେ ଯଥେଷ୍ଟ ସାହାଯ୍ୟ କରିପାରିବ । ପଚାରିଲେ – ‘‘ଆଚ୍ଛା, ପହଁରିଜାଣ ?’’

 

-‘‘ଖୁବ୍‌ ଜାଣେ । ପହଁରିପାରେ, ଗଛରେ ଚଢ଼ିପାରେ, ଚୋର ଡକାଏତଙ୍କ ସଙ୍ଗେ ଲଢ଼େଇ କରିପାରେ ।’’

ଏ କଥା ଶୁଣି କପ୍ତାନଙ୍କ ମନ ଖୁସିହୋଇଗଲା । କହିଲେ, ‘‘ବେଶ୍‌ ତ, ବେଶ୍‌ ତ !’’

 

      X            X            X            X

 

ରେଙ୍ଗୁନ୍‌ଠାରୁ ସିଙ୍ଗାପୁର ଯାତ୍ରା ଭିତରେ ଲଛମନକୁ ଜୀବନର ନାନା ଅନୁଭୂତି ଭିତରେ ଗତି କରିବାକୁ ପଡ଼ିଲା । ତାର ସାହସ, ତାର କାର୍ଯ୍ୟ, ତାର ବ୍ୟବହାରରେ କପ୍ତାନ୍‌ ବେଶ୍‌ ଖୁସି । ଯାତ୍ରାପୂର୍ବରୁ ତାଙ୍କରି କୋଠରି ଭିତରେ ତା ପାଇଁ ଖଣ୍ଡିଏ ସ୍ଥାନ ଠିକ୍‌ କରି ଦିଆଯାଇଥିଲା । ସେହି ଘରେ ସେ ଥାଏ ଏବଂ ଯେତେବେଳେ ଯେ ଡାକରା ଆସେ ସବୁଥିରେ ଅକ୍ଳାନ୍ତ ଭାବରେ ଯୋଗଦେଇ ଅନ୍ୟାନ୍ୟ ଲୋକଙ୍କୁ ଚମତ୍‌କୃତ କରିଦିଏ । ରାତି ନାହିଁ, ଦିନ ନାହିଁ, ତା ପରିଶ୍ରମର ବିରାମ ନାହିଁ ।

 

ଏପରି ଜୀବନ ତା ପ୍ରତି ନୂଆ । ସେଠାରେ ସହରର କୋଳାହଳ ନାହିଁ, ପୁଲିସର ଅତ୍ୟାଚାର ନାହିଁ, ସାଇ-ପଡ଼ିଶା ଲୋକଙ୍କର ଘୃଣା, ଅବହେଳା ନାହିଁ । ଯେଉଁଆଡ଼େ ଆଖି ପକାଇବ ସୀମାହୀନ ଦିଗ୍‌ବିହୀନ ଜଳରାଶି, ସେ ଅକୂଳ ଅନନ୍ତ ନୀଳାମ୍ୱୁ ଉପରେ ଉତ୍ତାଳ ତରଙ୍ଗମାଳା ସତେ ଯେପରି କରାଳ ମୁଖ ବ୍ୟାଦାନରେ ବିଶାଳକାୟ ଜାହାଜକୁ ପ୍ରତି ମୁହୂର୍ତ୍ତରେ ଗ୍ରାସ କରିବାକୁ ଉଦ୍ୟତ । ତରଙ୍ଗ ଉପରେ ତରଙ୍ଗ କାଟି ଜାହାଜ ଚାଲିଛି – ସଂଘର୍ଷ ଲାଗିଛି ।

 

ରଜନୀର ନିବିଡ଼ ନିସ୍ତବ୍‌ଧତା ଭିତରେ ସାଗରବକ୍ଷର ଯେ ଅଭିନବ ଶାନ୍ତି, ଲଛମନ ପକ୍ଷରେ ତାହା ମଧ୍ୟ ନୂଆ । କେତେବେଳେ ସାଗର ପାଗଳ ହୁଏ, କେବେ କେବେ ବା ମହାଯୋଗୀ ଧ୍ୟାନସ୍ତିମିତ ନେତ୍ରରେ ରହିଲାପରି ଶାନ୍ତ ସମାହିତ ଭାବରେ ଧୀରସ୍ଥିର ହୋଇପଡ଼େ । ବାଳସୂର୍ଯ୍ୟ କିରଣରେ କେତେବେଳେ ଲୋହିତ ଚିତ୍ରପଟପରି ମନୋରମ ଆସ୍ତରଣରେ ପରିଣତ ହୁଏ, ଅନନ୍ତ ନକ୍ଷତ୍ରମାଳାର ପ୍ରତିବିମ୍ୱ ଘେନି କେବେ ବା ହସିଉଠେ, ଆକାଶରେ ନୀରନ୍ଧ୍ର ଜଳଦମାଳା ଦେଖି କେତେବେଳେ ଅବା ପ୍ରଳୟକାଳର ସୂଚନା ଦିଏ । ପ୍ରକୃତିର ଏ ଅଭିନବ ଚିରନୂତନ ଲୀଳାଖେଳରେ ଆତ୍ମହରାହୋଇ ଲଛମନ ଯେତେବେଳେ ବସିପଡ଼େ, ସେତେବେଳେ ଏ ସବୁ ଉପରେ, ଏ ନକ୍ଷତ୍ର, ଏ ଝଡ଼-ତୋଫାନ, ଏ ତରଙ୍ଗମାଳା ଡେଇଁ ତା ମନସାଗର ଉପକୂଳରେ ଯାଇ ପହଞ୍ଚେ । ଏତେ ବାଧା-ବିପଦ ଡେଇଁ ତା’ର ହୃଦୟ-ନିକୁଞ୍ଜରେ ରମାର ବିଦାୟବେଳର କଥା ଯେ କିପରି ପ୍ରତିଧ୍ୱନିତ ହୋଇଉଠେ, ସେ କଳ୍ପନା କରିପାରେ ନାହିଁ । ସେ ରାତିର ଶେଷ ସମ୍ଭାଷଣ ତାର ମନେପଡ଼େ । କେବେ କେବେ ବା ଅଣ୍ଟାରେ ଥିବା ଟଙ୍କା ହାତରେ ବାଜିଗଲେ ସେ ଚମକିପଡ଼ି ଅନ୍ୟମନସ୍କ ହୋଇଯାଏ । ଗତ କେତୋଟା ଦିବସ ମଧ୍ୟରେ ରମା ସହିତ ତା ଜୀବନର ଯେ ସଂଘର୍ଷ – ସଂଘର୍ଷ କାହିଁକି, ଯେ ମିଳନପ୍ରୟାସ, ସେ କଥା ଭାବି ଭାବି, ସାଗରର ତରଙ୍ଗ ଗଣି ଗଣି ସେ ଭାବାବିଷ୍ଟ ହୋଇ ରହେ ।

 

ଅଳ୍ପ ଦିନ ମଧ୍ୟରେ ଲଛମନର ବ୍ୟବହାରରେ କପ୍ତାନ୍‌ବାବୁ ଲଛମନକୁ ଆପଣା ପୁଅପରି ଭାବିନେଲେ । ତା’ଠାରୁ ତା ଜୀବନର ବିଚିତ୍ର କାହାଣୀ ଶୁଣିବାକୁ, ତା ସାହସର ନାନା ଅଦ୍‌ଭୁତ କଥା ଜାଣିବାକୁ ସେ ଅନେକ ସମୟରେ ତାକୁ ପାଖରେ ବସାଇ ନାନା କଥା ପଚାରନ୍ତି । ଲଛମନ କହେ, ସେ କିପରି ଥରେ ଗୋଟାଏ ଅରଣା ଷଣ୍ଢକୁ ଏକାମୁଥକେ ଥଣ୍ଡା କରିଦେଇଥିଲା, ସାଇରେ ଘରପୋଡ଼ିଲେ ସେ କିପରି ନିଆଁ ଛଡ଼ାଇ ଛଡ଼ାଇ ନିଆଁ ଭିତରେ ରହି ଅଚେତା ହୋଇପଡ଼ିଥିଲା, ନଈଭିତରୁ ଥରେ ଗୋଟିଏ ସ୍ତ୍ରୀଲୋକକୁ କିପରି ଉଦ୍ଧାର କରି ଆଣିଥିଲା । ନିଜ ଦେଶର ଜଣେ ଓଡ଼ିଆ ଭାଇକୁ ଦିନେ ଜଣେ ବର୍ମା ଲୋକ ଅପମାନ ଦେବାର ଦେଖି ସେ କିପରି ଭାବରେ ସେ ଲୋକର ଗାଲରେ ଚାପୁଡ଼ା ଥୋଇଥିଲା, ଜଣେ ମତୁଆଳ କବଳରୁ ଜଣେ ଅସହାୟା ବାଳିକାକୁ କିପରି ରକ୍ଷାକରିଥିଲା- ଇତ୍ୟାଦି ଇତ୍ୟାଦି କେତେ କଥା । ତାର କଥା ସରେ ନାହିଁ । ମାତ୍ର ମଝିରେ ମଝିରେ ଯେତେବେଳେ ଏହି ମତୁଆଳ ହାତରୁ ବାଳିକାକୁ ରକ୍ଷା କରିବା କଥା ମନେପଡ଼ିଯାଏ, ସେତିକିରେ ସେ କଥା ବନ୍ଦକରିଦେଇ ନାନା ଛଳନାରେ ଜାହାଜ ଉପରକୁ ଚାଲିଯାଏ । ସେଠି କେତେ ସମୟ ତାକୁ ଆଉ କୌଣସି କଥା ଭଲଲାଗେନାହିଁ । ସେହି ରେଙ୍ଗୁନ୍‌ ପ୍ରବାସିନୀ ରମା କଥା ତାର ଧ୍ୟାନ ହୋଇ ରହେ । ଜାହାଜର ମଙ୍ଗ ପାଖରେ ଠିଆହୋଇ ବାହାରକୁ ଚାହିଁ କଣ ଭାବେ ।

 

      X            X            X            X

 

ଜାହାଜ ସିଙ୍ଗାପୁର ବନ୍ଦରରେ ରହିବାର କେତେ ଦିନ ବିତିଗଲାଣି, ଏହି ସମୟରେ ଗୋଟିଏ ନୂତନ ଘଟଣା ଘଟିଲା । ସମୁଦ୍ରଯାତ୍ରାବେଳେ ସେ ଦେଖିଛି ଯେ, କପ୍ତାନବାବୁ ବେଶ୍‌ ଖାଣ୍ଟି ଲୋକ, ସାମାନ୍ୟ କୁଲି-ମଜୁରିଆଙ୍କ ପରି ସେ ମଦ ଛୁଅନ୍ତିନାହିଁ କି କୌଣସି ନିଶାଦ୍ରବ୍ୟ ପାଖ ଯାଆନ୍ତିନାହିଁ । କିନ୍ତୁ ବନ୍ଦରରେ ପହଞ୍ଚି ଦେଖିଲା ଯେ, କପ୍ତାନବାବୁ ପ୍ରତିଦିନ ସନ୍ଧ୍ୟାରେ କୂଳକୁ ଓହ୍ଲାଇ କୁଆଡ଼େ ଯାଆନ୍ତି, ଫେରିଲାବେଳକୁ ରାତି ଦଶ-ଏଗାର । ପାଟି ଭଣଭଣ ଗନ୍ଧାଉଥାଏ, ଗୋଡ଼ ହାତର ଗତି ଠିକ୍‌ ନ ଥାଏ, ବ୍ୟତିବ୍ୟସ୍ତ ହୋଇ ଆସି ଖଟରେ ପଡ଼ିଯାନ୍ତି ।

 

ଲଛମନକୁ ଏ ଘଟଣା ବଡ଼ କଷ୍ଟବୋଧହେଲା । ଜୀବନରେ ସେ କେବେହେଲେ ମଦ ଛୁଇଁନାହିଁ । ସେ ମଦୁଆଙ୍କ ସହିତ ମିଶିଛି, ସେମାନଙ୍କର ଖୁବ୍‌ ଘନିଷ୍ଠ ବନ୍ଧୁ ବୋଲି ପରିଚୟ ଦେଇଛି; ମାତ୍ର ପାପଭିତରେ ମୁଣ୍ଡ ପୂରାଇନାହିଁ । କେତେ ଅଭାଗା କୁଳଛଡ଼ା ଲକ୍ଷ୍ମୀଛଡ଼ାଙ୍କ ପରି ଗଢ଼ିହେବାକୁ ରେଙ୍ଗୁନରେ ବହୁତ ବାଟ ଅଛି । ୨୭ ନମ୍ୱର ଗଳି ଅଛି, ଜୁଆ ପଶାଖେଳ ଅଛି, ସର୍ବସ୍ୱାନ୍ତ ହେବାକୁ ନାନା ଆଡ଼ା ଅଛି । ଲଛମନ କିନ୍ତୁ ଏସବୁଥିରୁ ବାହାର । ସେ ଘରଛଡ଼ା; କିନ୍ତୁ ଲକ୍ଷ୍ମୀଛଡ଼ା ନୁହେଁ ।

 

ଥରେ ରାତିରେ ଲଛମନ ଶେଯରେ ପଡ଼ିଥିଲାବେଳେ ଶୁଣିଲା, କପ୍ତାନ ନିଦବାଉଳିରେ ଏବଂ ମଦନିଶାରେ ଘାରିହୋଇ କହୁଛନ୍ତି, ‘‘ଏଣିକି ବାଜିକେ ବାଜିକେ ଦୁଇଶହ ଲେଖାଏଁ; ଦେଖିଦେଖିବା କିଏ ପାରିବ’’ – ଏହିପରି କେତେ କଥା ।

 

କଥାଟାର ଅର୍ଥ ଲଛମନକୁ କିଛି ଅଛପା ରହିଲାନାହିଁ । କପ୍ତାନବାବୁ ଯେ କୂଳକୁ ଯାଇ ଜୁଆ ନିଶା ପଶାରେ ଟଙ୍କା ଉଡ଼ାଉଛନ୍ତି, ଅନୁମାନ କରିବାକୁ ବାକି ରହିଲାନାହିଁ । ତା ମନରେ କଷ୍ଟହେଲା । ଏଥିମଧ୍ୟରୁ ସେ କପ୍ତାନଙ୍କୁ ନିଜର ପ୍ରାଣ ପର୍ଯ୍ୟନ୍ତ ଦେଇ ଭଲପାଇବାକୁ ଶିଖିଥିଲା । ତାଙ୍କର ଏ ଦଶା ଦେଖି ସେ ମର୍ମାହତ ହେବା କଥା । ଏ ଘଟଣା ଜାଣି ତାକୁ ନିଦ ହେଲାନାହିଁ । ଦିନଟାଯାକ ତାରି ମନରେ ଶାନ୍ତି ନାହିଁ ।

 

ଲଛମନ ଭାବିଲା, ସନ୍ଧ୍ୟାବେଳେ କପ୍ତାନଙ୍କୁ ଅନୁସରଣ କରିବ । ଯଦି ପାରିବ ତାଙ୍କୁ ଏ ଘୋର ଧ୍ୱଂସପଥରୁ ରକ୍ଷାକରିବ । ତାର ମତିଗତି କପ୍ତାନ୍‌ ଆଦୌ ବୁଝନ୍ତିନାହିଁ । ସବୁଦିନପରି ସେଦିନ ସନ୍ଧ୍ୟାରେ ମଧ୍ୟ ଲଛମନକୁ କହିପୋଛି ଦଶଟାବେଳକୁ ଫେରିବେ ବୋଲି ବାହାରିପଡ଼ିଲେ । ସେ ଯିବା ସଙ୍ଗେ ସଙ୍ଗେ ଲଛମନ ତାଙ୍କ ପିଛା ଧଇଲା । ସେ ଚାଲିଲେ ଏ ଚାଲିଲା, ସେ ଠିଆହେଲେ ଏ ଖଣ୍ଡେ ଦୂର ପଛରେ ଠିଆହୋଇରହିଲା ।

 

କପ୍ତାନ୍‌ ଏହି କେତେଦିନ ମଧ୍ୟରେ ଯେ ଅନ୍ଧକୂପରେ ଯାଇ ପଡ଼ିଥିଲେ, ତାହା ବଡ଼ ଭୟଙ୍କର । ବନ୍ଦର କୂଳକୁ ଲାଗି ଏକ ଚଟିଘର । ସେହିଠାରେ ସନ୍ଧ୍ୟାବେଳେ ଚାରି-ଛଅ ଜଣ ମଦୁଆଙ୍କର ଆଖଡ଼ା ହୁଏ । ସେଠାରେ ସମସ୍ତେ ମଦ ଖାଆନ୍ତି, ଜୁଆ ଖେଳନ୍ତି, ପାଗଳ ହୋଇ ନାଚ ତାମସା କରନ୍ତି । ରାତିକେ ଜଣଜଣକର ଦଶ ନାହିଁ, ପଚାଶ ନାହିଁ, ଶହେ ନାହିଁ, ଦୁଇଶ ନାହିଁ, ଟଙ୍କା ଖର୍ଚ୍ଚହୋଇଯାଏ । ସେ କି ବୀଭତ୍ସ ଦୃଶ୍ୟ ! ସେତେବେଳେ କାହାର ହିତାହିତ ଜ୍ଞାନନଥାଏ – କାହାପ୍ରତି କାହାର ସମ୍ମାନ ନଥାଏ, ଖାତିରନଥାଏ । ସମସ୍ତେ ମତୁଆଳ – ସମସ୍ତେ ଭୋଳ – ସମସ୍ତେ ପିଶାଚ !

 

ଦୁଆରମୁହଁରୁ ଖଣ୍ଡଦୂରରେ ଠିଆହୋଇ ଲଛମନ ଏ ଦୃଶ୍ୟ ଦେଖିଲା । ତାର ଆଖି ବୁଜିହୋଇଗଲା । ମନହେଲା, ଦୁଆର କିଳି ଘରେ ନିଆଁଲଗାଇଦେବ । ତା ମନ ବେଳକୁବେଳ ବିଦ୍ରୋହୀ ହୋଇଉଠିଲା । ଯେତେବେଳେ ମଦୁଆଙ୍କର ଘମାଘୋର ପାଗଳ ନାଟ ଆରମ୍ଭହେଲା, ହଠାତ୍‌ ସେ ଘରେ ମହା ଗଣ୍ଡଗୋଳର ସୃଷ୍ଟି । ଦୀପ ଲିଭିଗଲା, ଟେବୁଲ ଚୌକି ଦୂର୍‌ଦାର ଫିଙ୍ଗାଫିଙ୍ଗି ଆରମ୍ଭହେଲା । ତା’ପରେ ଦୁମ୍‌ଦୁମ୍‌ ମାଡ଼ଗୋଳ । ମୁହୂର୍ତ୍ତକ ମଧ୍ୟରେ ତିନିଜଣ ଅଚେତା ହୋଇପଡ଼ିଲେ । କାହା ପାଟିରୁ କଥା ବାହାରୁନାହିଁ; ଖାଲି ଗଁ-ଗଁ ଶବ୍ଦ । କିଏ ସେ କେଜାଣି ସେହି ମୁର୍ଦାରପରି ପଡ଼ିଥିବା ମଦୁଆଙ୍କ ଉପରେ ଗୋଇଠା ପ୍ରହାର କରିବାକୁ ଲାଗିଲା । ଏହି ସମୟରେ ଘର ଭିତରୁ କପ୍ତାନଙ୍କ ହାତଟା ଧରି ଭିଡ଼ିଆଣି କିଏ କହିଲା – ‘‘ଯାଆ, ଚାଲିଯାଆ; ନ ହେଲେ ଏହିଠାରେ ଶୋଇବୁ – ତୋ କପାଳ ସଳଖ ।’’ ମାଡ଼ଭୟରେ କପ୍ତାନ୍‌ କୋଣକୁ ଆଉଜି ଲୁଚିଯାଇଥିଲେ । ଏହି ଆଦେଶରେ ଆଉ ତାଙ୍କୁ ମୁହୂର୍ତ୍ତେ କାଳବିଳମ୍ୱ କରିବାକୁ ପଡ଼ିଲାନାହିଁ ।

 

ରାତି ପାହାନ୍ତିଆ ପହର, କୁଆଁତରା ଅନନ୍ତ ନୀଳସମୁଦ୍ରରୁ ମୁଣ୍ଡ ଟେକି ଘନାନ୍ଧକାର ଭିତରେ କ୍ଷୀଣାଲୋକ ବିକିରଣ କରିବାକୁ ଚେଷ୍ଟାକରିଛି । ମହାସାଗର ନୀରବ, ନିସ୍ତବ୍‌ଧ; ଗୋଟିଏ ସୁଦ୍ଧା ତରଙ୍ଗର କଳରୋଳ ନାହିଁ । ଜାହାଜରେ ସମସ୍ତେ ସୁପ୍ତ; କେବଳ ଚାହିଁଛି ଜଣେ ।

 

କେବିନ୍‌ ଭିତରେ ଦୀପଟି ମିଞ୍ଜିମିଞ୍ଜି ଜଳୁଛି, ହଠାତ୍‌ କପ୍ତାନ୍‌ଙ୍କ ଦୃଷ୍ଟିପଡ଼ିଲା- ଲଛମନ ଶେଯରେନାହିଁ । ସେ ଚମକିଲାପରି ହୋଇ ଡାକିଲେ, ‘ଲଛମନ’ !

 

କେବିନ୍‌ର ଆରପଟରୁ ଶବ୍ଦ ଶୁଭିଲା, ‘‘ଡାକୁଛନ୍ତି ?’’

 

ଦୂରରୁ ଶବ୍ଦ ଶୁଣି କପ୍ତାନ୍‌ ଆଶ୍ଚର୍ଯ୍ୟ ହେଲେ । ରାତି ଶେଷରେ ଲଛମନ କେବେ ଏପରି ବାହାରେ ଥିବାର ସେ ଦେଖିନଥିଲେ । ସେ ଆରପାଖକୁ ଯାଇ ଦେଖିଲେ, ଗୋଟିଏ ଆରାମଚଉକି ଉପରେ ସେ ଚିତ୍‌ ହୋଇ ପଡ଼ି ଉପରକୁ ଚାହିଁରହିଛି । ସେ ଯାଇ ପାଖ ଚଉକିରେ ବସିପଡ଼ି ଡାକିଲେ, ‘‘ଲଛମନ !’’

 

ସମ୍ମାନର ସହିତ ଉଠି ବସି ଲଛମନ ସେହିଠାରେ ଥିବାର ନୀରବ ଉତ୍ତର ଦେଲା ।

-‘‘ରାତିରେ ଏପରି ଅବସ୍ଥାରେ ଏଠି ? ଦେହ କଣ ଖରାପ ଲାଗୁଛି କି ?’’

-‘‘ନା, ଦେହ କିଛି ଖରାପ ନାହିଁ । ଏଠି ବସି ତାରା ଦେଖୁଥିଲି ।’’

-‘‘ତାରା ଦେଖୁଥିଲ ? କି ତାରା ?’’

 

-‘‘ଜ୍ୟୋତିଷ ଶାସ୍ତ୍ରରେ ଯେଉଁ ଗ୍ରହ ନକ୍ଷତ୍ର କଥା ଥାଏ, ସେହି ବିଷୟରେ ଚାହୁଁଥିଲି । ଏ ତାରା ସତେ ମନୁଷ୍ୟ-ଭାଗ୍ୟକୁ କଣ କରୁଛନ୍ତି ?’’

 

ଲଛମନ ମୁହଁରୁ ଏପରି କଥା ଶୁଣି କପ୍ତାନ୍‌ କିଛି ସମୟ ଭାବିଲେ, ‘ଲଛମନ କଣ ଜ୍ୟୋତିଷ ଜାଣେ ?’ ପ୍ରକାଶ୍ୟରେ କହିଲେ, ‘‘ଏ ତାରା ଦେଖି କଣ ତୁମେ ଜ୍ୟୋତିଷ କହିପାରିବ ?’’

 

-‘‘ସାମାନ୍ୟ କିଛି କିଛି କହିପାରିବି ।’’

-‘‘ମୋ ଭାଗ୍ୟ କହିପାରିବ ?’’

-‘‘ଚେଷ୍ଟାକଲେ ଅଳ୍ପ କିଛି କହିପାରିବି ।’’

-‘‘କହିପାରିବ ? ସତ କହୁଛ ? ଆଚ୍ଛା, ଚେଷ୍ଟାକଲ ଦେଖି !’’

 

ଲଛମନ କିଛି ସମୟ ଉପରକୁ ଚାହିଁ, ଗୋଟାଏ ଦୀର୍ଘ ନିଶ୍ୱାସ ପକାଇ କହିଲା, ‘‘ଏଇ ମୁଣ୍ଡ ଉପରେ ଯେଉଁ ଉଜ୍ଜ୍ୱଳ ତାରାଟି ଅଛି, ସେଥିରୁ ଜଣାପଡ଼ୁଛି ଯେ, ତୁମେ ଆଜି ରାତିରେ ଏକ ଘୋର ବିପଦରେ ପଡ଼ିଥିଲ ।’’

 

-‘‘ଏଁ !’’ ବିସ୍ମୟ ଆତିଶଯ୍ୟରେ କପ୍ତାନ୍‌ଙ୍କ ମୁହଁରୁ କଥା ପଦେ ସୁଦ୍ଧା ବାହାରିଲା ନାହିଁ ।

-‘‘ହଁ, ଠିକ୍‌ ତ, ଦେଖୁଛି ତୁମେ ଆଜି ଖୁବ୍‌ ବିପଦରେ ପଡ଼ିଥିଲ; ଏପରିକି ବଞ୍ଚିବାର ମଧ୍ୟ ଆଶା ନ ଥିଲା ।’’

-‘‘ଏଇ ତାରାରୁ ତୁମେ ଏସବୁ କଥା ଜାଣିପାରୁଛ ?’’

-‘‘ଖାଲି କଥାଟା ଜାଣିପାରୁନାହିଁ, ତୁମ ଉପରେ କିପରି ବିପଦ ପଡ଼ିଥିଲା ସେ କଥା ବି ମୁଁ ସାମାନ୍ୟ କିଛି ବୁଝିପାରୁଛି ।’’

 

ନିବିଷ୍ଟଚିତ୍ତରେ, ଭୟ-ବ୍ୟାକୁଳଭାବରେ ଲଛମନ ଆଡ଼କୁ ଚାହିଁ କପ୍ତାନ୍‌ ତାର କାନ୍ଧରେ ହାତଭରା ଦେଇ ଆଉଜି ରହିଲେ । ଲଛମନ ଆରମ୍ଭକଲା- ‘‘ଏହି ତାରା, ତୁମର ନାଁ ଏବଂ ଯାତ୍ରାର ବେଳା ମିଶାଇ ମୁଁ ଜାଣିପାରୁଛି, ତୁମେ ଆଜି ଦଳେ ଡକାଏତଙ୍କ ହାବୁଡ଼ରେ ପଡ଼ିଥିଲ । ସେ ମୋଟରେ ଚାରିଜଣ ଥିଲେ । ତୁମକୁ ମଦ ଖୁଆଇ ତୁମଠାରୁ ଟଙ୍କା ବୋହିନେବାକୁ ସେମାନେ ବରାବର କେତେ ଦିନ ହେଲା ଚେଷ୍ଟା କରୁଥିଲେ । କେତେ ଟଙ୍କା ମଧ୍ୟ ନେଇଯାଇଛନ୍ତି । ଆଜି ରାତିରେ ତୁମେ ସମସ୍ତେ ଏକାଠି ଥିଲାବେଳେ ହଠାତ୍‌ ଏକ ଯୋଗିନୀ ଆସି ସେ ଘରେ ପ୍ରବେଶ କଲା । ତାର ମାଡ଼ଦାଉରେ ସମସ୍ତେ ଅଚେତା ହୋଇ ପଡ଼ିଗଲେ । ତୁମର ଚେତା ଥିଲା, ତୁମେ ଘର କୋଣରେ ଲୁଚିରହିଥିଲ । ସେହି ଯୋଗିନୀ ତୁମକୁ ଧରି ତୁମ କାନରେ କହିଲା, ‘‘ଫେରିଯାଅ, ପେରିଯାଅ ।’’ ତୁମେ ଆସିଲ; ମାତ୍ର ନେଇଥିବା ଟଙ୍କା ପାଇଲ ନାହିଁ ।’’

 

କପ୍ତାନ୍‌ ଏ କଥା ଶୁଣି କଣ ଯେ କହିବେ, କିଛି ଭାବିପାରିଲେ ନାହିଁ । ନିର୍ଜୀବ ନିସ୍ତେଜଭାବରବେ କିଛି ସମୟ ବସିରହିଲେ । ତା’ପରେ ପଚାରିଲେ, ‘‘ସତ କହିଛ ? ଏହି ତାରା ଦେଖି ତୁମେ ଏ ସବୁ କଥା କହିପାରିଲ ?’’

 

-‘‘ହଁ, ମୁଁ ଯାହା ଜାଣିପାରୁଛି, ତାହା କହୁଛି ।’’

-‘‘ଏହା ହୋଇଥିବ ବୋଲି ତୁମର ବିଶ୍ୱାସ ହେଉଛି, କହିପାରିବ ଭଲା, ସେ ଯୋଗିନୀ କିଏ ? ସେ କାହିଁକି ସେଠାକୁ ଗଲା ?’’

 

ଲଛମନ କିଛି ନ କହି ତୁନି ହୋଇ ସେହି ଚଉକି ଉପରକୁ ଆଉଜିପଡ଼ିଲା । କପ୍ତାନ୍‌ ଆଉ ସମ୍ଭାଳି ପାରିଲେ ନାହିଁ । ସେ ଲଛମନର ଦୁଇ ହାତକୁ ଟାଣି ଧରି କାନ୍ଦ କାନ୍ଦ ହେଲାପରି କହିଲେ, ‘‘ଲଛମନ, ଲଛମନ, ତୁମେ ଆଉ ଲୁଚାଅ ନାହିଁ । କହ ତୁମେ, ତୁମକୁ ଏସବୁ କଥା କି, କହିଲା ?’’

 

ଲଛମନ ଦେଖିଲା, ଏଠାରେ କଥାକୁ ଆଉ ଲୁଚାଇହେବନାହିଁ । ଆଉ ବେଶୀ ସମୟ ନିଜକୁ ଗୋପନରେ ରଖିବା ଅର୍ଥ କପ୍ତାନ୍‌ଙ୍କ ମନରେ କଷ୍ଟ ଦେବା । ସେ କହିଲା, ‘‘ବାବୁ, ତୁମକୁ ଆଜି ସେମାନେ ଶେଷକରିଦେଇଥାନ୍ତେ ।’’

 

ପୂର୍ବ ଦିଗରେ ସିନ୍ଦୂରା ଫାଟିଆସୁଥିଲା । ସେହି ରକ୍ତର ଆଲୋକ ସ୍ରୋତଆଡ଼କୁ ଚାହିଁ, ଲଛମନକୁ ନିଜ ଆଡ଼କୁ ଟିକିଏ ଟାଣିନେଇ କପ୍ତାନ୍‌ କହିଲେ, ‘‘ଲଛମନ, ତୁମେ ଜୀବନ ଦେଲ, ତୁମେ ରକ୍ଷାକଲ ।’’

 

-‘‘ବାବୁ, ଏ କଣ, ଏ କଣ, ଏପରି ହେଉଛ କାହିଁକି ?’’

-‘‘ନା, ମୁଁ ତ କିଛି ହେଉନାହିଁ । ମୁଁ କଥା ହେଉଛି ସେହି କୁଆ ସାଙ୍ଗରେ । ସେ କହୁଛି, ଲଛମନ ମୋତେ ରକ୍ଷାକଲା ।’’

 

ଆଉ କାହା କଥା କାହାକୁ ଅଛପା ରହିଲା ନାହିଁ । ଲଛମନ ଯେ ସେହି ଯୋଗିନୀ ବେଶରେ ଅନ୍ଧାର ରାତିରେ ମଦଖଟିରେ ପଶି ତାଙ୍କୁ ଅସମୟରେ ପ୍ରାଣଦାନକରିଛି, ଏ କଥା ଭାବି କପ୍ତାନ୍‌ଙ୍କ ହୃଦୟ କୃତଜ୍ଞତାରେ ପୂରିଉଠିଲା । ତାଙ୍କର ସେତେବେଳେ ମନହେଲା, ସେ ସେହିଠାରେ ଜାନୁପାତପୂର୍ବକ ଲଛମନ ଆଗରେ ନିଜର ସକଳ ଦୋଷ-ଦୁର୍ବଳତା ପାଇଁ କ୍ଷମା ପ୍ରାର୍ଥନା କରିବେ । ସେ ଲଛମନର ହାତ ଦୁଇଟି ଛାଡ଼ିଦେଇ କହିଲେ, ‘‘ତୁମେଟିକି ସେହି ଲଛମନ !’’

 

-‘‘ବାବୁ, ଆଉ ବେଶୀ କିଛି ପଚାରନାହିଁ । ଏତିକି ଜାଣ, ମୁଁ ସେହି ଯୋଗିନୀ । ସେହି ଯେଉଁ ବେଶରେ ପ୍ରଥମେ ଏହି ଜାହାଜରେ ଚଢ଼ିଥିଲି ସେହି ବେଶ ମୋର ଯୋଗିନୀ ବେଶ । ଆପଣଙ୍କ ଟଙ୍କା ହଜିନାହିଁ – ମୁଁ ସେ ଟଙ୍କା ଘେନିଆସିଛି !’’ ଏହା କହି ସେ ନିଜ ପକେଟରୁ ରୁମାଲରେ ବନ୍ଧାହୋଇଥିବା ନୋଟ କେତେଖଣ୍ଡ କପ୍ତାନ୍‌ଙ୍କ ହାତକୁ ବଢ଼ାଇଦେଲା । କପ୍ତାନ୍‌ଙ୍କ ପାଟିରୁ ତ କଥା ବାହାରିଲା ନାହିଁ; ହାତରୁ ସେ ନୋଟ ଖସିପଡ଼ିଲା । ନିଶ୍ଚଳ ନିସ୍ପନ୍ଦ ଭାବରେ ସେ ଲଛମନ ମୁହଁକୁ ଚାହିଁରହିଲେ । ତାଙ୍କ ଆଖିକୁ ଜାଲୁଜାଲୁଆ ଦେଖାଗଲା, ଏ ଲଛମନ ନା ଆଉ କିଏ ଦେବପୁରୁଷ ?’’

 

ଏତିକିବେଳେ କେବିନ୍‌ ମଧ୍ୟରୁ ଚାକର ଡାକଦେଲା ‘‘ବାବୁ !’’

 

Unknown

(୫)

ଏମଧ୍ୟରେ ପାଞ୍ଚ ବର୍ଷ କଟିଯାଉଛି, ପାଞ୍ଚ ବର୍ଷପରେ ଲଛମନ ସହିତ ପାଠକମାନଙ୍କର ସାକ୍ଷାତ୍‌ ରେଙ୍ଗୁନ୍‌ ସହରରେ ।

 

ଜୀବନର ମଧୁମୟ ଯୌବନର ପାଞ୍ଚବର୍ଷକାଳ ଲଛମନ ସମୁଦ୍ରରେ କଟାଇଲା । ପାଞ୍ଚବର୍ଷକାଳ ସେ ଅଥଳ ସମୁଦ୍ରକୁ ଘର କରି ବାହାର-ଜଗତ୍‌ର ସକଳ ମାୟାମମତାରୁ ଅଲଗା ହୋଇ ରହିଲା । ସେ ଭିତରେ ସେ ଥରେହେଲେ ରେଙ୍ଗୁନ୍‌ ସହରରେ ପାଦଦେଇନାହିଁ । ତାର ଦୀର୍ଘ ପାଞ୍ଚବର୍ଷର ଜୀବନକାହାଣୀ ସମୁଦ୍ରଯାତ୍ରାରେ ସୀମାବଦ୍ଧ ।

 

ପାଞ୍ଚବର୍ଷପରେ – କହିବାକୁ ଗଲେ ଲଛମନ ପକ୍ଷରେ ପାଞ୍ଚଯୁଗ ପରେ – ଯେତେବେଳେ ସେ ରେଙ୍ଗୁନ୍‌ର ଇରାବତୀ ବେଳାଭୂମିରେ ପାଦ ଦେଲା, ଭାବିଲା ସେ ଯେପରି ରାଜକନ୍ୟାର ସ୍ୱପ୍ନପୁରୀରେ ଆସି ପହଞ୍ଚିଛି । ତାର ଅନ୍ତଃସ୍ଥଳ କେତେବେଳେ ସଙ୍କୁଚିତ ହେଲା; କେତେବେଳେ ପ୍ରସାରିତ ହେଲା । ଆଶା-ନିରାଶାର କେତେ ଭୀଷଣ ସମର ତାର ଯୌବନବକ୍ଷକୁ ବିଦୀର୍ଣ୍ଣ କରି ଅସମ୍ଭବ ପ୍ରଳୟଲୀଳା ସୃଷ୍ଟି କଲା ।

 

ଦିନ ଦିନ ହୋଇ, ମାସ ମାସ ହୋଇ, ବର୍ଷ ବର୍ଷ ହୋଇ କାଳସ୍ରୋତ ବହିଯାଇଛି; ବଡ଼ ବିଚିତ୍ର କଥା – ଲଛମନର ସେ ପ୍ରତି ଦିନର ପ୍ରତି ମୁହୂର୍ତ୍ତର ଗତି ସଙ୍ଗେ ତା ଜୀବନର କେଉଁ ଗୁପ୍ତ ରହସ୍ୟ ପ୍ରକୋଷ୍ଠରେ ଗୋଟିଏ ସୁଗୋଲ ସୁନ୍ଦର ଢଳଢଳ ବଦନମଣ୍ଡଳ, ତାହା ମଧ୍ୟରେ ଦୁଇଟି କମଳଲୋଚନ ସଜଳ ଛଳଛଳ ହୋଇ ଚାହିଁରହିଛି । ପାଞ୍ଚବର୍ଷ ତଳର ସେହି ଯେଉଁ ପଦେ କଥା ‘ତୁମେ ନିରାପଦରେ ଫେରିଆସିଛ’ – ସେ କଥା ପୁଣି ତାର କର୍ଣ୍ଣକୁହରରେ ବାଜିଉଠୁଛି । ସେ ବେଳେବେଳେ ନିଜକୁ ନିଜେ ବିଶ୍ୱାସ କରିପାରୁନାହିଁ ।

 

ଲଛମନ ଆଉ ସେ ଲଛମନ ନୁହେଁ । ରମା ମଧ୍ୟ ତାକୁ ଏତେବେଳେ ଚିହ୍ନିବା ଅସମ୍ଭବ । ପାଞ୍ଚବର୍ଷ ତଳର ତାର ବେଶବାସ ଏବେ ତା ପକ୍ଷରେ ସ୍ୱପ୍ନର କଥା । ଏବେ ସେ ପୂରା ଭଦ୍ରଲୋକ । ଏତେବେଳେ ତାର ପୋଷାକ-ପରିଚ୍ଛଦ ଢଙ୍ଗଢାଙ୍ଗ ଦେଖି କେହି ବିଶ୍ୱାସ କରିବନାହିଁ ଯେ ଏହି ଲୋକ ଦିନେ ରେଙ୍ଗୁନ୍‌ର ଗଳିରେ ଗଳିରେ ବୁଲି ପେଟଭାତପାଇଁ ଚାକିରି ଖୋଜୁଥିଲା ।

 

ଲଛମନ ରେଙ୍ଗୁନ୍‌ ଆସିବାପରେ ତାର ପ୍ରଥମ ଏବଂ ପ୍ରଧାନ ଚିନ୍ତାହେଲା ରମାକୁ କିପରି ଦେଖିବ । କିନ୍ତୁ ସେ ଯେ ତାକୁ ଆଉ ଭେଟିବ, ଏଥିରେ ଆଦୌ ବିଶ୍ୱାସ ହେଲାନାହିଁ । ସେ ଜାଣେ ରମା ସୁନ୍ଦରୀ, ସରଳହୃଦୟା । ତାର ସରଳ ମଧୁମୟ ଜୀବନକୁ ଛିନ୍ନଭିନ୍ନ କରିଦେବାପାଇଁ କେତେ ଗୁଣ୍ଡା ଦୁଷ୍ଟ ଲୋକଙ୍କର କେତେ ଆୟୋଜନ ହୋଇଥିଲା । ସେ କି ସେଥିରୁ ବର୍ତ୍ତି ଏପର୍ଯ୍ୟନ୍ତ ଥିବ ? ଯେତିକି ତା କଥା ଭାବିଲା, ସେତିକି ତା ମନ ବ୍ୟାକୁଳ ହେଲା । ବିଚାରିଲା, ସେ ମାୟାବିନୀ ରମା କି ଏପର୍ଯ୍ୟନ୍ତ ତାର ମାୟା ଆବରଣ ଭିତରେ ଲୁଚିରହିଥିବ, ମୋତେ ଅପେକ୍ଷା କରି ବସିଥିବ ? ଯଦି ତାର ସକଳ ରହସ୍ୟ, ସକଳ ଗୁପ୍ତ କଥା ସେ ପଦାକୁ ବାହାର କରି ଦେଇଥିବ, ତେବେ ଆଜି ସେ ସବୁ ତା ପ୍ରତି ମଧୁମୟ ହେବ କି ବିଷମୟ ହେବ, ତା ଶୁଣିଲେ ସେ ତାକୁ ପୂର୍ବପରି ସୁଖ ପାଇବ କି ନାକ ଟେକି ଘୃଣା କରିବ – ଏହିପରି ଦୋଦୁଲ୍ୟମାନ ହୃଦୟରେ ସେ କଣ କରିବ, ଠିକ୍‌ କରିପାରିଲାନାହିଁ । ଏ ଗୁରୁତର ସମସ୍ୟାର ନିଷ୍ପତ୍ତି କିଏ କରିବ ?

 

ବହୁଦିନର ସେହି ପୁରୁଣା ପରିଚିତ ଗଳିଟିରେ ଯାଇ ଲଛମନ ପହଞ୍ଚିଲା । ଜୀବନର ବାରବର୍ଷକାଳ ସେହି ଗଳିରେ ତାର କଟିଛି । ସେହିଠାରେ ଜୀବନର ତିନିବର୍ଷ ରମା ସଙ୍ଗେ ତାର ଚିହ୍ନା ଆଳାପ ପରିଚୟ ହୋଇଛି । ସେହିଠାରେ ତା ସୁଖ-ଦୁଃଖର କେତେ ଯବନିକା ପଡ଼ିଛି, ଉଠିଛି; ସେହିଠାରେ ସେ କାନ୍ଦିଛି, ହସିଛି । ଦେଖିଲା ସେହି ଘର, ସେହି ମଦଖଟି, ସେହି ବୈଠକଖାନା, ସବୁ ସେହିପରି ଅଛି । ଦେଖିଲା କେତେ ପରିଚିତ ମୁହଁ ବିକୃତ ହୋଇପଡ଼ିଛି; କେତେ ନୂଆ ମୁହଁ ପୁଣି ଫୁଟିଉଠିଛି । ଏହିପରି ନାନା କଥା ଭାବି, ନାନା ଦୃଶ୍ୟ ଦେଖି ସେ ଯାଇ ଏକ ଭଙ୍ଗା ଲୁଆଣିଆ ଚାଳଘର ଭିତରେ ପଶିଲା । ସେଟି ହେଉଛି ଗୁଲିଖୋରଙ୍କ ଆଡ଼ା । ମାଉସୀ ମା’ ପାଖରୁ ଆସିଲା ପରେ ଲଛମନ ସେହି ଘରଠାରୁ ଖଣ୍ଡେ ଦୂରରେ ବର୍ମାଲୋକ ଘରେ କେତେ ଦିନ ଚାକିରି କରିଥିଲା ।

 

ଲଛମନ ଜାଣେ, କେଉଁଠି କିପରି କାର୍ଯ୍ୟ କରିବା ଦରକାର । ସେ ଆସିନାହିଁ ଘର ଦେଖିବାପାଇଁ; ଆସିଛି ରମାକୁ ଖୋଜିବାପାଇଁ । ତାକୁ ସେ ହୃଦୟରେ ପାଇଛି, ଅଥଚ ବାହାରେ ଭେଟପାଇନାହିଁ; ତାହାରିପାଇଁ ସେ ସେଠାରେ ମତୁଆଳ ହେଲା । ସେ ଘରେ ଦୁଇଟି ମତୁଆଳ ବସି ଗୋଟିଏ ହୁକାରେ ଗୁଲିଖିଆ ଆରମ୍ଭ କରୁଥିଲେ । ସେଥିରୁ ଜଣେ ହେଉଛି ଲଛମନର ସୁପରିଚିତ କେତେବର୍ଷ ତଳର ପ୍ରସିଦ୍ଧ ମତୁଆଳ; ଯାହା କବଳରୁ ଥରେ ସେ ବିଚ୍‌ ଦାଣ୍ଡରେ ରମାକୁ ରକ୍ଷାକରିଥିଲା । ଆର ଜଣକ ତାର ଶିଷ୍ୟ । ଲଛମନ ଦୁହିଙ୍କୁ ଭଲକରି ଜାଣେ ।

 

ଘର ଭିତରେ ପଶିଲାମାତ୍ରେ ସେ ଖୁବ୍‌ ଆଶ୍ଚର୍ଯ୍ୟ ହେଲାପରି ଭାବ ଦେଖାଇ ପାଟିକଲା, ‘‘ବାଃ, ଠିକ୍‌ ଯେପରି ଥିଲା, ସେହିପରି । ଏତେବର୍ଷ ମଧ୍ୟରେ ଏହାର କିଛି ପରିବର୍ତ୍ତନ ହୋଇନାହିଁ ।’’

 

ସେଥିମଧ୍ୟରୁ ଜଣେ ଦରମୁଦ୍ରିତ ଚକ୍ଷୁ ଦୁଇଟାକୁ ବହୁ କଷ୍ଟରେ ବିସ୍ଫାରିତ କରି ଉପରକୁ ମୁହଁ ଟେକି ପଚାରିଲେ, ‘‘କିଏ ହୋ ତୁମେ ଭାଇ ! କେତେ ବର୍ଷ ତଳେ ତୁମେ ଏଠି ଥିଲ କି ?’’

 

-‘‘ମୁଁ ? ମୁଁ ଏଠୁ ଗଲିଣି ପାଞ୍ଚବର୍ଷହେଲା । ଏଇ ଘରେ, ଏଇ କୋଣରେ ମୁଁ ଯେ କେତେ ବୋତଲ ଶେଷକରିଛି, ତାର କିଛି ଠିକ୍‌ଠିକଣା ନାହିଁ ।’’

 

-‘‘ଆଚ୍ଛା, ବେଶ୍‌, ବେଶ୍‌ । ତୁମ ବାପାଙ୍କ ନାଁ ?’’

-‘‘ମୁଁ ଜାଣେନାହିଁ ମୋ ବାପାଙ୍କ ନାଁ ।’’

-‘‘ନାଁ ଜାଣନାହିଁ ? ବଡ଼ ଅସମ୍ଭବ କଥା କହୁଛ ।’’

 

-‘‘ଅସମ୍ଭବ କଥା ତ କିଛି ନୁହେଁ । ମୁଁ ଛୋଟପିଲା ଥିଲାବେଳେ ସେ ମରିଯାଇଥିଲେ ବୋଲି ମୁଁ ଶୁଣେ । ମୋର ମାଆ ମଧ୍ୟ ସେତେବେଳେ ନଥିଲେ ।’’

 

ମତୁଆଳ ଦୁଇଟା ଖୁବ୍‌ ପାଟିକରି ହସିଲେ – ହାଃ-ହାଃ-ହାଃ ! ତା ପରେ ଆଉ କିଛି ପ୍ରଶ୍ନ ହେଲାନାହିଁ । ସେମାନଙ୍କ ପାଖରେ ଗୁଲିଗୁଳା ପୂର୍ଣ୍ଣ – ପାଖରେ ମଦ ବୋତଲ ଖଣ୍ଡିଆ ହୋଇନାହିଁ – ଏତେବେଳେ ତାଙ୍କୁ ଅନ୍ୟ କଥା ଦିଶୁଛି ? ଲଛମନ ସେମାନଙ୍କର ମତିଗତି ବୁଝି ନିଜର ପାଗଳାମି ବେଶିକରି ଦେଖାଇଲା । ତା ପରେ ପଚାରିଲା – ‘‘ଭାଇ, ଏଠି ଜଣେ ଭୋବନି ପରିଡ଼ା ଥିଲା ଜାଣ ?’’

 

-‘‘ହଁ ଜାଣୁ, ସେ ଏବେ ଏଠି ନାହିଁ । ଟାଉଁ ଯାଉଁଠାରେ ଗୋଟାଏ ସାହାବର ଖାନସାମା ହୋଇଛି ।’’

-‘‘ଆଉ ଜଣେ ବୁଢ଼ା ଏଠାରେ ଥିଲା । ଜାଣ ତାକୁ ? ତା ନାଁ ଘନ ରଣସିଂହ ।’’

-‘‘ହଁ ଥିଲା ।’’

 

ଏ ପ୍ରଶ୍ନଟା ପଚାରିବାକୁ ଲଛମନକୁ ଟିକିଏ କିମିତି ଅଡ଼ୁଆ ବୋଧହେଲା । ତା ପରେ ସେ ହଠାତ୍‌ ପ୍ରଶ୍ନ ନ ପଚାରି କିଛି ସମୟ ପରେ ପଚାରିଲା, ‘‘ସେ ଅଛନ୍ତି ନା ?’’

 

ଜଣେ ସେଥିମଧ୍ୟରୁ ଟିକିଏ ଉତ୍ତେଜିତ ସ୍ୱରରେ ଉତ୍ତରଦେଲା, ‘‘ଘନ ବୁଢ଼ା ? ତା ନାଁ ଧରନି, ତା ନାଁ ଧରନି । ସେ ମଦୁଆ, ସେ ପାଗଳ ।’’

 

-‘‘ସେ କଣ ଏବେ ଏ ସହରରେ ଅଛି ?’’

-‘‘ନା, ସହରରେ ନାହିଁ, ତୁମର ଲୋଡ଼ା ଅଛି କି ? ତେବେ ଯାଅ ଦେଖିବ, ସେହି ମଶାଣିରେ ତାର ହାଡ଼-ମୁଣ୍ଡର ଭେଟ ପାଇବ ।’’

 

ଏ କଥାରୁ ଲଛମନ ବୁଝିଲା ଯେ ଘନବୁଢ଼ା ଆଉ ଇହଜଗତ୍‌ରେ ନାହିଁ । ସଙ୍ଗେ ସଙ୍ଗେ ରମାକୁ ପାଇବାର ଆଶା ତା ମନରେ କ୍ଷୀଣରୁ କ୍ଷୀଣତର ହୋଇଆସିଲା । କିଛି ସମୟ ଅପେକ୍ଷା କଲାପରେ ପୁଣି ପଚାରିଲା; ‘‘କହିଲ ଦେଖି ଭାଇ, ତାର ଗୋଟାଏ ତ ଝିଅ ଥିଲା; ସେଟା ଅଛି ନା ମଲାଣି ?’’

 

-‘‘ହଁ ହଁ, ବୁଝିପାରୁନାହଁ କି ? ମୁଁ ତ ସେଇକଥା କହୁଛି । ସେଇ ତାକୁ ମାଇଲା, ଘନ ରଣସିଂହ ତା-ଆ-ରି-ପା-ଇ-ଇଁ ମ-ଲା-ଆ ।’’ ଏତିକି କହି ଗୋଟାଏ ମତୁଆଳ ଆଖି ବୁଜି ଢକଢକ କରି ଏକାଦମ୍‌କେ ବୋତଲେ ଶେଷକରିଦେଲା । ପିଇସାରି, ଟୁଳୁଟୁଳୁ ନାଲିଆଖି ଦେଖାଇ ଟିକିଏ ଉତ୍ତେଜିତ ହୋଇ କହିଲା, ‘‘କୋଉ ଗାଁ ହେ ତମର ? ଏତେ କଥା ପଚାରୁଛ ଯେ !’’

 

-‘‘ଗାଁ ପରା ଏଇ ଗାଁ । ବାପକୁ ମାରି ସେ ପିଲା କଣ ଏବେ ଜିଇଁଛି ?’’

 

-‘‘ଜିଇଁନାଇଁ ଆଉ କଣ ମରିଛି ? ଜିଇଁଥିବ, କିଏ ଜାଣେ ? ଯୁବତୀ ପିଲା – ବୟସ ହେଲା ଷୋଳ-ସତର । ଗୋଟାଏ ଲୋକ କିଏ ତାକୁ ଭୁଲେଇନେଲା, ସେଇଦିନୁ ତ ବୁଢ଼ାର ଦୁର୍ଦ୍ଦଶା’’ – ଏତିକି କହି ସେ ଲୋକଟା ଖାଲି ବୋତଲଟାଏ ହାତରେ ଟେକି କହିଲା, ‘‘ଆଉ ମଦ ରୁଚିଲା ନାହିଁ, ଆଉ ଗୁଲି ରୁଚିଲା ନାହିଁ ରେ ଭାଇ ! ଟଙ୍କା ରଖିଥିଲା ବୁଢ଼ା, ହୁଲିଆ କଲା, ଗୋଇନ୍ଦା ଜଣାଇଲା, ଆଉ ପାଇଲାନାହିଁ । ଶେଷକୁ ଖାଲି ଆରାମରେ ମଦ ପିଇ ପିଇ ମଲା । ବାଃ, ସେ କି ମଜ୍ଜା – କଣ କହୁଚ ଭାଇ ?

 

ଲଛମନ ଆଉ କଣ କହିବ, କଣ ଭାବିବ ? ତା ମନ ବାତଚକ୍ର ପରି ଏଣେତେଣେ ଉଡ଼ିଲା । ଘନ ରଣସିଂହ ଆଉ ରମା ସେ ଗଳିରେ ନ ଥିବା ସମ୍ୱାଦ ଛଡ଼ା ସେ ଯେ ଭୟାବହ ବାର୍ତ୍ତା ପାଇଲା, ସେଥିରେ ତାର ହୃଦୟ ଭାଜିପଡ଼ିଲା ପରି ହେଲା । କଣ କରିବ, କୁଆଡ଼େ ଯିବ, କାହାକୁ ପଚାରିବ, ଭାବି ଭାବି ଯେତେବେଳେ ସେ କୁଡ଼ିଆ ଛାଡ଼ିଲା, ମନେମନେ ତୁନି ତୁନି କହିଲା, ‘ତେବେ କଣ ରମା ଆଉ ସଂସାରରେ ନାହିଁ ? କେଡ଼େ ଭୁଲ୍‌ କରିଛି ମୁଁ ? ମୁଁ ଚିରକାଳ ପାଇଁ ତାକୁ ଛାଡ଼ିଦେଇ ଦୂରଦେଶରେ ଯାଇ ରହିଲି ।’ – ଭାବି ଭାବି ଲଛମନ ଚାଲିଛି, ଦେଖିଲା ଅନ୍ୟ ଏକ ଲୋକ ତାହାରି ଆଡ଼କୁ ଗତି କରୁଛି । ରାତି ପ୍ରାୟ ନଅଟା ବାଜିଲାଣି । ସେ ଲୋକଟାକୁ ସେ କେବେ ଆଗରୁ ଦେଖିଲାପରି ମନେହେଉନାହିଁ । ତାର ମୁହଁ ତା ପ୍ରତି ସମ୍ପୂର୍ଣ୍ଣ ନୂଆ । ପାଖରେ ପହଞ୍ଚିଲାମାତ୍ରେ ସେ ଲୋକଟା ପଚାରିଲା – ‘‘ତୁମେ ଟିକି ଘନ ରଣସିଂହ କଥା ପଚାରୁଥିଲ ?’’

 

ଲଛମନର ସନ୍ଦେହହେଲା । କହିଲା, ‘‘ତୁମେ କିଏ ?’’

ଲୋକଟା ଟିକିଏ ସଂକୁଚିତ ହୋଇ ଉତ୍ତର ଦେଲା, ‘‘ହୁଁ, ତାକୁ ମାରିବାରେ ତୁମେ ସାହାଯ୍ୟ କରିଛ ?’’

-‘‘କାହାକୁ ? କିଏ କାହାକୁ ମାଇଲା ?’’

-‘‘ମୁଁ ଜାଣେ । ମୁଁ ଘନ ରଣସିଂହଙ୍କର ଜଣେ ପୁରୁଣା ବନ୍ଧୁ । ତୁମେ ଆଉ ଲୁଚାଇବା ଦରକାର ନାହିଁ ।’’

-‘‘ତେବେ କଣ ତୁମେ ଜାଣିଛ ଯେ ସେ ନିଶ୍ଚୟ ମରିଛନ୍ତି ?’’

-‘‘ତୁମେ ?’’

-‘‘ନା, ମୁଁ ତ କିଛି ଜାଣେନାହିଁ ।’’

 

-‘‘ଓହୋ, ସେହି ମତୁଆଳଙ୍କ କଥାରୁ ତୁମେ ଯାହା ଶୁଣିଲ; ଆଉ କିଛି କଥା ତେବେ ଜାଣନାହିଁ ?’’

 

-‘‘ମତେ ସେମାନେ କହିଲାବେଳେ ତୁମେ ଥିଲ କେଉଁଠି କି ?’’

 

-‘‘ଥିଲି ସେଇ ଚଟିଘରେ । ଘନ ବୁଢ଼ା ମୋର ସାଙ୍ଗ ନା, ତା କଥା ଉଠିବାରୁ ଟିକିଏ କାନ ଡେରିଥିଲି । ତୁମେ କଣ ତାଙ୍କର କିଛି ହୁଅ କି ?’’

 

-‘‘ନାଁ, କିଛି ନୁହେଁ ।’’

-‘‘ତେବେ ତାଙ୍କ କଥା ପଚାରୁଥିଲ କାହିଁକି ?’’

-‘‘ସେ ମୋର କିଛି ନୁହନ୍ତି । ପିଲାଦିନେ ଏଇ ସାଇରେ ଥିଲି । ଆସିଲି ତ, କେତେ ଲୋକଙ୍କ କଥା ପଚାରିଗଲି । ସେଥି ସଙ୍ଗେ ସେ ବୁଢ଼ାଟା କଥା ବି ପଚାରିବସିଲି ।’’

 

ଏହିଠାରେ ଲଛମନ ମନରେ ଗୁରୁତର ସନ୍ଦେହ ଉଦ୍ରେକ ହେଲା । ଲୋକଟା ଯେ ଜଣେ ଛଦ୍ମବେଶୀ; ଏଥିରେ କିଛି ସନ୍ଦେହନାହିଁ । ତା ନହୋଇଥିଲେ ମଦଖଟିରେ ଶୋଇ ଏପରି ଭାବରେ କଥା ଶୁଣନ୍ତା କାହିଁକି; ଶୁଣିକରି ବା ବାଟରେ ଆସି ବଳେ ପଚାରନ୍ତା କାହିଁକି ? ଏଥିଭିତରୁ କିଛି ନା କିଛି କଥା ଅଛି । ଏହାରିଠାରୁ ଖବର କିଛି ମିଳିପାରେ । ଏହା ଭାବି ସେ ପ୍ରକାଶ୍ୟରେ କହିଦେଲା, ‘‘ଆଉ କିଛି ଲୁଚାଇବା ଦରକାର ନାହିଁ । ତୁମକୁ ମୁଁ ଚିହ୍ନିସାରିଲିଣି ।’’

 

କଥାଟା ଶୁଣି ଲୋକଟା ତାତିଉଠିଲା । ସଙ୍ଗେ ସଙ୍ଗେ ସେ ଲଛମନର ବେକମୁଣ୍ଡାକୁ ଏପରିଭାବରେ ଧଇଲା ଯେ, ଲଛମନ କିଛି ସମୟଯାଏ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲା । ଏପରି କ୍ଷେତ୍ରରେ କିନ୍ତୁ ଲଛମନକୁ କିଏ ବଳିଯିବା ସହଜ ନୁହେଁ । ତାର ବାଁ ହାତର ଏକ ମୁଥକେ ସେ ସେହିଠାରେ ମେଞ୍ଚାହୋଇ ବସିପଡ଼ିଲା । କହିଲା, ‘‘ଭାଇ, କେଡ଼େ ମାଡ଼ ମାଇଲ ! ମୁଁ ତୁମକୁ ପରୀକ୍ଷା ସିନା କରୁଥିଲି । ମତେ ମଧ୍ୟ ଆଉ କିଛି ବୁଝିବାକୁ ବାକି ନାହିଁ । ମୁଁ ମଧ୍ୟ ତୁମକୁ ଚିହ୍ନିସାରିଲିଣି । ଠିକ୍‌ ବୁଝିଲି, ମୋର ଯେ କାର୍ଯ୍ୟ ତୁମର ମଧ୍ୟ ସେହି କାର୍ଯ୍ୟ । କିନ୍ତୁ ଦୁହେଁ ଯେବେ ଏକାଠି ମିଳିମିଶି କାର୍ଯ୍ୟ କରିନେବା, ତେବେ ଆଜି ସହଜରେ କାର୍ଯ୍ୟ ସଫଳ ହୋଇଯିବ । ତୁମକୁ ସେମାନେ ଯେଉଁ ଭୁଲ୍‌ ଖବର ଦେଇଛନ୍ତି, ମତେ ମଧ୍ୟ ସେଇ ଭୁଲ୍‌ ଖବର ଦେଇଛନ୍ତି । ସେମାନେ ପାଗଳ; ସେମାନେ ଜାଣନ୍ତି କଣ ? ଏଇ ମାସକତଳେ ତ ଘନ ରଣସିଂହ ଏଇ ଗଳିରେ ଥିଲା ।’’

 

ଲଛମନ ଏବେ ଅସମ୍ଭବ ସମସ୍ୟା ଭିତରେ ପଡ଼ିଲା । ଏ ଲୋକଟା ଯେ କି ଉଦ୍ଦେଶ୍ୟରେ ଏପରି ବୁଲୁଛି, ସହଜରେ ପ୍ରକାଶ ହୋଇପଡ଼ିଲା । ଭାବିଲା- ତେବେ କଣ ଘନ ରଣସିଂହ କଥା ଏଡ଼େ ଗୁରୁତର ହୋଇପଡ଼ିଛି ? ତା’ ହେଲେ ରମା କଣ ତେବେ ଜୀବନରେ ଅଛି ? ଏହାର ଉତ୍ତର କିଏ ଦେବ ?’’

 

ଲୋକଟାର ଏପରି କଥା ଶୁଣି ଲଛମନକୁ ମନେ ମନେ ହସମାଡ଼ିଲା । ଆଉ ଟିକିଏ ଭିତର ରହସ୍ୟ ଭଲକରି ଜାଣିବାପାଇଁ ଲଛମନ ପଚାରିଲା – ‘‘ତୁମେ ଏଠାକୁ କାହିଁକି ଆସିଥିଲ ?’’

 

ଲୋକଟା ତଳୁ ଉଠି ଠିଆହୋଇ କହିଲା – ‘‘ତୁମେ ଯେଉଁଥିପାଇଁ ଆସିଛ !’’

-‘‘ମୁଁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଆସିନାହିଁ ।’’

-‘‘ମୁଁ ମଧ୍ୟ ସେହିପରି କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଆସିନାହିଁ ।’’

-‘‘ତୁମକୁ କିଏ ଏଠାକୁ ପଠାଇଛି ?’’

-‘‘ତୁମକୁ ଯେ ପଠାଇଛି ।’’

 

ଲଛମନ ହସ ସମ୍ଭାଳି ପାରିଲାନାହିଁ । ହସି ହସି କହିଲା, ‘‘ଦେଖୁଛି, ତୁମେ ଠିକ୍‌ ଠଉରାଇପାରିଛ ।’’

 

ସେ ଲୋକ ବାହାଦୂରି ନେଲାପରି ଖୁବ୍‌ ଖୁସିହୋଇ କହିଲା, ‘‘ଆଉ କଣ ତୁମେ ଭାବିଥିଲ ଏକା ଏକା ହଜାରଯାକ ପୁରସ୍କାର ପାଇଯିବ ବୋଲି ?’’

 

ଲଛମନର ମାନସିକ ଉଦ୍‌ବେଗ ଆହୁରି କ୍ଷୀପ୍ର ହୋଇଉଠିଲା । ସେ ଗମ୍ଭୀର ହୋଇ ଭାବିଲା, ‘‘ତେବେ କଣ ଘନ ରଣସିଂହକୁ ଧରିଲେ ହଜାରେ ଟଙ୍କା ପୁରସ୍କାର ମିଳିବ ? କାହିଁକି ? କିଏ କରିଛି ?’’ – ଭାବି ଭାବି ଲଛମନ ଗୋଟାଏ ନିର୍ଜୀବ ମୂର୍ତ୍ତିପରି ଠିଆହେଲା । ଏହି ସମୟରେ ସେହି ନବ୍ୟାଗତ ଆହୁରି ଟିକିଏ ଉତ୍ସାହିତ ହୋଇ କହିଲା, ‘‘ତେବେ ଭାଇ, କାଲି କଣ ସେହି ଖଟିଠାକୁ ଆସିବ ? କଥା ତ ସେଇଠି ରହିଲାଣି – ଭାବୁଛ କଣ ?’’

 

ଲଛମନ ନିଦରୁ ଉଠିଲାପରି ଚାହିଁ କହିଲା, ‘‘ହଁ ଭାଇ, ସେଇ କଥା ଭାବୁଛି । କାଲି ଏତିକିବେଳେ ସେଇଠାରେ ଭେଟ । ନମସ୍କାର –’’ ଏହା କହି ସେ ଚଟ୍‌କରି ସେଠାରୁ ବୁଲିପଡ଼ି ପାଖରେ ଥିବା ଗୋଟାଏ ହୋଟେଲରେ ପଶିଗଲା ।

 

ହୋଟେଲ୍‌ରେ ଗୋଟାଏ ଚଉକିରେ ବସିପଡ଼ି ଲଛମନ ଭାବିବାକୁ ଲାଗିଲା । ସେ ଭାବନାର କୂଳଥଳ ମିଳିଲା ନାହିଁ । ଏ କି ରହସ୍ୟ ? ଏତେ ଗୁପ୍ତ ଯୋଗାଡ଼ କାହାପାଇଁ ? ଏ କଣ ରମାର କୃତ୍ୟ ନା ବୁଢ଼ା ଘନ ରଣସିଂହର କୃତ୍ୟ ? ଭାବି ଭାବି ସେଠାରେ ସେ ଚିତ୍ରପିତୁଳି ପରି ବସିରହିଲା । କେତେବେଳେ ଯେ ସେ ସେଠୁ ଉଠିଆସିଲା, କେଉଁ ବାଟେ ଯେ ଆସି ବନ୍ଦରରେ ପହଞ୍ଚିଲା, କିଛି ଜାଣେନାହିଁ । ସକାଳୁ ଉଠି ସେ ଅନୁଭବ କଲା ଯେ, ଗତ ରାତିରେ ସେ ଖାଇନାହିଁ; ରମା ପଛରେ ତାର ମନ ବଚନ କର୍ତ୍ତବ୍ୟ ସବୁ ଉଡ଼ୁଛି, ବାଟଘାଟ ଖୋଜି ପାଉନାହିଁ ।

 

(୬)

ପୂର୍ବ-ରାତିର ଘଟଣାଫଳରେ ଲଛମନର ମନ ନିତାନ୍ତ ବିଚଳିତ ହୋଇପଡ଼ିଲା, ତାର କଳ୍ପନା-ଜଗତ୍‌ରେ ସହସା ଭୂମିକମ୍ପ ଉପସ୍ଥିତହେଲା । ବୁଦ୍ଧିହୀନ ଭାବରେ ଆପଣା କୋଠରିଟିରେ ସେ କିଛି ସମୟ ପଡ଼ିରହିଲା । ଘନ ରଣସିଂହକୁ ଧରିବାପାଇଁ ଏକ ହଜାର ଟଙ୍କା ପୁରସ୍କାର ଘୋଷଣା କଥାଟା ସହଜରେ ବିଶ୍ୱାସ କରିବାକୁ ସେ ରାଜିହେଲାନାହିଁ । ପାଗଳ ଘନ କଣ ତେବେ ହତ୍ୟାକାରୀ ? ସେ କି ଡକାଏତ ? ସେ କଣ ଏପରି କିଛି ଗର୍ହିତ କାର୍ଯ୍ୟ କରିଛି ? ଖଟିଘରର ସେ ମତୁଆଳ ଦୁହିଁଙ୍କ କଥା ସଙ୍ଗେ ଅପରିଚିତ ଲୋକଟିର କଥାର ଆଦୌ ସାମଞ୍ଜସ୍ୟ ରହିଲାନାହିଁ । କେଉଁ କଥାକୁ ବିଶ୍ୱାସ କରିବ, କେଉଁ କଥାକୁ ତା ମନରୁ ବାଦ୍ ଦେବ – ଭାବି ଭାବି ସଂସାର ତାକୁ ଅନ୍ଧାର ଦିଶିଲା । କୌଣସି କାର୍ଯ୍ୟରେ ମନଲାଗିଲାନାହିଁ । ସାଙ୍ଗସାଥୀଙ୍କ ପାଖରେ ବସିବାକୁ ମନ ବଳିଲାନାହିଁ । ଏକୁଟିଆ ବୁଲିବାକୁ ଇଚ୍ଛା ହେଲାନାହିଁ, ଘରେ ରହିବାକୁ ନିତାନ୍ତ ବିଷପରି ବୋଧ ହେଲା । ଲଛମନ ଏକପ୍ରକାର ପାଗଳ ହୋଇଗଲା ।

 

ଲଛମନକୁ ଗୋଇନ୍ଦାଗିରିର ସକଳ କୌଶଳ ଆସେ; ମାତ୍ର ସେ କୌଶଳ ଏଠାରେ ଖେଳାଇବାକୁ ସେ ଇଚ୍ଛା କଲାନାହିଁ । ନିତାନ୍ତ ବ୍ୟସ୍ତ ବିବ୍ରତ ହୋଇ ସେ ଦିନେ ଯାଇ ଗୋଟାଏ ବଡ଼ ହୋଟେଲରେ ଆଶ୍ରୟନେଲା; ମାତ୍ର ସବୁବେଳେ ସବୁ କ୍ଷେତ୍ରରେ ତାର ଲକ୍ଷ୍ୟ ରହିଲା ରମା ଉପରେ ଏବଂ ଘନ ବୁଢ଼ାର ପରିଚୟ ପାଇବାରେ ।

 

ହୋଟେଲଟି ନଈକୂଳରେ । ସହର ଭିତରର ୨୭ ନମ୍ୱର ଗଳିର ହୋଟେଲ ପରି ତାହା ନୁହେଁ । ତାହା ତିନିମହଲା ପକ୍କା । ଦୂର ବିଦେଶର ଯାତ୍ରୀ ରହିବାପାଇଁ ସକଳ ସୁବିଧା ରହିଛି । ଗହଳଚହଳ କିଛି ନାହିଁ, ବେଶ୍‌ ପରିଷ୍କାର-ପରିଚ୍ଛନ୍ନ ଘର । ସେହି ଘରୁ ଗୋଟିଏ କୋଠରି ଭଡ଼ା ନେଇ ଲଛମନ ସେହିଠାରେ ନିଜ ସୁଖଦୁଃଖମୟ ଜୀବନର କେତେ ଦିନ କଟାଇଦେବାପାଇଁ ବିଚାରିଲା ।

 

ଖଣ୍ଡେଦୂରରେ ଇରାବତୀର ସ୍ୱଚ୍ଛ ସୁନ୍ଦର ଜଳଧାରା ବହିଯାଉଛି । ସେଠା କୂଳରେ ବୁଲିବା ବଡ଼ ଆମୋଦପ୍ରଦ । ଜୀବନରେ ଶାନ୍ତି ପାଇବା ପାଇଁ, ଚିନ୍ତାଦଗ୍‌ଧ ପ୍ରାଣରେ ଆଶା ଆଶ୍ୱାସନା ପାଇବାପାଇଁ ଲଛମନ ସେହି ସ୍ଥାନଟିକୁ ନିଜର ଉପଯୁକ୍ତ ବୋଲି ବାଛିନେଲା ।

 

ଦିନେ ଦୁଇଦିନ ଗଲା – ଇରାବତୀର ପ୍ରତିମୁହୂର୍ତ୍ତର ଜଳସ୍ରୋତ ପରି ସମୟ ବହିଗଲା । କିନ୍ତୁ ସେଠାରେ ଲଛମନର ଅଶାନ୍ତ ପ୍ରାଣ ଶାନ୍ତ ହେଲାନାହିଁ । ସେ ଯେଉଁ ସମସ୍ୟାର ସମାଧାନ ବା ସମାପନ ପାଇଁ ସେଠାକୁ କେତେ କଥା ବିଚାରି ଯାଇଥିଲା, ତାହା ସେଠାରେ ପୂରଣ ହେଲାନାହିଁ ।

 

ଦିନେ ସେ ଖାଇସାରି ହୋଟେଲର ଚପରାସିଖାତାରେ ଟଙ୍କାଦେଇ ଦସ୍ତଖତ୍‌ କରିବାକୁ ଯାଉଛି, ହଠାତ୍‌ ଗୋଟିଏ ନୂତନ ନାଁ ତା ଆଖି ଆଗରେ ପଡ଼ିଲା । ନାଁଟା ପଢ଼ି ସେ ଏପରି ବିଚଳିତ ହେବାର ଭାବ ଦେଖାଇଲା ଯେ, ସେ କଥା ମୋଟାବୁଦ୍ଧିଆ ଚପରାସି ମଧ୍ୟ ବୁଝିପାରିଲା । ଦେଖିଲା- ତା’ରି ନାଁ ଉପରକୁ ସେହିକ୍ଷଣି କିଏ ଦସ୍ତଖତ କରିଯାଇଛି ଗଗନ ରଣସିଂହ । ଘନ ରଣସିଂହ ନା ଗଗନ ରଣସିଂହ ? – ଦସ୍ତଖତ କରିବାକୁ ତା ହାତ ଆଉ ଚଳିଲାନାହିଁ । ରଣସିଂହ ନାଁ ଦେଖି ତା ଦେହର ରକ୍ତ ଶୀତଳ ହୋଇଆସିଲା । ସନ୍ଦେହରେ କିଛି ସମୟ ଆଖି ବୁଜି କଣ ଭାବିଲା । ଚପରାସି ପାଖକୁ ଆସି ଡାକିଲା, ‘‘ବାବୁ !’’

 

ଚପରାସି ଆଗରେ ସେ ଯେ ଏପରି ଆଖିବୁଜି ରହିଛି ଜାଣିପାରି ତାକୁ ବଡ଼ ଲାଜ ଲାଗିଲା । ଚପରାସିର ମୁହଁକୁ ଚାହିଁ ଟିକିଏ ହସିଦେଇ କହିଲା, ‘‘ଏହି ଯେଉଁ ଦସ୍ତଖତ ହୋଇଛି, ଏ ଲୋକଟା କିଏ ?’’

 

-‘‘ଆଜକୁ ଦୁଇମାସ ହେଲା ଏ ବାବୁ ମଝିରେ ମଝିରେ ଏଠାକୁ ଆସନ୍ତି । ବେଳେବେଳେ କିଛି କିଛି ଖାଆନ୍ତି । ବେଶ୍‌ ଟଙ୍କାପଇସା ଥିବାବାଲା ପରି ଦିଶନ୍ତି । ଖର୍ଚ୍ଚ ମଧ୍ୟ ଖୁବ୍‌ କରନ୍ତି । କୌଣସି କଥାକୁ ଖାତିରି ନାହିଁ । କିନ୍ତୁ ବାବୁ, ସବୁବେଳେ କିଆଁ ମନଟା ମାରିଦେଇ ରହନ୍ତି; ଯାହାକୁ ଚାହିଁଥାନ୍ତି ତାକୁ ବରାବର ଚାହିଁଥାନ୍ତି । ଏ ଜଣେ ବଡ଼ ବିଚିତ୍ର ପ୍ରକୃତିର ଲୋକ, ବାବୁ ।’’

 

-‘‘କଣ କେବେ କହନ୍ତି ?’’

 

-‘‘କେବେହେଲେ ତ ମୋଟେ ପାଟି ଫିଟାଇ କିଛି କହିନାହାନ୍ତି । ସାଙ୍ଗସାଥୀଙ୍କ ମେଳରେ ହସିବାର ମଧ୍ୟ ମୁଁ ଦେଖିନାହିଁ । ଲୋକଟା ବୁଢ଼ା ନା, ବୋଧ ହୁଏ ପାଗଳିଆ ହୋଇଯାଇଛି ।’’

 

ଚପରାସିଠାରୁ ଏକଥା ଶୁଣି ଲଛମନ ମନରେ ସନ୍ଦେହ କ୍ଷଣକୁକ୍ଷଣ ଦୃଢ଼ୀଭୂତ ହୋଇଆସିଲା । ଭାବିଲା – ତେବେ କଣ ଏ ଘନ ରଣସିଂହ ? ତାହାହେଲେ ରମା ? ଏ ତ ଘୋର ସମସ୍ୟା ଭିତରେ ପୁଣି ସମସ୍ୟା ! ଏ ରହସ୍ୟର ଜଟିଳ ଜାଲ ଭିତରେ ପଡ଼ି ଲଛମନର ଧାରଣାହେଲା, ସେହି ଛଦ୍ମବେଶର କଥା ତେବେ ଠିକ୍‌ । ବୋଧହୁଏ ପିଶାଚ ଆପଣା କନ୍ୟା ରମାକୁ ହତ୍ୟାକରି ନାଁ ବଦଳାଇ ଏହିଠାରେ ଏହିପରି ଭାବରେ ଆଶ୍ରୟ ନେଇଛି । ପୁଣି ମୁହଁ ଟେକି ଚପରାସିକୁ ପ୍ରଶ୍ନକଲା, ‘‘ଏ ଲୋକ ସଙ୍ଗେ ଆଉ କିଏ ଭଲା ଅଛି ?’’

 

-‘‘ନା, ଆଉ ତ କେହି ନାହାନ୍ତି ।’’

-‘‘ତାଙ୍କର ଝିଅ କି ପୁଅ ?’’

-‘‘ତାଙ୍କ ଆପଣାର କିଏ ଏଠି ଥିବାର ମତେ ଜଣାନାହିଁ । ସେ ତ ସବୁବେଳେ ଏଠି ନ ଥାନ୍ତି, ମଝିରେ ମଝିରେ ଆସନ୍ତି ।’’

 

ଚପରାସି ଖାତା ନେଇ ଚାଲିଗଲା ପରେ ଲଛମନ ସେହିଠାରେ ସେହିପରି ମୁହଁପୋତି ବସିରହିଲା । ଇନ୍ଦ୍ରଜାଲ ମାୟା ଦେଖିଲାପରି ଭାଗ୍ୟ ଯେ କେତେମନ୍ତେ କେତେ ଲୋକଙ୍କୁ କିପରି ଖେଳାଉଛି, ତାର ଅନ୍ତ ନାହିଁ ! ସେହି ଅନ୍ତହୀନ ଭାଗ୍ୟସମୁଦ୍ର କୂଳରେ ସେ ପୁଣି ଯାଇ ମତୁଆଳ ଘନ ରଣସିଂହକୁ ଭେଟିଲା । ଘନ ରଣସିଂହ ! – ସାଙ୍ଗରେ ରମା, ପାଗଳ ସଙ୍ଗରେ କନକପ୍ରତିମା ! – ଲଛମନ ଛନଛନ ହୋଇ ରମାକୁ ତା ପାଖରୁ ଛଡ଼ାଇ ଆଣିବ ବୋଲି ହାତ ବଢ଼ାଇ ଦେଲା । ଚମକି ଚାହିଁଲା, ହୋଟେଲରେ ଦୀପ ଲାଗିଗଲାଣି । ତାର ମୋହନିଦ୍ରା ଭାଙ୍ଗିଲା । ସେ ହାଇମାରି ଟିକିଏ ସତର୍କଭାବରେ ବସିବାକୁ ଚେଷ୍ଟାକଲା ।

 

ହୋଟେଲ ଭିତରେ ନାନା ଲୋକଙ୍କର କାରବାର । କେତେପ୍ରକାର କେତେ ପ୍ରକୃତିର ଲୋକ ଅଛନ୍ତି । ଲଛମନ ସମସ୍ତଙ୍କୁ ଚାହିଁଛି; ମାତ୍ର କାହାକୁ ଚିହ୍ନିପାରୁନାହିଁ । କିଏ ହସୁଛି, କିଏ ଗପ କରୁଛି, କିଏ ବା ଖବରକାଗଜ ପଢ଼ୁଛି । ଯୋଗୀ ଅଛନ୍ତି, ବର୍ମୀ ଅଛନ୍ତି, ବଙ୍ଗାଳୀ ଅଛନ୍ତି, ଓଡ଼ିଆ ଅଛନ୍ତି । - ଲଛମନ ସମସ୍ତଙ୍କ ଭାଷା ବୁଝିପାରୁଛି; ମାତ୍ର ତା ପ୍ରାଣରେ ଅବୋଧ୍ୟ ଭାଷାକୁ କେହି ବୁଝିପାରୁନାହାନ୍ତି ।

 

କିଛି ସମୟ ପରେ ଲଛମନର ଦୃଷ୍ଟି ଜଣକ ଉପରେ ପଡ଼ିଲା । ସଙ୍ଗେ ସଙ୍ଗେ ତାର ଆଶଙ୍କା ଶତଗୁଣିତ ହୋଇଗଲା । ଗୋଟିଏ ପରିଚିତ, ଅଥଚ ଅପରିଚିତ ଲୋକର ମୁହଁ ଦେଖି ଭାବିଲା, ‘‘ଏ ତ ଘନ ରଣସିଂହ ନୁହେଁ; କିନ୍ତୁ କିଏ ?’’ ମନେହେଲା ତାଙ୍କୁ ସେ ଅବା କୌଣସିଠାରେ ଦେଖିଛି । ତାଙ୍କୁ ଜାଣିଛି – ଜାଣିନାହିଁ ହୋଇ ମହାସନ୍ଦେହରେ ପଡ଼ିଲା । ଚପରାସିର ବର୍ଣ୍ଣନା ତା ଆଗରେ ଇନ୍ଦ୍ରଧନୁର ରଙ୍ଗପରି ଫୁଟିଉଠିଥିଲା । ଏ ଲୋକଟାକୁ ଦେଖିଲାମାତ୍ରେ ସେ ରଙ୍ଗ କ୍ରମେ କ୍ରମେ ମଳିନପଡ଼ିଆସିଲା । ସେ ଘନ ରଣସିଂହଙ୍କୁ ଚିହ୍ନିଲା ନାହିଁ ସତ, ମାତ୍ର ଏ ଲୋକକୁ ଆଉ ଭୁଲିପାରିଲା ନାହିଁ ।      

 

ଶେଯରେ ଏକଡ଼ ସେକଡ଼ ହୋଇ ରାତି ପାହିଲା । ଆଖି ପଲକ ପଡ଼ିଲାମାତ୍ରେ ରମାର ଚିତ୍ର ! ସତେ ଅବା ରମାକୁ କିଏ ହତ୍ୟାକରିଛି ! ଗଗନ ରଣସିଂହ କିଏ ? ଏ କି ଘନ ରଣସିଂହର ପ୍ରେତଛାୟା ? ରମା ବା କିଏ ? ତା ପକ୍ଷରେ ଏପର୍ଯ୍ୟନ୍ତ ଏସବୁ ରାକ୍ଷସପୁରୀର ଗୁପ୍ତ ଗୃହର ସମ୍ପତ୍ତିପରି ଅବୋଧ୍ୟ ରହିଛି । ଏପର୍ଯ୍ୟନ୍ତ ସେ କାହାକୁ ଚିହ୍ନିଲାନାହିଁ, ସେଥିରେ କିନ୍ତୁ ମନରେ ଦୁଃଖ ନ ଥିଲା । ମାତ୍ର କାହିଁକି ଯେ ତା ପ୍ରାଣଟା ସେ ଦୁର୍ଭେଦ୍ୟ ଦୁର୍ଗ ଭେଦ କରିବାକୁ ଏଡ଼େ ବ୍ୟାକୁଳ, ସେହି ହେଉଛି ଗୁରୁତର କଥା ।

 

ଖୁବ୍‌ ପ୍ରଭାତରୁ ଉଠି ଲଛମନ ନଈକୂଳକୁ ବୁଲି ବାହାରିଲା । ସେ ସମୟର ଇରାବତୀର ପ୍ରଭାତକାଳୀନ ଦୃଶ୍ୟ ବଡ଼ ମଧୁମୟ । ପରିଷ୍କାର ଅନ୍ଧାର ଛାଡ଼ିନାହିଁ, ଉଷାର ରକ୍ତିମ କ୍ରମେ କ୍ରମେ ସଫା ଦିଶିଆସୁଛି, ପଶ୍ଚିମ ଆକାଶ କୋଳରେ ଦୁଇ-ଚାରିଟା ନିଷ୍ଠୁର ତାରା ବୁଡ଼ିବାକୁ ଆଉ ଅଳ୍ପ ସମୟ ଅଛି । ଲଛମନ ମନେ ମନେ କଣ ଗୀତଟିଏ ବୋଲି ବୋଲି ସେହି କୂଳେ-କୂଳେ ଚାଲିଛି । ସଂସାରର ସକଳ ବନ୍ଧନ ବର୍ତ୍ତମାନ ତା ପାଖରୁ ବହୁ ଦୂରରେ । ସେ ଘରଛଡ଼ା ହୋଇଥିଲା, ବର୍ତ୍ତମାନ ସଂସାରଛଡ଼ା ହେବାକୁ ବସିଛି । ସଂସାରରେ ମୁଣ୍ଡ ଗୁଞ୍ଜିବାକୁ ତା ପାଇଁ ଆଉ ସ୍ଥାନ ନାହିଁ । ସେ ନୀଡ଼ଭ୍ରଷ୍ଟ ଉଡ଼ନ୍ତା ପକ୍ଷୀପରି ଏ ବଣରୁ ସେ ବଣକୁ ଉଡ଼ି ଉଡ଼ି ଚାଲିଛି । ତଥାପି ମନର ଏ କି ବିଚିତ୍ର ଗତି ! କାହାପାଇଁ କେଉଁ ଗୋପନ ମନ୍ଦିରର ଅନ୍ଦରମହଲ ଫିଟାଇବାପାଇଁ ସେ ଦିନ ରାତି ପାଗଳ । ଗୀତ ବୋଲୁଛି-

‘‘ବଂଶୀ ବାଜୁଛି କାହା କାନନରେ

ନିବିଡ଼ ନିଶୀଥ ଘୋର ନିର୍ଜନରେ ।’’

 

ସେ ବଂଶୀର ସ୍ୱର ସେ ଶୁଣୁଛି ଶୁଣୁନାହିଁ । ହାତ ବଢ଼ାଇ ସେ କାହାକୁ ଧରିବାକୁ ଚେଷ୍ଟା କରୁଛି; ମାତ୍ର ପାରୁନାହିଁ । ହସିଲେ ତାର କଣ୍ଠରୋଧ ହୋଇଆସୁଛି, କାନ୍ଦିଲେ ଲୁହଧାରା ବନ୍ଦହୋଇଯାଉଛି ।

 

କୂଳେ କୂଳ ଏକ ଲକ୍ଷ୍ୟରେ ଚାଲିଛି, ଦୂରରେ – ଖୁବ୍‌ ଦୂରରେ ଗୋଟିଏ କ୍ଷୀଣ ଛାୟା ଦେଖାଗଲା । ଏତେବେଳେ ରାତି ପାହୁ ନପାହୁଣୁ ତା’ପରି ଯେ କିଏ କୂଳରେ ବୁଲୁଥିବ, ଲଛମନ କଳ୍ପନା କରି ପାରିନଥିଲା । ତାର ‘ରମା’ ଛଡ଼ା ସଂସାରରେ ଆଉ କାହାର ଯେ ‘ରମା’ ହୋଇଥିବ, ସେ କଥା ତାର ବିଶ୍ୱାସ ହୋଇ ନ ଥିଲା । ଚକ୍ଷୁ କୁଞ୍ଚିତକରି ଦୂରରେ କ୍ଷୀଣାନ୍ଧକାର ଭେଦ କରିବାକୁ ଚେଷ୍ଟାକଲା । ସ୍ପଷ୍ଟ କିଛି ଦେଖାଗଲାନାହିଁ । କେବଳ ଏତିକି ଜାଣିପାରିଲା, ଗୋଟାଏ କିଛି ସଜୀବ ଜିନିଷ ତାହାରି ଆଡ଼କୁ ଧୀରେ ଧୀରେ ଗତିକରୁଛି । ଆହୁରି ଦଶ-ପନ୍ଦର ପାହୁଣ୍ଡ ପରେ ପୁଣି ଚାହିଁଲା; ଟିକିଏ ପରିଷ୍କାର ଦେଖାଗଲା, ଗୋଟିଏ ମନୁଷ୍ୟର ଆକାର । ବେଳକୁବେଳ ସେ ଆଶ୍ଚର୍ଯ୍ୟ ହେଲା, ଏତେ ଅନ୍ଧାରରୁ ନଦୀର ନିର୍ଜନ କୂଳରେ ଆପାଦମସ୍ତକ ଶୁକ୍ଳବସ୍ତ୍ରରେ ଆବୃତ କରି ସେ ବ୍ୟକ୍ତିଟି କିଏ ? ଭାବିଲା, ଲୋକଟାର କିଛି ନା କିଛି ଅମୂଲ୍ୟ ଜିନିଷ ହଜିଛି କିମ୍ୱା ଏ ଜଟିଳ ସଂସାରର କୌଣସି ରହସ୍ୟ ଭେଦ କରି ନପାରି ମୋ ପରି ହତାଶ ହୋଇ, ବୁଦ୍ଧିହୀନ ହୋଇ ବୁଲୁଛି ।

 

ପାଖରେ ପହଞ୍ଚିଲାମାତ୍ରେ ଲଛମନ ମନରେ ଏକ ଛନକା ପଶିଗଲା- ମୁହଁ ଟେକି ଦେଖିଲା ହୋଟେଲର ସେହି ପରିଚିତ ମୁଖ ! ସେ ତଟସ୍ଥ ହେଲାପରି ଆଗକୁ ପାଦ ନପକାଇ ହଠାତ୍‌ ଠିଆହୋଇପଡ଼ିଲା ।

 

ଆଗନ୍ତୁକଙ୍କର କିନ୍ତୁ ଲଛମନପ୍ରତି ବିଶେଷ ଦୃଷ୍ଟି ନାହିଁ । ଲଛମନ ଅତିକ୍ରମ କରି ଆସିଥିବା ନଦୀର ଏକ ପାଖକୁ ସେ ଏକଭୟରେ ଚାହିଁ ଚାହିଁ ଚାଲିଥିଲେ । ଆଗରେ ଲଛମନକୁ ଦେଖି ଗତି ବନ୍ଦକରିଦେଲେ ।

 

ଆଗନ୍ତୁକ ପ୍ରଥମେ ପ୍ରଶ୍ନ କଲେ । ପ୍ରଶ୍ନରେ ସେପରି ଉତ୍ସାହ ବା ଉତ୍ତେଜନା କିଛି ମାତ୍ର ନ ଥିଲା । କେବଳ ତିନୋଟି ପଦ, ‘‘ବୁଲିଆସିଛନ୍ତି ଆପଣ ?’’

 

ଲଛମନ ଟିକିଏ ଦୋଦୋପାଞ୍ଚ ହୋଇ କହିଲା, ‘‘ହଁ, ବୁଲିଆସିଛି ।’’

-‘‘କାଲି ସନ୍ଧ୍ୟାରେ ତୁମର ଶରୀର ଅସୁସ୍ଥ ଥିବାପରି ଜଣାପଡ଼ୁଥିଲା । ମୁଣ୍ଡ ପୋତି ଟେବୁଲପାଖରେ ତୁମେ ବସିଥିଲଟିକି ?’’

 

ଲଛମନ ଏହାର ଉତ୍ତର ସହଜରେ ଦେଇ ପାରିଥାନ୍ତା । ମାତ୍ର ବେଳକୁବେଳ ତା ମନଭିତରେ ଆନ୍ଦୋଳିତ ହେବାକୁ ଲାଗିଲା । ତାର ମନେପଡ଼ିଲା କାଲିର ହୋଟେଲ କଥା, ଚପରାସି ସହିତ ଆଳାପ, ଖାତାରେ ଗଗନ ରଣସିଂହ ନାଁ, ରମାର କଳ୍ପନାଇତ୍ୟାଦି କଥା ବିଜୁଳିପରି ମନରେ ଖେଳିଗଲା । ତାର ସନ୍ଦେହ ହେଲା, ‘‘ତେବେ କଣ ଏ ଲୋକଟା ଛଦ୍ମବେଶରେ ବୁଲୁଛି ? ମୁଁ ଥରେ ମାତ୍ର ଦେଖିଚି, ଆଳାପ ପରିଚୟ ଆଦୌ ନାହିଁ, ତେବେ ଏ ଏଡ଼େବେଗେ ଚିହ୍ନିଲା କିପରି ? ଏ କଣ ହୃଦୟ ଜାଣିବାର ମନ୍ତ୍ର ଜାଣେ ? ମୋ ଦେହ ଖରାପ ଥିଲା, - ସେ କଥା ମୋତେ ଅଛପା ରହିଛି; ଅଥଚ ଏ ଜାଣିପାରିଛି !’’

 

ଆଲୋକ ପରିଷ୍କାର ଫିଟିପଡ଼ିଲାଣି । ଲଛମନ ସେତେବେଳେ ଚଞ୍ଚଳ ଉତ୍ତର ଦେଇ ନ ପାରିଥିବା ଯୋଗୁଁ ଅପ୍ରତିର ହୋଇ ଆଗନ୍ତୁକଙ୍କ ମୁହଁକୁ ବଲବଲ କରି ଚାହିଁଲା, ଦେଖିଲା – ସେ ତା ଉପରେ ଦୃଷ୍ଟି ନ ଦେଇ ନଈକୂଳକୁ ଚାହିଁଛନ୍ତି । ତାର ଉତ୍ତରର ଅପେକ୍ଷା ନ ରଖି ସେ ପଚାରିଲେ –‘‘ଚାହିଁଲ, ସେଠି କଣ ଗୋଟାଏ ଭାସୁଛି କି ?’’

 

ଲଛମନ ବୁଲିପଡ଼ି ଚାହିଁଲା । ସେହି ଭାସମାନ ଜିନିଷଟାକୁ ଲଛମନ ପ୍ରାୟ ପଚାଶ ହାତ ଦୂରରେ ଅତିକ୍ରମ କରିଆସିଛି । ତାର ସେ ଦିଗରେ ଦୃଷ୍ଟି ନ ଥିଲା । ସେଟା ଭାସି ଭାସି ଠିକ୍ କୂଳରେ ଆସି ଲାଗିଛି । ଆଲୋକ ବଢ଼ିବା ସଙ୍ଗେ ସଙ୍ଗେ ଜିନିଷଟା ପରିଷ୍କାର ଜଣାପଡ଼ିଲା । କିଏ କାହାକୁ କଥାନକହି ଦୁହେଁ ସେହି ଆଡ଼କୁ ଚାଲିଲେ । ପ୍ରତି ପଦବିକ୍ଷେପରେ ଜଣାପଡ଼ୁଥିଲା ଦୁହେଁଯାକ ଯେପରି କୌଣସି ଏକ ଅସମ୍ଭବ ଜିନିଷ ଦେଖିବାକୁ ପାଇଛନ୍ତି । ଦଶହାତ ଖଣ୍ଡେ ଯାଇଛନ୍ତି ଲଛମନ ଦମକାଏ ନିଶ୍ୱାସ ନେଇ ପାଟିକରି କହିଲା, ‘‘ହେ-ଏ-ଗୋଟେ କଣ ମଣିଷ ଭାସୁଛି ।’’

 

ଆଗନ୍ତୁକ ବୃଦ୍ଧ, ବୟସ ପଚାଶ ଉପରେ । ଚକ୍ଷୁର ଜ୍ୟୋତି ଶିଥିଳ ହୋଇପଡ଼ିଥିଲା । ସେପର୍ଯ୍ୟନ୍ତ ସୁଦ୍ଧା ସେ ପରିଷ୍କାର ଦେଖିପାରୁ ନାହାନ୍ତି; କହିଲେ, ‘‘ମଣିଷଟାଏ ! ମରିକରି ଭାସୁଛି ?’’

 

ଲଛମନ ଟିକିଏ ଥଙ୍ଗି କହିଲା, ‘‘ହଁ ଭାସୁଛି । ମଣିଷଟାଏ ତ ମରିକରି ଭାସିଲାପରି ଦେଖାଯାଉଛି ।’’ ଏହା କହିଲାବେଳକୁ ଦୁହେଁ ଯାଇ ଠିକ୍ କୂଳରେ ପହଞ୍ଚିଗଲେଣି ।

 

ସେହି ଯେଉଁ ଶବ କୂଳରେ ଲାଗିଥିଲା ତାହା ଏକ ନାରୀର ଶବ । ଶବର ଆପାଦମସ୍ତକ ଖଣ୍ଡେ ଶୁକ୍ଳବସ୍ତ୍ରରେ ଆବୃତ । କେଶଦାମ ଆଲୁଳାୟିତ; କେବଳ ମୁଖମଣ୍ଡଳର ସାମାନ୍ୟ ଅଂଶ ବାହାରକୁ ଦେଖାଯାଉଥିଲା । ସେଥିରୁ ଜଣାପଡ଼ୁଥିଲା ସେହି ହତଭାଗିନୀ କୌଣସି ଏକ ଉଚ୍ଚବଂଶସମ୍ଭୁତା – ପରମ ରୂପବତୀ । କୂଳରେ ଏପରି ସ୍ଥାନରେ ସେ ଆସି ଲାଗିଛି ଯେ ସୁଅ ଆଉ ତାକୁ ଭସାଇନେବା ସହଜ ନୁହେଁ ।

 

ଲଛମନର କୌତୂହଳ ବଢ଼ିଲା । ସେ ଆଗନ୍ତୁକ ବୃଦ୍ଧଙ୍କ କଥାକୁ ଆଉ ଅପେକ୍ଷା ନକରି ହଠାତ୍‌ କୂଳକୁ ଡେଇଁପଡ଼ିଲା । ଟିକିଏ ଲଇଁକରି ଶବର ମୁହଁରୁ ସାମାନ୍ୟ ଲୁଗାଟା ଟେକିଛି ମାତ୍ର; ଅଧୀର ଭାବରେ ଚିତ୍କାର କରି ଉଠିଲା, ‘ରମା, ରମା !’

ବୃଦ୍ଧ କିଛି ବୁଝିପାରିଲେ ନାହିଁ; ‘ରମା ! ରମା କିଏ ? ଯୁବକ ପାଗଳ ନା କଣ ?’ ଏହା ଭାବି ସେ ଶବର ମୁହଁକୁ ଚାହିଁ ଦୁଇ ପହଣ୍ଡ ହେବ ପଛକୁ ଘୁଞ୍ଚିଯାଇ ଦୁଇହାତ ଟେକି ଆହୁରି ବିସ୍ମୟରେ କହିଲେ, ‘‘କମଳା ! ଏ ଯେ କମଳା !’’

 

ଏ ସମୟରେ ଲଛମନର ଅବସ୍ଥା କହିହେବ ନାହିଁ; କଲମ ମୁନରେ ତାହା ବର୍ଣ୍ଣନା କରିବା ଅସମ୍ଭବ । ଭୟ-ବିସ୍ମୟ-ବ୍ୟାକୁଳ ଦୃଷ୍ଟିରେ ସେ ସେହି ଅବଲୁଣ୍ଠିତା ନାରୀମୂର୍ତ୍ତି ଆଡ଼କୁ ଚାହିଁରହିଲା । ଆଖିରୁ ଲୁହ ସୁଦ୍ଧା ବୋହିଲାନାହିଁ । ପାଟିରୁ କଥା ବାହାରିଲା ନାହିଁ । ଚକ୍ଷୁଦୁଇଟା ନିଷ୍ପ୍ରଭ ।

 

ବୃଦ୍ଧ ମୁହଁରୁ ‘କମଳା’ ବୋଲି ପଦେ ଶୁଣି ସେ ତାଙ୍କରି ଆଡ଼କୁ ଆଖି ଫେରାଇଲା । ଦେଖିଲା ତାଙ୍କର ଚେହେରା ଭୟଙ୍କର ବଦଳିଯାଇଛି । ବାର୍ଦ୍ଧକ୍ୟର ଶିଥିଳ ଶୁଷ୍କ ମୁଖରେ ବିଷାଦର ଗଭୀର ଛାୟା ଘୋଟିରହିଛି ।

 

ସେହି ପଦେ ‘କମଳା’ ମାତ୍ର ଶୁଣି ଲଛମନ ଭାବିଲା, ତେବେ କଣ ରମାର ଆଉ ଏକ ନାଁ କମଳା ? ରମା କଣ ଏ ବୃଦ୍ଧର ପରିଚିତା ? ଯେଝା ମନରେ ଯେଝା କଥା ରଖି ଏହିପରି ପ୍ରାୟ ପନ୍ଦର ମିନିଟ କାଳ ଦୁହେଁ ଏକଲୟରେ ସେହି ଶବ ଆଡ଼କୁ ଚାହିଁ ଠିଆହେଲେ । ତା’ପରେ ଲଛମନ ପ୍ରଶ୍ନ କଲା, ‘‘କମଳା ! କମଳା କିଏ ? ଆପଣ ଜାଣନ୍ତି ତାକୁ ? ଆପଣଙ୍କର ସେ ପରିଚିତା ?’’

 

ଭୟକାତର ପ୍ରାଣରେ ହଠାତ୍‌ ଚମକ ଭାଜିଲାପରି ବୃଦ୍ଧ ଲଛମନ ଆଡ଼କୁ ଆଖି ଫେରାଇଲେ; କିନ୍ତୁ କଥା କହିପାରିଲେ ନାହିଁ । କୌଣସି ଏକ ଗୁରୁ ଜଟିଳ ଚିନ୍ତାଜାଲରେ ପଡ଼ି ତାଙ୍କର ଅନ୍ତଃସ୍ଥଳ ଆଲୋଡ଼ିତ ହେଉଥିଲା । ଘନଘନ ଦୀର୍ଘ ନିଶ୍ୱାସ ପକାଇ ସେ ସେହି ଶବ ଆଡ଼କୁ ଥରକୁଥର ଚାହୁଁଥିଲେ ।

 

ଲଛମନ ପୁଣି ପଚାରିଲା, ‘‘କହନ୍ତୁ ମୋତେ, କମଳା କିଏ ଆପଣ ଜାଣନ୍ତି ?’’

‘‘ମୁମୂର୍ଷୁ କଣ୍ଠରେ କଥା ଆସିଲା ପରି ବୃଦ୍ଧ କହିଲେ, ‘‘ତୁମେ କଣ ଏ ଶବକୁ ଚିହ୍ନିପାରୁଛ ?’’

-‘‘ହଁ, ମୁଁ ଚିହ୍ନିପାରୁଛି । ମାତ୍ର ତୁମେ କମଳା ବୋଲି କାହାକୁ କହିଲ ?’’

-‘‘ହଁ, କମଳା । ମୁଁ ଜାଣେ କମଳାକୁ । ଏହି ସେହି କମଳା । ଏହା କହି ବୃଦ୍ଧ ସେହି ଶବ ଉପରକୁ ପୁଣି ସଜଳ ଦୃଷ୍ଟି ନିକ୍ଷେପ କଲେ ।

 

ଲଛମନ କହିଲା, ‘‘ମୁଁ ଜାଣେ, ଏ ରମା । ଆଚ୍ଛା, ଆପଣ କଣ ଜାଣନ୍ତି କମଳା ଆଉ ରମା ଏହି ଦୁଇ ନାଁ ଜଣକର ବୋଲି ?’’

 

-‘‘ନା, ମୁଁ ତ କମଳାର ସେପରି ନାଁ କେବେହେଲେ ଶୁଣିନାହିଁ ।’’

-‘‘କମଳା କିଏ ମୁଁ ମଧ୍ୟ ଜାଣେନାହିଁ । ଏ ଶବକୁ ଦେଖି ମୋର ରମା କଥା ମନେପଡ଼ୁଛି । ଏ ତ ଠିକ୍‌ ରମାର ମୁହଁ ।’’ ଏହା କହି ଲଛମନ ଥକାମାଇଲା ପରି କଥା ବନ୍ଦକରିଦେଲା । ତା ପରେ କିଛି ସମୟ ରହି ଟିକିଏ ଅନୁନୟ ସ୍ୱରରେ କହିଲା, ‘‘ମୁଁ ଆପଣଙ୍କର ପରିଚୟ ଜାଣେ ନାହିଁ; ମୋତେ ମଧ୍ୟ ଆପଣ ଜାଣନ୍ତି ବୋଲି କହିପାରିବି ନାହିଁ । ଆଜି ଏ ବିଚିତ୍ର ଘଟନା ସ୍ଥଳରେ ଦୁହେଁ ଆସି ହାଜର । ଆପଣ ଯାହାକୁ କହୁଛନ୍ତି କମଳା; ମୁଁ ତାକୁ ଚିହ୍ନୁଛି ରମା ବୋଲି । ଏ ଭିତରେ କି ରହସ୍ୟ ଅଛି, କିଛି ବୁଝିପାରୁନାହିଁ । ଆପଣ କହୁଛନ୍ତି ଯେ ଏ ମୃତ ଶରୀରକୁ ଆପଣ ଚିହ୍ନନ୍ତି । ମୋର ଯେତେଦୂର ବିଶ୍ୱାସ ଏ ମୋର ଅଚିହ୍ନା ନୁହେଁ । ମୁଁ ଆପଣଙ୍କ ପ୍ରତି ସନ୍ଦେହ କରୁନାହିଁ । ଆପଣ ମୋତେ ସନ୍ଦେହ କରନ୍ତୁନା । ଅନୁଗ୍ରହ କରି କହିପାରିବେ କି ଆପଣଙ୍କ ନାଁ କଣ ?’’

 

ବୃଦ୍ଧ କିଛି ସମୟ ନିର୍ବାକ୍‌ ଭାବରେ ଚାହିଁରହି କହିଲେ, ‘‘କହିବାରେ ଆପତ୍ତି କଣ ? ମୋ ନାଁ ଗଗନ ରଣସିଂହ ।’’

 

ନାଁ ପଦକ ଶୁଣି ଲଛମନ ନିଶ୍ଚେଷ୍ଟପରି ରହିଗଲା । ତାର ସେତେବେଳର ଭାବ ମୁଖମଣ୍ଡଳରେ ଏପରି ଫୁଟିଉଠିଲା ଯେ ବୃଦ୍ଧର ମନୋନୟନରେ ତାହା ଜଣାପଡ଼ିଲା । ସେ ପଚାରିଲେ, ‘‘ବୁଝୁଛି, ତୁମେ ବୋଧହୁଏ ମୋ ନାଁକୁ ଆଗରୁ ଜାଣିଥିଲ ।’’

ଲଛମନ ତଳକୁ ଚାହିଁ ଭାବି ଭାବି କହିଲା, ‘‘ଆପଣଙ୍କ ସହିତ ମୋର କେବେ ହେଲେ ତ ପରିଚୟ ନାହିଁ; ମାତ୍ର...’’

-‘‘ବୋଧହୁଏ ମୋ ନାଁ କିମ୍ୱା ମୋ ନାଁପରି ଆଉ କୌଣସି ନାଁ ତୁମେ କେବେ ଶୁଣିଥିଲ ?’’

-‘‘ହଁ ଶୁଣିଥିଲି । ‘ରଣସିଂହ’ ଏହି ସଂଜ୍ଞାର ଜଣକ ସହିତ ମୋର ଅନେକ ଦିନ ତଳେ ସାକ୍ଷାତ୍‌ ପରିଚୟ ଥିଲା ।

 

ଲଛମନର କଥାବାର୍ତ୍ତା, ବ୍ୟାକୁଳତା ଏବଂ ମତିଗତିରୁ ବୃଦ୍ଧ ବୁଝିପାରିଲେ ଯେ କଥାଟା ଏତିକିରେ ଶେଷ ନୁହେଁ । ଏ ସାମାନ୍ୟ ପରିଚୟର କଥା ହୋଇନପାରେ । ସାମାନ୍ୟ ପରିଚୟରେ ଯୁବକ ଏତେ ବ୍ୟାକୁଳ ହୁଅନ୍ତା କାହିଁକି ?

 

-‘‘ଆଚ୍ଛା, କହିପାରିବକି କେବେ କିପରି ଲୋକ ସହିତ ତୁମର କିପରି ପରିଚୟ ଘଟିଥିଲା ?’’

-‘‘ମୁଁ ଯାହାଙ୍କୁ ଜାଣିଛି ବୋଲି କହୁଛି ତାଙ୍କ ନାଁ ହେଉଛି ଘନ ରଣସିଂହ ।’’

ବୃଦ୍ଧ ଦେହରେ ଯେପରି ବିଜୁଳି ଖେଳିଗଲା । ସେ ହଠାତ୍‌ ବିଚଳିତ ଭାବକୁ ଦମନ କରି କହିଲେ, ‘‘ଘନ ରଣସିଂହଙ୍କୁ ତୁମେ ଜାଣ ?’’

 

-‘‘ଭଲରୂପରେ ଜାଣେନାହିଁ; ମାତ୍ର ଜାଣେ ।’’

-‘‘ତୁମ ସହିତ ତାଙ୍କର କିପରି ପରିଚୟ ହେଲା ?’’

ବୁକୁ ଭିତରୁ ପବନ ଖାଲି କଲାପରି ଲଛମନ ଏକ ଦୀର୍ଘ ନିଶ୍ୱାସ ଛାଡ଼ି ଏତିକିମାତ୍ର ଉତ୍ତରଦେଲେ, ‘‘ସେ ଜଣେ ହତଭାଗା ।’’

 

-‘‘ହତଭାଗା ! ତାଙ୍କ ସହିତ ତୁମର କେଉଁଠି ଦେଖା ?’’

-‘‘ପାଞ୍ଚ ବର୍ଷ ତଳେ ଏହି ରେଙ୍ଗୁନ୍‌ ସହରର ଏକ ଗଳିରେ ।’’

-‘‘ଏଥିମଧ୍ୟରେ ତାଙ୍କ ସହିତ ତୁମର କେବେହେଲେ ଦେଖା ହୋଇଛି ?’’

 

-‘‘ନା, ସେହି ଯେଉଁ ପାଞ୍ଚବର୍ଷ ତଳେ ଦେଖାହୋଇଥିଲା ସେତିକି; ଏ ମଧ୍ୟରେ ଆଉ କେବେ ଦେଖାସାକ୍ଷାତ ନାହିଁ ।’’

-‘‘ଏବେ ସେ କେଉଁଠି କିପରି ଅଛନ୍ତି କହିପାରିବ ?’’

 

 

-‘‘ମୁଁ ଶୁଣୁଛି ତାଙ୍କର କାଳହୋଇଗଲାଣି ।’’

ବୃଦ୍ଧ କିଛି ସମୟ ନୀରବରେ କଣ ଚିନ୍ତା କରି ପୁଣି ପଚାରିଲେ, ‘‘କାଳ ହୋଇଯାଇଛି ? ତୁମେ ଠିକ୍‌ କହୁଛ ?’’

-‘‘ଠିକ୍‌ କି ଭୁଲ, କିଛି ନିର୍ଭରରେ କହିପାରିବିନାହିଁ । ଏବେ ଶୁଣୁଥିଲି ଯେ ସେ ଆଉ ଇହଧାମରେ ନାହାନ୍ତି ।’’

-‘‘ପାଞ୍ଚବର୍ଷ ପରେ ତୁମେ ତାଙ୍କୁ ଖୋଜିବାକୁ କାହିଁକି ଦରକାର ପଡ଼ିଲା, କହିପାରିବ ?’’

 

ଲଛମନ ଏହିଠାରେ କଥାଟାକୁ ଲୁଚାଇବାକୁ ଚେଷ୍ଟା କଲା । କହିଲା, ‘‘ଦରକାର ସେପରି କିଛି ପଡ଼ିଲା ନାହିଁ । ମୁଁ ତାଙ୍କ ବିଷୟରେ ଆଗରୁ କିଛି ଜାଣିଥିଲି । ତାଙ୍କର ଏକମାତ୍ର କନ୍ୟା ଥିଲା; ଏଇ ତାର ମୃତଦେହ ଏହିଠାରେ ତଳେ ଗଡ଼ୁଛି – ସେତେବେଳେ ଏ ବାଳିକା ଥିଲା...’’ ଏତିକି ପ୍ରକାଶ କରି ଲଛମନ ତଳେ ବସିପଡ଼ିବାକୁ ଚେଷ୍ଟା କଲା, ମାତ୍ର ହୃଦୟର ଦୁର୍ବଳତା ଜଣେ ଅପରିଚିତ ବୃଦ୍ଧ ଆଗରେ ପ୍ରକାଶ ପାଇଯିବା ଭୟରେ ବସିପାରିଲା ନାହିଁ ।

 

ଲଛମନ ମୁହଁରୁ ଏହିସବୁ କଥା ଶୁଣିଲାପରେ ବୃଦ୍ଧ ନିତାନ୍ତ ପାଗଳ ପରି ବାରମ୍ୱାର ସତୃଷ୍ଣ ନୟନରେ ସେହି ଅବଲୁଣ୍ଠିତା ଯୁବତୀ ଆଡ଼କୁ ଦୃଷ୍ଟି ପକାଇ ପଚାରିଲେ – ‘‘ତୁମେ କିଏସେ ଯୁବକ ? ତୁମେ ଜାଣ ଘନ ରଣସିଂହଙ୍କ ଝିଅଙ୍କୁ ?’’

 

-‘‘ମୁଁ ଏ ସଂସାରରେ କେହି ନୁହେଁ । ମୋତେ ଜାଣିବା କାହାର ଦରକାର ପଡ଼େନାହିଁ । ଆଜି ତୁମେ ମୋତେ ପଚାରିଲ, ଆଉ ଦିନେ ଏହିପରି ଜଣେ ମୋତେ ପଚାରିଥିଲେ ।’’ – ଏତିକି କହିଲାବେଳକୁ ଲଛମନର ଦୁଇଆଖିରୁ ଦୁଇଧାର ଲୁହ ବୋହିପଡ଼ିଲା । ଏପର୍ଯ୍ୟନ୍ତ ସେ ମନର ଭାବକୁ ବଡ଼ ସଂଯତ ଭାବରେ ଲୁଚାଇ ରଖିଥିଲା; ଲୁହଧାର ସଙ୍ଗେ ସକଳ ଦମ୍ଭ ତରଳିଗଲା । ଥରେ ସେହି ଶବକୁ ଚାହିଁ ଲୁହ ପୋଛିପକାଇଲା ।

 

ଏ ଅବସ୍ଥା ଦେଖି ବୃଦ୍ଧ କହିଲେ, ‘‘ତୁମେ ଭୁଲ୍‌ କହୁଛ ଯୁବକ !’’

 

-‘‘ଭୁଲ୍‌ କହୁଛି ?’’

-‘‘ହଁ, ଭୁଲ୍‌ କହୁଛ । ତୁମେ କହୁଛ ଯେ ଯେଉଁ ବାଳିକାକୁ ଜାଣିଛି, ସେ ଏହି ଯୁବତୀ । ଏହି ଯୁବତୀ ତେବେ ଘନ ରଣସିଂହଙ୍କ ଝିଅ ।’’

 

-‘‘ମୁଁ ଯାହା କହୁଛି, ଠିକ୍‌ କହୁଛି ।’’

-‘‘ଦେଖୁଛି, ତୁମେ କଥା ଲୁଚାଉଛ ।’’

-‘‘ନା, ମୁଁ ଆଦୌ ପଦେହେଲେ ଲୁଚାଉ ନାହିଁ ।’’

-‘‘ତୁମେ ଜାଣିଶୁଣି ମିଛ କହୁଛ ।’’

-‘‘ମୁଁ ମିଛ କହୁଛି ?’’

-‘‘ତେବେ ତୁମେ କାହିଁକି କହୁଛ ଯେ ତୁମର ପରିଚିତା ରମା ରଣସିଂହଙ୍କ ଝିଅ ଏବଂ ଏହି ଯୁବତୀ ହେଉଛନ୍ତି ସେହି ରମା ବୋଲି ?’’

 

-‘‘ମୁଁ ଜାଣେ ଏ ତାଙ୍କର ଝିଅ ।’’

-‘‘ନା, ସମ୍ପୂର୍ଣ୍ଣ ଭୁଲ୍‌ ବୁଝିଛ । ଏ ତାଙ୍କର ଝିଅ ନୁହନ୍ତି; ଏ ହେଉଛନ୍ତି ତାଙ୍କର ଭାର୍ଯ୍ୟା ।’’

ଲଛମନ ମୁଣ୍ଡରେ ହାତଦେଇ ବସିପଡ଼ିଲା – ‘‘ରମା ଘନ ରଣସିଂହଙ୍କ ଭାର୍ଯ୍ୟା !’’

 

(୭)

ବିଷାଦ-ବ୍ୟାକୁଳ ପ୍ରାଣରେ ଲଛମନ ବେଶୀସମୟ ବସିପାରିଲାନାହିଁ । ପାଗଳଙ୍କ ପରି ସେ ଉତ୍କଟ ଭାବରେ ହସିଉଠିଲା । ରମା ଯେ ଘନ ରଣସିଂହଙ୍କ ଭାର୍ଯ୍ୟା, ଏ କଥାଟା ବୁଢ଼ା ମୁହଁରୁ ଶୁଣି ପ୍ରଥମେ ମୁହୂର୍ତ୍ତେ ସେ ସ୍ତବ୍ଧ ହୋଇପଡ଼ିଥିଲା, ସେହି ପଦେ କଥାରେ ତା ମସ୍ତିଷ୍କର ସକଳ ଚିନ୍ତାଧାରାର ଦ୍ରୁତଗତି ରୁଦ୍ଧ ହୋଇ ପଡ଼ିଥିଲା । ପରମୁହୂର୍ତ୍ତରେ ସେ ଠିକ୍‌କରିନେଲା- ଅସମ୍ଭବ, ଅସମ୍ଭବ; ପାଗଳ ବୁଢ଼ାର ଏ ପାଗଳାମୀ ।

 

ଲଛମନର ହସ ଦେଖି ବୃଦ୍ଧ ମନେମନେ ରାଗି କଠୋର ଚାହାଣିରେ ଚାହିଁ କହିଲେ, ‘‘ଭାବୁଛି ତୁମେ ମିଥ୍ୟାବାଦୀ, ମୋ ସଙ୍ଗେ ଛଳନା ଖେଳିବାକୁ ବସିଛ ।’’

 

ଲଛମନ ଏଥର ରାଗିବ କଣ – କହିଲା, ‘‘ଆପଣ ଯାହା ଇଚ୍ଛା ତାହା ଭାବିପାରନ୍ତି; ମୁଁ କିନ୍ତୁ ପାଗଳ ନୁହେଁ । ଏ ଭର୍ତ୍ସନାରେ ମୁଁ ତିଳେହେଲେ ଆପଣଙ୍କ ଉପରେ ରାଗୁ ନାହିଁ । ମୁଁ ଜାଣୁଛି, ମୁଁ ସତ କହୁଛି ଏବଂ ବୁଝିପାରୁଛି ଏ ସକଳ କଥା ଭିତରେ କିଛି ନା କିଛି ଗୋଟାଏ ଗୋପନ ସତ୍ୟ ନିହିତ ଅଛି । ଆଜିକି ପାଞ୍ଚବର୍ଷ ହେଲା ଏ ରହସ୍ୟ-ଦୁର୍ଗ ଭେଦ କରିବାକୁ ମୁଁ ସମର୍ଥ ହୋଇନାହିଁ । ଦିନ ଯେତିକି ବଢ଼ୁଛି, ଏ ରହସ୍ୟର ଗଭୀରତା ସେତିକି ଗଭୀରତର ହେଉଛି, ସେତିକି ଛନ୍ଦି ହେଲା ପରି ମୁଁ ଏ ସଂସାରରେ ଚଳୁଛି । ମୁଁ ବୁଝିପାରୁନାହିଁ, ତୁମେ କିଏ ଏବଂ କମଳା ବା କିଏ ? ରମାକୁ ଯେ ତୁମେ କମଳା ବୋଲି ଚିହ୍ନିଲ, ଏହି ହେଉଛି ବର୍ତ୍ତମାନ ମୋ ପକ୍ଷରେ ଆଶ୍ଚର୍ଯ୍ୟର କଥା ।’’

 

ବୃଦ୍ଧ ଟିକିଏ ପ୍ରକୃତିସ୍ଥ ହେଲାପରି ଜଣାପଡ଼ିଲେ । କହିଲେ, ‘‘ତୁମେ ସତ କହୁଛ ? ଏ ସବୁ କଥାରେ ତୁମର ତିଳେହେଲେ କପଟତା ନାହିଁ ?’’

 

-‘‘ଏ ବିଷୟରେ କାହିଁକି, ମୁଁ ଜୀବନରେ ପରର ଅନିଷ୍ଟ ପାଇଁ କେବେହେଲେ କପଟତା ଖେଳିନାହିଁ । ଏହି ପବିତ୍ର ପ୍ରଭାତର ପବିତ୍ର ସୂର୍ଯ୍ୟକିରଣରେ ଏକଥାକୁ ମୁଁ ହୃଦୟର ପବିତ୍ରତମ ସ୍ଥାନରୁ କହୁଛି ।’’

 

-‘‘ଯଦି ଅନ୍ତରର ସହିତ ଏକଥା କହୁଥାଅ, ତେବେ ଦେଖ, ଏ ରହସ୍ୟ ବଡ଼ ସାଂଘାତିକ ରହସ୍ୟ । ଏହା ଏତେ ଗଭୀର, ଏତେ ଅନ୍ଧକାରମୟ, ଏତେ ଭୀଷଣ ଯେ ତୁମର କଳ୍ପନାଶକ୍ତି ତା ପାଖରେ ପରାଭୂତ ହୋଇପଡ଼ିବ । ମୁଁ ଦେଖୁଛି, ତୁମେ ଯଦି ଏହି ସମସ୍ୟା ସମାଧାନରେ ସମର୍ଥ ହୋଇପାରିବ, ତେବେ ତୁମ ଭାଗ୍ୟ ପରିବର୍ତ୍ତିତ ହୋଇଯିବ-’’ ଏହା କହି ବୃଦ୍ଧ ସେହି ମୃତା ରମଣୀ ଆଡ଼କୁ ହାତ ଦେଖାଇଦେଲେ । ଲଛମନ କିଛି ସମୟ ଚିନ୍ତାକରି ପଚାରିଲା- ‘‘ମୁଁ ଯେତେଦୂର ବୁଝିପାରୁଛି ଏ ବିଷୟରେ ତୁମେ କିଛି ନା କିଛି ଜାଣ ।’’

 

-‘‘ଜାଣେ, କିନ୍ତୁ ତୁମେ ଯେ କହିଲ ଏହି ରମଣୀ ଘନ ରଣସିଂହଙ୍କର କନ୍ୟା !’’

-‘‘ସେଟା ତ ଠିକ୍‌ କଥା କହିଛି ।’’

-‘‘କହିଲ ଭଲ । ଘନ ରଣସିଂହ ବୋଲି ଯାହାଙ୍କୁ ଚିହ୍ନିଛ, ତାଙ୍କୁ କେତେ ବୟସ ହୋଇଥିବ ?’’

-‘‘ବୟସ ? ଅନ୍ଦାଜ ତୁମଠାରୁ ବର୍ଷ ଦୁଇବର୍ଷ ସାନ ହେବେ ସେ ! ଏହା କେବଳ ଅନୁମାନ କରି କହୁଛି ।’’

 

-‘‘ଠିକ୍‌ କହିଛ, ଅନୁମାନ ଠିକ୍‌ ହୋଇଛି । ସେ ମୋଠାରୁ ଦୁଇ ବର୍ଷ ସାନ । ମୋତେ ବାଆନ ହେଲା; ତାଙ୍କୁ ପଚାଶ ବର୍ଷ ହୋଇଥିବ । ଯଦି ଏକଥା ତୁମେ କହିପାରୁଛ, ତେବେ କିପରି ଜାଣିଲ ଯେ ଏହି ରମଣୀ ତାଙ୍କର କନ୍ୟା ବୋଲି ।’’

 

-‘‘ମୁଁ ଜାଣେ ଏ ତାଙ୍କର କନ୍ୟା; ତେଣୁ କହିଲି ।’’

 

ଏତିକିବେଳେ ବୃଦ୍ଧ ସେହି ଶବ ପାଖରେ ବସିପଡ଼ି ତା ମୁଣ୍ଡରୁ ଦୁଇ-ଚାରିଟା ବାଳ ହାତରେ ଧରି କହିଲେ, ‘‘ଦେଖିଲ, ଏ କଣ ପ୍ରୌଢ଼ା ଯୁବତୀ ନୁହନ୍ତି ? ବାଳ ପାଚିଆସିଛି, ବୟସ ଚାଳିଶିରୁ କମ୍‌ ହେବନାହିଁ । ଏ ତାଙ୍କର ଝିଅ ହେବା ଏବେ ସମ୍ଭବ ମନେକରୁଛ ?’’

 

ଲଛମନ ମନରୁ ଏକ ପଲକରେ ସକଳ ସନ୍ଦେହର ଯବନିକା ଉଠିଗଲା । ସେ ଯାଇ ରହସ୍ୟର ଆହୁରି ଗଭୀରତମ ଅନ୍ଧକାରମୟ ପ୍ରଦେଶରେ ବାଟ ଭୁଲିଲା । କଥାକୁ ବାରମ୍ୱାର ଭାବି ଭାବି ପ୍ରକାଶ୍ୟରେ କହିଲା, ‘‘ଠିକ୍‌ କଥା, ମୁଁ ଯାହା ଭାବିଥିଲି ତାହା ଭୁଲ୍‌ । ତେବେ ଏ ଯେବେ ରମା ନୁହେଁ, ଏ କିଏ ? ଆପଣ ଏହାଙ୍କୁ ଚିହ୍ନନ୍ତି, ଜାଣୁଛି । ମୁଁ ଯେ ଏ ସବୁ କଥା କିଛି ବୁଝିପାରୁନାହିଁ ।’’

 

-‘‘ମୁଁ ଦେଖୁଛି, ତୁମେ ୟାଙ୍କରିପରି ଜଣେ କାହାକୁ ଜାଣିଛ; ୟାଙ୍କରି ପରି ଚେହେରାର କିଏ ତୁମକୁ ଥରେ ଦେଖାଦେଇଛନ୍ତି ।’’

 

-‘‘ଠିକ୍‌ ଏଇ ଚେହେରା, ଠିକ୍‌ ଏଇ ଗଠନ, ଠିକ୍‌ ଏଇ ଉଜ୍ଜ୍ୱଳ କାନ୍ତି । ଏ ତ ରମା !’’

 

ଲଛମନର ତାଳୁରୁ ତଳିପାଯାଏ ଥରିଲାପରି ହୋଇଗଲା ।

-‘‘ତେବେ ରମା କିଏ ?’’

-‘‘କହିଲି ପରା ସେ ହେଉଛି ଘନ ରଣସିଂହଙ୍କ ଝିଅ ।’’

-‘‘ସେ ଏବେ କେଉଁଠି ?’’

-‘‘ସେ କଥା ମୁଁ କହିପାରିବିନାହିଁ ।’’

 

-‘‘ତୁମେ ତାକୁ କେବେ ଦେଖିଥିଲ ?’’

-‘‘ଦେଖିଥିଲି, ଯେତେବେଳେ ଘନ ରଣସିଂହଙ୍କୁ ଦେଖିଥିଲି । ସେ ଆଜିକି ପାଞ୍ଚବର୍ଷ ତଳର ଘଟନା ।’’

-‘‘ତୁମର ତାଙ୍କର କଣ ଚିହ୍ନା-ପରିଚୟ ଥିଲା ?’’

 

ଲଛମନ ଏହିଠାରେ ଟିକିଏ ଥଙ୍ଗଥଙ୍ଗ ହୋଇ କହିଲା, ‘‘ମୁଁ ଏ ଉତ୍ତର ଦେବା ଆଗରୁ ତୁମେ କିଏ, ଆଗ କହ ।’’

 

-‘‘ମୁଁ ପୁଣି ତୁମକୁ କହିରଖୁଛି ଯୁବକ, ଏହି ରହସ୍ୟ ତୁମେ ଭେଦ କରିପାରିଲେ ତୁମର ଏ ଭାଗ୍ୟ ବଦଳିଯିବ । ମୁଁ ତୁମକୁ ମୋ ପରିଚୟ ପ୍ରଥମେ ଦେଇ ପାରିବି ନାହିଁ; ତୁମେ ଆଗ ତୁମର ପରିଚୟ ଦିଅ । ଏହି ଅନିନ୍ଦ୍ୟସୁନ୍ଦରୀ ଲଳନାଙ୍କର ପୂର୍ବ ପରିଚୟ ଦେବା ଆଗରୁ ମୋର ବହୁତ ଭାବିବାକୁ ଅଛି । ଆଜି ଅସମୟରେ ଅଜ୍ଞାତଭାବରେ ଆସି ଏଠାରେ ପହଞ୍ଚିଛି । ଅନ୍ୟମନସ୍କଭାବରେ ଯାଉ ଯାଉ ଏହାରି ଉପରେ ମୋର ଦୃଷ୍ଟି ପଡ଼ିଛି !’’

 

କହି କହି ବୃଦ୍ଧ ସେହି ଶବ ଆଡ଼କୁ ଦୃଷ୍ଟି ଫେରାଇଲେ । ତାଙ୍କ ପଲକ ଦୁଇଟିକୁ ଥରାଇଦେଇ ଦୁଇବିନ୍ଦୁ ତପ୍ତ ଲୋତକ ଗଡ଼ିପଡ଼ିଲା । କହିଲେ, ‘‘କମଳା ! ଆଜି ଅନେକ ଦିନ ପରେ ଏଠି, ଏପରି ଅବସ୍ଥାରେ ତୁମକୁ ଭେଟିବି ବୋଲି କିଏ କଳ୍ପନା କରିଥିଲା ? ଏ ଶରୀର-ଶୋଭାର ଏ ପରିଣତି ହେବ ବୋଲି କିଏ ଭାବିଥିଲା । ତରଙ୍ଗାଘାତରେ ନଦୀବକ୍ଷସ୍ଥ କାଠିକୁଟା ଭାସି ଭାସି କୂଳରେ ଲାଗିଲାପରି ତୁମେ ସଂସାର-ସମୁଦ୍ରକୂଳରେ ଭାସି ଭାସି ଆସି ଏପରି ଭାବରେ ଲାଗିଛ । ମୁଁ ପୁଣି ସେହି କୂଳରେ ଠିଆହୋଇ ତୁମର ଏ ଶେଷ ଦଶା ଦେଖିଲି । ତୁମର ସେ ଜ୍ୟୋତି ବଦଳିନାହିଁ; ତୁମର ସେ ହାସ୍ୟ ଅଧରକୋଣରୁ ଲୁଚିନାହିଁ । ନିଶ୍ଚଳ ନିର୍ବେଦ ନିର୍ବାକ୍‌ ଭାବରେ ତୁମେ ଏ ସ୍ଥଳରେ ଏପରି ପଡ଼ିବାର ଦେଖି ମୋ ପ୍ରାଣ ଫାଟିଯାଉଛି, କମଳା ।’’

 

ବୃଦ୍ଧ ଆତ୍ମବିସ୍ମୃତ ହୋଇ ଏତେ ଏତେ କଥା କହିପକାଇଲେ । ଯେତେବେଳେ ବାହ୍ୟ ଚେତନା ଆସିଲା, ଦେଖିଲେ ଲଛମନ ତାଙ୍କରି କଥାକୁ ଲକ୍ଷ୍ୟକଲାପରି ଏକଲୟରେ ଶବ ଉପରକୁ ଚାହିଁରହିଛି । ପଚାରିଲେ, ‘‘କହ ତୁମର ପରିଚୟ । କିଏ ତୁମେ ଯୁବକ, ଏତେବେଳେ ଏ ସଂସାର-ମରୁମୂଭିରେ ମୋ ସହିତ ସାଥୀ ହେବାକୁ ବସିଛ ।’’

 

କଥା ଦୁଇପଦ ଲଛମନ ମନକୁ ବେଶ୍‌ ଘେନିଲା ।

-ସଂସାର-ମରୁଭୂମି ! କାହା ପକ୍ଷରେ ମରୁଭୂମି ? ଦୁହେଁଯାକ ଯେ ଏକାପରି ମରୁଭୂମିରେ ଚାଲିଛନ୍ତି ।

 

ଲଛମନ ତାର ଆତ୍ମକାହାଣୀ ଆରମ୍ଭ କରିଦେଲା । ତା ଜୀବନର ଗୋଟି ଗୋଟି ଘଟଣା କହିବା ସଙ୍ଗେ ସଙ୍ଗେ ଇରାବତୀର ତରଙ୍ଗ ଗୋଟି ଗୋଟି ହୋଇ ଉଠୁଥିଲା ପଡ଼ୁଥିଲା । ସେ ତରଙ୍ଗ ଗଣି, ସେ ଦୃଶ୍ୟ ଦେଖି ଦେଖି ସେ ନିଜର ହୃଦୟକୁ ବୃଦ୍ଧଙ୍କ ଆଗରେ ଖୋଲିଦେଲା – ମୁହୂର୍ତ୍ତକେ ଜୀବନଟା ଭାରଶୂନ୍ୟ ବୋଧହେଲା ।

 

ଗଭୀର ମନୋନିବେଶସହକାରେ ଏକନିଶ୍ୱାସରେ କଥାଟା ଶୁଣିସାରି ବୃଦ୍ଧ ପଚାରିଲେ, ‘‘ତେବେ ରମାର ବୟସ କେତେ, କହିପାରିବ ?’’

 

-‘‘ବର୍ତ୍ତମାନ ଖୁବ୍‌ ସମ୍ଭବ ସତର ବା ଅଠର ହେବ ।’’

-‘‘ତା ପ୍ରକୃତି ଜାଣ ?’’

 

-‘‘ଜାଣେ । ସେପରି ବୁଦ୍ଧିମତୀ ମୁଁ କେବେ ହେଲେ ଜୀବନରେ ଦେଖିଛି କି ନାହିଁ, ସନ୍ଦେହ । ସେ ରୂପବତୀ, ସେ ସାହସିନୀ । ତାର ଧୈର୍ଯ୍ୟ ଅଟଳ । ଦାମ୍ଭିକ ଯୁବକଠାରୁ ତା ହୃଦୟର ଟାଣ ବେଶି ।’’ ଏତିକି କହି ଲଛମନ ପୁଣି ପୂର୍ବ ପ୍ରଶ୍ନ ଆରମ୍ଭକଲା, ‘‘ଆପଣ ତ ଆପଣଙ୍କ ପରିଚୟ ଦେଲେନାହିଁ ?’’

 

-‘‘ହଁ, ତେବେ ଶୁଣ, ମୋ କଥା କହୁଛି । ଆଜିକି ଅଠରବର୍ଷ ତଳର କଥା ମନେପକାଇ ମୋ ହୃଦୟ ଭିତର ଦହିହୋଇଯାଉଛି । ଲଛମନ, ତୁମେ ଜାଣନାହିଁ ଯେ ମୁଁ ପାଗଳ । ସବୁ ପାଗଳଙ୍କ ପରି ମୁଁ ପାଗଳ ନୁହେଁ- ମୁଁ ଜାଣିଶୁଣି ପାଗଳ । ଏ ପାଗଳାମି ଛଡ଼ାଇବା ପାଇଁ ଆଜିକି କେତେ ବର୍ଷ ହେଲା ମୁଁ ଏହିପରି ବୁଲୁଛି । ହତାଶ ପ୍ରାଣରେ ଆଶାର ଚିହ୍ନ କୌଣସିଠାରେ ପାଇଲିନାହିଁ ।

 

‘‘ଛାଡ଼ ଏ ସବୁ କଥା । ଆମେ ଥିଲୁ ଦୁଇ ଭାଇ । ଦୁହେଁ ଯାଆଁଳା । ଆମ ଛଡ଼ା ଆମ ଘରେ ଆଉ ଗୋଟିଏ କକେଇପୁଅ ଭାଇ ଥିଲେ । ତାଙ୍କ ନାଁ ଘନ ରଣସିଂହ । ଅତୁଳ ସମ୍ପତ୍ତି ଭୋଗ କରି ଧନୁର୍ଦ୍ଧର ଭେଣ୍ଡା ବୟସଯାଏ ଆମେ ସୁଖ-ଶାନ୍ତିରେ ଥିଲୁ । ସେ ସୁଖ ଶାନ୍ତି, ଜୀବନର ସେ ସାହସ, ବିକ୍ରମ, ବିଭବ କଥା ମନେପକାଇଲେ , ସଂସାର କ୍ଷଣିକ ସୁଖର ଆଧାର ବୋଲି ମନେହେଉଛି । ବାସ୍ତବିକ ଏ ସଂସାରର ସକଳ କଥା ଏକପ୍ରକାର କ୍ଷଣିକ ନୁହେଁ କି ଲଛମନ ?’’

 

ବୃଦ୍ଧ ପୁଣି ଆରମ୍ଭ କଲେ, ‘‘ଏହିପରି ଆମେ ତିନିଜଣ ଥିଲୁ । ମୋର ବଡ଼ଭାଇଙ୍କର ବିବାହ ହେଲା । ତାଙ୍କ ସ୍ତ୍ରୀଙ୍କ ନାଁ କମଳା । ଯୌବନ ବେଳେବେଳେ ମନୁଷ୍ୟକୁ ବଡ଼ ଅପଥରେ ଚଳାଇଥାଏ ଲଛମନ ! ଜଗତ୍‌ରେ ଯେତେ ଅଶାନ୍ତି, ଯେତେ ଗଣ୍ଡଗୋଳ ସବୁ ଏହି ଯୌବନ ଯୋଗୁଁ । ଏହି ଯୌବନ-ମଦରେ ଉନ୍‌ମତ୍ତ ହୋଇ ଲୋକ ଯୁଦ୍ଧକୁ ଡେଇଁପଡ଼େ; ପୁଣି ଯୌବନର ପ୍ରଚଣ୍ଡ ଆଘାତରେ ଯୁଦ୍ଧର ପରିସମାପ୍ତି ହୁଏ । ଯୌବନ ସବୁ । ଯୌବନ ମନୁଷ୍ୟକୁ ଦେବତା କରି ଗଢ଼ିଦିଏ; ପୁଣି ଠିକ୍‌ ଯୌବନପଥରେ ଚଳି ନ ପାରି ଲୋକ ନର୍କରେ ମଧ୍ୟ ପଡ଼ିଯାଏ ।

 

‘‘ଏ କଥାକୁ ମୁଁ ସଫାକରି ବୁଝାଇ କହୁଛି, ଶୁଣ । କମଳାଙ୍କ ସହିତ ଘନ ରଣସିଂହଙ୍କର ପାପ ପ୍ରଣୟ ଥିବା କଥା ହଠାତ୍‌ ଲୋକାପବାଦରୂପେ ଜଳିଉଠିଲା । ମୋ ଭାଇ ସେ କଥା ସେ ପର୍ଯ୍ୟନ୍ତ ଜାଣନ୍ତିନାହିଁ । ଭଗବାନ୍‌ ଜାଣନ୍ତି, ସେ ଅପବାଦ ଭିତରେ କେତେଦୂର ସତ୍ୟତା ଥିଲା ।

 

‘‘ଏହିପରି ଦୁଇବର୍ଷ କଟିଗଲା । ଦୁଇବର୍ଷ ପରେ ମୋ ଭାଇଙ୍କର ଗୋଟିଏ କନ୍ୟା-ସନ୍ତାନ ଜନ୍ମ ହେଲା । ସ୍ୱର୍ଗର ଅପ୍‌ସରା କନ୍ୟା ସତେ ଅବା ସେ । ଲୀଳା-କମଳ ପରି ସେ ସ୍ୱର୍ଗୀୟ ତେଜରେ ଢଳଢଳ ହେଉଥିଲା । ଏହିଠାରୁ ବିପଦର ସୂତ୍ରପାତ ହେଲା । ସନ୍ତାନଲାଭ ପରେ ଅପବାଦ କ୍ରମେ ଭାଇଙ୍କ କାନରେ ପଡ଼ିଲା । ମୋର କକେଇପୁଅ ଭାଇ ଓ ନିଜ ଭାଇ ମଧ୍ୟରେ ଖୁବ୍‌ ଭଲ ଘନିଷ୍ଠତା ଥାଏ । ମନୁଷ୍ୟ ମନର ଗତି କି ବିଚିତ୍ର ! କଥାରେ କହନ୍ତି, ରାଗ ପରମ-ଚଣ୍ଡାଳ । ସେହି ରାଗଫଳରେ ଯେ ଘଟଣା ଘଟିଲା, ତାହା ଆଉ କଣ ବର୍ଣ୍ଣନା କରିବି ? ଦିନେ ରାତିରେ ସେହି ଦୁଇ ଭାଇଙ୍କର ଭେଟହେଲା । ସେଠାରେ ଯାହା ହେଲା ଶୁଣ ବାବୁ ! ସକାଳୁଁ ଦେଖାଗଲା, ମୋ ଭାଇ ଆଉ ଇହଜଗତ୍‌ରେ ନାହାନ୍ତି । ତାଙ୍କର ରକ୍ତାକ୍ତ ମୃତ ଦେହ ବାଡ଼ିପଟ ପୋଖରୀକୂଳରେ ପଡ଼ିଥିଲା । ସେହି ଦିନ ରାତିରୁ ଘନଙ୍କର ଆଉ ପତ୍ତା ମିଳିଲାନାହିଁ । ନିରୁଦ୍ଦେଶ୍ୟଭାବରେ ସେ କେଉଁଆଡ଼େ ଚାଲିଗଲେ । ଏହି ଘଟଣାର କେତେ ଦିନ ପରେ ଭାଇଙ୍କ ବିଧବା ପତ୍ନୀ ଶିଶୁ ସନ୍ତାନଟିକୁ ଧରି କୁଆଡ଼େ ଅଦୃଶ୍ୟ ହୋଇଗଲେ । ଏ ଆଜିକି ଅନେକ ବର୍ଷ ତଳର କଥା । ଏ ମଧ୍ୟରେ ଏପରି ଘଟନାଚକ୍ର ପଡ଼ିଲା ଯେ ମୋର ଭାଇକୁ ଖୋଜିବା ଦରକାରହେଲା । ତିନିବର୍ଷ ହେଲା ସେହି ଅନୁସନ୍ଧାନରେ ମୁଁ ଚାଲିଛି । ଏଇ ଯେଉଁ ସୁନ୍ଦରୀ ଲଳନାଙ୍କର ମୃତ ଦେହ ଦେଖୁଛ, ଏ ମୋର ଭାଉଜଙ୍କର ମୃତ ଦେହ । ଏ ସତୀ ସାଧ୍ୱୀ ରମଣୀଙ୍କର ଗୁଣ ମୁଁ ପାଶୋରି ପାରିବିନାହିଁ । ଏତେଦିନ ପରେ ଆଜି ଏପରି ଅବସ୍ଥାରେ ତାଙ୍କରି ପବିତ୍ର ଶରୀର ଆସି ମୋ’ରି ପାଦତଳେ ଗଡ଼ୁଥିବାର ଦେଖିଲି- ମନୁଷ୍ୟର ଭାଗ୍ୟ କେତେବେଳେ କଣ ହୁଏ !’’

 

ଜୀବନରେ ଲଛମନ ଏପରି ଭୟାବହ ଘଟନା କେବେହେଲେ ଶୁଣିନଥିଲା । କିଛି ସମୟ ନୀରବରେ ଅନନ୍ତ ଆକାଶକୁ ଚାହିଁରହିଲା । ସେହି ସମୟରେ ତାର ମନ ଗଭୀର ଚିନ୍ତାର ନିମଗ୍ନ । ଗୋଟି ଗୋଟି କେତେ କଥା ଭାବିଗଲା । ପାଞ୍ଚ-ଦଶ ମିନିଟପରେ କଥା ଆରମ୍ଭକଲା ।

 

-‘‘ସଂସାରରେ ଭୁଲ୍‌ ବୁଝିବାକୁ ବହୁତ ଲୋକ ଅଛନ୍ତି – ନୁହେଁ ?’’

 

-‘‘ବହୁତ କାହିଁକି, ଶହେକେ ଅନେଶ୍ୱତ ଅଛନ୍ତି । ସେହି ଭୁଲ୍‌ ଯୋଗୁଁ ମୁଁ ଆଜି ପଥର ଭିକାରି । ସେହି ଭୁଲ୍‌ ହେତୁ ଏଇ ସତୀସାଧ୍ୱୀଙ୍କର ଏହି ଦଶା, ସେହି ଭୁଲ୍‌ ଯୋଗୁଁ ଘନ ରଣସିଂହ ଛଦ୍ମବେଶୀ ।’’

 

ତାଙ୍କ କଥା ଶେଷ ହେଉ ନ ହେଉଣୁ ଲଛମନ କହିପକାଇଲା, ‘‘ସେହିପରି କିଛି ଭୁଲ୍‌ ଯୋଗୁଁ ମୁଁ ଆଜି ମଧ୍ୟ ସଂସାରପଥର ଏକାକୀ ଯାତ୍ରୀ । ମୁଁ ବୁଝିପାରିଛି ଏ ଭୁଲ୍‌ର ପ୍ରଭାବ ମନୁଷ୍ୟର ଭାଗ୍ୟ ଉପରେ କେଡ଼େ ନିଷ୍ଠୁରଭାବରେ କାର୍ଯ୍ୟ କରେ । ତେବେ କଣ ଜାଣିବାକୁ ହେବ, ଏ ସଂସାରର ଭୁଲ୍‌ ଚିରକାଳ ଭୁଲ୍‌ରୂପେ ଥିବ; ଭୁଲ୍‌ଟା ସଂଶୋଧିତ ହେବନାହିଁ ? ଭୁଲ୍‌ରେ ପଡ଼ି ତେବେ ରମା କ’ଣ ତୁମପରି, ମୋପରି ବୁଲୁଛି; ନା ସ୍ନେହମୟୀ ଜନନୀଙ୍କ ଆଗରୁ ଏ ଭୁଲ୍‌ ସଂସାରରୁ ଚାଲିଯାଇଛି ?’’

 

ଲଛମନ ପ୍ରାଣରୁ କୋହ ଉଠିଲା । ବୃଦ୍ଧ ତାର ହାତ ଦୁଇଟି ନିଜର ଶିଥିଳ ପଳିତ ହାତରେ ଧରିପକାଇ କହିଲେ, ‘‘ଲଛମନ, ଧୈର୍ଯ୍ୟ ଧର । କଥା ଏହିଠାରେ ଏତିକିରେ ସରୁନାହିଁ । ତୁମ ଜୀବନର ବହୁତ ଅନୁଭୂତି ବାକି ଅଛି । ତୁମେ ଜାଣିପାରୁନାହଁ ଏହି ଯେଉଁ ମୃତ ଦେହ ପଡ଼ିଛି, ଏହା ଆତ୍ମହତ୍ୟାର ଫଳ ନୁହେଁ; କମଳା କେବେହେଲେ ଆତ୍ମଘାତିନୀ ହୋଇନଥିବ, କୌଣସି ଲୋକ ହତ୍ୟାକରି ଏହାକୁ ଏପରି ଏଠାରେ ପକାଇଦେଇଛି । ଆମେ ଯାହା କଳ୍ପନା କରୁଛେ, ତାହା ଠିକ୍‌ ନୁହେଁ ।’’

 

-‘‘କଳ୍ପନା ଠିକ୍‌ ନୋହିପାରେ; କିନ୍ତୁ ମୁଁ ଭାବୁଛି, ଯଦି ଘନ ରଣସିଂହ ଜୀବନରେ ଥାନ୍ତି ତାହାହେଲେ ତାଙ୍କୁ ଖୋଜି ପାଇବାକୁ ମତେ ବେଶୀ କିଛି ସମୟ ଲାଗିବନାହିଁ ।’’

 

ବୃଦ୍ଧଙ୍କର ମୁହଁରେ ଭୟର ଛାୟା ସଞ୍ଚାର ହୋଇଗଲା । କହିଲେ, ‘‘ଘନକୁ ଖୋଜି ଆଣିବ ? ସେ ଯେ ମୋ ଭାଇକୁ ହତ୍ୟାକରିଛି !’’

 

‘‘ସେପରି କଥା ନିଃସନ୍ଦେହରେ କହ ନାହିଁ । କହିଲି ପରା, ସଂସାରରେ ଭୁଲ୍‌ର ମାତ୍ରା ବେଶି ବୋଲି । ସେ ହତ୍ୟାକାରୀ ବୋଲି ତୁମେ ଠିକ୍ ଜାଣିଛ ?’’

 

-‘‘ତା ନ ହେଲେ ତାକୁ ଆଉ ହତ୍ୟା କରନ୍ତା କିଏ ?’’

 

-‘‘ଏତିକି ଯଥେଷ୍ଟ ପ୍ରମାଣ ନୁହେଁ । ଭାଇ, ଭାଉଜ ଏବଂ କକେଇପୁଅ ଭାଇଙ୍କ ମଧ୍ୟରେ ଯେଉଁମାନେ ଅପବାଦ ସୃଷ୍ଟି କଲେ, ସେମାନଙ୍କ ମଧ୍ୟରୁ କିଏ ହତ୍ୟା କରିବା କ’ଣ ଅସମ୍ଭବ ? ଅଳ୍ପଦିନ ତଳେ ଠିକ୍‌ ଏହିପରି ଏକ ଘଟଣା କଟକ କେନ୍ଦ୍ରାପଡ଼ା କଚିରିରେ ବିଚାର ହୋଇଥିଲା । ମୋର ଯେତେଦୂର ବିଶ୍ୱାସ, ଘନ ରଣସିଂହ ହତ୍ୟାକାରୀ ନୁହନ୍ତି । ମୁଁ ରମାଠାରୁ ଯାହା ଶୁଣିଛି, ସେଥିରେ ମୁଁ ତାଙ୍କୁ ଆଦୌ ସନ୍ଦେହ କରିପାରିବିନାହିଁ । ସେ ମଦୁଆ ହୋଇପାରନ୍ତି; କିନ୍ତୁ ହତ୍ୟାକାରୀ ବୋଲି କହିବା ଠିକ୍‌ ନୁହେଁ । କୌଣସି ଏକ ଦୁଃସହ ଦୁଃଖ ପାଶୋରିଯିବାପାଇଁ ସବୁବେଳେ ସେ ମଦ ପିଉଥିବା କଥା ମୁଁ ଜାଣେ ।’’

 

ବୃଦ୍ଧ ଟିକିଏ ବ୍ୟସ୍ତ ହେଲାପରି ରହି କିଛି କହିପାରିଲେ ନାହିଁ । ଜଣାପଡ଼ିଲା, ତାଙ୍କର ପୂର୍ବ କେତେ ବର୍ଷତଳର କେତେଗୁଡ଼ିଏ ବଦ୍ଧମୂଳ ଘଟଣାକୁ ସେ ଆଲୋଡ଼ିତ କରୁଛନ୍ତି । ସନ୍ଦେହ ମୋଚନର ପ୍ରାକ୍‌କାଳରେ ମନୁଷ୍ୟ ମୁହଁର ରଙ୍ଗ ବଦଳିଲା ପରି ତାଙ୍କ ମୁହଁ ଦେଖାଗଲା । ସେ କହିଲେ, ‘‘ଆଉ ଗୋଟିଏ କଥା କହିବାକୁ ଭୁଲିଯାଇଛି । ଯଦି ମୋର ସେହି ଭାଇଙ୍କ ଝିଅଟି ଜିଇଥାଏ ଏବଂ ତୁମ୍ଭ କହିବା ଅନୁସାରେ ତା ନା ରମା ହୋଇଥାଏ, ତାହାହେଲେ ସେ ଏକ ଅତୁଳ ସମ୍ପତ୍ତିର ଉତ୍ତରାଧିକାରିଣୀ ହେବ; ମନେରଖ ।’’

 

ଏ ସବୁ କଥାର ଜଟିଳତା ଭିତରେ ମୁଣ୍ଡ ପୂରାଇ ନପାରି ଲଛମନର କାନ ଭାଁ-ଭାଁ ଡାକିଲା । ରମା ଅତୁଳ ସମ୍ପତ୍ତିର ଉତ୍ତରାଧିକାରିଣୀ ହେବ ? ପୁଣି ଯେ ଏ ଏକ ନୂଆ କଥା ଶୁଣିବାକୁ ପଡ଼ିଲା । ଲଛମନ ପ୍ରଶ୍ନ କଲା, ‘‘ଆଚ୍ଛା, ଆପଣ ଥାଆନ୍ତି କେଉଁଠି ?’’

 

-‘‘ରେଳବ୍ୟାଙ୍କ ରୋଡ଼ର ତୃତୀୟ ଗଳିର ଶେଷମୁଣ୍ଡ ଘରେ ।’’

-‘‘ଆପଣଙ୍କ ସହିତ କେହି ପିଲାପିଲି ଅଛନ୍ତି ?’’

-‘‘ନା, ପିଲାପିଲି କେହି ନାହାନ୍ତି; କେବଳ ମୋର ଗୋଟିଏ ଭଉଣୀ ଅଛି ।’’

 

-‘‘ବେଶ୍‌, ଆପଣଙ୍କଠାରୁ ମତେ ଦୁଇ-ଚାରିଦିନ ବିଦାୟ ନେବାକୁ ହେବ । ଆପଣ ଏ ଶବ ସଂସ୍କାର କରାନ୍ତୁ । ମୁଁ ଚାଲିଲି ରମାକୁ ଖୋଜିବା ଉଦ୍ଦେଶ୍ୟରେ । ଦେଖାହେବ ପୁଣି ସୁବିଧା ହେଲେ ।’’

 

‘‘ରମାକୁ ପାଇବ ?’’ – କହି ବୃଦ୍ଧ ମୂକ ପରି ଚାହିଁରହିଲେ ।

ତା ଆରଦିନ ସକାଳେ ଦୈନିକ ଖବରକାଗଜ ‘ରେଙ୍ଗୁନ୍‌ ମେଲ’ରେ ବାହାରିଲା –

 

            ‘‘ଭୀଷଣ ହତ୍ୟାକାଣ୍ଡ !!

ନଦୀଗର୍ଭରେ ସୁନ୍ଦରୀ ରମଣୀର ମୃତଦେହ

ହତ୍ୟାକାରୀ କିଏ, ଏପର୍ଯ୍ୟନ୍ତ ଜଣାଯାଇନାହିଁ ।

 

‘‘ଗତକାଲି ନଦୀଗର୍ଭରେ ଗୋଟିଏ ସୁନ୍ଦରୀ ରମଣୀର ମୃତ ଦେହ ଦେଖାପଡ଼ିଛି । ତାର ଚେହେରାରୁ ଯେତେଦୂର ଜଣାଯାଏ କୌଣସି ସଂଭ୍ରାନ୍ତବଂଶୀୟା କୁଳବାଳା ସେ । ସେ ନିଜେ ଆତ୍ମହତ୍ୟା କରିଥିବାର ପ୍ରଥମେ ଆଶଙ୍କା କରାଯାଇଥିଲା । ପରେ ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି ଯେ, କୌଣସି ଦୁରଭିସନ୍ଧି ରଖି ତାକୁ କିଏ ହତ୍ୟାକରି ପାଣିଭିତରକୁ ଫିଙ୍ଗିଦେଇଛି । ତାର ବକ୍ଷଦେଶରେ ଭୟଙ୍କର ଆଘାତ ହୋଇ ହୃତ୍‌ପିଣ୍ଡ ଫାଟିଯାଇଛି । ରମଣୀର ବୟସ ଅନ୍ଦାଜ ଚାଳିଶି ବର୍ଷ । ହାତରେ ଦୁଇପଟ ଲେଖାଏଁ ସୁନାକାଚ ଅଛି । ଗଳାରେ ଦୁଇଟି ହାର । ପରିଧେୟଖଣ୍ଡି ଶୁକ୍ଳପାଟ । କାଲି ରାତି ପାହାନ୍ତିଆ ପହରରେ ଏ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାରୀ କିଏ, ସେ ରମଣୀ କାହାର କୁଳବାଳା, ଏପର୍ଯ୍ୟନ୍ତ କିଛି ଜଣାଯାଇନାହିଁ ।’’

 

ସହରରେ ଟିକିଏ ଚହଳ ପଡ଼ିଗଲା । କେତେ ଲୋକ ଏହି ହତ୍ୟାକାଣ୍ଡର ବିଶେଷ ବିବରଣୀ ଜାଣିବାପାଇଁ ବ୍ୟାକୁଳ ହୋଇଉଠିଲେ ।

 

ଠିକ୍ ସନ୍ଧ୍ୟା ହେଲାପରେ ଲଛମନ ନଦୀକୂଳକୁ ଚାଲିଲା । ଏତେବର୍ଷ ଭିତରେ ସେ ତାର ପୂର୍ବ ସଂକେତ ସ୍ଥାନଟିର କଥା ଭୁଲି ନ ଥିଲା । ଜାହାଜରୁ ଓହ୍ଲାଇ ପ୍ରଥମେ ସେ ସେହିଠାରେ କିଛି ସମୟ ବିଶ୍ରାମ ନେଇଥିଲା । ଦିନକୁଦିନ ସହରର ପରିବର୍ତ୍ତନ ଘଟୁଛି; ନୂଆ ଘର ତୋଳା ହେଉଛି, ପୁରୁଣା ଘର ଭାଙ୍ଗୁଛି । ପାଞ୍ଚବର୍ଷ ଭିତରେ ନଦୀ କୂଳେ କୂଳେ ଘୋର ପରିବର୍ତ୍ତନ ହୋଇଯାଇଛି । କୂଳଯାକ ବୁଲି, କେତେ ସ୍ଥାନ ଦେଖି ଦେଖି ସେ ନିରାଶ ପ୍ରାଣରେ ଫେରିଆସିଥିଲା; ଆଜି ପୁଣି ଆଉ ଥରେ ଗଲା । ବୁଢ଼ା ଗଗନ ରଣସିଂହଙ୍କ ସହିତ ପରିଚୟ ଘଟିଲା ପରେ ରମାକୁ ପାଇବା ଆଶା ତାର ପ୍ରବଳ ହୋଇଉଠିଲା ।

 

ଏଥର ମଧ୍ୟ ଫେରିଲା; ମାତ୍ର ନିରାଶ ହେଲାନାହିଁ । ନୂଆ ନୂଆ କେତେ କୌଶଳ କଳ୍ପନା କରି ସେ ସହର ଭିତରକୁ ଚାଲିଲା । ରୋଜବ୍ୟାଙ୍କ ରୋଡ଼ର ଯେଉଁ ଗଳିରେ ଗଗନ ରଣସିଂହ ରହନ୍ତି ବୋଲି ଜାଣିଥିଲା ସେହି ଗଳି ପାଖାପାଖି ଯାଇ, ଜଣେ ଲୋକ ପିଣ୍ଡାରେ ବସି ମନେ ମନେ କେତେ କଥା ଭାବିଗଲା ।

 

ଏପରି ସମୟରେ ଗୋଟିଏ ଦରିଦ୍ର ଲୋକ ଉପରେ ତାର ଦୃଷ୍ଟି ପଡ଼ିଲା । ଲୋକଟି ନିତାନ୍ତ ବୃଦ୍ଧ, ବାଳସବୁ ଜଟାପରି ବଳିହୋଇ ପିଠିରେ ପଡ଼ିଛି । ଅଯତ୍ନପାଳିତ ଶ୍ମଶ୍ରୁରାଶି ବୁକୁକୁ ଘୋଡ଼ାଇ ରଖିଛି । ପରିଧେୟ ବସ୍ତ୍ର ମଧ୍ୟରେ ଖଣ୍ଡିଏ ନିତାନ୍ତ ମଇଳା ଲୁଗା ଏବଂ ଖଣ୍ଡିଏ କମିଜ । ଲୋକଟା କୌଣସି ଗୋଟାଏ ଗୁରୁତର ଅନୁସନ୍ଧାନରେ ଲିପ୍ତଥିବାର ଜଣାପଡ଼ୁଥିଲା । ତାକୁ ଦେଖିବାମାତ୍ରେ ଲଛମନ ମନରେ କାହିଁକି ସନ୍ଦେହ ଜାତ ହେଲା । ଗଗନ ରଣସିଂହଙ୍କ କଥା ଅନୁସାରେ ସେ ଯେଉଁ ଘରେ ଥିବା କଥା, ଏହି ଭିକାରି ବୁଢ଼ା ସେହି ଘରର ଝରକା ପାଖକୁ ଯାଇ ଖୁବ୍‌ ସାବଧାନରେ ଭିତରକୁ ଚାହୁଁଥିଲା । ପରମୁହୂର୍ତ୍ତରେ କିଛି ଆଶଙ୍କା କଲାପରି ଗଳି ଦାଣ୍ଡକୁ ପୁଣି ଫେରିଆସୁଥିଲା ।

 

ଲଛମନ ଉପରେ ଦୃଷ୍ଟି ପଡ଼ିଲାମାତ୍ରେ ସେ ଏପରି ଭାବ ଦେଖାଇଲା ଯେ ଯେପରି କୌଣସି ଗୁରୁତର ଅପରାଧରେ ସେ ଧରାପଡ଼ିଯାଇଛି । ସେ ସଙ୍ଗେସଙ୍ଗେ ଖୁବ୍‌ ଚଞ୍ଚଳ ଗତିରେ ଲଛମନ ବସିଥିବା ବାଟର ବିପରୀତ ଦିଗରେ ଖସି ଚାଲିଯିବାକୁ ବସିଲା । ଲଛମନ ଘୋର ସନ୍ଦେହରେ ହଠାତ୍‌ ବୁଲିପଡ଼ି ବୁଢ଼ା ପଛେ ପଛେ ଚାଲିଲା ।

 

ବୁଢ଼ା ଯେତେବେଳେ ୨୭ ନମ୍ୱର ଗଳିର ଗୋଟିଏ ହୋଟେଲ ଭିତରେ ପଶିଲା, ଲଛମନ ମନରେ ପୂର୍ବର ସନ୍ଦେହ ଆଉ ରହିଲାନାହିଁ । ଭାବିଲା କେହି ଗୋଟାଏ ଭିକାରି ଭିକ ମାଗିବୁଲୁଥିଲା । ତା’ପରେ ହୋଟେଲ ଭିତରେ ପଶି ଆଲୁଅରେ ତା ମୁହଁଟା ଦେଖି ମନେ ମନେ କହିଲା, ‘‘ବୃଥା ସମୟ ନଷ୍ଟ ।’’

 

ଏହା ଭାବି ଲଛମନ ସେ ହୋଟେଲ ଭିତରୁ ବାହାରିଆସୁଛି, ଦେଖିଲା, ଜଣେ କିଏ ବଡ଼ ବ୍ୟଗ୍ରତାର ସହିତ ସେହି ଘର ଭିତରକୁ ପଶିଯାଉଛନ୍ତି । ତାଙ୍କୁ ପଲକେମାତ୍ର ଦେଖି ଦୋଦୋଚିହ୍ନା ହେଲାପରି ସେ ଥକିପଡ଼ିଲା । ଗତକାଲି ଯାହାଙ୍କୁ ମାଡ଼ ମାରି ଘନ ରଣସିଂହଙ୍କ ଖବର ପାଇଥିଲା, ଏ ସେହି ଲୋକ କି ? ଲୋକଟା ଯେ ଛଦ୍ମବେଶୀ, ଘନ ରଣସିଂହଙ୍କୁ ଧରିବାପାଇଁ ଲାଗିଛି, ଏଥିରେ ଆଉ କିଛି ସନ୍ଦେହ ନାହିଁ । ସନ୍ଦେହରେ ପଡ଼ି ଲଛମନ ସେ ଘର ଭିତରକୁ ଆଉ ପଶିଲାନାହିଁ । ତରତର ହୋଇ ଗଳିର ଏକ ଅନ୍ଧାରିଆ ସ୍ଥାନରେ ନିଜର ଭଦ୍ରଲୋକ ବେଶଟି ବଦଳାଇ ଦେଇ ସୁନ୍ଦର ନାଉରୀ ବେଶଟିଏ ପକାଇଲା । ତାପରେ ଧୀରେ ଧୀରେ ମଦ ଖାଇଲାପରି ଢଳି ଢଳି ନାନା ଅସଂଯତ କଥା ଗପି ଗପି ଘର ଭିତରେ ପ୍ରବେଶ କଲା । ସେ ଗଲାବେଳକୁ ବୁଢ଼ା ସାଙ୍ଗରେ ଛଦ୍ମବେଶୀଙ୍କ ଆଳାପ ଆରମ୍ଭ ହୋଇଯାଇଛି । ମଦ ଗ୍ଲାସରୁ ଅଧେ ପିଇ, ଅଧେ ହାତରେ ଧରି ସେ ତାହା ସଙ୍ଗରେ କଥା ହେଉଛନ୍ତି – ‘‘ଆଉ ଟିକିଏ ପିଅ ।’’

 

ବୁଢ଼ା କିପରି କଠୋର ଚାହାଣିରେ ସେ ଲୋକ ଆଡ଼କୁ ଚାହିଁ କହିଲା, ‘‘ନା, ମୁଁ ଆଉ ପିଇବି ନାହିଁ ।’’ ସେତେବେଳକୁ ଲଛମନ ନିକଟସ୍ଥ ଏକ ସ୍ଥାନରେ ଘୂମେଇଲା ପରି ରହି ସବୁ କଥା ଶୁଣୁଥାଏ ।

 

ଛଦ୍ମବେଶୀ ପଚାରିଲେ, ‘‘କାଇଁକି ପିଇବ ନାହିଁ ? ଏ ତ ବେଶି କିଛି ନୁହେଁ ।’’

-‘‘ମୋ ପକ୍ଷରେ ଏତିକି ଯଥେଷ୍ଟ, ମତେ ଆଉ ବଳାଅ ନାହିଁ ।’’

-‘‘ତୁମେ ଭାବୁଛ, ମୁଁ ଜଣେ ନୂଆ ଲୋକ, ନା ?’’

-‘‘ହଁ ଭାବୁଛି ତ – ଆଉ ତୁମେ କଣ କି ?’’

-‘‘ଏ ପର୍ଯ୍ୟନ୍ତ ମୋତେ ଚିହ୍ନି ପାରିନାହଁ ?’’

-‘‘ନା ।’’

 

-‘‘ଅନେକ ଦିନ ତଳେ ତମର ମୋର ପରିଚୟ ଥିଲା- ମନେପଡ଼ୁନାହିଁ ?’’

 

ବୁଢ଼ା ଦାନ୍ତ ଚିପି ହସିଉଠିଲା । କହିଲା, ‘‘ତମର ମୋର ପରିଚୟ ? ମୋର ତ ଆଦୌ ମନେପଡ଼ୁନାହିଁ । ମୋ ପରି ଜଣେ ବୁଲା ଭିକାରିକୁ ତୁମେ କାହିଁକି ବନ୍ଧୁଲେଖା କରୁଛ, ମୁଁ ବୁଝିପାରୁନାହିଁ ।’’

 

-‘‘ଜାଣିଛି ବୋଲି ବନ୍ଧୁଲେଖା କରୁଛି । ତୁମେ ଯେ ଦିନେ ବଡ଼ଲୋକ ଥିଲ, ସୁଖ-ଶାନ୍ତିରେ ଥିଲ, ନୁହେଁ ?’’

 

ବୁଢ଼ା କିପରି ଟିକିଏ ରାଗିକରି କହିଲା, ‘‘ସେସବୁ ଚାଲାକି ମୋ ପାଖରେ ଖେଳି କିଛି ଲାଭ ନାହିଁ । ତୁମେ କୌଣସି ଅନ୍ୟ ଅଭିପ୍ରାୟରେ ଏଠାକୁ ଆସି ମୋ ସଙ୍ଗରେ ଏପରି କଥା ହେଉଛ । ମୁଁ ମୋର କୁଡ଼ିଆକୁ ଯାଉଛି । ତୁମର ଏତେ ବକାବକି କରିବା ଦରକାର ନାହିଁ ।’’ – ଏହା କହି ବୁଢ଼ା ଯେତେବେଳେ ଯିବାପାଇଁ ଠିଆହେଲା, ସେ ଲୋକଟି ତାର ହାତ ଟାଣିଧରି ବସାଇବାକୁ ଚେଷ୍ଟା କରି କହିଲେ, ‘‘ବସ, ବସ, ମୋହନ ରଣସିଂହ ।’’

 

ଏ ସମ୍ୱୋଧନ ଶୁଣି ବୁଢ଼ା ମୁହଁରେ ଭାବର କିଛି ପରିବର୍ତ୍ତନ ହେଲାନାହିଁ । କେବଳ ସେ ଏତିକି କହିଲା- ‘‘ତୁମେ ମୋତେ ଭୁଲ୍‌ ବୁଝିଛ ।’’

 

-‘‘ମୁଁ ଭୁଲ୍ ବୁଝିଛି, ନା ତୁମେ ଭୁଲ୍‌ କହୁଛ ?’’

-‘‘ତୁମେ ଭୁଲ୍‌ ବୁଝିଛ । ମତେ ତମେ ମୋହନ ରଣସିଂହ ବୋଲି ଡାକୁଛ ?’’

 

ସେ ଲୋକ ଟାଣ ସ୍ୱରରେ କଥା ଆରମ୍ଭ କରି ଉତ୍ତରଦେଲେ, ‘‘ତୁମେ କ’ଣ ସାହସରେ କହିପାରିବ, ତୁମେ ମୋହନ ରଣସିଂହ ନୁହଁ ବୋଲି ?’’

 

-‘‘ସାହସରେ ନ କହିବି ବା କାହିଁକି ? ମୁଁ ଖୁବ୍‌ ସାହସର ସହିତ କହିପାରୁଛି, ତୁମକୁ ମୁଁ ଜାଣେନାହିଁ । ତୁମେ ମୋର କେବେ ହେଲେ ବନ୍ଧୁ ନଥିଲ । ଏସବୁ ତୁମର ଚାଲାକି । ତୁମେ ଛଦ୍ମବେଶରେ ଏଠାକୁ ଆସିଛ । ତୁମ ଉପରେ ମୋର ସନ୍ଦେହ ହେଉଛି । ଛାଡ଼, ଛାଡ଼, ମୁଁ ଯାଏ ।’’

 

(୮)

ବୁଢ଼ାର ଯିବାକଥା ଶୁଣି ଛଦ୍ମବେଶୀ ଭଦ୍ରଲୋକ ମୁଚିକିହସା ଦେଇ କହିଲେ, ‘‘ସେ କିପରି ହେବ ବୁଢ଼ା, ଯାଉଛ କୁଆଡ଼େ ? ବସ ନା !’’

 

-‘‘ନା, ମୁଁ ବସିପାରିବି ନାହିଁ ।’’

‘‘ବସିବାକୁ ହେବ’’- ଏତିକି କହି ସେ ଲୋକ ବୁଢ଼ା ଆଡ଼କୁ କଟମଟ କରି ଚାହିଁଲେ ।

-‘‘ତୁମର କି ଅଧିକାର ଅଛି ମୋତେ ବାଧ୍ୟକରି ବସାଇବ ? ତୁମଠାରୁ ମୁଁ ଅଧଲାଏ ଧାରେନାହିଁ ।’’

ଛଦ୍ମବେଶୀ ଅପେକ୍ଷାକୃତ କୋମଳ କଣ୍ଠରେ କହିଲେ, ‘‘ତୁମକୁ କେତେଗୁଡ଼ିଏ କଥା କହିବାକୁ ଅଛି ।’’

-‘‘ମୁଁ କଥା ଶୁଣିବାକୁ ଇଚ୍ଛାକରେନାହିଁ ।’’

ଛଦ୍ମବେଶୀ ଏହିଠାରେ କଠୋର ସ୍ୱରରେ କହିଲେ, ‘‘ତୁମକୁ ଏଠି ବସିବାକୁ ହେବ ।’’

ବୁଢ଼ା କଥାକୁ ଆଦୌ କାନେଇଲାନାହିଁ । ସେ ପୁଣି କହିଲେ, ‘‘ବସିବ ନାହିଁ ?’’

 

ବୁଢ଼ା ସେହିପରି ଧୀରଭାବରେ ଠିଆହୋଇ ରହିଲା; କିନ୍ତୁ ତାର ଆଖି ଦୁଇଟି କ୍ରମେ କ୍ରମେ ଆରକ୍ତ ହୋଇଆସୁଥିଲା । କହିଲା- ‘‘ନା, ମୁଁ କଦାଚ ବସିବିନାହିଁ ।’’

 

ଛଦ୍ମବେଶୀ ଉଠିପଡ଼ି ଯେତେବେଳେ ବୁଢ଼ାର ଦୁଇ କାନ୍ଧରେ ହାତପକାଇ ବସାଇଦେବାକୁ ଚେଷ୍ଟା କଲେ, ବୁଢ଼ା ଖୁବ୍‌ ଜୋର୍‌ରେ ତାଙ୍କୁ ଛିଞ୍ଚାଡ଼ିଦେଲା । ସେ ଲୋକ ଅପଦସ୍ଥ ହୋଇ ଗର୍ଜନ କରି କହିଲେ, ‘‘ସାବଧାନ, ତୁମେ ପାଗଳ ହୋଇ ବୁଲୁଛ ।’’

 

ରାତି ସେତେବେଳକୁ ଏଗାରଟା । ହୋଟେଲରୁ ଗହଳଚହଳ ଭାଙ୍ଗିଆସିଛି । ପାପର ବଜାର ମେଲାଇ ଯେ କେତୋଟି ହତଭାଗିନୀ ସେଠାରେ ଥିଲେ, ସମସ୍ତେ ଆସି ଜମାହୋଇଗଲେ । ହୋଟେଲ ମାଲିକ ବିଚରା ଏ କାଣ୍ଡ ଦେଖି ଅବାକ୍‌ !

 

ନାଗସାପ ଦେହରେ ବାଡ଼ି ବାଜିଲେ ସେ ଯେପରି ଫଣା ଟେକି ଫଁ-ଫଁ ହୋଇଉଠେ, ବୁଢ଼ା ସେହିପରି ମୁଣ୍ଡ ଟେକି କହିଲା, ‘‘ସାପ ସଙ୍ଗରେ ଖେଳିବାକୁ ସାହସ କରନାହିଁ । ମୁଁ ଦୁର୍ବଳ ବୁଢ଼ା, ଭିକମାଗି ବୁଲେ । କିନ୍ତୁ ନିଜକୁ ରକ୍ଷାକରିବାପାଇଁ ମୋଠାରେ ଯଥେଷ୍ଟ ଶକ୍ତି ଅଛି । ଏହି ଦେଖ୍‌ ଛୁରା । ଆଉ ଥରେ ଏ ଦେହରେ ହାତଦେଲେ, କହି ରଖୁଛି, ମରଣକୁ ବରଣ କରି ଆଣିଲାପରି ହେବ ।’’

 

ଛଦ୍ମବେଶୀ ଟିକିଏ ଅବହେଳାରେ ହସିଦେଇ କହିଲେ – ‘‘ମୋତେ ଭୟ ଦେଖାଉଛ ?’’

 

-‘‘ଭୟ କାହିଁକି ଦେଖାଇବି ? ନିଜକୁ ରକ୍ଷା କରିବାକୁ ଦରକାର ପଡ଼ିଲେ ଏହି ହାତରେ ଏହି ଛୁରୀ ତୁମ ବୁକୁରେ ବସାଇଦେଇପାରିବି ।’’ – ଏହା କହି ବୁଢ଼ା ଅଣ୍ଟା ପାଖରୁ ଏକ ଚକ୍‌ଚକ୍‌ ଛୁରା କାଢ଼ି ହାତରେ ଧଇଲା ।

 

ଏତିକିବେଳେ ଲଛମନ ଦେଖିଲା, ଅବସ୍ଥା ଗୁରୁତର ହୋଇଉଠିଛି । ବୁଢ଼ାର କଥାବାର୍ତ୍ତା ଢଙ୍ଗଢାଙ୍ଗରୁ ତା ମନ ଗୁରୁତର ସନ୍ଦେହରେ ଆନ୍ଦୋଳିତ ହେବାକୁ ଲାଗିଲା । ମଦୁଆଙ୍କ ପରି ସେ ଢଳି ଢଳି ଯାଇ ସେହି ଦୁହିଙ୍କ ମଧ୍ୟରେ ଠିଆହୋଇପଡ଼ିଲା । ଛଦ୍ମବେଶୀ ସେତେବେଳକୁ ବିବ୍ରତ ହୋଇପଡ଼ିଲେଣି । ଲଛମନ ବୁଢ଼ା ଆଡ଼କୁ ପିଠିକରି ଠିଆହୋଇ କହିଲା, ‘‘ଚୋର !’’

 

ଏହି ପଦକୁ ଶୁଣି ଛଦ୍ମବେଶୀ ଭଦ୍ରଲୋକ ଉତ୍ତେଜିତ ହୋଇ କହିଉଠିଲେ, ‘‘ଚୋର ! ମୁଁ ଚୋର, ନା ତୁମେ ଚୋର ?’’

-‘‘ମୁଁ ? ମୁଁ ଭଦ୍ରଲୋକ । ତୁମେ ଏ ବୁଢ଼ାଲୋକ ସଙ୍ଗରେ ଡକାଏତି କରିବାକୁ ବସିଛ ।’’ – ଏ ପଦକ କହୁ ନ କହୁ ଲଛମନ ବଜ୍ରମୁଷ୍ଟିରେ ଏପରି ଏକ ପ୍ରହାର ତାଙ୍କ ମୁଣ୍ଡରେ ଦେଲା ଯେ, ସେ ଗଛ କାଟିଲାପରି ତଳେ ଛେଚିହୋଇ ପଡ଼ିଗଲେ । ତା’ପରେ ଲଛମନ ବୁଢ଼ାକୁ ଚାହିଁ କହିଲା, ‘‘ଯାଅ, ଏବେ ବାଟ ପରିଷ୍କାର; ଚାଲିଯାଅ ।’’

 

ବୁଢ଼ା ମୁହୂର୍ତ୍ତକେ କୁଆଡ଼େ ଅଦୃଶ୍ୟ ହୋଇଗଲା । ଗୋଇନ୍ଦାବାବୁ ଆହତ ଜୀବପରି ବେକ ଭାଙ୍ଗି ଉଠିଲାବେଳକୁ ଅଣ୍ଟାରେ କସିକରି ଆଉ ଏକ ପାହାର ବସିଲା । ତୃତୀୟ ଥରକୁ ସେ ଉଠିଲାବେଳକୁ ଲଛମନର ଆଉ ପତ୍ତା ନାହିଁ ।

 

ଲଛମନ ଦାଣ୍ଡକୁ ବାହାରିପଡ଼ି ଖୁବ୍‌ ତରତର ଭାବରେ ଖଣ୍ଡେଦୂର ଯାଇ ଦେଖିଲା, ବୁଢ଼ା ଏକମୁହାଁ ଚାଲିଛି । ହୋଟେଲ ଭିତରେ ବୁଢ଼ାର ମୁହଁକୁ ବାରମ୍ୱାର ଚାହିଁ ଚାହିଁ ସେ ଏକପ୍ରକାର ସିଦ୍ଧାନ୍ତରେ ପହଞ୍ଚିଲା, ଘନ ରଣସିଂହ ଛଡ଼ା ଏ ବୁଢ଼ା ଆଉ କେହି ନୁହେଁ । କିନ୍ତୁ ନବାଗତ ଯେ ମୋହନ ରଣସିଂହ ବୋଲି ସମ୍ୱୋଧନ କଲା ! ସେ ଯାହାହେଉ, ଗଳି ଭିତରେ ପଶି ହଠାତ୍‌ ଯାଇ ତା ସଙ୍ଗେ ଆଳାପ କରିବାକୁ ସେ ଇଚ୍ଚା କଲାନାହିଁ । ତାର ଅନୁମାନ କେତେଦୂର ସତ୍ୟ, ଏ ବିଷୟରେ ସନ୍ଦେହ ମଧ୍ୟ ହେଲା । ଚିନ୍ତାଭାରାକ୍ରାନ୍ତ ପ୍ରାଣରେ ସେ ଧୀରେ ଧୀରେ ତାକୁ ଅନୁସରଣ କରିବାକୁ ଲାଗିଲା । ନାନା ବିଚିତ୍ର ଚିନ୍ତାରେ ତା ହୃଦୟ-ସାଗର ଉଦ୍‌ବେଳିତ । ପାଞ୍ଚବର୍ଷ ତଳେ ରାତିରେ ପୁଲିସ ହାତରୁ ରମାକୁ ଉଦ୍ଧାର କରିବାଠାରୁ ଏପର୍ଯ୍ୟନ୍ତ କେତେ ରାତି ଗଲାଣି; କିନ୍ତୁ ସେ ଗୋଟିଏ ରାତି – ଆଜି ଏ ଗୋଟିଏ ରାତି । ଏଥିମଧ୍ୟରେ ତା ମନୋନୟନକୁ ଆଉ କିଛି ଫାଙ୍କ ଦେଖାଗଲାନାହିଁ । ତାର ବେଦନାକ୍ଳିଷ୍ଟ ଅନ୍ତଃସ୍ଥଳକୁ ଚହଲାଇଦେଇ ଦୁଇଟି ଛବି ଖେଳିଉଠିଲା – ଗୋଟିଏ ଘନ ମତୁଆଳ; ଆରଟି ସାହସିନୀ ରମା ।

 

ଚାରି-ଛଅଟା ଗଳି ପାର ହେଲାପରେ ବୁଢ଼ା ଯାଇ ଗୋଟିଏ ଛୋଟିଆ ଦୋମହଲା ପକ୍କାଘରର ହତାଭିତରେ ପହଞ୍ଚିଲା । ନିବିଡ଼ ଅନ୍ଧକାର ଭିତରେ ମଧ୍ୟ ଘରଟା ବେଶ୍‌ ବାରିହେଉଥିଲା । ବୁଢ଼ା ଘରଭିତରେ ପଶିଗଲା; କିନ୍ତୁ ଲଛମନ କରିବ କ’ଣ ?

 

ସେ ଘର ଭିତରକୁ ଯିବାକୁ ଲଛମନର ସାହସ ହେଲାନାହିଁ । ଯେବେ ଚୋର ବା ଡକାଏତ ବୋଲି ଧରାପଡ଼ିବ, ତେବେ ସବୁ କଳ୍ପନା ମାଟି ହେବ । ରମା ସଙ୍ଗେ ଦେଖାହେବନାହିଁ, କି ଘନ ବୁଢ଼ା ସଙ୍ଗେ କଥା ହେବା ସମ୍ଭବ ହେବନାହିଁ; ଜୀବନର ଏପର୍ଯ୍ୟନ୍ତ ସକଳ ରହସ୍ୟ ଅଜ୍ଞାତ ରହସ୍ୟ-ଗର୍ଭରେ ଲୀନହୋଇଯିବ । କିନ୍ତୁ ଏତେବେଳେ ବୁଢ଼ା ସଙ୍ଗେ କଥା ନହେଲେ ଆଉ ଭେଟ ହେବାର ବା ଉପାୟ କ’ଣ ? ବହୁତ ଭାବିଚିନ୍ତି, ସବୁ ବିପଦକୁ ସାହସରେ ବରଣକରି ସେ ଶେଷକୁ ଘରଭିତରେ ପାଦ ଦେଲା । ତାର ହୃଦୟତନ୍ତ୍ରୀ ଅଜ୍ଞାତ ଉତ୍ତେଜନାରେ ଥରିଉଠୁଥିଲା, ରମାକୁ ପାଇବା ଆଶା କ୍ଷଣକୁକ୍ଷଣ ବଳବତ୍ତର ହୋଇ ତାର ସମସ୍ତ ଶିରାପ୍ରଶିରାରେ ବିଦ୍ୟୁତ୍‌ ଖେଳିଯାଉଥିଲା । ଖୁବ୍‌ ସାବଧାନରେ ଉପର ମହଲାର ଗୋଟିଏ ଶିଡ଼ିରେ ଯାଇ ପାଦ ଦେଲା । ଶିଡ଼ିଟି ନିତାନ୍ତ ଅଣଓସାରିଆ – ଜଣେ ଗଲାବେଳେ ଆଉ ଜଣେ ସେବାଟେ ଫେରିଆସିବା ଅସମ୍ଭବ । ଅନ୍ଧକାରରେ ପାଦ ଦରାଣ୍ଡି ଦରାଣ୍ଡି ଯେତେବେଳେ ଗୋଟିଏ ଝରକା ପାଖରେ ଯାଇ ପହଞ୍ଚିଲା, ଦେଖିଲା, ଘରଭିତରେ ଲଣ୍ଠନଟିଏ ଜଳୁଛି, ପାଖରେ ସେହି ବୁଢ଼ା ଖଟଉପରେ ମୁହଁମାଡ଼ି ପଡ଼ିରହିଛି । ତା ପାଖକୁ ଲାଗି ଗୋଟିଏ ପୁରୁଣା ଚୌକି । କେଉଁକାଳର ଏକ ପୁରୁଣା ଟେବୁଲ ଉପରେ ଲଣ୍ଠନଟିଏ ଥୁଆ । ଜଣାପଡ଼ୁଥିଲା, ଘରଟି ଭଡ଼ାଟିଆ ଘର ।

 

ପୁଣି ଏକ ମହାସମସ୍ୟା । କିପରି ସାହସରେ ଯେ ଲଛମନ ଘର ଭିତରେ ପଶି କଣ ବୋଲି ବୁଢ଼ା ଆଗରେ ପରିଚୟ ଦେଇ ଦେଖାଦେବ, ଠିକ୍‌ କରିପାରିଲାନାହିଁ । ବୁଢ଼ାର ମତିଗତି ଯେପରି ସେ ଦେଖିଥିଲା, ସେଥିରେ ସେ ଯେବେ ତାକୁ ଦେଖିଲାମାତ୍ରେ ଚିତ୍‌କାର କରିଉଠେ, ତେବେ ବିପଦର ଆଉ ସୀମା ରହିବନାହିଁ ।

 

ପାଞ୍ଚ ମିନିଟ, ଦଶ ମିନିଟ, ପନ୍ଦର ମିନିଟ କଟିଗଲା । କ୍ରମେ ନିଶା ଗର୍ଜିଆସିଲା । ଲଛମନ ଦେଖିଲା, ବୁଢ଼ା ମୁହଁ ଟେକି ଖଟରୁ ଆଉ ଉଠିଲାନାହିଁ । ବଡ଼ ସନ୍ଦିଗ୍‌ଧ ହୃଦୟରେ ପାଦ ଚିପିଚିପି ଯାଇ ଖଟପାଖରେ ଠିଆହେଲା । ତଥାପି ବୁଢ଼ାର ବାହ୍ୟ ଚେତନା ହେଲାନାହିଁ । ଅଣନିଶ୍ୱାସୀ ହୋଇ ଏ ତା ଦେହରେ ହାତମାରିଦେଲା । ବୁଢ଼ା ଚମକିଉଠି ମୁହଁ ଟେକୁ ନ ଟେକୁଣୁ ଲଛମନ ତା ପାଟିରେ ହାତଟା ଦେଇ ଭୟ-ବ୍ୟାକୁଳ ଚିତ୍‌କାରରୁ ରକ୍ଷାପାଇବାପାଇଁ କହିଲା, ‘‘ଭୟକରନାହିଁ, ମୁଁ ତୁମର ଜଣେ ବନ୍ଧୁ ।’’

 

ମୁହୂର୍ତ୍ତେ କାଳ ବୁଢ଼ା ବଲବଲ ଚାହିଁରହିଲା – କିଛି ବୁଝିପାରିଲା ନାହିଁ । ତା’ପରେ ଲଛମନ ଯେତେବେଳେ ଚୌକିଟା ଟାଣିନେଇ ବସିପଡ଼ି କହିଲା, ‘‘ସେ ବଦ୍‌ମାସକୁ ବେଶ୍‌ ଶାସ୍ତି ହୋଇଛି’’ – ବୁଢ଼ାର ଜ୍ଞାନ ଆସିଲା ଯେ, ସେ କେତେବେଳେ ବଜାରରୁ ଆସି ନିଜ ଘରେ ଖଟରେ ଶୋଇଛି । ଘରର ତଳ ଉପରକୁ ଭଲକରି ଚାହିଁ ତା’ପରେ ଲଛମନକୁ ପ୍ରଶ୍ନ କଲା, ‘‘ଓହୋ ତୁମେ ? ମୋ ପଛେ ପଛେ ବୋଧହୁଏ ଆସିଛ – କଥା କଣ ?’’

 

-‘‘ତୁମକୁ କେତେଗୁଡ଼ିଏ କଥା ପଚାରି ବୁଝିବାର ଅଛି ।’’

 

ହୋଟେଲରେ ବୁଢ଼ା ଯେପରି ତେଜିଉଠିଥିଲା, ସେହିପରି ତେଜିଉଠି ଚଢ଼ା ଗଳାରେ କହିଲା, ‘‘ଦେଖୁଛି, ତୁମେ ମଧ୍ୟ ତା’ରି ସାଙ୍ଗର ଜଣେ ।’’ ଏହା କହି ବୁଢ଼ା ଉଠି ଠିଆହେବାକୁ ଚେଷ୍ଟାକଲା । ଲଛମନ ମନରେ ଭୟହେଲା, କାଳେ ବୁଢ଼ା ଛୁରାରେ ହାତପକାଇ ତାକୁ ଆକ୍ରମଣ କରିବସିବ । ସେ ହଠାତ୍‌ ଭଦ୍ରଭାବରେ ବୁଢ଼ାର ହାତ ଦୁଇଟି ଧରି କହିପକାଇଲା, ‘‘ତୁମେ ଭୁଲ୍‌ ବୁଝିଛ ବୁଢ଼ା, ଭୁଲ୍‌ ବୁଝିଛ । ମୁଁ ପୁଲିସ ନୁହେଁ କି ପୁଲିସର ସାଙ୍ଗସାଥୀ ନୁହେଁ । ମୁଁ ଆସିଛି ରମା ବିଷୟରେ କିଛି ପଚାରିବାକୁ ।’’

 

ଶେଷପଦକ ଶୁଣି ଅଣନିଶ୍ୱାସୀ ହେଲାପରି ବୁଢ଼ା ସେହିଠାରେ ମୁହୂର୍ତ୍ତେ କାଠପରି ବସିରହିଲା । କେତେବର୍ଷ ହେଲା ସେ ସଂସାରର କାହା ମୁହଁରୁ ‘ରମା’ ଶବ୍ଦ ଶୁଣିନଥିଲା । ଥରଥର କଣ୍ଠରେ କହିଲା, ‘‘ରମା ? ରମା କିଏ ?’’

 

-‘‘ବୁଢ଼ା, ତୁମର ସେହି ସ୍ନେହର ପିତୁଳି ରମା । ଭୁଲିଗଲ କି ?’’

କପୋଳଦେଶ କୁଞ୍ଚିତ କରି ବୁଢ଼ା ପଚାରିଲା- ‘‘ତୁମେ କିଏସେ ? ତୁମେ ଏ କଥା ଆସି ପଚାରୁଛ ?’’

-‘‘ଚିହ୍ନିପାରୁ ନାହଁ । ପିଲା ଥିଲି, ସେତେବେଳେ ଦେଖିଥିଲ । ଏବେ ଚିହ୍ନିବା ଅସମ୍ଭବ ।’’

 

-‘‘ତୁମ ନାଁ ?’’

-‘‘ମୋ ନାଁ ଲଛମନ । ଏବେ ଚିହ୍ନିଲ ?’’

 

ବୁଢ଼ା ଶିଥିଳ ପଲକକୁ କୁଞ୍ଚିତ କରି ଲଛମନ ମୁହଁକୁ ଭଲକରି ଚାହିଁ ବିଚଳିତ ସ୍ୱରରେ କହିଲା, ‘‘ଓହୋ, ଲଛମନ, ଲଛମନ ? ତୁମେ ସେହି ଲଛମନ ? ଜାଣିଲି, ବୁଝିଲି । ତୁମେ ସେହି ବଦ୍‌ମାସ ଲଛମନ ? ମୋ କୋଳରୁ ମୋ ରମାକୁ ତୁମେ ଚୋରିକରି ନେଇ ପଳାଇଥିଲ ?’’ ଆହତ ମୁମୂର୍ଷୁ ବାଘପରି ବୁଢ଼ା ଗର୍ଜି ଉଠି ପୁଣି କହିଲା, ‘‘ପୁଣି ଆଜି ମୋ ଘରେ ଡକାଏତି କରିବାକୁ ହାଜର ! ଆସିଲୁ ତ, ମୋ ରମା କାହିଁ ? ମୋ ରମାକୁ ମୋତେ ଦେଖା !’’

 

ଜଣାପଡ଼ିଲା, ବୁଢ଼ା ଯେପରି ପାଗଳ ହୋଇଗଲା । ସେ ଭୟଙ୍କର ଚିତ୍‌କାର, ବିକଟ ସ୍ୱରରେ ଲଛମନ ମନରେ ଆତଙ୍କ ପହଞ୍ଚିଗଲା । କହିଲା – ‘‘ବୁଢ଼ା ପାଗଳ ହେଲ କି ? କଥା ଶୁଣ, ମୁଁ ସେହି କଥା କହିବାକୁ ତୁମପାଖକୁ ଆସିଛି ।’’

 

-‘‘ପାଗଳ ବୋଲି କହୁଛୁ ? ଆଜି ନୁହେଁ, ଆଜିକି ପନ୍ଦରବର୍ଷ ହେଲା ପାଗଳ ! ସେ ପାଗଳାମି କିନ୍ତୁ ବାଧି ନଥିଲା । ରମା ମୋତେ ପାଗଳ କରିଦେଇଗଲା – ମୋ ପ୍ରାଣକୁ ଓଟାରିନେଇଗଲା । ତୁ ରାକ୍ଷସ ମୋ ରମାକୁ ପ୍ରାଣରେ ରଖିଛୁ କି ନାହିଁ କହ; ନହେଲେ ଏହିଠାରେ ମୋ ପାଗଳ ଜୀବନ ଶେଷହେବ ।’’ ଏହା କହି ବୁଢ଼ା ପୁଣି ଉଠିପଡ଼ିବାକୁ ଚେଷ୍ଟାକଲା ।

 

ଲଛମନ ମହା ସଙ୍କଟରେ ପଡ଼ିଲା । କିପରି ଭାବରେ ଯେ ବୁଢ଼ାକୁ ଶାନ୍ତକରିବ, ତା ମନରୁ ସକଳ ସନ୍ଦେହ ଦୂରକରାଇବ, ବୁଝିପାରିଲାନାହିଁ । ବୁଢ଼ାର ହାତ ଛାଡ଼ିଦେଇ ନିଜ ପକେଟରେ ଥିବା ଗୋଟାଏ ପୁଡ଼ା କାଢ଼ି ଟେବୁଲ ଉପରେ ରଖି କହିଲା, ‘‘ଏହି ତୁମ ରମାର କିଛି ସମ୍ପତ୍ତି, ନିଅ ।’’

 

ବୁଢ଼ାର ଦୃଷ୍ଟି ସେହି ପୁଡ଼ା ଉପରେ ପଡ଼ିବାବେଳକୁ ମନରୁ କ୍ରୋଧର ପ୍ରକୋପ ଟିକିଏ କମିଆସିଲା । କଥା କ’ଣ କିଛି ବୁଝିନପାରି ପଚାରିଲା, ‘‘ରମାର ସମ୍ପତ୍ତି, ତେବେ ରମା କୁଆଡ଼େ ଗଲା ?’’

 

ପାଞ୍ଚବର୍ଷ ତଳେ ଲଛମନ ଜାହାଜରେ ଦୂର ଦେଶକୁ ପ୍ରବାସୀ ହୋଇ ବାହାରିବା ଆଗରୁ ଥାନାର ଗାରଦଘର ଭିତରେ ରମା ତାକୁ ଯେ ଟଙ୍କାତକ ଦେଇଥିଲା, ଏ ସେହି ଟଙ୍କା, ଗୋଟିଏ ପୁଡ଼ିଆରେ ବନ୍ଧା । ପ୍ରବାସ ଜୀବନର ପରମ ସ୍ମୃତିରୂପେ ସେ ତାକୁ ଆଜିଯାଏ ପାଖେ ପାଖେ ରଖିଥିଲା । ବୁଢ଼ା ଯେତେବେଳେ ଏଥିର କାରଣ ପଚାରିବସିଲା, ଲଛମନ ଗୋଟି ଗୋଟି କରି ପାଞ୍ଚବର୍ଷ ତଳର ସକଳ କଥା କହିଦେଲା । ବୁଢ଼ାର ମନ-ଗଗନରେ ଯେ ଘନଘୋର ଶ୍ରାବଣ-ଘଟା ଘୋଟିରହିଥିଲା, ତାହା କ୍ରମେ ଲୀନ ହୋଇଆସିଲା । ସେ ଥରେ ଟଙ୍କାପୁଡ଼ାକୁ ଚାହିଁ, ଥରେ ଲଛମନ ମୁହଁକୁ ଚାହିଁ ପଚାରିଲା, ‘‘ସତ କହୁଛ ଲଛମନ, ମୋ ରମାକୁ ତୁମେ ଆଉ ଦେଖିନାହଁ ?’’

 

-‘‘ନା ଦେଖିନାହିଁ । ଖାଲି ଦେଖିନାହିଁ ନୁହେଁ, ଗତ କେତେଦିନ ହେଲା ଖୋଜି ଖୋଜି ଏ ପର୍ଯ୍ୟନ୍ତ ଭେଟ ପାଇନାହିଁ । କିନ୍ତୁ ମୁଁ...’’

 

-‘‘ତୁମେ ଆସିଲ କେଉଁଠୁ ?’’

-‘‘ମୁଁ ଏ ସହରରେ ନ ଥିଲି । ସେହି ରାତିଠାରୁ ମୁଁ ଜାହାଜ ଚଢ଼ି ସିଙ୍ଗାପୁର ଗଲି ଯେ, ସେଠାରୁ ବୋର୍ଣ୍ଣିଓ, ମାଳୟପୁଞ୍ଜ, ବିଶାଖାପାଟଣା, ଗୋପାଳପୁର ହୋଇ ପାଞ୍ଚବର୍ଷ ପରେ ପୁଣି ସହରକୁ ଫେରିଲି ।’’

 

-‘‘ତେବେ କ’ଣ ତୁମେ ସତ କହୁଛ, ମୋ ରମାକୁ ଚୋରାଇ ନେଇନାହଁ ?’’

 

-‘‘ମୋତେ ବିଶ୍ୱାସ କର । ମୁଁ ତୁମକୁ ଠକୁନାହିଁ । ଠକୁଥିଲେ ମୁଁ ଏପରି ଅବସ୍ଥାରେ ଏଠାକୁ ଆସି ପରିଚୟ ଦେଇ ନଥାନ୍ତି, କି ପରିଚୟ ନେଇ ନ ଥାନ୍ତି ।’’

 

ବୁଢ଼ା ପ୍ରାଣର ବ୍ୟାକୁଳତା ଘନ ଘନ ବଢ଼ିଲା । ପଚାରିଲା, ‘‘ସତ କହ ଲଛମନ, ମୋ ରମା କ’ଣ ଜୀବନରେ ଅଛି ?’’

-‘‘ମୋର ବିଶ୍ୱାସ, ଏ ସହରରେ ସେ ଅଛି ।’’

 

-‘‘ଅଛି ! ଅଛି ଲଛମନ !’’ ଏହା କହି ବୁଢ଼ା ବାଷ୍ପଗଦ୍‌ଗଦ କଣ୍ଠରେ ଆଉ ପଦେ ସୁଦ୍ଧା କଥା ଉଚ୍ଚାରଣ କରିପାରିଲାନାହିଁ । ଲୋତକରେ ତାର ଚକ୍ଷୁ ଦୁଇଟି ଢଳଢଳ ହୋଇଗଲା; ସବଳ ଚାହାଣିର ପ୍ରତି ପଲକରେ ବ୍ୟାକୁଳତା ଫୁଟିଉଠିଲା । କହିଲା, ‘‘ଲଛମନ, ରମାକୁ ମୋର ଆଣିଦିଅ, ଲଛମନ ! ମୁଁ ଆଉ ଜିଇପାରିବି ନାହିଁ । ଉପରେ ଭଗବାନ୍‌ଙ୍କୁ ସାକ୍ଷୀ ରଖି ତୁମକୁ ଏ ଭାର ଦେଲି । ମୁଁ ପାଗଳ, ମୁଁ ଭିକାରି, ମୁଁ ଦରିଦ୍ର, ମୁଁ ଅସହାୟ । ମୋର ସଂସାର ନାହିଁ; ମୋର ଘରଦ୍ୱାର ନାହିଁ । ସଂସାରର ନିତାନ୍ତ ଅବହେଳିତ ଅଭିଶପ୍ତ ଜୀବ ମୁଁ । ମୋତେ ରମାକୁ ଦେଖାଅ; ନ ହେଲେ ଏହି ଛୁରାରେ ମୋର ଏ ଲାଞ୍ଛିତ ଜୀବନକୁ ଶେଷ କରିଦିଅ ।’’

 

ଲଛମନ ବୁଢ଼ାର ପଳିତଚର୍ମ ବାହୁ ଦୁଇଟିକୁ ଭକ୍ତି-ନମ୍ରଭାବରେ ହସି ହସି ଧରିପକାଇ, ଟିକିଏ ହଲାଇଦେଇ କୋମଳ ସ୍ୱରରେ କହିଲା, ‘‘ତୁମେ ମୋର, ଏବେ ମଧ୍ୟ ଆପଣାର । ରମା ତୁମର ହଜିବ ନାହିଁ – ଏହି ସହରରେ ସେ ଅଛି । ତୁମେ ବ୍ୟସ୍ତ ହୁଅନାହିଁ । ଆଜି ତୁମକୁ ମୁଁ ଗୋଟିଏ ଭୟଙ୍କର ଘଟଣା କହିବାକୁ ବାଧ୍ୟହେବି ।’’

 

ବୁଢ଼ା ମନରେ ଛନକା ପଶିଗଲା । କହିଲା, ‘‘ଭୟଙ୍କର କଥା ! କିପରି ଭୟଙ୍କର କଥା !’’

-‘‘ମୁଁ ତୁମ ଜୀବନର ଇତିହାସ ଜାଣେ ।’’

-‘‘ମୋ ଜୀବନର ଇତିହାସ ? ଅସମ୍ଭବ ! ମୋ ଛଡ଼ା ମୋ ଜୀବନର ଇତିହାସ ଆଉ କେହି ଜାଣିବା ଏତେ ସହଜ ନୁହେଁ, ଲଛମନ ! ଜାଣିଥିଲେ ତୁମେ ଭୁଲ୍‌ ଜାଣିଥିବ ।’’

 

-‘‘ନା, ମୁଁ ଜାଣେ, ଠିକ୍‌ ଜାଣେ । ତୁମେ ଶୁଣି ଭୟ କରିବ ନାହିଁ ତ ? ମୁଁ ଜାଣେ, ତୁମେ ନିର୍ଦ୍ଦୋଷ । ତୁମେ ସେ ଗୁପ୍ତ ହତ୍ୟାରେ ଲିପ୍ତ ନୁହଁ । ତୁମେ କାହିଁକି ପାଗଳ, ମୁଁ କହିପାରିବି ।’’

 

-‘‘ତୁମେ ବାୟା ହୋଇଯାଇଛ ନା କ’ଣ ଲଛମନ ? ଏପରି କଥା କହିବା ଏଠାରେ ଦରକାର ନାହିଁ । ତୁମେ ଯାହା କହିବ, ସବୁ ଭୁଲ୍‌ ।’’

 

-‘‘ମୁଁ ଭୁଲ୍‌ କହୁଛି । ତୁମ ନାଁ କ’ଣ ତେବେ ରଣସିଂହ ନୁହେଁ ?’’

-‘‘ଯଦି ମୁଁ ରଣସିଂହ ନହୋଇଥିବି, ତେବେ ତୁମର ‘ଇତିହାସ’ ମିଛ ହେବ ତ ?’’

 

-‘‘ତେବେ କ’ଣ ତୁମେ ମୋତେ ସବୁକଥା ଲୁଚାଇବାକୁ ଚେଷ୍ଟା କରୁଛ ?’’

 

ବୁଢ଼ା ବିକଟଭାବରେ ହସିଉଠିଲା । ବହୁଦିନର ଅବରୁଦ୍ଧ ଜଳଧାରାର ବନ୍ଧ ଭାଙ୍ଗିଲେ ସେ ନିଷ୍କାସନରେ ସୌନ୍ଦର୍ଯ୍ୟ ଅପେକ୍ଷା ଭୀଷଣତା ଯେପରି ବେଶି ଥାଏ, ବୃଦ୍ଧର ହାସ୍ୟରେ ସେହିପରି ଭୀଷଣତା ପୂରିରହିଥିଲା । ଲଛମନ ସେ ହାସ୍ୟରୋଳରେ ବିଚଳିତ ହୋଇ ପୁଣି ପଚାରିଲା, ‘‘ସନ୍ଦେହ କରୁଛ ? ତେବେ ଶୁଣିବ, ତୁମରି କଥା କହିବି ?’’

 

-‘‘କହ ଦେଖି । ମୋର ବିଶ୍ୱାସ ହେଉନାହିଁ ।’’

 

ଲଛମନ ଟିକିଏ ଗଳା ସଫାକରି, ଖଣ୍ଡିକାଶ ମାରି କଥା ଆରମ୍ଭ କଲା । ନଦୀକୂଳରେ ପ୍ରଭାତକାଳର ସେ ଅବଲୁଣ୍ଠିତା ରମଣୀର ଶବମୂର୍ତ୍ତି; ଗଗନ ରଣସିଂହଙ୍କ ସହିତ ପରିଚୟ ଓ ଆଳାପ, ତାଙ୍କ ମୁହଁରୁ ତାଙ୍କ ଭାଇଙ୍କର ଭୟାବହ ହତ୍ୟାରହସ୍ୟ, ସର୍ବୋପରି ତାଙ୍କ ମାନସିକ ବିକୃତି କଥା ଗୋଟି ଗୋଟି କରି ସରଳ ପ୍ରାଞ୍ଜଳ ଭାବରେ ଏକା ନିଶ୍ୱାସରେ କହି ଥକାମାରି ବସିପଡ଼ିଲା । ବୁଢ଼ା ନିବିଷ୍ଟ ଚିତ୍ତରେ ସବୁକଥା ଶୁଣି କେବଳ ଗୋଟାଏ ଦୁଇଟା ଦୀର୍ଘ ନିଶ୍ୱାସ ପକାଇଲେ ମାତ୍ର; ପଦେହେଲେ ସେ ଉତ୍ତର ଦେଲେନାହିଁ କି ମୁଣ୍ଡ ହଲାଇ ସମ୍ମତି ଅସମ୍ମତି ଜଣାଇଲେ ନାହିଁ । କିଛି ସମୟ ନୀରବ ରହି କହିଲେ; ‘‘ତୁମେ ଜାଣନାହିଁ, ଏସବୁ ଭିତରେ କେତେ ରହସ୍ୟ ଅଛି । ତୁମେ ଯାହା କହିଲ, ସବୁ ବୁଝିଲି; କିନ୍ତୁ ମୋର ବିଶ୍ୱାସ ହେଉନାହିଁ ସେ ମୃତା ରମଣୀ ରମାର ମାଆ ବୋଲି ।’’

 

ଲଛମନ ଆଶ୍ଚର୍ଯ୍ୟ ହେଲାପରି ପଚାରିଲା, ‘‘ରମାର ମାଆ ନୁହେଁ ? ତେବେ ସେ କାହାର ଶବ ?’’

-‘‘ସେହି ବିଷୟରେ ମୋର ସନ୍ଦେହ ।’’

-‘‘ମୋତେ ତୁମେ ବିଶ୍ୱାସ କରୁଛ ?’’

-‘‘ନା, କେଭେ ନୁହେଁ । ଏ ପର୍ଯ୍ୟନ୍ତ ମୁଁ ତୁମକୁ ବିଶ୍ୱାସ କରିନାହିଁ ।’’

-‘‘ମୋ କଥାରେ ବିଶ୍ୱାସ ନାହିଁ ? ତେବେ ତୁମର ଭାଇଙ୍କ ସହିତ ଦେଖା କରିବାକୁ ଇଚ୍ଛା କରୁଛ ?’’

 

-‘‘ନା କଦାଚ ନୁହେଁ, କଦାଚ ନୁହେଁ’’ – ବୁଢ଼ା ଅନିଚ୍ଛାରେ ବ୍ୟସ୍ତ ହେଲାପରି ବସିବା ସ୍ଥାନରୁ ଟିକିଏ ଘୁଞ୍ଚିଯାଇ କହିଲା- ‘‘ସେ କ’ଣ ତୁମକୁ ମୋତେ ଠଉରାଇବାପାଇଁ ପଠାଇଛନ୍ତି କି ? ତୁମ ଢଙ୍ଗଢାଙ୍ଗରୁ ମୁଁ ସେହିପରି କିଛି ଅନୁମାନ କରୁଛି ।’’

 

-‘‘ଠିକ୍‌ ଅନୁମାନ । ତୁମକୁ ଖୋଜି ଖୋଜି ସେ ଥକିଛନ୍ତି । ତୁମ ସହିତ କିପରି ଚଞ୍ଚଳ ଦେଖାହେବ, ସେ ଇଚ୍ଛା କରନ୍ତି ।’’

-‘‘ଆଉ ସେ ଲୋକଟା ?’’

-‘‘ସେ କିଏ ?’’

-‘‘ସେହି ହୋଟେଲରେ ଯେ ମୋତେ ମାରିବାକୁ ବସିଥିଲା ।’’

-‘‘ସେ କଣ ତୁମ ସନ୍ଧାନ ନେଉଛନ୍ତି କି ?’’

-‘‘ଆଜି ନୁହେଁ, କେତେଦିନ ହେଲା ମୋତେ ଧରିବାପାଇଁ ସେ ବରାବର ଉଦ୍ୟମ ଲଗାଇଛନ୍ତି ।’’

 

ଦୁହେଁ କାହାକୁ କିଛି କହିଲେନାହିଁ । ନିସ୍ତବ୍‌ଧ ଭାବରେ କିଛି ସମୟ କଟିଗଲା । ତା’ପରେ ବୁଢ଼ାର ଗୋଟାଏ ଦୀର୍ଘ ନିଶ୍ୱାସରେ ଲଛମନର କ୍ଷଣିକ ଚିନ୍ତାସ୍ରୋତ ବଦଳିଗଲା । ସେ ବୁଢ଼ାର ମୁହଁକୁ ଚାହିଁଲା, କଥା କହିପାରିଲା ନାହିଁ । ବୁଢ଼ା ଈଷତ୍‌ ହାସ୍ୟମୁଖରେ କହିଲେ – ‘‘ଲଛମନ, ତୁମେ ବଡ଼ ସାଦାସିଧା ଦେଖୁଛି । ତୁମେ ସତ କହୁଛ, ମୋ ରମାକୁ ପାଇପାରିବ ?’’

-‘‘ମୋର ଖୁବ୍‌ ଆଶା, ଅଳ୍ପ ଚେଷ୍ଟାରେ ମୁଁ ପାଇପାରିବି ।’’

 

-‘‘ତାହାହେଲେ ତୁମକୁ ଗୋଟିଏ କଥା ବଡ଼ ସାବଧାନରେ ମନେରଖିବାକୁ ହେବ ।’’

 

ଲଛମନ ପିପାସୁ ନେତ୍ରରେ ଚାହିଁଲା । ବୁଢ଼ା ଗମ୍ଭୀର ଚିନ୍ତାମଗ୍ନ ଭାବରେ କପାଳ କୁଞ୍ଚିତ କରି କହିଲା, ‘‘ମୋତେ ଦେଖିଛ ବୋଲି ତୁମେ ଯେବେ ଭାଇକୁ ନ କହିବ, ତେବେ ମୁଁ କହିବାକୁ ପ୍ରସ୍ତୁତ ଅଛି ।’’

 

-‘‘ଯଦି କହିଦେବି ?’’

-‘‘ତେବେ କଥା ଏହିଠାରେ ଶେଷ ।’’

 

-‘‘ଧର, ମୁଁ ଏହିକ୍ଷଣି କହିବିନାହିଁ । କହିବି କିଛିଦିନ ପରେ, ତାହାହେଲେ ?’’

-‘‘ତାହାହେଲେ ବେଶ୍‌ କଥା । ସେତେବେଳେ ସବୁକଥା ଜଣାପଡ଼ିବ । ମୋ ଆଗରେ ତୁମେ ପ୍ରତିଜ୍ଞା କର; ଭଗବାନ୍‌ଙ୍କୁ ସାକ୍ଷୀ ରଖ । ତୁମର ମଙ୍ଗଳ ହେବ, ଲଛମନ ।’’

 

ଆଉ କି ରହସ୍ୟ-ସାଗରରେ ପଶିବାକୁ ପଡ଼ିବ, ଏ ଇନ୍ଦ୍ରଜାଲ ଭେଦକରିବାକୁ ଆଉ କେତେଦିନ ଯିବ, ଭାବିଭାବି ଲଛମନ ବୋକାଙ୍କପରି ଖାଲି ଚାହିଁରହିଲା ।

 

(୯)

ଘନ ରଣସିଂହ ଓ ଲଛମନର ଏ ସାକ୍ଷାତ୍‌ ପରିଚୟରେ ରହସ୍ୟର ଅଧାଅଧି କଥା ବାହାରକୁ ଫିଟିପଡ଼ିଲା ସତ; ମାତ୍ର ଲଛମନ ପ୍ରତି ତାହା ପୂର୍ବାପେକ୍ଷା ଆହୁରି ଅବୋଧ୍ୟ ହୋଇପଡ଼ିଲା । କମଳା ଯେ ରମାର ମାଆ ନୁହେଁ, ଏକଥା ଶୁଣି ଘନଙ୍କ ପ୍ରତି ତାର ଘୋର ସନ୍ଦେହ ମଧ୍ୟ ଜାତହେଲା । ଏତିକି ସେ ଠଉରାଇ ପାରିଲା ଯେ ଗଗନଙ୍କ ବର୍ଣ୍ଣିତ ହତ୍ୟାକାଣ୍ଡରେ ଘନ କୌଣସିମତେ ଲିପ୍ତ ନୁହନ୍ତି । କିନ୍ତୁ ମନ ଭିତରେ ବୁଢ଼ିଆଣୀ ସୂତା ପରି ସନ୍ଦେହର ଜାଲ ବୁଣିହେଲା- ତେବେ ହତ୍ୟାକାରୀ କିଏ ?

 

ବୁଢ଼ା ଘନ ସେହି ଏକା ପ୍ରଶ୍ନ ପୁଣି ଯେତେବେଳେ ପଚାରିଲେ ‘‘ରମାକୁ ତୁମେ ଖୋଜି ବାହାର କରିପାରିବ ?’’ – ଜଣାପଡ଼ୁଥିଲା ସେ ବିଷୟରେ ସେ ଅତିରିକ୍ତ ଭାବରେ ବ୍ୟାକୁଳ । ଲଛମନର ସାହସ ଦେଖି ସେ କହିଲେ, ‘‘ଯାଅ ଲଛମନ, ମୋ କୋଳର ସଙ୍ଖାଳି ଝିଅକୁ ଆଣି ମୋତେ ଦେଖାଅ । ତା ବିନା ଏ ସଂସାରରେ ମୁଁ ଆଉ ରହିପାରିବି ନାହିଁ । ରମାକୁ ମୋତେ ଦେଲାପରେ ତୁମେ ସବୁକଥା ଶୁଣିପାରିବ । ଏସବୁ କଥା ଭିତରେ ତୁମେ ଏପରି ଗୋପନ ବିଭୀଷିକା ଦେଖିପାରିବ ଯେ ଭୟରେ ମୁଣ୍ଡ ବାଳ ସୁଦ୍ଧା ଟାଙ୍କୁରି ଉଠିବ । ଏବେ ଯାହା ଜାଣିଛ, ତାହା ସମୁଦ୍ରପାଖରେ କ୍ଷୁଦ୍ର ବେଳାଭୂମିପରି । ଏ ଅତଳ ରହସ୍ୟ-ସମୁଦ୍ର କେବଳ ତୁମରିପାଇଁ ବାକି ଅଛି । ଯାଅ, ମୋ ରମାକୁ ଆଣିଦିଅ ।’’

 

ଏପର୍ଯ୍ୟନ୍ତ ଲଛମନର ଧାରଣା ଥିଲା ଯେ ରମା ଘନଙ୍କର ପ୍ରକୃତ ଝିଅ ନୁହେଁ । ‘ମୋ ଝିଅ’ କଥା ଶୁଣି କଥାଟା ତାକୁ କିପରି ନୂଆ ବୋଧହେଲା । କିନ୍ତୁ ମନ-ଜଗତ୍‌ରେ ତୁମୁଳ ଝଞ୍ଜା ଉଠିଲା, ଘନ ଘନ ପ୍ରଶ୍ନ ଉଠିଲା, ‘ରମା ତେବେ କାହିଁକି ପିତାର ପରିଚୟ ଦେବାକୁ ଏତେ ଅନିଚ୍ଛା ପ୍ରକାଶ କରୁଥିଲା ? ତା ଆଖିରୁ କାହିଁକି ବା ଲୁହ ବୋହୁଥିଲା ? ସେ ମାୟାବିନୀର ମାୟା ଭିତରେ ତ ମୁଁ ଏପର୍ଯ୍ୟନ୍ତ ପଶିପାରିଲି ନାହିଁ ?’’

 

      X            X            X            X

 

ପ୍ରଭାତର ସ୍ନିଗ୍‌ଧ ସୁନ୍ଦର ସୂର୍ଯ୍ୟକିରଣ ତଳେ ଇରାବତୀର ତଟପ୍ରଦେଶରେ ଲଛମନ ଠିଆ । ଦିନକତଳେ ରାତିରେ ସେ ଥରେ ସେହିଠାକୁ ଆସିଥିଲା । ନୀରବରେ ସେହିଠାରେ କାହାର ମଧୁମୟ ସ୍ମୃତିକୁ ମନେ ମନେ ପୂଜାକରି ରିକ୍ତହସ୍ତରେ ଫେରିଯାଇଥିଲା । ଏହିପରି କେତେ ଦିନ ଯାଇଛି, କେତେ ରାତି ଯାଇଛି; ଯାହାର ରହସ୍ୟମୟ ସ୍ୱପ୍ନରେ ଦିନ ତାକୁ ଭଲ ଲାଗିନାହିଁ, ରାତି ତାକୁ ଶାନ୍ତିମୟ ବୋଧହୋଇନାହିଁ; ଆଜି ସେହି ରମା ଆଉ ସେଠାରେ ନାହିଁ । ସେ ସେହିଠାରେ କେତେବର୍ଷତଳେ ଏକ ବିଦାୟ ମୁହୂର୍ତ୍ତରେ ଦୁଇଟୋପା ଲୁହ ଢାଳିଥିଲା । ତାର ସେହି ଲୁହ ବାହ୍ୟ ଜଗତ୍‌ରେ ତଳେ ପଡ଼ି ଶୁଖିଯାଇଛି ସତ; ମାତ୍ର ଯେ ଅନ୍ତଃସ୍ଥଳରୁ ସେ ଲୁହ ବାହାରିଥିଲା, ସେ ସ୍ଥାନ ସେହିପରି ସରସ ଆର୍ଦ୍ର ରହିଛି । ଆଜି ସେହି ସରସ ଉତ୍ତପ୍ତ ଲୋତକ ଢାଳି, ଆଜି ସେହି ଦିନ ଅପେକ୍ଷା ଆହୁରି ଗଭୀର ଗୋପନ ସମସ୍ୟାରେ ଛନ୍ଦି ହୋଇ ଯେତେବେଳେ ସେ କଳ୍ପନାର ନନ୍ଦିଘୋଷ ରଥରେ ରମାକୁ ବରଣ କରିବାକୁ ଆସିଛି, ତାର ପ୍ରାଣ ଭୟ-ବିସ୍ମୟ-ଆନନ୍ଦଉତ୍ସାହରେ ଏକାଧାରରେ ନାଚିଉଠିଛି । ବିଦାୟବେଳେ ଦୁହେଁ ମିଳି ସେହି ଯେଉଁ ତଟପ୍ରଦେଶରେ ପଥର କୋରଡ଼ ଭିତରେ କ୍ଷୁଦ୍ର ଡାକଘରଟିଏ କଳ୍ପନା କରିଥିଲେ, ତାଙ୍କ ମନ ଘେନାଘେନିର ନିଦର୍ଶନ ସେହି ଦୁର୍ଭେଦ୍ୟ ଦୁର୍ଗଟି ଏପରି ଛିନ୍ନଭିନ୍ନ ହୋଇ ଇରାବତୀର ପ୍ରତି ମୁହୂର୍ତ୍ତରେ ତରଙ୍ଗପରି ଲୀନ ହୋଇଯିବ ବୋଲି ଭା      ବିପାରିନଥିଲେ ।

 

ରମାର କିଛିହେଲେ ସଂକେତ ପାଇବାପାଇଁ ଲଛମନ କୂଳଯାକ ବୁଲିଗଲା । କେତେ ପଥରଗଦା ଦରାଣ୍ଡିଲା, କେତେ ଗୋଡ଼ିମାଟି ଗୋଡ଼ରେ ଆଡ଼େଇଲା; କାହିଁରେହେଲେ ସେ ରମାର ପରିଚୟ ପାଇଲାନାହିଁ । ନୈରାଶ୍ୟ ବାତ୍ୟାରେ ତାର ହୃଦୟସାଗର ଆନ୍ଦୋଳିତ ହେବାକୁ ଲାଗିଲା । ଏପରି ସମୟରେ ହଠାତ୍‌ ପଛରୁ ଶବ୍ଦ ଶୁଭିଲା, ‘‘କଣ ହଜିଛି କି ?’’

 

ଲଛମନ ବୁଲି ଚାହେଁ ତ ନିକଟବର୍ତ୍ତୀ ଏକ ଘରର ଦୁଆରମୁହଁରେ ଜଣେ ଟୋକା ଠିଆହୋଇଛି । ବୟସ ଅନ୍ଦାଜ ଅଠରଖଣ୍ଡେ । ଏକଲୟରେ ସେ ତାକୁ ଚାହିଁରହିଛି । ଲଛମନ ତାର ପ୍ରଶ୍ନ ଶୁଣି ଚମକି ପଡ଼ି କହିଲା, ‘‘ନା, କିଛି ହଜିନାହିଁ ।’’

 

-‘‘ହଜି ତ ନାହିଁ, ତେବେ ଖୋଜୁଛ କଣ ?’’

-‘‘ଗୋଟିଏ ଓଷୁଅ ମୂଳ ଖୋଜିବାକୁ ଆସିଛି ।’’

 

ଟୋକାଟା ଏ କଥା ଶୁଣି ହସି ହସି ଭାଙ୍ଗିପଡ଼ିଲା । କହିଲା, ‘‘ଦେଖୁଛି ଏ ତ ବଡ଼ ବିଚିତ୍ର କଥା !’’

ଲଛମନ ତା ହସର କିଛି କାରଣ ବୁଝିନପାରି ବୋକାପରି ପଚାରିଲା, ‘‘ହସିଲ କାହିଁକି ?’’

 

-‘‘ଓଷୁଅ ମୂଳ ଖୋଜୁଛ ବୋଲି ।’’

-‘‘ଓଷୁଅ ଖୋଜିଲେ କଣ ହସନ୍ତି କି ?’’

 

-‘‘ନା, ସେଥିପାଇଁ ହସୁନାହିଁ ଯେ, ତୁମେ ଖୋଜୁଛ ବୋଲି ହସୁଛି ।’’

-‘‘ମୁଁ ଖୋଜୁଛି ବୋଲି ହସୁଛ- ଏ କିପରି କଥା !’’

 

-‘‘ଏ ବଡ଼ ରହସ୍ୟମୟ କଥା । ଏ କଥା ଯେ ଦେଖିବ, ସେ ହସିବ । ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ । ଜଣେ ଯୁବତୀ ମଝିରେ ମଝିରେ ଆସି ଏଠି ବୁଲି ବୁଲି କଣ ଖୋଜି ଖୋଜି ଯାଉଛନ୍ତି । ପଚାରିଲେ କହୁଛନ୍ତି, ‘ଓଷୁଅ ମୂଳ ଖୋଜୁଛି ।’ ଆଜି ଦେଖୁଛି, ତୁମେ ତ ଓଷୁଅ ଖୋଜି ଆସିଛ । ଦୁହିଁଙ୍କର କଣ ଏକା ରୋଗ ହେଲାପରି ଜଣାପଡ଼ୁଛି; ସେଥିପାଇଁ ହସିଲି ।’’

 

ଲଛମନ ବୁକୁ ଭିତର ଦାଉଁ ଦାଉଁ ପଡ଼ିଲା ଉଠିଲା; ମନେମନେ ଭାବିଲା, ତେବେ କଣ ସେ ଯୁବତୀ ରମା ! ଯଦି ରମା ହୋଇଥିବ, ଟୋକା କ’ଣ ଆମ ଭିତର ରହସ୍ୟ ଜାଣେ ? ନିଜକୁ ଟିକିଏ ସଂଯତ କରି ପଚାରିଲା, ‘‘ଜଣେ ସ୍ତ୍ରୀଲୋକ କିଏ ଆସି ଓଷୁଅ ଖୋଜୁଛନ୍ତି ?’’

 

-‘‘ହଁ ଜଣେ ସ୍ତ୍ରୀଲୋକ । ଦିନେ ଆସି ଖୋଜିଲାବେଳେ କଣ ଖୋଜୁଛ ବୋଲି ପଚାରିଥିଲି । ସେ ଠିକ୍‌ ଏହି ଉତ୍ତର ଦେଇଥିଲେ ।’’

 

-‘‘କେବେ ସେ ଆସିଥିଲେ ?’’

-‘‘ଏଇ ସପ୍ତାହକ ତଳେ ।’’

 

-‘‘ସେ କିପରି ଜଣେ, କହିପାରିବ ?’’

-‘‘ହଁ, କହିପାରିବି ।’’

 

ଲଛମନ ହୃଦୟରେ ଯେ କି ବିଦ୍ୟୁତ୍‌ ଖେଳିଗଲା ସେ ବୁଝିପାରିଲାନାହିଁ ।

ବାଳକ ପଚାରିଲା, ‘‘ତୁମେ କ’ଣ ସେ ସ୍ତ୍ରୀ ଲୋକକୁ ଜାଣନାହିଁ ? କିନ୍ତୁ ଦେଖୁଛି ତ ଦୁହେଁଯାକ ଏକା ଜିନିଷ ଖୋଜିବାରେ ବ୍ୟସ୍ତ । ତାଙ୍କ ମୁହଁରେ ସବୁବେଳେ ଓଢ଼ଣା ଥାଏ । କାଲି ଏହି ପଥର ଗଦାପାଖରେ ମୋର ଭଉଣୀ ମଧ୍ୟ ତାଙ୍କୁ ଦେଖିଥିଲା ବୋଲି କହୁଥିଲା ।’’

 

-‘‘କହିପାରିବ କି ସେ କୁଆଡ଼ୁ ଆସନ୍ତି ଆଉ କୁଆଡ଼େ ଯାଆନ୍ତି ?’’

 

-‘‘ହଁ, ସେ ଗଲାବେଳେ ଏଇ ଦକ୍ଷିଣପଟ ଗଳି ଭିତରେ ପଶି ଯାଆନ୍ତି । ସେ କେଉଁଠି ରହନ୍ତି, ମୁଁ ଜାଣେ । ଦିନେ ବଜାରକୁ ଗଲାବେଳେ ସେହିପରି ଜଣଙ୍କୁ ଠିକ୍‌ ସେହିପରି ପୋଷାକ ଓ ଅଳଙ୍କାରପତ୍ର ପିନ୍ଧି ହୋଟେଲରୁ ବାହାରୁଥିବାର ଦେଖିଥିଲି । ହୋଟେଲଟା ଖୁବ୍‌ ନାମଜାଦା ହୋଟେଲ । ତିନି ମହଲା ପକା । ତୁମେ ବୋଧହୁଏ ତାହା ଦେଖିଥିବ ।’’

 

ଲଛମନର ମନ ଆଉ ସେ ଭୂଇଁଖଣ୍ଡକରେ ଆବଦ୍ଧ ନ ଥିଲା । ତାର କ୍ଷୁଦ୍ର ଜୀବନକୁ କେନ୍ଦ୍ରକରି କେତେ ବିଚିତ୍ର ପ୍ରହେଳିକା ହୃଦୟ ଭିତରେ ଫୁଟିଉଠୁଥିଲା । ସେ କଳ୍ପନା କରୁଥିଲା ରମାର ସେ ସମୟର ବେଶ ଓ ସେ ସମୟର ମନୋଭାବ । ଟୋକା ମୁହଁକୁ ଚାହିଁ ଟିକିଏ ଶଙ୍କିତ ହେଲାପରି କହିଲା, ‘‘ଆଚ୍ଛା ଅନୁଗ୍ରହ କରି ମୋପାଇଁ ଗୋଟିଏ କାର୍ଯ୍ୟ କରିପାରିବ ? ମୋତେ ସେ ହୋଟେଲଟି ଦେଖାଇଦେଇ ପାରିବ କି ?’’

 

-‘‘ପାରିବି, କିନ୍ତୁ ମୋର ସେଠାକୁ ଯିବା ଦରକାର ନାହିଁ; କହିଦେଲେ ବୁଝିପାରିବ ।’’ ଏହା କହି ବାଳକ ହୋଟେଲ ଯିବା ବାଟ ଏବଂ ସେ ବିଷୟରେ ଯାହା କିଛି ଜାଣେ, ସବୁ ବୁଝାଇ କହିଦେଲା । ସାରା ରେଙ୍ଗୁନ୍‌ରେ ସେ ହୋଟେଲର ଖାତି ବେଶି । ଦୂର ପ୍ରବାସୀ ଲୋକେ କୁଟୁମ୍ୱ ନେଇ ଆସି ଅନେକ ସମୟରେ ସେହିଠାରେ ରହିଥାନ୍ତି । ବାଳକଠାରୁ ସେ କଥା ଶୁଣି ଲଛମନ ଦ୍ରୁତଗତିରେ ପାଦ ଚାଲି ଚାଲିଗଲା ।

 

ଲଛମନ ଯେ ରମାର ସନ୍ଧାନ ପାଇଛି, ଏଥିରେ ଆଉ କିଛିହେଲେ ସନ୍ଦେହ ନାହିଁ । ଏହି ଶୁଭ-ସମ୍ୱାଦ ନେଇ ସେ ପ୍ରଥମେ ହୋଟେଲକୁ ଯିବା କର୍ତ୍ତବ୍ୟ ମନେନକରି ସିଧା ରୋଜବ୍ୟାଙ୍କ ରୋଡ଼ର ଗଳି ଭିତରକୁ ଯାଇ ଗଗନ ରଣସିଂହଙ୍କ ଘରେ ପହଞ୍ଚିଲା । ଦେଖିଲା, ରଣସିଂହ ଏକୁଟିଆ ବସି କଣ ଭାବୁଛନ୍ତି । ଆନନ୍ଦ ଆବେଗରେ ଲଛମନ ନାଚୁଥିଲା । ତାଙ୍କୁ ଦେଖିଲାମାତ୍ରେ କହିଦେଲା, ‘‘ଶୁଭ ସମ୍ୱାଦ, ଶୁଭ ସମ୍ୱାଦ, ଆଜି ରମାର ସନ୍ଧାନ ପାଇଲି ।’’

 

ଏକ ବିଚିତ୍ର କାଣ୍ଡ- ଏକଥା ଶୁଣି ବୁଢ଼ା ଚାହୁଁ ଚାହୁଁ ସେହି ବସିବା ସ୍ଥାନରେ ଢଳିପଡ଼ିଲେ । ‘କଣ ହେଲା’ ‘କଣ ହେଲା’ ବୋଲି ଲଛମନ ଚିତ୍‌କାର କରି ତାଙ୍କୁ ତଳୁ ଟେକିଧରୁଛି, ପାଟି ଶୁଣି କିଏ ଜଣେ ସ୍ତ୍ରୀଲୋକ ସେହି ଘରୁ ବାହାରି ‘ଭାଇ ମୋର’ ବୋଲି ଭୂତପରି ସେହି ସ୍ଥାନରେ ପହଞ୍ଚିଗଲେ । ତାଙ୍କୁ ଦେଖି ବୃଦ୍ଧ ବଡ଼ କ୍ଷୀଣ ସ୍ୱରରେ ଥରେମାତ୍ର କହିଲେ, ‘‘ଆଉ ସମୟ ନାହିଁ, ବାକ୍‌ସରୁ ସେ କାଗଜଟା କାଢ଼ି ମୋ ରମାକୁ ଦେବୁ ।’’ – ଏଇ ତାଙ୍କର ଶେଷ କଥା । ସେ ପଲକ ତାଙ୍କର ଶେଷ ପଲକ ହେଲା । ହୃଦୟ ଭିତରେ ଗୁରୁବେଦନା ଅନୁଭବ କଲାପରି ବୃଦ୍ଧ ଦୁଇହାତରେ ବୁକୁ ଚିପିଧରି ଆଖି ଡୋଳା ଲେଉଟାଇଦେଲେ । ହୃଦ୍‌ଯନ୍ତ୍ରର କ୍ରିୟା ହଠାତ୍‌ ବନ୍ଦ ହୋଇଗଲା । ଯେପରି ଜଣାପଡ଼ିଲା, କେବଳ ରମାର କଥାଟିକ ଶୁଣିବାପାଇଁ ବୃଦ୍ଧ ଏତେକାଳ ଜରାଜୀର୍ଣ୍ଣ ଦେହମନ୍ଦିରଟାକୁ କଷ୍ଟେମଷ୍ଟେ ଠିଆକରି ରଖିଥିଲେ – ଶେଷରେ ଶୁଣିଲେ, ତାଙ୍କର ସଂସାରର ଲୀଳାଖେଳା ସରିଲା । ପାଖରେ ଥିବା ରମଣୀ ବଡ଼ କାତର ସ୍ୱରରେ ବୃଦ୍ଧର କପୋଳଦେଶ ଆଉଁସି ଆଉଁସି କହିଲେ, ‘‘ଏହିଠାରେ ଏପରି ଭାବରେ କ’ଣ ଯିବାକୁ ଥିଲା, ଭାଇ ! ମୋତେ ଯେ ଅକୂଳରେ ଭସାଇଦେଇଗଲ ! ଆହା, ମୋର ମୋହନ ଭାଇ କାହିଁ ଗଲ । ଥରେ ଭାଇକୁ ଦେଖିଲ ନାହିଁ ?’’

 

ଲଛମନ ନିର୍ବେଦ ଭାବରେ କେବଳ ଚାହିଁରହିଲା । ରମଣୀ ଆଖିରୁ ଲୁହ ପୋଛି ପୋଛି କହିଲେ, ‘‘ରମାକୁ ତୁମେ ଦେଖିଆସି କହିଲ ?’’

 

ଲଛମନ ଉତ୍ତର ଦେଇପାରିଲାନାହିଁ – ଏ ବିଚିତ୍ର ଘଟନା ଦେଖି ତା ପାଟି ଫିଟିଲାନାହିଁ ।

‘‘ଭାଇ ମୋର, ରମା ମୋର’ କହି ରମଣୀ ସେହିଠାରେ ବିଳାପ କରିବାକୁ ଲାଗିଲେ ।

 

ସେହି ରମଣୀ ହେଉଛନ୍ତି ଗଗନ ରଣସିଂହଙ୍କର ଭଉଣୀ । ଲଛମନକୁ ସେ ଚିହ୍ନି ନଥିଲେ କ’ଣହେଲା ଭାଇଙ୍କଠାରୁ ଲଛମନ ଏବଂ ସେହି ସମ୍ପର୍କରେ ରମା କଥା ବହୁତ ଶୁଣିଥିଲେ । ତେଣୁ ତାକୁ ସେପରି ନିର୍ଜୀବ ଭାବରେ ଠିଆରହିବାର ଦେଖି କହିଲେ, ‘‘ଯାଅ ବାବୁ, ତୋର କାର୍ଯ୍ୟ ବାକି ଅଛି । ଏଠି ଆମର ଜଣେ ଜାତି ଲୋକ ଅଛନ୍ତ; ତୋର ଭୟ କରିବା ଦରକାର ନାହିଁ, ଦିନେ ଏହିପରି ଘଟିବ ବୋଲି ମୁଁ ଭାବିଥିଲି ।’’

 

 

ଅନ୍ୟ ସମୟ ହୋଇଥିଲେ ଲଛମନ ସେଠାରେ ଉତ୍ତର ଦେଇଥାନ୍ତା; ସେତେବେଳେ ତା ମୁହଁକୁ କଥା ଆସିଲାନାହିଁ । ଧୀରେ ଧୀରେ ଘର ଭିତରୁ ବାହାରି ପଡ଼ିଲା । ଏହି ଘଟଣା ପରେ ରମାର ଚିତ୍ର ତା ମନରେ ବଜ୍ରଲେଖାରେ ଲେଖିହୋଇଗଲା । ତାକୁ ଜଣାପଡ଼ିଲା, ରମାଲାଗି ଜଗତ୍‌ ପାଗଳ । ବୃଦ୍ଧ ଯେ ରମାର ନାଁ ଶୁଣି ପ୍ରାଣ ଛାଡ଼ିଲେ – ଏହାଠାରୁ ଆଉ ଭୟାବହ ଘଟଣା କଣ ହୋଇପାରେ ? ‘ବାକ୍‌ସ ଭିତର କାଗଜଟା’ ! ସେ ପୁଣି କ’ଣ ? ସେଥିରେ ପୁଣି କ’ଣ ମାୟାପୁରୀର ଲୀଳାଖେଳା ଅଛି ? ସେଟା ବୃଦ୍ଧଙ୍କର କିଛି ଉଇଲ କି ମାୟାବିନୀର ମୋହିନୀ ବିଦ୍ୟା, କିଏ କହିବ ? ଭାବି ଭାବି ଅସ୍ଥିର ହୋଇପଡ଼ିଲା ।

 

ଲଛମନର ମନ ଆଉ କୌଣସିଥିରେ ନାହିଁ । ସନ୍ଧ୍ୟା ହେବାମାତ୍ରେ ସିଧା ସିଧା ଏକାଧ୍ୟାନରେ ବାଳକ କହିଥିବା ହୋଟେଲ ଦୁଆରେ ଯାଇ ହାଜରହେଲା । ଭିତରକୁ ଯିବାକୁ ଗୋଟିଏ ଫାଟକ । ତା ପରେ କିଛି ଦୂର ରାସ୍ତାଦେଇ ଗଲେ ଗୋଟିଏ ବଡ଼ ହଲ୍‌ ବା ବୈଠକଘର । ରାସ୍ତାର ଦୁଇ ପାଖରେ ସାନବଡ଼ ଅନେକ ଗଛ, ଅନ୍ଧକାର ଯୋଗୁଁ ତାହା କ୍ରମେ ଘନ ଦିଶିଆସୁଥିଲା । ନିର୍ଭୀକ ଭାବରେ ଲଛମନ ସେହି ହଲ୍‌ ଭିତରକୁ ପଶିଯାଇ ଠାଏ ଲୋକଗହଳିରେ ବସିଛି, ଏପରି ସମୟରେ ତା ପକ୍ଷରେ ଏକ ଭୟାବହ ହୃତ୍‌କମ୍ପକାରୀ ଅଘଟନ ଘଟନା ଘଟିଲା । ସେ ଦେଖିଲା ଘରର ସଦର ଦରଜା ମଧ୍ୟଦେଇ ଶୁକ୍ଳବସ୍ତ୍ର-ପରିବୃତା ଜଣେ ରମଣୀ ଧୀରେ ଧୀରେ ବାହାର ଫାଟକ ଆଡ଼କୁ ଚାଲିଛନ୍ତି । ତାଙ୍କର ଅର୍ଦ୍ଧାବୃତ ମୁଖମଣ୍ଡଳ ଅସ୍ପଷ୍ଟାଲୋକରେ ବାରିବା ଅନ୍ୟପକ୍ଷରେ ସହଜ ନୁହେଁ; କିନ୍ତୁ ଲଛମନ ଆଖିରେ ତାହା ପଡ଼ିବାମାତ୍ରେ ସେ ଚମକିପଡ଼ିଲା – ତାର ହୃଦ୍‌ଯନ୍ତ୍ର ଥରିଉଠିଲା । ସତେ ଅବା ସେ ରମାର ପ୍ରତିମୂର୍ତ୍ତି ! ସନ୍ଦେହର ଘୋର ଆବର୍ତ୍ତରେ ପଡ଼ି ଲଛମନ ସେହି ଅନିନ୍ଦ୍ୟସୁନ୍ଦରୀ ରମଣୀଙ୍କ ପଛେ ପଛେ ବିଚଳିତଭାବରେ ଯିବାକୁ ଲାଗିଲା । ରମଣୀ ଫାଟକ ଦୁଆର ପାରହେବାକୁ ଆଉ ଦଶ ପାହୁଣ୍ଡ ଖଣ୍ଡେ ଅଛି, ଲଛମନ ଆଉ ଧୈର୍ଯ୍ୟ ସମ୍ଭାଳି ନ ପାରି ପଛରୁ ଡାକିଦେଲା – ‘‘ରମା, ଏବେ କଣ ଆଉ ଚିହ୍ନିପାରିବ ନାହିଁ ?’’

 

ରମଣୀ ବିଦ୍ୟୁତ୍‌ ଚମକରେ ଗୋଟାଏ ଭୟାର୍ତ୍ତ ଚିତ୍କାର କରି ସେହିଠାରେ ଠିଆହୋଇପଡ଼ିଲେ, ସତେ ଯେପରି ସେ କୌଣସି ଘାତକ ହାବୁଡ଼ରେ ଆସି ପଡ଼ିଛନ୍ତି । ତା’ପରେ କିଛି ସମୟ ଲଛମନକୁ ଚାହିଁ କହିଲେ, ‘‘କିଏ ତୁମେ ? କାହାକୁ ଡାକୁଛ ?’’

 

ଲଛମନ ହୃଦୟରେ ଚେତା ପଶିଲା । ସେ ପରିଷ୍କାର ବୁଝିପାରିଲା ଯେ, ସେ ସ୍ୱର ରମାର ନୁହେ । ତଥାପି ମନରୁ ସନ୍ଦେହ ତୁଟିଲା ନାହିଁ । ସେ ସେଠାରେ ସକଳ ସଙ୍କୋଚ ତ୍ୟାଗକରି ପ୍ରକୃତ ରମା ବୋଲି ଭାବି ରମଣୀର ପଣତକାନି ଧରି ଭିଡ଼ିଦେଲା ।

 

ଅବାକ୍‌ ! ଏ କି କଥା ! ପଣତଭିତରୁ ରମଣୀ ମୁହଁକୁ ଫାଟକ ପାଖ ଆଲୋକରେ ଦେଖି ଲଛମନର ମୁହଁରୁ ରକ୍ତ ଶୁଖିଗଲା । ଏ ଯେ ରମା ନୁହେଁ ! କେଡ଼େ ବଡ଼ ଭୁଲ୍‌ ସେ କରି ବସିଛି ! ତାର ରୁକ୍ଷ ବ୍ୟବହାର ଦେଖି ରମଣୀ ପୁଣି ଚିତ୍କାର କରିବାକୁ ଚେଷ୍ଟାକରୁଛନ୍ତି । ଲଛମନ ତାଙ୍କ ଆଗରେ ବଡ଼ ନମ୍ର ଭାବରେ ମୁଣ୍ଡ ନୁଆଇଁ କହିଲା, ‘‘ମାଉସି, ମୋର ଦୋଷ କ୍ଷମାକରିବ । ମୁଁ ଚୋର ଡକାଏତ ନୁହେଁ । ଆଉ ଜଣକୁ ଖୋଜୁଥିଲି । ସେ ବୋଲି ଭାବି ଭୁଲରେ ତୁମ କାନିଟା ଭିଡ଼ିଦେଇଛି, କ୍ଷମା ଦିଅ, ମୋତେ କ୍ଷମା ଦିଅ ।’’

 

ଫାଟକର ଲାଇଟ୍‌ ପୋଷ୍ଟରେ ଲ୍ୟାମ୍ପ ପରିଷ୍କାର ଜଳୁଥିଲା । ଲଛମନ ଦେଖିଲା, ଏ ରମଣୀ କଦାଚ ରମା ନୁହେଁ । କିନ୍ତୁ କି ଭୟାବହ କଥା ! – କାଲି ନଦୀକୂଳ ବାଲିରେ ଯେଉଁ କମଳା ମରିଶୋଇଥିଲା ଏ ତାର ପ୍ରେତରୂପ ବା ସାକ୍ଷାତ୍‌ ଜୀବନ୍ତ ଯାଆଁଳା ଭଉଣୀ ! ଲଛମନ ହାତ ଯୋଡ଼ି ପୁଣି କ୍ଷମାମାଗିଲା, ‘‘ମାଉସି, ମୋ ବାଟେ ମୁଁ ଚାଲିଯାଉଛି, ମୁଁ ପ୍ରବାସୀ ଏଠି- ମୋ ନାଁ ଲଛମନ । ଜଣକୁ ଖୋଜି ଖୋଜି ଆସିଥିଲି । ତୁମକୁ ଅଜାଣତରେ ଅପମାନ ଦେଇଛି, ଦୋଷ ଧରନାହିଁ, କ୍ଷମା ଦିଅ ।’’

 

ତା ପାଟିରୁ କଥା ସରୁ ନ ସରୁଣୁ ପୁଣି ଏକ ଅସମ୍ଭବ ଘଟନା । ତା ନାଁ ଶୁଣିବା ମାତ୍ରକେ ରମଣୀ ବିସ୍ମୟ-ଆନନ୍ଦରେ ଚିତ୍କାର କରିଉଠିଲେ – ‘‘ଲଛମନ ! ତୁମରି ନାଁ ଲଛମନ !’’

 

କିପରି ଘଟନାଚକ୍ରରେ ଗତି କରୁ କରୁ ଯେ ସେ ଆସି ଏ କ୍ଷେତ୍ରରେ ଏପରିଭାବରେ ପହଞ୍ଚିଛି, ବୁଝିବାକୁ ତାର କ୍ଷୁଦ୍ରବୁଦ୍ଧି ପରାସ୍ତ ହେଲା । ସେ ଦେଖିଲା ସଂସାରଟା ତା’ପକ୍ଷରେ ମାୟାବିନୀର ସ୍ୱପ୍ନପୁରୀ ! ଜୀବନଯାକ ସେ ମାୟାବିନୀର କୁହୁକଲୀଳା ଭେଦି ପାରିଲା ନାହିଁ । ମାୟାବିନୀ ରମା, ମାୟାବିନୀ କମଳା – ଏ ପୁଣି ମାୟାବିନୀ ଅପରିଚିତା କିଏ ? କାହାକୁ ସେ ଚିହ୍ନିଲା ନାହିଁ, କାହାର ହେଲେ ସେ ପୂର୍ଣ୍ଣ-ପରିଚୟ ପାଇଲା ନାହିଁ । ମାୟାରେ ମାୟାରେ ମାୟାବିନୀର ପଛେ ପଛେ ସେ କି ଏକ ଅଜ୍ଞାତ ପ୍ରେରଣାରେ ଧାଇଁଛି, ବୁଝିପାରିଲା ନାହିଁ; ନିଜେ ନିଜକୁ ବୁଝିବା ତା ପକ୍ଷରେ ଏଣିକି ଅସମ୍ଭବ ହୋଇଉଠିଲା ।

 

ରମଣୀ ସେହିଠାରୁ ପାଦ ଫେରାଇଲେ । ନିଶ୍ଚେଷ୍ଟ ନିର୍ବାକ୍‌ ଲଛମନକୁ ଚାହିଁ କହିଲେ, ‘‘ଆସ ବାବୁ, ମୋ ପଛେ ପଛେ ଆସ । ତୁମ ସଙ୍ଗରେ ଟିକିଏ କଥା ଅଛି । କିଛି ଭୟ କର ନାହିଁ ।’’ ଯନ୍ତ୍ରଚାଳିତ ପରି ଲଛମନ ତାଙ୍କ ପଦାନୁସରଣ କରି ଚାଲିଲା ।

 

କିଏ ଏହି ଚମତ୍କାରିଣୀ ରମଣୀ ! ଅପରିଚିତାର ଏ ସମ୍ଭାଷଣରେ ଲଛମନର ମନ-ବଚନ-କର୍ତ୍ତବ୍ୟ ଅନିର୍ବଚନୀୟ ବିସ୍ମୟ-ସାଗରରେ ବୁଡ଼ିଗଲା । ସେ ଚାଲିଛି; କିନ୍ତୁ ଜାଣିଲା ନାହିଁ କାହିଁକି ଚାଲିଛି । ହୋଟେଲ ଭିତରେ ଗୋଟିଏ ଛୋଟିଆ କୋଠରି ଦୁଆରେ ଯାଇ ପହଞ୍ଚିଲା । ଘର ଭିତରେ ଟେବୁଲ ଉପରେ ଲ୍ୟାମ୍ପଟିଏ ଜଳୁଥିଲା । ସେହି ଅପରିଚିତା ସେହି ଘରେ ଅପେକ୍ଷା କରିବାକୁ ଲଛମନକୁ ହାତ ଦେଖାଇ କହିଦେଇ ଚାହୁଁ ଚାହୁଁ କୁଆଡ଼େ ଜନଗହଳି ହୋଟେଲରେ ମିଶିଗଲେ ।

 

ଏ ସ୍ୱପ୍ନ ନା ସତ୍ୟ ! ଏ କୌଣସି ମାୟାବିନୀର ମାୟାପୁରୀ ନା ବାସ୍ତବ ଜଗତ୍‌ର କଠୋର କାରାଗୃହ ! କାହା ସହିତ କାହିଁକି ଯେ ଦେଖାହୋଇଛି, ସେ କଥା ଭାବି ଭାବି ଘରଭିତରେ ପଡ଼ିଥିବା ଖଟଉପରେ ଲଛମନ ବସିପଡ଼ିଲା ।

 

ଲଛମନ ଯାହା ଏଡ଼େ ବେଗେ କଳ୍ପନା କରି ନ ଥିଲା, ତାହା ଦୈବାତ୍‌ ଆସି ଘଟିଲା – ନିତାନ୍ତ ଆତର୍କିତ ଭାବରେ ହଠାତ୍‌ ରମା ଆସି ତାର ମୁହାଁମୁହିଁ ଠିଆହୋଇପଡ଼ିଲା । ସେ ସ୍ୱପ୍ନ ଦେଖୁଛି କି ଜାଗ୍ରତ ଅଛି, କିଛି ଜାଣି ପାରିଲା ନାହିଁ । ଦୀର୍ଘ ପାଞ୍ଚ ବର୍ଷ ତଳର ତା ଜୀବନର ସମୁଚ୍ଛ୍ୱଳ – ସ୍ନେହପ୍ରୀତି ଢଳଢଳ ମଧୁମୟ ସ୍ୱପ୍ନପ୍ରତିମା ପ୍ରକୃତ ମୂର୍ତ୍ତି ପରିଗ୍ରହ କରି ସତେ ଅବା ତା ଆଗରେ ଉଭାହୋଇଗଲା ! ଲଛମନ କେବଳ ଚାହିଁରହିଛି, ଯୁବତୀ ରମା ହର୍ଷୋତ୍‌ଫୁଲ୍ଲ କଣ୍ଠରେ ତାର ଦୁଇ ହାତକୁ ଧରିପକାଇବାକୁ ଯାଇ କହିପକାଇଲା, ‘‘ଲଛମନ ! ଲଛମନ !’’ କିନ୍ତୁ ପରମୁହୂର୍ତ୍ତରେ ଗଭୀର ଲଜ୍ଜାରେ ତାର ମୁଖମଣ୍ଡଳ ଲାଲପଡ଼ିଗଲା । ସେ ବୁଝିପାରିଲା ଯେ, ଏବେ ସେ ଆଉ ପାଞ୍ଚବର୍ଷ ତଳର ରମା ହୋଇ ନାହିଁ ।

 

ମୁହୂର୍ତ୍ତେ କିଏ କାହାକୁ କଥା କହିଲେ ନାହିଁ । ଲଛମନ ଡାକିଲା, ‘‘ରମା’’ । ଅଧରକୋଣରେ ଟିକିଏ ହସିଦେଇ ରମା ମୁଣ୍ଡ ଟେକି ଚାହିଁଲା । ବଡ଼ ସଂକୋଚପୂର୍ଣ୍ଣ ସ୍ୱରରେ କହିଲା, ‘‘ଆଉ ଯେ ଜୀବନରେ ଥରେ ଦେଖାହେବ, ମୁଁ ଭାବିନଥିଲି ।’’

 

-‘‘ମୁଁ କିନ୍ତୁ ଭାବିଥିଲି ରମା ହଜିବାର ଜିନିଷ ନୁହେଁ ।’’ ଲଛମନର ଏ କଥା ଶୁଣି ରମା କିଛି ଉତ୍ତର ଦେଇପାରିଲା ନାହିଁ । କେବଳ ହସିଦେଇ ପଚାରିଲା, ‘‘ସେ ଯାହାହେଉ, ତୁମେ ଏଠାକୁ ଆସିଲ କିପରି ?’’

 

-‘‘କିପରି ଆସିଲି ମୁଁ ଜାଣେନାହିଁ । ଦୈବାତ୍ ଜଣେ ସ୍ତ୍ରୀଲୋକଙ୍କ ସହିତ ଏହି ହୋଟେଲ ଦୁଆରେ ମୋର ଭେଟହେଲା । ତୁମେ ନିଶ୍ଚୟ ତାଙ୍କୁ ଜାଣିଥିବ । ମୋତେ ସେ ଏହି ଘରେ ଆଣି ଛାଡ଼ିଦେଇ ଗଲେ । ତୁମେ ଯେ ଏଠାକୁ କିପରି ଆସିଲ, ସେ ଯେ ମୋତେ କାହିଁକି ଏଡ଼େ ଆଗ୍ରହରେ ଆଣି ଛାଡ଼ିଦେଲେ, କିଛି ବୁଝିପାରୁନାହିଁ । ସେ କିଏସେ କହିପାରିବ ?’’

 

 

ରମା ଠୋ-ଠୋ ହସି କହିଲା, ‘‘ସେ ପରା ମୋ ମାଆ ।’’

 

-‘‘ତୁମ ମା’ !’’ ଏତିକି କହି ଲଛମନ ଥକା ମାରି ବସିପଡ଼ିଲା । ହଠାତ୍‌ ତାର ଏ ପରିବର୍ତ୍ତନ ଦେଖି ରମା ଆଶ୍ଚର୍ଯ୍ୟ ହୋଇ ପଚାରିଲା, ‘‘ଲଛମନ ! ଏପରି ହେଉଛ କ’ଣ ? ସେ ତ ମୋ ମାଆ; ଆଉ ତୁମେ ଭାବୁଛ କ’ଣ ?’’

 

-‘‘ଭାବିବି କ’ଣ ? ମୁଁ ଯେପରି ସ୍ଥାନରୁ ଆସି ଯେପରି ସ୍ଥାନରେ ପଡ଼ିଛି ନ ଭାବି ରହିପାରୁନାହିଁ । ତୁମେ ଏବେ ଏଠି ଅଛ କି ନାହିଁ; ମୁଁ ସାହସରେ କହିପାରିବି ନାହିଁ ।’’

 

-‘‘ତୁମେ କ’ଣ ପାଗଳ ହେଲ ?’’

 

-‘‘ପାଗଳ ନୁହେ ଆଉ କ’ଣ ? ଯେ କୌଣସି ଲୋକ ଏଥିରେ ପାଗଳ ହେବା କଥା । ପାଗଳ ହୋଇ ହାଜତରୁ ଖସିଥିଲି, ପାଗଳ ହୋଇ ସମୁଦ୍ରରେ ବୁଲିଲି, ପାଗଳ ହୋଇ ଏହି ହୋଟେଲକୁ ଭେଟିଲି, ଏବେ ତୁମଠାରୁ ତୁମ ମାଆଙ୍କ କଥା ଶୁଣି ପୁଣି ପାଗଳହେଲି । ମୋ ପାଗଳାମିର କାରଣ ତୁମେ, ରମା ! ତୁମେ ମାୟାବିନୀ; ମୋତେ ଆଉ ନଚାଅ ନାହିଁ ।’’

 

-‘‘ଏପରି ହୁଅ ନାହିଁ, ଲଛମନ ! କହ ଦେଖି ସମୁଦ୍ରକୁ ଗଲ, କ’ଣ ଦେଖିଲ ।’’

 

-‘‘ଦେଖିଲି ରେଙ୍ଗୁନ ସହର, ସେ ମଧ୍ୟରେ ଲଛମନ ଛଡ଼ା ହତଭାଗା ଜୀବ ଆଉ କେହି ନାହାନ୍ତି ।’’

 

 

ଏହି ସମୟରେ ରମାର ମାଆ ହସି ହସି ଆସି ଘରେ ପ୍ରବେଶକଲେ । ତାଙ୍କୁ ଦେଖି ଲଛମନ ଗୋଟାଯାକ ଚମକିପଡ଼ିଲା । ରମା ତାଙ୍କୁ ଲକ୍ଷ୍ୟ କରି କହିଲା, ‘‘ମାଆ, ଲଛମନଙ୍କୁ ତୁମେ କେଉଁଠି ଭେଟିଲ କି ? ପଚାରିଲେ ସେ କିଛି କହୁନାହାନ୍ତି ।’’

 

-‘‘କହୁନାହାନ୍ତି ? କାହିଁକି ?’’

 

ଲଛମନ ପ୍ରକୃତିସ୍ଥ ହୋଇ କହିଲା, ‘‘ମା’ ! ମୁଁ ତୁମକୁ ମାଆ ବୋଲି ଡାକୁଛି ବୋଲି ଆଶ୍ଚର୍ଯ୍ୟ ହୁଅ ନାହିଁ । ତୁମେ ଯଦି ରମାର ମାଆ, ମୋର ମାଆ ନ ହେବ କାହିଁକି ? ସଂସାରରେ ମୁଁ ଅନାଥ । ଯେତେବେଳେ ରମା ସଙ୍ଗେ ଦେଖା, ସେତେବେଳେ ତୁମକୁ ମୁଁ ଜାଣିନଥିଲି । ସଂସାରର କୁଟିଳ ପଥରେ ବୁଲିବୁଲି ଯେତେବେଳେ ପୁଣି ଆସି ରେଙ୍ଗୁନ କୂଳରେ ଲାଗିଲି ତୁମରି ବିଷୟରେ ପ୍ରଥମେ ଗୋଟିଏ କଥା ଶୁଣିଲି । ସେ କଥା କହିବାକୁ ମୋର ଜିଭ ଲେଉଟୁନାହିଁ ମା’ !’’

 

ଲଛମନ ଦେଖିଲା, ତାର ଏହି କଥାରେ ରମଣୀଙ୍କ ମୁହଁ ବିବର୍ଣ୍ଣ ହୋଇଆସିଲା । କିନ୍ତୁ ସେ ବଡ଼ କଷ୍ଟରେ ନିଜର ଭୟାର୍ତ୍ତ ଭାବ ଲୁଚାଇରଖି କହିଲେ, ‘‘ଜିଭ ନଲେଉଟିବାର କିଛି କାରଣ ନାହିଁ । ସଂସାରରେ କାହାଠାରୁ କେତେ କଥା ଶୁଣିବ – ସେଥିକି ଭୟ କାହିଁକି ବାବୁ ? ଜୀବନର ସବୁ ସୁଖ ମୋର ଯାଇଛି । ଆଉ କାହାକୁ ଭୟ ନାହିଁ । କହ ବାବୁ, କଣ ଶୁଣିଛ ।’’

 

ଲଛମନ ଏହିଠାର ଗଗନ ରଣସିଂହଙ୍କୁ ଭେଟିବା କଥା କହିଗଲା । ସେ କିପରି ନଈକୂଳରେ ଏକାକୀ ବୁଲୁଥିଲା, ଦୈବାତ୍‌ କିପରି ଗୋଟିଏ ମୃତ ରମଣୀଙ୍କ ଶବ ଭେଟିବାକୁ ହେଲା, ସେଠାରେ ବୃଦ୍ଧ ଗଗନ କିପରି ନିଜର ସକଳ ପରିଚୟ ଦେଲେ – ଗୋଟି ଗୋଟି କରି ଏକ ନିଶ୍ୱାସରେ ଗାଇଗଲା । ରମଣୀ ଯେତେବେଳେ ଲଛମନ ମୁହଁରୁ ଶୁଣିଲେ ଯେ ସେହି ଶବ ମୂର୍ତ୍ତି ତାଙ୍କରି ଶବ ବୋଲି ଚିହ୍ନଟ ହୋଇଛି ସେ ନହସି ରହିପାରିଲେନାହିଁ । ଲଛମନର ସନ୍ଦେହ ମାତ୍ରା ବଢ଼ିଲା, କହିଲା – ‘‘ହସିଲ ଯେ, କଥା କଣ ତେବେ ମିଛ ?’’

 

ସେ ହସି ହସି କହିଲେ, ‘‘ମିଛ କାହିଁକି ହେବ ? ସବୁ ସତ । ମାତ୍ର କମଳା ତ ଏହିଠାରେ ତୁମ ସଙ୍ଗେ କଥାହେଉଛି; ସେ ମରିଛି କିପରି ?’’

 

ଏକଥା ଶୁଣି ଲଛମନ ବିସ୍ମୟରେ ଆଖି ତରାଟି ଦେଲା । କିଛି ସମୟ ଏକଲୟରେ ତାଙ୍କ ମୁହଁକୁ ଚାହିଁରହି ପଚାରିଲା, ‘‘ତୁମେ ସତ କହୁଛ ? ତୁମେ କମଳା, ରମାର ମାଆ କମଳା ! ତେବେ ଗଗନ ରଣସିଂହଙ୍କ ଭାଉଜ ମଲେ କିପରି ? ଗଗନଙ୍କୁ ତେବେ କ’ଣ ତୁମେ ଜାଣ ନାହିଁ ? ମା’ ! ଏହି ଆଖିରେ କାଲି ଦେଖିଆସିଛି, ସେହି ‘କମଳା’ ଯେ ଠିକ୍ ତୁମରି ପରି ! ମୋତେ ଠିକ୍‌ କଥା କହ ମାଆ !’’

 

କମଳା ଆଶ୍ୱାସନା ଦେଲା ପରି ହସି ହସି କହିଲେ, ‘‘ବ୍ୟସ୍ତ ହୁଅ ନାହିଁ ବାବୁ, ବ୍ୟସ୍ତ ହୁଅ ନାହିଁ । ଏ ଭିତରେ ବହୁତ କଥା ଅଛି । ଯାହା କହୁଛ ତାହା ସଂପୂର୍ଣ୍ଣ ମିଥ୍ୟା ନୁହେଁ । ମୋର ଭଉଣୀ ନାହିଁ, କି ସେ ମୃତ ଶବ ନାଁ କମଳା ନୁହେଁ । ମୋର ଜଣେ ଦାଦି-ଝିଅ ଭଉଣୀ ଥିଲା; ସେ ଠିକ୍‌ ମୋରି’ପରି । ଯେତେ ଦୂର ସମ୍ଭବ, ମୋ’ଠାରୁ ସେ ଦୁଇବର୍ଷ ବୟସରେ ସାନ । ତାର ସ୍ୱାମୀ ମତୁଆଳ । ସ୍ୱାମୀର ଅତ୍ୟାଚାର ସେ ବରାବର ସହିଆସିଥିଲା । ଆହା, ଅଭାଗିନୀ ବୋଧହୁଏ ଆଉ ଦୁଃଖ ସହିପାରିଲା ନାହିଁ କିମ୍ୱା ସେ ଦୁର୍ଦ୍ଦାନ୍ତ ସ୍ୱାମୀ କବଳରେ ପଡ଼ି ସଂସାର ଛାଡ଼ିବାକୁ ବାଧ୍ୟହେଲା । ଲଛମନ, ତୁମେ ଯେଉଁ ମୃତ ଶରୀର ନଈକୂଳରେ ଦେଖିଲ ବୋଲି କହୁଛ ଏବଂ ମୋର ଦିଅର ଯାହାକୁ ମୋର ଶବ ବୋଲି ଠିକ୍‌କଲେ, ସେ ସେହି ହତଭାଗିନୀର ଶବ ହୋଇଥିବ – ଆଉ ଏଥିରେ କିଛି ସନ୍ଦେହ ନାହିଁ ।’’ ଏହା କହି କମଳା ପଣତକାନିରେ ଆପଣାର ଛଳଛଳ ଆଖି ଦୁଇଟି ପୋଛିପକାଇଲେ ।

 

କମଳା ଆଖିରେ ଲୁହ ଦେଖି ଲଛମନର ଆଖିପତା ଦୁଇଟି ଓଦାହୋଇଗଲା । ସେ ଏହିଠାରେ ରମାକୁ ସାକ୍ଷୀ ରଖି ତା ଜୀବନର ଗତ ପାଞ୍ଚବର୍ଷର ସୁଖଦୁଃଖମୟ ସକଳ ଘଟଣା ଗୋଟି ଗୋଟିକରି ବର୍ଣ୍ଣନାକରିଗଲା । କିପରି ସେ ପୁଲିସ ହାବୁଡ଼ରେ ପଡ଼ିଥିଲା, ରମା ଆଉ ସେ ଦୁହେଁ କିପରି କୌଶଳରେ ବିପଦରୁ ଖସିଲେ, ପାଞ୍ଚବର୍ଷକାଳ ଅକୂଳ ସମୁଦ୍ରରେ ବୁଲି ବୁଲି ସେ କିପରି ଆସି ପୁଣି ପରିଚିତ କୂଳରେ ପରିଚିତାକୁ ଖୋଜିବା ପାଇଁ ଆସି ଲାଗିଲା – ଆନନ୍ଦ ବିସ୍ମୟରେ କହିଗଲା । ରମାମୁହଁରୁ କମଳା ଲଛମନର ଅନେକ ଘଟଣା ଶୁଣିଥିଲେ । ରମା ତାଙ୍କୁ ସବୁ କହିଥିଲା; ମାତ୍ର ନଈକୂଳର ସେହି ପଥର କୋରଡ଼ଟି କଥା କହିନଥିଲା । ତାର ବୟସ ବୃଦ୍ଧି ସଙ୍ଗେ ସେପରି ଚିଠି ଦିଆ-ନିଆ କଥାଟି ମାଆଙ୍କୁ କହିବାକୁ ତାକୁ ସଂକୋଚ ବୋଧହୋଇଥିଲା । ଲଛମନ କହିଲା, କିପରି ସେ ଦୁହେଁ ନଈକୂଳଯାକ ପରସ୍ପରର ସଂକେତ ପାଇବା ପାଇଁ ଖୋଜିଛନ୍ତି ଏବଂ କିଏ ପଚାରିଲେ କିପରି ଏକା ଉତ୍ତର ଦେଇଛନ୍ତି – ଏହାହିଁ ଆଶ୍ଚର୍ଯ୍ୟର କଥା । ସେହି ସଂକେତ ଖୋଜିବା ଫଳରେ ଆଜି ଅସମ୍ଭବ ଭାବରେ ତିନିଜଣଙ୍କର ଭେଟ । କମଳା ଲଛମନ ମୁହଁରୁ ଏ ସବୁ କଥା ଶୁଣି ନିରଳସ ଭାବରେ କେବଳ ଗୋଟାଏ ଦୀର୍ଘନିଶ୍ୱାସ ପକାଇଲେ ମାତ୍ର; କିନ୍ତୁ ରମା ଛନଛନ ହୋଇ କେବେ ହସୁଥାଏ, କେବେ ବା ଲାଜରେ ମୁଣ୍ଡ ପୋତିଦେଉଥାଏ ।

 

ଲଛମନ କହିଲା, ‘‘ମା’, ଏ ପର୍ଯ୍ୟନ୍ତ ମୁଁ ଏତେ ଏତେ ଘଟନା ଦେଖିଗଲି, ଏତେ ଏତେ କଥା ଶୁଣିଗଲି; କିନ୍ତୁ ତୁମମାନଙ୍କ ଭିତରୁ କାହାରିକୁ ଚିହ୍ନିପାରିଲି ନାହିଁ- ଏହି ହେଉଛି ଆଶ୍ଚର୍ଯ୍ୟ କଥା ।’’

 

କମଳାଙ୍କ ମୁହଁରେ ପୁଣି ଦରହାସ୍ୟ ଫୁଟିଉଠିଲା । କହିଲେ, ‘‘ଯଦି ଚିହ୍ନିନଥାଅ, ଅଳ୍ପଦିନ ମଧ୍ୟରେ ଚିହ୍ନିବ ।’’

 

-‘‘ମୋର ସେ ଚିହ୍ନିବାରେ ଆଉ ବିଶ୍ୱାସ ନାହିଁ । ମୁଁ ଗୋଟିଏ ଦୁଃସମ୍ୱାଦ ତୁମକୁ ଦେବି । ଆଜି ଗୋଟିଏ ମୃତ୍ୟୁ ଖବର ନେଇ ଆସିଛି ।’’ ମୃତ୍ୟୁ ଖବର କଥା ଶୁଣି କମଳା ମନରେ ଛନକା ପଶିଗଲା । ସେ ବ୍ୟାକୁଳ ବ୍ୟଗ୍ରତାରେ ଟିକିଏ ଲଇଁପଡ଼ି ଲଛମନ ମୁହଁକୁ ଚାହିଁରହିଲେ । ରମା ମୁହଁରୁ ହାସ୍ୟରେଖା ଲିଭିଗଲା । ପର ମୁହୂର୍ତ୍ତରେ ଲଛମନ ମୁହଁରୁ ଯେ କି ଶବ୍ଦ ଉଚ୍ଚାରିତ ହେବ, ସେ କଥା ଶୁଣିବା ପାଇଁ ଦୁହେଁ ଯେପରି ବ୍ୟାକୁଳତା ଦେଖାଇଲେ, ସେ ବ୍ୟାକୁଳତାର ପ୍ରକୃତ ରହସ୍ୟ ଜାଣିବା ପାଇଁ ଲଛମନ ଆହୁରି ବ୍ୟାକୁଳ ହୋଇପଡ଼ିଲା । ସେ ଜଡ଼ିତ କଣ୍ଠରେ କହିଲା, ‘‘ସେହି ଗଗନ ରଣସିଂହ – ଏଇ ଗଲା ରାତିରେ ତାଙ୍କର କାଳ ହୋଇଯାଇଛି । ମୁଁ ପାଖେ ପାଖେ ଥିଲି । ସେ କି ବିଚିତ୍ର ମୃତ୍ୟୁ ମା’, ଚାହୁଁ ଚାହୁଁ ପ୍ରାଣବାୟୁ ଉଡ଼ିଗଲା । ମୋ ମୁହଁରୁ ରମାର ସଂବାଦ ଶେଷ ହୋଇଛି କି ନାହିଁ, ତାଙ୍କର ବାର୍ଦ୍ଧକ୍ୟ ଶରୀର ତଳେ ଢଳି ପଡ଼ିଲା । ଶେଷ ମୁହୂର୍ତ୍ତରେ କେବଳ ଏତିକି କହିଗଲେ, ‘ବାକ୍‌ସରେ ଥିବା କାଗଜ କାଢ଼ିବ ।’’ ତାଙ୍କର ଜଣେ ବିଧବା ଭଉଣୀ ପାଖେ ପାଖେ ଥିଲେ ।

 

ସେହି ସମୟରେ କମଳାଙ୍କ ମୁହଁକୁ ଯେ ଦେଖିବ, ତାଙ୍କୁ ପାଗଳିନୀ ଛଡ଼ା ଆଉ କିଛି କହିପାରିବନାହିଁ । ସେ ନିତାନ୍ତ ଅସ୍ଥିର ହୋଇ କେବଳ ବେଳେବେଳେ ଗୋଟାଏ ଗୋଟାଏ ଦୀର୍ଘ ନିଶ୍ୱାସ ଛାଡ଼ିବାକୁ ଲାଗିଲେ । ତାଙ୍କର ରକ୍ତାଭ ମୁଖମଣ୍ଡଳ ରକ୍ତହୀନ ଶବମୁହଁ ପରି ବିକୃତ ହୋଇପଡ଼ିଲା । ଘୃଣା, ତାତ୍ସଲ୍ୟ, ସଂକୋଚରେ ସେ ଦୁଇ-ତିନି ଥର କହିବାକୁ ଚେଷ୍ଟାକରି ଶେଷକୁ ରମା ମୁହଁକୁ ଚାହିଁ କହିଲେ, ‘‘ରମା – ରମା – ସେ ରାକ୍ଷସ ଆଉ ବାକି ରଖିନଥିବ । ମୋ ଜୀବନର ସବୁ ସୁଖ-ସମ୍ପଦ ସାରିଛି । ମରଣରେ କଣ ଦାଉ ସାଧି ଯାଇଥିବ । ରାକ୍ଷସର ଏ ସଂସାରରେ ଶାସ୍ତି ହେଲା ନାହିଁ, ରମା !’’ ଏହା କହି ସେ ଅର୍ଦ୍ଧମୂର୍ଚ୍ଛିତା ପରି କାନ୍ଥକୁ ଆଉଜିପଡ଼ିଲେ । ଲଛମନ କେବଳ ଗୋଟାଏ ପାଷାଣମୂର୍ତ୍ତିପରି ଏ ଦୃଶ୍ୟ ଦେଖି ଅବାକ୍‌ ହୋଇ ରହିଲା । ଯେଉଁ ଲୋକ କମଳାର ମୃତ୍ୟୁ ସଂଶୟରେ କାନ୍ଦିବାର ଦେଖାଅଛି, କମଳା ତାକୁ ଶେଷରେ ରାକ୍ଷସ କହୁଛି – ଏହା ଲଛମନ ପକ୍ଷରେ କମ୍ ବିସ୍ମୟର କଥା ନୁହେଁ । ସେ ଆଉ ବେଶୀ ସମୟ ସମ୍ଭାଳି ପାରିଲା ନାହିଁ । ଏହା ଭିତରେ କି ଗୋପନୀୟ ମାୟାର ରହସ୍ୟ ଯେ ତା’ପ୍ରତି କାହିଁକି ଅକୁହା ରହୁଛି, ଭାବି ଠିକ୍‌ କରି ପାରିଲା ନାହିଁ । ଆଗ୍ରହାତିଶଯ୍ୟରେ ରମାର ହାତ ଦୁଇଟା ଟାଣି ଧରିପକାଇ ପଚାରିଦେଲା, ‘‘ରମା, ମୋ ବୁକୁରେ ଛୁରୀ ମାରିଦେ; ନହେଲେ ମୋତେ ସତକଥା କହ, ଏବେ ତୋର ସେ ଘନ ବୁଢ଼ା କଥା ତୁ ଜାଣୁ କି ନାହିଁ ?’’

 

-‘‘ଘନ ବୁଢ଼ା କିଏ ଲଛମନ ? ସେ ପରା ମୋର ବାପା ! ଆହୁରି ସନ୍ଦେହ ଅଛି ?’’

 

-‘‘ତେବେ ରମା, ମୋତେ କିଛି ସମୟ ପାଇଁ ଏଠାରୁ ଯିବାକୁ ହେବ । କାଲି ସକାଳେ ମୁଁ ଆସି ଦେଖାକରିବି ।’’

ଏପରି ପ୍ରଶ୍ନ ସଙ୍ଗେ ସଙ୍ଗେ ଲଛମନ ଚାଲିଯିବା କଥା କହିବାରୁ ରମା ମନରେ ଘୋର ସନ୍ଦେହହେଲା । ପଚାରିଲା, ‘‘ସତ କହିବ ଲଛମନ, ତୁମେ ବୋଧହୁଏ ଏଥିମଧ୍ୟରେ ମୋ ବାପାଙ୍କୁ ଭେଟିଛ ।’’

 

-‘‘ତୁମେ କିପରି ଜାଣିଲ ?’’

-‘‘ଏଇ ତୁମ ଢଙ୍ଗଢାଙ୍ଗରୁ ଅନୁମାନକଲି ।’’

 

ଟିକିଏ ଭାବି ଲଛମନ କହିଲା, ‘‘ମୋର ମିଛ କହିବା ଦରକାର ନାହିଁ । ଭେଟିଛି, କିନ୍ତୁ...’’

 

-‘‘ତୁମେ ଏକୁଟିଆ ଯିବ ନାହିଁ; ତୁମ ସଙ୍ଗେ ମୁଁ ଯିବି । ତୁମେ ଜାଣନାହିଁ, ବାପାଙ୍କୁ ପାଇବା ପାଇଁ ମାଆଙ୍କର ମୋର ଗତ ଛ’ମାସ ହେଲା ଦିନରାତି ଲାଗିଛୁଁ । ତାଙ୍କୁ ପାଇଲା ପରେ ତୁମେ ଆହୁରି କଥା ଜାଣିପାରିବ । ମତେ ସାଙ୍ଗରେ ନିଅ ।’’

 

ରମାର ଏତିକି କଥାରୁ ଲଛମନ ବୁଝିନେଲା ଯେ ବୁଢ଼ା ପଛେ ପଛେ ଯେଉଁ ଛଦ୍ମବେଶୀ ଲାଗିଥିଲା ସେ ଆଉ କେହି ନୁହେଁ, କେବଳ ଏହିମାନଙ୍କ ଲୋକ । କହିଲା, ‘‘ନାହିଁ ରମା, ତୁମେ ଯିବା ସୁନ୍ଦର ହେବ ନାହିଁ । ତୁମେ ଏହିଠାରେ ଥାଅ । ମୁଁ ଆଗ ଯାଇ ତାଙ୍କ ସଙ୍ଗେ କଥା ହୋଇ ଆସୁଛି ।’’

 

କମଳା ପ୍ରକୃତିସ୍ଥ ହୋଇ ରମାକଥାକୁ ବାଧା ଦେଇ କହିଲେ, ‘‘ଲଛମନ ଠିକ୍‌ କହୁଛନ୍ତି ରମା । ତୁ ଅଥୟ ହୁଅନା; ସେ ଯାଆନ୍ତୁ ।

 

      X            X            X            X

 

ଉପର ମହଲାର ଠିକ୍‌ ସେହି ଖଟ ଉପରେ ବୃଦ୍ଧ ବସିଥିଲେ; ଲଛମନ ଘରେ ପାଦ ଦେଇ ମୁହୂର୍ତ୍ତେ ଅପେକ୍ଷା ନ କରି ପାଟିକରି କହିଲା, ‘‘ସୁସମ୍ୱାଦ ! ପାଇଲି, ତାଙ୍କ ଭେଟ ପାଇଲି ।’’

 

-‘‘କିଏ ଲଛମନ !’’

-‘‘ରମା ଆଉ ତାଙ୍କ ମା’ କମଳା ।’’

 

ବୃଦ୍ଧ ଭୀତ-ଚକିତ ଚାହାଣିରେ ବସିବା ସ୍ଥାନରୁ ଉଠିବାକୁ ଚେଷ୍ଟାକରି କହିଲେ, ‘‘ଭେଟ ପାଇଲ ! ମୋତେ ଦେଖିଛ ବୋଲି ତାଙ୍କୁ କହିନାହଁ ତ ?’’

 

-‘‘ନା, କହିଦେଇଛି । ନ କହି ରହିପାରିଲି ନାହିଁ ।’’

ବୁଢ଼ା କଟମଟ କରି ଚାହିଁ କହିଲେ, ‘‘କହିଦେଲ ! ବଡ଼ ଭୁଲ୍‌ କଲ...’’

-‘‘ଅପେକ୍ଷା କରନ୍ତୁ, ଧୈର୍ଯ୍ୟ ଧରନ୍ତୁ, ଆଉ ଏକ ସଂବାଦ ଅଛି ।’’

-‘‘ଆଉ କି ସମ୍ୱାଦ ?’’

-‘‘ତୁମେ ଘନ ରଣସିଂହ ନୁହଁ; ତୁମେ ମୋହନ ରଣସିଂହ ।’’

-‘‘ଏ ସଂବାଦ ତୁମକୁ କିଏ ଦେଲା ?’’

-‘‘ଖାଲି ଏତିକି ନୁହେଁ, ତୁମ ଭାଇ ଗଗନ ରଣସିଂହଙ୍କର ମୃତ୍ୟୁ ହୋଇଛି ।’’

 

ଏ ସମ୍ୱାଦରେ ମୁହୂର୍ତ୍ତକ ମଧ୍ୟରେ ବୁଢ଼ାଙ୍କ ମୁହଁର ଚେହେରା ବଦଳିଗଲା । ଉଠିପଡ଼ି ଲଛମନକୁ ଜାକି ପକାଇ କହିଲେ, ‘‘ଗଗନ ରଣସିଂହ ମରିଯାଇଛନ୍ତି ? ସତ କହୁଛ ଲଛମନ ! ଓହୋ...’’ ଆଶ୍ୱସ୍ତ ପ୍ରାଣର ଏକ ଦୀର୍ଘନିଶ୍ୱାସ ବୃଦ୍ଧଙ୍କ ହୃଦୟଭିତରୁ ବାହାରିପଡ଼ିଲା ।

 

-‘‘ଖାଲି ନୀରବରେ ମରିନାହାନ୍ତି, ମଲାବେଳେ ବାକ୍‌ସରେ କି କାଗଜ ରଖିଯାଇଥିବା କଥା ମଧ୍ୟ କହିଛନ୍ତି ।’’

 

ବୃଦ୍ଧ ଏକଦୃଷ୍ଟିରେ ଲଛମନର ମୁହଁକୁ ଚାହିଁରହିଲେ; ସେ ଗୋଟି ଗୋଟି କରି ସବୁକଥା କହିଗଲା । ତା ପରେ ବୃଦ୍ଧ କହିଲେ, ‘‘ଚାଲ ଲଛମନ, ସେହିଠାରେ ଆଗ କାର୍ଯ୍ୟ !’’

 

ଦୁହେଁ ଚାଲିଲେ । ଜଣକ ପ୍ରାଣରେ ସନ୍ଦେହର ଘୋର ଯବନିକା ଘନ ହୋଇଆସୁଥିଲା; ଅନ୍ୟ ପ୍ରାଣ ଦୀର୍ଘ ବର୍ଷ ବର୍ଷ କାଳର କାଳିମାମୟ ଯାତନାମୟ କାରାଗୃହରୁ ମୁକ୍ତହେଲାପରି ନାଚିଉଠୁଥିଲା । ଗଗନଙ୍କର ଦୁଆରମୁହଁରେ ପହଞ୍ଚି ଲଛମନ ଭଦ୍ରଭାବରେ ବୃଦ୍ଧଙ୍କୁ ଭିତରକୁ ବାଟ କଢ଼େଇନେଇ ଦୁଆରବନ୍ଧକୁ ଆଉଜିପଡ଼ି କଣ ଭାବିବାରେ ଲାଗିଲା । କେତେ ସମୟ ଯେ ଭାବିଲା, ସେ ଜାଣିନାହିଁ; ତାର ଚେତା ହେଲାବେଳକୁ ବୃଦ୍ଧ ତା କାନ୍ଧରେ ହାତଦେଇ ପଥରମୂର୍ତ୍ତିପରି ଠିଆହୋଇଛନ୍ତି । ଦୁହେଁ ଦୁହିଁଙ୍କ ମୁହଁକୁ କିଛି ସମୟ ଚାହିଁଲେ । ପରେ ବୃଦ୍ଧ କହିଲେ, ‘‘କାହିଁ ମୋର ରମା, ଲଛମନ ?’’

 

-‘‘ଯାଇ ଡାକିଆଣିବି ?’’

-‘‘ନା, ମୁଁ ତା ପାଖକୁ ଯିବି ।’’

 

-‘‘ଯିବ ତ, ଯିବା ଆଗରୁ ତୁମକୁ ଆଗେ ତୁମର ଇତିହାସ କହିବାକୁ ପଡ଼ିବ, ନ ହେଲେ ତୁମର ପ୍ରତିଜ୍ଞା ଭଙ୍ଗହେବ ।’’

ବୃଦ୍ଧ ଟିକିଏ ଅପେକ୍ଷା କରି କହିଲେ, ‘‘କହିବି, ଆଉ ଲୁଚାଇବାର କିଛି ଆବଶ୍ୟକତା ମନେ କରୁ ନାହିଁ; ଆଉ ବେଶି ସମୟ ମଧ୍ୟ ଲୁଚାଇରଖିପାରିବି ନାହିଁ । ଗଗନ ମୋର ଭାଇ ବୋଲି ଅନୁମାନ କରିଛ, ତା ଠିକ୍‌ । ସେ ମୋର ଆଡ଼ପାଗଳିଆ ଭାଇ । ସେ ତୁମ ଆଗରେ ଯେଉଁସବୁ ପରିଚୟ ଦେଇଯାଇଛି, ତାହା ପ୍ରକୃତ କଥା ନୁହେଁ; ସେ କଥା କେବଳ ବାହାର ଲୋକେ ଜାଣନ୍ତି । ଲଛମନ, ମୁଁ ଘନ ରଣସିଂହ ନୁହେଁ । ଘନ ରଣସିଂହ ଅନେକ ଦିନୁ ମରିଛନ୍ତି; ତାଙ୍କରି ହତ୍ୟାକାରୀ ହେଉଛନ୍ତି ସେହି ଗଗନ ରଣସିଂହ । ପ୍ରକୃତରେ ଗଗନ ମୋର ସ୍ତ୍ରୀଙ୍କ ପ୍ରତି ଆସକ୍ତ ଥିଲେ । ସେହି ମୋ ସ୍ତ୍ରୀଙ୍କ ନାଁରେ ଅପବାଦ ଉଠାଇଲେ, ତାଙ୍କରି ଅପବାଦହିଁ ଗୋଟିଏ ଧନଜନପୂର୍ଣ୍ଣ ପରିବାରକୁ ଛାରଖାର କରିପକାଇଲା । ଆଜି ସେହି ପରିବାରର ଶ୍ମଶାନଯାତ୍ରୀ ପରି ମୁଁ ତୁମ ଆଗରେ ଠିଆ । ତାଙ୍କରି ପାପଫଳରେ ଆଜି ମୋର ଏ ଅବସ୍ଥା, ଆଜି ମୁଁ ଦାଣ୍ଡର ଭିକାରି, ଜଗତ୍‌ର ଅବହେଳିତ ଜୀବ ! ସେ ନିଜର ସ୍ୱାର୍ଥସିଦ୍ଧିପାଇଁ ଜାଣି ଜାଣି ଘନ ରଣସିଂହଙ୍କ ନାମରେ କଳଙ୍କ ବୋଳିଲେ; କିନ୍ତୁ ସେପର୍ଯ୍ୟନ୍ତ ସତୀସାଧ୍ୱୀ କମଳାଙ୍କ ପ୍ରତି ମୋର ଲେଶମାତ୍ର ସନ୍ଦେହ ନଥାଏ । ସବୁ ଶୁଣୁଥାଏ; ମାତ୍ର ଧୈର୍ଯ୍ୟଧରି ସତ୍ୟାନୁସନ୍ଧାନରେ ଲାଗିଥାଏ । ଏହିପରି କେତେ ଦିନ କେତେ ମାସ କଟିଗଲା । ମୁଁ ଜାଣିନଥିଲି ତାର ପରିଣତି ଏପରି ଭୟଙ୍କର ହେବ ବୋଲି । ଦିନେ ଏହି କଥା ନେଇ ଘନ ଗଗନଙ୍କ ଭିତରେ ବାଦ ବିବାଦ ପଡ଼ିଲା । ସେତେବେଳକୁ ମୁଁ ରୋଗଶଯ୍ୟାଗତ; ଜୀବନର ଆଶା ନଥିଲା । ଏ ମୁମୂର୍ଷୁ ମୋହନର ରୋଗଶଯ୍ୟା ପାଖରେ ସେହି ଦୁହିଁଙ୍କର ବିବାଦ ସଙ୍ଗେ ସଙ୍ଗେ ତୁମୁଳ ବାହୁଯୁଦ୍ଧ ଆରମ୍ଭହେଲା । ଲଛମନ, ସେ ଘଟନା ଆଜି ମୋର ବାର୍ଦ୍ଧକ୍ୟ ଜୀବନରେ ହୃତକମ୍ପ ଜନ୍ମାଉଛି । ଗଗନଙ୍କ ବଜ୍ରମୁଷ୍ଟିରେ ଘନ ମୋର ଶେଯ ଉପରେ ଢଳିପଡ଼ିଲେ; ଆଉ ତାଙ୍କୁ ଉଠିବାକୁ ହେଲାନାହିଁ । ମୋର ରୋଗଶଯ୍ୟା ତାଙ୍କର ମୃତ୍ୟୁଶଯ୍ୟା ହେଲା । ଏହିଠାରୁ ବିପଦ ଘୋଟିଆସିଲା । ବାହାରେ କେହି ଜାଣିଲେନାହିଁ, କେହି ଶୁଣିଲେନାହିଁ, ମୋରି ଶବ ବୋଲି ଘନଙ୍କୁ ନେଇ ଶ୍ମଶାନରେ ଦାହ କରିଦିଆଗଲା । ଏହାପରେ ମୁଁ ହେଲି ‘ଘନ ରଣସିଂହ’ । ଘନ ଓ ମୋ’ ଭିତରେ ଆକୃତି ଓ ବର୍ଣ୍ଣଗତ ବହୁତ ସାମଞ୍ଜସ୍ୟ ଥିଲା । ମୁଁ ବା ରୋଗମୁକ୍ତି ପରେ ଘରେ ରହିଥିଲେ ରହସ୍ୟ ବାହାରକୁ ଫିଟିପଡ଼ିଥାନ୍ତା, ଅଳ୍ପଦିନ ମଧ୍ୟରେ ମୋତେ ଘର-ସଂସାର ଛାଡ଼ିବାକୁ ପଡ଼ିଲା । ମୋର ମୃତ୍ୟୁ ଉପଲକ୍ଷରେ ଜ୍ଞାତିକୁଟୁମ୍ୱ ଆସି ଦଶାଖଟିଗଲେ, ମୁଁ ଘନ ରଣସିଂହ ବେଶରେ ସେହି ସମୟରେ ରୋଗୀ ହୋଇ ଅନ୍ଧାରଘରେ ପଡ଼ିରହିଲି । କିନ୍ତୁ ଏପରିଭାବରେ କେତେ ଦିନ ରହିହେବ ? ଗଗନଙ୍କ ବିଷବାଣୀ ମୋ ହୃଦୟ ଦଗ୍‌ଧ କରୁଥିଲା । ଘନଙ୍କ ସହିତ ବିବାଦେବେଳେ ସେ ମୋ ପ୍ରତି କମଳାଙ୍କ ବିଷୟରେ ଯେ ଅପବାଦ-ବାଣ ବର୍ଷିଲେ, ରକ୍ତମାଂସ ଦେହ ଧରି ତାହା ସହିବା କଥା ନୁହେଁ । କେବଳ ଅତିରିକ୍ତ ଭ୍ରାତୃସ୍ନେହରେ ମୋ ଜୀବନକୁ ସଂକଟାପନ୍ନ କରି ତାଙ୍କୁ ଫାଶିମୁହଁରୁ ରକ୍ଷାକରିବାପାଇଁ ଏପରି ଛଦ୍ମବେଶ, ଛଦ୍ମନାମ ଗ୍ରହଣ କଲି । ତୁମକୁ ସେ ଯେଉଁ ପରିଚୟ ଦେଇଯାଇଛନ୍ତି, ତାହା ମୋ’ରି ମନଗଢ଼ା । ଘନଙ୍କ ଶବଦାନ ପୂର୍ବରୁ ତାଙ୍କୁ ବିପଦରୁ ରକ୍ଷାକରିବାପାଇଁ ସେ ବ୍ୟବସ୍ଥା କରାଯାଇଥିଲା । ସେହି ଦିନଠାରୁ ସେ ଏକପ୍ରକାର ପାଗଳ ହୋଇଗଲେ । ମନରେ କେବଳ ତାଙ୍କର ସେହି କଥା ଦିନରାତି ନାଚିଲା – ସେହି ପାଗଳ ଅବସ୍ଥାରେ ତୁମକୁ ସେ ସେହି କଥା କହିଯାଇଛନ୍ତି ।’’

 

‘‘ମୁଁ ଆଉ କମଳାଙ୍କ ମୁହଁ ଚାହିଁଲିନାହିଁ । କିନ୍ତୁ ରମା ! ସେ ଯେ ମୋର ପ୍ରାଣର ଧନ ! ତାକୁ ଛାଡ଼ି ଯାଆନ୍ତି କୁଆଡ଼େ ? ତାର ସାମାନ୍ୟ ବୁଦ୍ଧି ହୋଇଥିଲା । ଦିନେ ତାକୁ ମାଆକୋଳରୁ ଛଡ଼ାଇ ନେଇ ସେହି କଦର୍ଯ୍ୟ କୁଡ଼ିଆ ଘରେ ଆଶ୍ରୟ ନେଲି । ଗଗନ ଜାଣିଥିଲା , ସେହିଦିନୁ ସେ ମୋହନର ଝିଅ ନୁହେଁ, ଛଦ୍ମବେଶୀ ଘନର ଝିଅ । ସେହିଦିନୁଁ ମୁଁ ମଫସଲ ଘର ଛାଡ଼ି ଏହି ସହରରେ ପ୍ରବାସୀ ହେଲି ।

 

‘‘ଆଜି ମରିବା ଆଗରୁ ଗଗନ ଯେ କାଗଜ ଲେଖିଯାଇଛନ୍ତି, ତାହା କମଳାଙ୍କ ସ୍ୱଚ୍ଛ ଚରିତ୍ରର ନିଦର୍ଶନ । ସେ ଲେଖିଛନ୍ତି – କାନ୍ଦି କାନ୍ଦି ଲୁହରେ ଲେଖିଛନ୍ତି – ହୃଦୟ ଚିରି ରକ୍ତରେ ଲେଖିଛନ୍ତି । ସଂସାରରେ ମିଥ୍ୟା ଅପବାଦ ଅସତ୍ୟର ଆୟୁ ଅତି ଅଳ୍ପ, ଲଛମନ । କିନ୍ତୁ ଆଉ ବେଳ ନାହିଁ; ବେଳ ନାହିଁ । ଜୀବନ-ଦୀପ ଲିଭିଆସୁଛି । ସେ କଥା ଆଉ ମନେପକାଇବାକୁ ଅନୁରୋଧ କରନାହିଁ, ଲଛମନ । ଦେଖାଇଦିଅ ମତେ ତାଙ୍କୁ – ଆଖି ବୁଜିବା ଆଗରୁ ମୋ ରମାକୁ ଥରେ ହେଲେ ଦେଖିଯାଏଁ । ଆଉ ମୋର କମଳା ! କମଳା !’’ – କହି ବୃଦ୍ଧ ଅବଶଭାବରେ ଲଛମନ ଉପରକୁ ଆଉଜିପଡ଼ିଲେ ।

 

      X            x            x            x

 

ଦାମ୍ପତ୍ୟ ଜୀବନର ଦୀର୍ଘ ବିଚ୍ଛେଦ ପରେ ମୋହନ କମଳାଙ୍କର ମଧୁର ମିଳନ କେବଳ ଲୁହରେ ଲୁହରେହିଁ ହେଲା । ଦୁହେଁ ଦୁହିଁଙ୍କୁ ଦେଖି ନୀରବରେ କାନ୍ଦିଲେ – ଘନ ଘନ ଦୀର୍ଘନିଶ୍ୱାସରେ ହୋଟେଲର ସେହି କ୍ଷୁଦ୍ର କୋଠରିଟି ଉତ୍ତପ୍ତ ହୋଇଉଠିଲା ।

 

ସେତେବେଳେ ଲଛମନ ରମାକୁ ଧରି ଆର ଘରେ ପଚାରିଲା, ‘‘ରମା, ତୁମେ ଏଠାକୁ ଆସିଲ କିପରି ? ବାପା ଯେ ତୁମକୁ ଏତେ ସ୍ନେହକରୁଥିଲେ, ସେ କଥା କଣ ଭୁଲିଗଲ ?’’

 

‘‘ଭୁଲିଥିଲେ କି ଆଜିଯାଏଁ କାନ୍ଦୁଥାନ୍ତି ?’’ – କହି ଆଖି ଛଳଛଳ କରି ରମା ମୁଣ୍ଡ ପୋତିଦେଲା । ତା ପରେ କହିଲା, ‘‘ମୁଁ ଆସିନାହିଁ, ମାଆ ମୋତେ ଘେନିଆସିଲେ । ତୁମକୁ ସେ ରାତିରେ ନଈକୂଳରେ ଛାଡ଼ି ଆସିଲା ପରେ ହଠାତ୍‌ ବାଟରେ କିଏ ଦୁଇ ଜଣ ମୋତେ ଗାଡ଼ିରେ ବସାଇ ଏହି କୋଠରିରେ ଆଣି ଛାଡ଼ିଦେଇଗଲେ । ସେତେବେଳେ ମୋର ଚେତା ବୁଡ଼ିଯାଇଥିଲା । ଆଖି ମେଲି ଚାହିଁଲାବେଳକୁ ମାଆ ମୋର ମୁଣ୍ଡଟି କୋଳରେ ରଖି ଧୀରେ ଧୀରେ ଆଉଁସୁଛନ୍ତି, ଟୋପା ଟୋପା ଲୁହ ତାଙ୍କ ଆଖିରୁ ଝରି ମୋର ବାଳ ଓଦା କରିଦେଇଛି । ସେହି ଦିନୁ ମୁଁ ଆଉ ପ୍ରକାଶ୍ୟରେ ବାହାରକୁ ଯାଇନାହିଁ ।’’

 

-‘‘ଆଚ୍ଛା ରମା ! ସେ ଟଙ୍କା କଥା କଣ ?’’

 

-‘‘ଆଉ କଥା କଣ ? ଟଙ୍କା ତ ବାପାଙ୍କର । ଦେଖୁଛି, ସେହି କୁଡ଼ିଆ ଘରକଥା ତୁମେ ଭୁଲିନାହଁ, ଲଛମନ ! ବାସ୍ତବିକ ସେ କଥା ଭୁଲିବାର ନୁହେଁ । ବାପା ମୋର ଧନୀ ଥିଲେ । ମାଆଙ୍କଠାରୁ ଶୁଣିଛି, ତାଙ୍କ ଭାଇଙ୍କ ଜୀବନ ରଖିବାପାଇଁ ସେ ଏପରି ପାଗଳ ହୋଇଯାଇଛନ୍ତି । ମାଆଙ୍କ ପାଖରୁ ମୋତେ ସେ ଦୁଇଥର ଚୋରାଇନେଇଥିଲେ । ପ୍ରଥମ ଥର କଥା ମୋର ଅଳ୍ପ ଅଳ୍ପ ମନେଅଛି । ସେତେବେଳେ ମୋତେ ଚାରିବର୍ଷ ବୟସ ହୋଇଥିଲା । ଆମେ ସମସ୍ତେ ଗାଁରେ ଥିଲୁ । ସେ ଥର ମୋତେ ଗଗନ କକା ଦିନେ ବାଟରେ ଦେଖି ମାଆଙ୍କ ପାଖରେ ନେଇ ଛାଡ଼ି ଦେଇଥିଲେ । ତା’ପରେ ଦ୍ୱିତୀୟଥର, ଯେତେବେଳେ ତୁମ ସହିତ ପ୍ରଥମେ ଦେଖାହେଲା – ସେତେବେଳକୁ ମାଆ ମୋର ବାପାଙ୍କୁ ପାଇବାପାଇଁ ଗାଁର ଘର ଦ୍ୱାର ଛାଡ଼ି ଏହି ରେଙ୍ଗୁନରେ ଆସି ଥା’ନ୍ତି । ତାଙ୍କରି ଲୋକ ମୋତେ ବାଟରୁ ଧରିଆଣିଲେ । ତୁମେ ଆଉ ଦୋଷ ଦେବ ନାହିଁ ଲଛମନ, ମୁଁ ସବୁ କଥା ତୁମକୁ ଲୁଚାଇଥିଲି । ମୁଁ ଜାଣିଥିଲି ସେ ମୋର ବାପା, ମାତ୍ର ତାଙ୍କ ଧମକରେ ମୁଁ କାହାରିକୁ ହେଲେ କିଛି କହୁନଥିଲି । ମୋ ମାଆଙ୍କ ଭୟରେ ସେ ଦିନରେ ମୋତେ ବାହାରକୁ ଛାଡ଼ିଦେଉନଥିଲେ; ମୋତେ ଖୁସି କରାଇବାପାଇଁ ସବୁବେଳେ ସେ ମୋ ପାଖରେ ଟଙ୍କା ପଇସା ଜମା ରଖିଥାନ୍ତି ଏବଂ ଗଲା କଥା ଭୁଲିଯିବାପାଇଁ ଦିନରାତି ମଦପିଉଥାନ୍ତି; ତେବେକେ ହେଲେ କଣ ଭୁଲିପାରିଲେ, ଲଛମନ !’’

 

ଏହି ସମୟରେ ମୋହନ ଆଉ କମଳା ସେ ଘରକୁ ପ୍ରବେଶକରି ମୁହୂର୍ତ୍ତେ ମାତ୍ର ଆମ ଦୁହିଁଙ୍କୁ ଚାହିଁ ଠିଆହେଲେ । ତା ପରେ ମୋହନ ଲଛମନକୁ, କମଳା ରମାକୁ ବାହୁବନ୍ଧନରେ ଜାକିପକାଇ ଘନ ଘନ ଚୁମ୍ୱନ ଦେବାକୁ ଲାଗିଲେ ।